ଫଟୋ ବି ମିଛ କହେ

Advertisment
ଫଟୋ ବି ମିଛ କହେ

ବିଶ୍ବରେ ଆସିଛି ଡିଜିଟାଲ୍‌ ବିପ୍ଳବ। ଆଉ ଏହାକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇଛି କୃତ୍ରିମ ବୁଦ୍ଧିମତା ବା ଏଆଇ। ମଣିଷର କଳ୍ପନାରୁ ଏଆଇ ରହିଛି ପାଦେ ଆଗରେ। ଏବେ ସ୍ମାର୍ଟଫୋନ୍‌ ଓ ଡେସ୍କଟପ୍‌ ଲାଗି ଉପଲବ୍ଧ ଏଆଇ ସଫ୍ଟୱେର୍‌ ଓ ଆପ୍ଲିକେସନ୍‌ ଫଟୋଗ୍ରାଫି କ୍ଷେତ୍ରରେ ଆଣିଛି ବୈପ୍ଲବିକ ପରିବର୍ତ୍ତନ। ଏଆଇ ପ୍ରୟୋଗରେ ପ୍ରତିଟି ଫଟୋ ସୁନ୍ଦର ଓ ଆକର୍ଷଣୀୟ ହେବା ସହ ଅନେକ ଅକଳ୍ପନୀୟ ପରିବର୍ତ୍ତନ ବି ହୋଇପାରୁଛି। ପୁରୁଣା ଫଟୋ ନଷ୍ଟ ହୋଇଯାଇଛି କି? ପିଲା ଦିନେ ଫଟୋ ଉଠାଇନାହାନ୍ତି? ଚିନ୍ତା କରନ୍ତୁନି। ଏବେ ଆଖିପିଛୁଳାକେ ଆପଣଙ୍କ ସମସ୍ୟାର ସମାଧାନ କରିଦେବ ଏଆଇ ଫଟୋଗ୍ରାଫର୍‌। ପୁରୁଣା ଛବିଟିର ଗଣିତକୁ ଭଲ ଭାବେ ପଢ଼ି ନୂଆ କରି‌ ତିଆରି ଦେବ। ପୁଣି ଏବେକା ‌ଚେହେରାକୁ ନେଇ ପିଲାଦିନର ଏକ ଫଟୋ ବି ପ୍ରସ୍ତୁତ କରିଦେବ। ଖାଲି କ’ଣ ସେତିକି, ଆପଣଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ ଏଆଇ ଫଟୋଗ୍ରାଫର୍‌ ଆପଣଙ୍କୁ ନ୍ୟୁୟର୍କର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ହେଉ କି ଦୁବାଇର ବୁର୍ଜ ଖଲିଫା ଭଳି ପ୍ରସିଦ୍ଧ ଅଟ୍ଟାଳିକା କିମ୍ବା ଆମାଜନ୍‌ ଜଙ୍ଗଲରେ ବାଘ ସାଥିରେ ଠିଆ କରାଇଦେବ। ପୁଣି ଫଟୋଗୁଡ଼ିକ ପୂରା ଜୀବନ୍ତ ଦୃଶ୍ୟମାନ ହେଉଥିବ। କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ପରିଚାଳିତ ଫଟୋଗ୍ରାଫି ମାଧ୍ୟମରେ ଏବେ ଆପଣ ନଥିବା ସ୍ଥାନରେ ରହିପାରିବେ, ଥିବା ସ୍ଥାନରୁ ଉଭାନ ହୋଇପାରିବେ, କିଣି ପାରୁନଥିବା ପୋଷାକ ପିନ୍ଧିପାରିବେ, ନିଜକୁ ସେଲିବ୍ରିଟି ଭଳି ସଜାଇ ପାରିବେ, ଏମିତି କେତେ କ’ଣ କରିପାରିବେ। ଏଣୁ ‘ଫଟୋ ସବୁବେଳେ ସତ କହେ’ ଭଳି ପ୍ରଚଳିତ ଚିନ୍ତାଧାରା ଭୁଲ୍‌ ପ୍ରମାଣିତ ହୋଇଛି। କୃତ୍ରିମ ବୁଦ୍ଧିମତାର କିମିଆ ‘ଫଟୋ ବି ମିଛ କହେ’ର ଧାରା ସୃଷ୍ଟି କରିଛି।

ଆଜିକାଲି କୃତ୍ରିମ ବୁଦ୍ଧିମତାର ପ୍ରୟୋଗରେ କୌଣସି ପ୍ରାମାଣିକତା ବିନା ମନ ମୁତାବକ ସ୍ମରଣୀୟ ତଥା ସ୍ବପ୍ନିଳ ମୁହୂର୍ତ୍ତ ଫଟୋ ମାଧ୍ୟମରେ ସୃଷ୍ଟି କରିହେଉଛି। ଜଣେ ଚାହିଲେ ବିଭିନ୍ନ ରାଜ୍ୟର/ଦେଶର ପାରମ୍ପରିକ ପୋଷାକ ପିନ୍ଧି କେବେ ବରଫାବୃତ ତୁନ୍ଦ୍ରାଞ୍ଚଳ ତ କେବେ ସମୁଦ୍ର ମଝିରେ ଥିବା ପ୍ରବାଳ ଦ୍ବୀପରେ ଥିବାର ଫଟୋ ସୃଷ୍ଟି କରିପାରୁଛି। ମଣିଷ ମନର ଏମିତି ଅନେକ ସ୍ବପ୍ନ ଓ ଅବ୍ୟକ୍ତ ଆକାଂକ୍ଷାକୁ ରୂପ ଦେଉଛି ଏଆଇ ଫଟୋଗ୍ରାଫି।

ପୁରୁଣା ଫଟୋ ନଷ୍ଟ ହୋଇଯାଇଛି କି? ପିଲା ଦିନେ ଫଟୋ ଉଠାଇନାହାନ୍ତି? ଚିନ୍ତା କରନ୍ତୁନି। ଏବେ ଆଖିପିଛୁଳାକେ ଆପଣଙ୍କ ସମସ୍ୟାର ସମାଧାନ କରିଦେବ ଏଆଇ ଫଟୋଗ୍ରାଫର୍‌।

l ଏଆଇ ଫଟୋଗ୍ରାଫି ଶିଳ୍ପରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହାଦ୍ବାରା ‌ମୂଳ ଫଟୋର ମାନ ଉନ୍ନତ କରାଯାଇପାରୁଛି, ଫଟୋକୁ ଆକର୍ଷଣୀୟ କରିବାକୁ କୃତ୍ରିମ ସୃଜନଶୀଳତାର ଉପଯୋଗ କରାଯାଉଛି, ଫଟୋର ପ୍ରେକ୍ଷାପଟ୍ଟ (ବ୍ୟାକ୍‌ଗ୍ରାଉଣ୍ଡ୍‌) ପରିବର୍ତ୍ତନଠାରୁ ଆରମ୍ଭ କରି ପୋଷାକପରିଚ୍ଛଦ, କେଶସଜ୍ଜା ଶୈଳୀ ଆଦି ବଦଳା ଯାଇପାରୁଛି। ବୟସର ତାରତମ୍ୟକୁ ମଧ୍ୟ ଏଆଇ ଦୂର କରିଛି। ଜଣଙ୍କୁ ବୃଦ୍ଧରୁ ଯୁବ ଓ ଯୁବରୁ ବୟସ୍କ ବି କରାଯାଇପାରୁଛି। ଅବାସ୍ତବ ହେଲେ ବି ଏସବୁ ଫଟୋ ଆକର୍ଷଣୀୟ ହେଉଥିବାରୁ ଏହାର ଆଦର ବଢ଼ିଚାଲିଛି।
l ଏବେ ପେସାଦାର ଫଟୋଗ୍ରାଫର୍‌ମାନେ ଏଆଇ ଟୁଲ୍ ବ୍ୟବହାର କରିବା ଆରମ୍ଭ କଲେଣି। ଏହା ଦ୍ବାରା ସେମାନେ ନିଜର ଫଟୋକୁ ସଂପାଦିତ କରି ଅଧିକ ଆକର୍ଷଣୀୟ କରିପାରୁଛନ୍ତି। ନିଜର କଳା ତଥା ଦକ୍ଷତା ବିକାଶ ଦିଗରେ ଏହା ସେମାନଙ୍କୁ ସହାୟକ ହେଉଛି।
l ଫଟୋଗ୍ରାଫିରେ ଏଆଇ ଉପଯୋଗ ସୀମିତ ଭାବେ ୧୯୭୦ ମସିହାରୁ ଆରମ୍ଭ ହୋଇଥିଲା। କିନ୍ତୁ ବୈଷୟିକ ଉତ୍କର୍ଷର ଅଭାବ ହେତୁ ଆଜିକା ସ୍ତରରେ ପହଞ୍ଚି ପାରି ନଥିଲା। ସରଳ ପ୍ରଯୁକ୍ତିବିଦ୍ୟା ଓ କଠିନ ଆଲ୍‌ଗୋରିଦିମ୍‌ ସେତେବେଳେ ଏକ ଛବିର ବାସ୍ତବଧର୍ମୀ ତଥା ଜଟିଳତାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା। ଏବେ ଏଆଇ ଫଟୋଗ୍ରାଫି ବ୍ୟାପକ ଭାବେ ବିକଶିତ ଓ ବିସ୍ତୃତ ହୋଇଛି। ତେଣୁ ଫଟୋ ପ୍ରସ୍ତୁତିରେ ଅସମ୍ଭବ ବୋଲି କିଛି ନାହିଁ।
l ଏଆଇ ଫଟୋ ସୃଷ୍ଟି କରିବା ପାଇଁ ମେସିନ୍‌ ଲର୍ଣ୍ଣିଂ ମଡେଲ ଇଣ୍ଟରନେଟ୍‌ରେ ଉପଲବ୍ଧ ସମସ୍ତ ଛବି ଓ ଏହା ସମ୍ପର୍କିତ ଲେଖାକୁ ଯାଞ୍ଚ କରିଥାଏ। ଫଟୋ ଓ ଲେଖାର ଧାରାକୁ ଭଲ ଭାବେ ଅନୁଶୀଳନ କରି ତାହା ଅନୁସାରେ ଏଆଇ ନିଜ ଫଟୋ ‌ସୃଷ୍ଟି କରିଥାଏ।
l ଏଆଇ ଫଟୋଗ୍ରାଫି ଅନେକଙ୍କ ସ୍ବପ୍ନ ପୂରଣ କରିଥିବା ବେଳେ ଏବେ ଏହାକୁ ନେଇ ହେଉଥିବା ଡିପ୍‌ଫେକ୍‌ ବୈଶ୍ବିକ ସ୍ତରରେ ମୁଣ୍ଡବ୍ୟଥାର କାରଣ ହୋଇଛି। ଏହାଦ୍ବାରା ବଡ଼ ବଡ଼ ସେଲିବ୍ରିଟି, ରାଜନୈତିକ ବ୍ୟକ୍ତିତ୍ବ ଓ ବିଜିନେସ୍‌ ଟାଇକୁନ୍‌ଙ୍କ ଫେକ୍‌ ଏଆଇ ଫଟୋ ଓ ଭିଡିଓ ସୃଷ୍ଟି କରି ସେମାନଙ୍କୁ ବଦନାମ ଓ ବ୍ଲାକ୍‌ମେଲ୍‌ କରାଯାଉଛି। ସାମାଜିକ ଗଣମାଧ୍ୟମରେ ମିଛ ଖବର ପ୍ରସାରଣ କରାଯାଉଛି। ଏଆଇ ଫଟୋ ଓ ଭିଡିଓ ଏତେ ବାସ୍ତବ ଦେଖାଯାଏ ଯେ ଏହାକୁ ଜାଲ୍ (ଫେକ୍‌) ବୋଲି ଚିହ୍ନିବା କଷ୍ଟକର ହୋଇପଡ଼େ।
l ଏଆଇ ଦ୍ବାରା ଉତ୍ପନ୍ନ ଫଟୋ ବା କଣ୍ଟେଣ୍ଟ୍‌ ପାଇଁ କପି ରାଇଟ୍‌ ନିଆଯାଇପାରିବ ନାହିଁ। କାରଣ ଏହା ମଣିଷ ଦ୍ବାରା ସୃଷ୍ଟ ନୁହେଁ।
l ଏଆଇ ଫଟୋ ସବୁବେଳେ ନିଖୁଣ ହୋଇ ନଥାଏ। କମ୍‌ ଗୁଣବତ୍ତାର ଏଆଇ ଫଟୋକୁ ଟିକେ ନିରିଖେଇ ଦେଖିଲେ, ଏହା ଅସଲି କି ନକଲି ତାହା ଜଣାପଡ଼ିଯିବ। ଏଭଳି ଫଟୋରେ ମଣିଷର ମୁହଁ, ଦାନ୍ତ, ହାତରେ ଅସମାନତା ପରିଲକ୍ଷିତ ହୋଇଥାଏ। ହାତରେ ଅଧିକ ଆଙ୍ଗୁଠି ବା କମ୍‌ ଆଙ୍ଗୁଠି ଥାଏ। ଶରୀରର ଅନୁପାତରେ ଅଙ୍ଗର ଆକାରରେ ଅସଙ୍ଗତି ଥାଏ, ଯେମିତିକି କାନ, ‌ପାଦ ଓ ଆଙ୍ଗୁଠି ଆଦି ଭିନ୍ନ ଢଙ୍ଗରେ ଛୋଟ କିମ୍ବା ବଡ଼ ହୋଇଥାଏ। ନିରେଖି ଦେଖିଲେ ଯେ କେହି ବି ଅଧିକାଂଶ ଏଆଇ ଫଟୋକୁ ଚିହ୍ନଟ କରିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe