ଉତ୍କର୍ଷ ଓଡ଼ିଶା ୨୦୨୫: ସ୍ୱପ୍ନ ସାକାର ପାଇଁ ପ୍ରବେଶ ପଥ

Advertisment

ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡ଼ିଶାର ସମଗ୍ର ବିକାଶରେ ଆରମ୍ଭ ହେବାକୁ ଯାଉଛି ଏକ ସଂପୂର୍ଣ୍ଣ ନୂଆ ଯୁଗ। ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଓଡ଼ିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢି ତୋଳିବାକୁ ଡବଲ୍...

ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡ଼ିଶାର ସମଗ୍ର ବିକାଶରେ ଆରମ୍ଭ ହେବାକୁ ଯାଉଛି ଏକ ସଂପୂର୍ଣ୍ଣ ନୂଆ ଯୁଗ। ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଓଡ଼ିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢି ତୋଳିବାକୁ ଡବଲ୍...

dggddg

Photograph: ( Facebook)

ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡ଼ିଶାର ସମଗ୍ର ବିକାଶରେ ଆରମ୍ଭ ହେବାକୁ ଯାଉଛି ଏକ ସଂପୂର୍ଣ୍ଣ ନୂଆ ଯୁଗ। ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ପାଇଁ ରାଜ୍ୟ ସରକାର ବଦ୍ଧପରିକର। ଓଡ଼ିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢି ତୋଳିବାକୁ ଡବଲ୍ ଇଂଜିନ୍ ସରକାରଙ୍କ ଉଦ୍ୟମରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୫। ଭୁବନେଶ୍ୱରର ଜନତା ମଇଦାନରେ ଜାନୁଆରି ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଏକ ମାଇଲ୍‌ଖୁଣ୍ଟ ତଥା ଐତିହାସିକ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଏହା ଓଡ଼ିଶାର ଶିଳ୍ପ କ୍ଷେତ୍ରର ଭବିଷ୍ୟତକୁ ନୂତନ ଓ ବ୍ୟାପକ କରିବାରେ ସହାୟକ ହେବ। ଓଡ଼ିଶାକୁ ଏକ ବୈଶ୍ୱିକ ଶିଳ୍ପ କେନ୍ଦ୍ରରେ ପରିଣତ କରିବା ସହ ଭାରତର ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତିଶାଳୀ ରାଜ୍ୟର ଆକାଂକ୍ଷାକୁ ସାକାର କରିବା ଦିଗରେ ଏହା ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ। ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ପୂର୍ବୋଦୟ ମିଶନ୍ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ଓଡ଼ିଶାର ସର୍ବାଙ୍ଗୀନ ଓ ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିବ। ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ପ୍ରାଥମିକ ଲକ୍ଷ୍ୟ ହେଉଛି ଉଭୟ ପାରମ୍ପରିକ ଓ ଯୁଗୋପଯୋଗୀ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଅଗ୍ରଣୀ ଭୂମିକାକୁ ଏହି ସମ୍ମିଳନୀ ମାଧ୍ୟମରେ ଗୁରୁତ୍ୱ ଦେବା। ଭିନ୍ନ ଭିନ୍ନ କ୍ଷେତ୍ରଗତ ଶିଳ୍ପରେ ଦୃଷ୍ଟି ନିବଦ୍ଧ କରିବା ହିଁ ଶିଳ୍ପ ଅଭିବୃଦ୍ଧିର ଇଂଜିନ ହୋଇପାରିବ ବୋଲି ଆମ ସରକାର ବିଶ୍ୱାସ କରନ୍ତି। ତେଣୁ ଏହି ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରମୁଖ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଉପରେ ବିଶେଷ ଧ୍ୟାନ ଦିଆଯିବ। 

ଏଥିପାଇଁ ଓଡ଼ିଶା ସରକାର ରୋଡ୍ ସୋ, କ୍ଷେତ୍ରୀୟ ଗୋଲ୍‌ଟେବୁଲ୍ ତଥା ବୃହତ୍‌ ଶିଳ୍ପ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା ସହ ଏକ ଦୃଢ଼ ରଣନୀତି କାର୍ଯ୍ୟକାରୀ କରିଛନ୍ତି। ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକଙ୍କ ପାଇଁ ରାଜ୍ୟ ନିଜକୁ ଏକ ପ୍ରମୁଖ ପୁଞ୍ଜିବିନିଯୋଗ ସ୍ଥଳ ଭାବେ ସ୍ଥାନିତ କରିବା ସହିତ ଏହି ପ୍ରୟାସରେ ଆଶାଜନକ ଫଳାଫଳ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଆମ ସରକାରଙ୍କ ଲକ୍ଷ୍ୟ ସ୍ପଷ୍ଟ। ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ତଥା ଅନ୍ତର୍ଭୁକ୍ତୀକରଣ ରାଜ୍ୟରେ ପରିଣତ କରିବା। ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା, ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ (ବ୍ୟବସାୟ କରିବାରେ ସହଜତା ଆଣିବା) ଭଳି ଦୃଷ୍ଟିକୋଣ ସହ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ଯୋଡ଼ି ହୋଇଛି। ଡବଲ୍ ଇଞ୍ଜିନ ସରକାରଙ୍କ ଆଭିମୁଖ୍ୟ ଦ୍ରୁତ ଅନୁମୋଦନ, ପ୍ରାଶାସନିକ ସ୍ୱଚ୍ଛତା ଏବଂ ବ୍ୟବସାୟ ଅନୁକୂଳ ପରିବେଶର ପ୍ରତିଶ୍ରୁତି ମାଧ୍ୟମରେ ଓଡ଼ିଶାକୁ ବୈଶ୍ୱିକ ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ପରିଣତ କରିବା।

ବୟନଶିଳ୍ପ, ପୋଷାକ ନିର୍ମାଣ, ଆଇଟି/ଆଇଟିଇଏସ୍‌, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ ସହ ଖାଦ୍ୟ ପ୍ରକ୍ରିୟାକରଣ ଭଳି ନିଯୁକ୍ତି ଭିତ୍ତିକ କ୍ଷେତ୍ର ଉପରେ ଆମେ ବିଶେଷ ଗୁରୁତ୍ୱ ଦେଉଛୁ। ଓଡ଼ିଶାର ଶିଳ୍ପ ଭିତ୍ତିଭୂମି ନିର୍ମାଣ ଏବଂ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ଏହି ଶିଳ୍ପ କ୍ଷେତ୍ରଗୁଡ଼ିକ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ। ଏଥିସହିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଅକ୍ଷୟ ଶକ୍ତି, ବାୟୋଟେକ୍ନୋଲୋଜି ଏବଂ ସବୁଜ ଇନ୍ଧନ ଭଳି ଉଦୀୟମାନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ମଧ୍ୟ ଆମେ ଜୋର ଦେଉଛୁ। ଶିଳ୍ପ ଅଭିବୃଦ୍ଧିର ଏକ ପ୍ରମୁଖ କାରଣ ହେଉଛି ଭିତ୍ତିଭୂମି। ଆମ ସରକାର ଏହି ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତିି। ଓଡ଼ିଶାର ତିନୋଟି ପ୍ରମୁଖ ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରକୁ ବିଶ୍ୱସ୍ତରୀୟ ବନ୍ଦରରେ ପରିଣତ କରାଯିବା ସହ ଇଂଚୁଡି, ବାହୁଦା ଓ ସୁବର୍ଣ୍ଣରେଖା ଭଳି ସ୍ଥାନରେ ନୂତନ ବନ୍ଦରର ବିକାଶ କରାଯାଉଛି। ଏହାବ୍ୟତୀତ, ଆମେ ଇଲେକ୍ଟ୍ରୋନିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ବୟନଶିଳ୍ପ ଭଳି କ୍ଷେତ୍ର ପାଇଁ ଶିଳ୍ପ କରିଡର, ଉତ୍ସର୍ଗୀକୃତ ଶିଳ୍ପ ପାର୍କ ଏବଂ କ୍ଷେତ୍ର ନିର୍ଦ୍ଦିଷ୍ଟ କ୍ଲଷ୍ଟର ବିକଶିତ କରୁଛୁ। ଶିଳ୍ପ ଗୁଡ଼ିକ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟକୁ ସମର୍ଥନ କରିବା ଲାଗି ରାଜ୍ୟରେ ଏକ ଡୁଆଲ୍ ଫିଡ୍ ନାଫଥା କ୍ରାକର ପ୍ରକଳ୍ପ ମଧ୍ୟ ଆରମ୍ଭ କରାଯାଉଛି।

ଭାରତ ସରକାରଙ୍କ ଡିପିଆଇଆଇଟି ଦ୍ୱାରା ବ୍ୟବସାୟ ସଂସ୍କାର ଆକ୍ସନ୍ ପ୍ଲାନ ରାଙ୍କିଙ୍ଗରେ ଓଡ଼ିଶା ଅନ୍ୟତମ ଶ୍ରେଷ୍ଠ ଆଚିଭର୍ସ ମାନ୍ୟତା ପାଇଛି। ସରକାର ଜମି ଆବଣ୍ଟନ ପ୍ରକ୍ରିୟାକୁ ଡିଜିଟାଇଜ୍ କରିବା ସହ ଶିଳ୍ପଗୁଡ଼ିକ ପାଇଁ ପ୍ରାକ୍ ଅନୁମୋଦିତ ସ୍ଥାନ ପ୍ରଦାନ କରୁଛନ୍ତି। ଏହି କ୍ରମରେ ସ୍ୱଚ୍ଛତା ବୃଦ୍ଧି, ବିଳମ୍ବ ହ୍ରାସ ଏବଂ ଅଧିକ ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ଆମେ ନୂତନ ନୀତି ପ୍ରଣୟନ କରୁଛୁ। ଅଧିକରୁ ଅଧିକ ନିବେଶକଙ୍କୁ ଆକୃଷ୍ଟ କରିବା ଏବଂ ସେମାନେ ଯେପରି ଓଡ଼ିଶାରେ ଦକ୍ଷତାର ସହ କାର୍ଯ୍ୟ କରିପାରିବେ ସେଥିପାଇଁ ଇଜ୍ ଅଫ୍ ଡୁଇଂ ବିଜନେସ୍ ଉପରେ ଗୁରୁତ୍ୱ ଦିଆଯାଉଛି।
ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ରଣନୀତିର କେନ୍ଦ୍ରବିନ୍ଦୁ ହେଉଛି ସ୍ଥାୟିତ୍ୱ। ଆମର ଶିଳ୍ପ ନୀତି ଓ ସଂକଳ୍ପ ସ୍ଥାୟୀ ଅଭ୍ୟାସ ଗ୍ରହଣ କରୁଥିବା ଏବଂ ଅକ୍ଷୟ ଶକ୍ତିକୁ ପ୍ରାଥମିକତା ଦେଉଥିବା ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରୁଛି। ନିରନ୍ତର ବିକାଶ ଲକ୍ଷ୍ୟ ସହ ଶିଳ୍ପ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଆଭିମୁଖ୍ୟ ଆମର ନୀତି, ଯୋଜନା ଓ ବିଭିନ୍ନ ପଦକ୍ଷେପରେ ପ୍ରତିଫଳିତ ହେଉଛି। ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୫ ବିଶେଷ କରି ଉତ୍ପାଦନ, ଆଇଟି ଓ ଲଜିଷ୍ଟିକ୍ କ୍ଷେତ୍ରରେ ନୂତନ ନିଯୁକ୍ତି ସୃଷ୍ଟି ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି। ଶିଳ୍ପ ସହଯୋଗ ମାଧ୍ୟମରେ ବୃହତ୍‌ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଓଡ଼ିଶା ସରକାର ଚାହୁଛନ୍ତି। ଏହାବ୍ୟତୀତ ରାଜ୍ୟର ଯୁବପିଢ଼ି ଯେପରି ନୂତନ ଯୁଗୋପଯୋଗୀ ଶିଳ୍ପର ଆବଶ୍ୟକତା ପାଇଁ ପ୍ରସ୍ତୁତ ରହିବେ ସେଥିପାଇଁ ତାଲିମ ଓ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଭଳି ପଦକ୍ଷେପ ମାଧ୍ୟମରେ ସରକାର ଆଇଟି, ଉନ୍ନତ ଉତ୍ପାଦନ, ସେମିକଣ୍ଡକ୍ଟର୍ ଓ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ଅଭିବୃଦ୍ଧି ଆଣିବାରେ ସକ୍ଷମ ହେବା ସହ ରାଜ୍ୟରେ ଏକ ଦକ୍ଷ ଶ୍ରମଶକ୍ତି ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛନ୍ତି।

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭରେ ସିଙ୍ଗାପୁର, ମାଲେସିଆ ଓ ଅଷ୍ଟ୍ରେଲିଆ, ଓଡ଼ିଶାର ସହଭାଗୀ ଦେଶ ଭାବରେ ଅଂଶଗ୍ରହଣ କରିବେ। ତା’ ସହିତ ବ୍ରିଟେନ୍ ଓ ଆମେରିକା ଭଳି ପାଖାପାଖି ୨୦ଟି ଦେଶ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ବିକଶିତ ରାଷ୍ଟ୍ରମାନଙ୍କ ଅଂଶଗ୍ରହଣ ଓଡ଼ିଶାକୁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର, ମିଳିତ ଉଦ୍ୟୋଗ ଏବଂ ଜ୍ଞାନ ବିନିମୟ ପାଇଁ ସୁଯୋଗ ପ୍ରଦାନ କରିବ। 
ଅଟୋମେସନ୍‌, ଆଇଓଟି ଓ ଏଆଇ ସମେତ ଶିଳ୍ପ ୪.୦ ପ୍ରଯୁକ୍ତିକୁ ଶିଳ୍ପ ଭିତ୍ତିରେ ପ୍ରୋତ୍ସାହିତ କରିବାକୁ ଆମ ସରକାର ଆଗଭର ଅଛନ୍ତି। ବୈଷୟିକ ଜ୍ଞାନକୌଶଳ ଦ୍ୱାରା ପରିଚାଳିତ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ଆଇଟି ଓ ଷ୍ଟାର୍ଟଅପ୍ ହବ୍ ପ୍ରତିଷ୍ଠା ହୋଇଛି ଏବଂ ଗବେଷଣା ଓ ବିକାଶରେ ନିବେଶ କରୁଥିବା କମ୍ପାନିଗୁଡ଼ିକୁ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଉଛି। ଆମ ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ ହେଉଛି ରାଜ୍ୟର ଶତବାର୍ଷିକୀ ବର୍ଷ ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ, ଶିଳ୍ପୋନ୍ନତ, ଉଦ୍ଭାବନ ଓ ସମଗ୍ର ବିକାଶର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା। ଏହି ସ୍ୱପ୍ନକୁ ସାକାର କରିବା ଦିଗରେ ଚଳିତ ବର୍ଷର ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୫ ସଂସ୍କରଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ କେବଳ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ନୁହେଁ ବରଂ ଏହା ଓଡ଼ିଶାକୁ ବିଶ୍ୱବ୍ୟାପୀ ବ୍ୟବସାୟ ପାଇଁ ଏକ ଆକାଂକ୍ଷୀ ଗନ୍ତବ୍ୟସ୍ଥଳରେ ପରିଣତ କରିବା ସହ ବ୍ୟବସାୟ କରିବାରେ ସହଜତାର ଉଦାହରଣ ଓ ଦୀର୍ଘସ୍ଥାୟୀ ତଥା ସମଗ୍ର ଅଭିବୃଦ୍ଧିରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ଉଦ୍ଦିଷ୍ଟ। ବିଶ୍ୱର ନିବେଶକ, ଶିଳ୍ପପତି ଓ ଉଦ୍ଭାବକଙ୍କ ସହଯୋଗରେ ଓଡ଼ିଶା ଅର୍ଥନୈତିକ ସମୃଦ୍ଧି ଓ ନିଯୁକ୍ତି ସୃଷ୍ଟି ଦିଗରେ ଏକ ନୂଆ ମାର୍ଗ ସୃଷ୍ଟି କରିବ। ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୫ କେବଳ ଏକ ଶିଖର ସମ୍ମିଳନୀ ନୁହେଁ, ଏହା ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ଅଭିଯାନ। ରାଜ୍ୟର ଭବିଷ୍ୟତକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଏବଂ ସମୃଦ୍ଧ ଓଡ଼ିଶା ୨୦୩୬ ଦିଗରେ ଏହି ପରିବର୍ତନକାରୀ ଯାତ୍ରାରେ ସାମିଲ ହେବା ପାଇଁ ଆମେ ସମଗ୍ର ବିଶ୍ୱର ନିବେଶକଙ୍କୁ ଆମନ୍ତ୍ରଣ କରୁଛୁ।

ସମ୍ପଦ ଚନ୍ଦ୍ର ସ୍ୱାଇଁ 
ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ, ଓଡ଼ିଶା ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe