ଆଖି ଡେଇଁବା କିଛି ଅଘଟଣ ଘଟିବାର ସଂକେତ ବୋଲି କିଛି ଲୋକ ଆଶଙ୍କା କରନ୍ତିି। କିନ୍ତୁ ଆଖି ଡେଇଁବାର ବୈଜ୍ଞାନିକ କାରଣ ଓ ଏହାର ପ୍ରତିକ୍ରିୟା ସମ୍ବନ୍ଧରେ ଜାଣିଛନ୍ତି କି? ଆଖି ଡେଇଁବା ପ୍ରାୟତଃ ବିପଦମୁକ୍ତ। ତଥାପି ଆମେ ଆଖି ଡିଆଁକୁ ଶୁଭ ଅଶୁଭ ସହ ଯୋଡ଼ି ଦେଇଥାଉ। ବିଶେଷଜ୍ଞମାନେ ଏହା ପଛର ପ୍ରକୃତ କାରଣ ପ୍ରକାଶ କରି କହନ୍ତି, ଆଖି ଚାରିପାଖରେ ମାଂସପେଶୀର ଅନିଚ୍ଛାକୃତ ଗତି ବା ସଂକୋଚନ ଫଳରେ ଆଖି ଡେଇଁଥାଏ। ପ୍ରାୟ ସମସ୍ତେ ନିଜ ଜୀବନର କୌଣସି ସମୟରେ ଏହାକୁ ଅନୁଭବ କରନ୍ତି ଏବଂ କେତେକ ସମୟରେ ଏହା ଆଖି କିମ୍ବା ଶରୀରରେ ଗମ୍ଭୀର ସମସ୍ୟାର ଆଭାସ ଦେଇଥାଏ।
ଆଖି ଡେଇଁବାର ସବୁଠାରୁ ସାଧାରଣ କାରଣ ହେଉଛି ଶରୀରରେ ଅତ୍ୟଧିକ ଚାପ ଓ ଚିନ୍ତା ରହିବା। ରାତି ଅନିଦ୍ରା ଓ ଅତ୍ୟଧିକ କ୍ୟାଫିନ୍ ସେବନ ଦ୍ବାରା ଏହି ସମସ୍ୟା ବଢ଼ିପାରେ। ଆଲର୍ଜି ଓ ଶୁଷ୍କ ଆଖି ଯୋଗୁଁ ମଧ୍ୟ ଆଖି ଡେଇଁଥାଏ। ଅତ୍ୟଧିକ ବାୟୁ ପ୍ରଦୂଷଣ କାରଣରୁ ସହରାଞ୍ଚଳରେ ଏହି ସମସ୍ୟା ଅଧିକ ଦେଖାଯାଏ। ଡିଜିଟାଲ୍ ଡିଭାଇସ୍ ଏବଂ ସ୍କ୍ରିନର ବର୍ଦ୍ଧିତ ବ୍ୟବହାର ଯୋଗୁଁ ମଧ୍ୟ ଆଖି ଡେଇଁବା ସମସ୍ୟା ବଢ଼ିଥାଏ। କେତେକ ସମୟରେ, ଲୁକ୍କାୟିତ ପ୍ରତିସରଣ ତ୍ରୁଟି କିମ୍ବା ଚଷମା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଆଖି ଡେଇଁବାର କାରଣ ହୋଇପାରେ।
ଯେତେବେଳେ ଉପର ଏବଂ ତଳ ଆଖିପତା ଏକକାଳୀନ ବାରମ୍ବାର ଡେଇଁଥାଏ ଏହି ଅବସ୍ଥାକୁ ବ୍ଲେଫାରୋସ୍ପାଜମ୍ କୁହାଯାଏ। ସେହିପରି, ଯଦି ଆଖିପତା ଡେଇଁବା ସହିତ ମୁହଁର ଅଧା ଅଂଶ ଓ ପାଟିର କୋଣ ଡେଇଁଥାଏ, ତେବେ ଏହାକୁ ହେମିଫେସିଆଲ୍ ସ୍ପାଜମ୍ କୁହାଯାଏ। ବେଳେବେଳେ ମଲ୍ଟିପଲ୍ ସ୍କ୍ଲେରୋସିସ୍ ଓ ଆମୟୋଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍ ଭଳି ସ୍ନାୟୁଗତ ରୋଗ ଆଖିପତା ଡେଇଁବାର କାରଣ ହୋଇପାରେ। ଯଦି ଚାପ, ଚିନ୍ତା, ନିଦ୍ରା ଅଭାବ ଓ ଶୁଷ୍କ ଆଖି ଆଦି ସମସ୍ୟାର ସମାଧାନ ସତ୍ତ୍ୱେ ଆଖିପତା ଡେଇଁବା ଜାରି ରହେ, ତେବେ ଚିକିତ୍ସା ପାଇଁ ଚକ୍ଷୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/24/sfhhfshfsvxbxvxv-2025-12-24-00-09-11.jpg)