ସାମ୍ନାସାମ୍ନି: ନୂଆପଡ଼ା ରଣାଙ୍ଗନ

ନୂଆପଡ଼ା ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆ ଅପ୍ରତ୍ୟାଶିତ ‘ୟୁ ଟର୍ଣ୍ଣ’ ନେଇ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇ ପ୍ରାର୍ଥୀ ହେବା ବେଶ୍‌ ଚର୍ଚ୍ଚିତ ହୋଇଥିଲା।

Untitled-3

ନୂଆପଡ଼ା ଉପନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ। ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆ ଅପ୍ରତ୍ୟାଶିତ ‘ୟୁ ଟର୍ଣ୍ଣ’ ନେଇ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇ ପ୍ରାର୍ଥୀ ହେବା ବେଶ୍‌ ଚର୍ଚ୍ଚିତ ହୋଇଥିଲା। ତେବେ ଏହାପରେ ବିଜେଡି ମହିଳା କାର୍ଡ ଖେଳି ବରଗଡ଼ ଜିଲ୍ଲା ଅତାବିରାର ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିବା ବି ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ତେବେ ପ୍ରାର୍ଥୀ ଚୟନରେ ନିର୍ବିବାଦୀୟ ରହିଛି କଂଗ୍ରେସ। କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ଜଣାଶୁଣା ନେତା ଘାସିରାମ ମାଝୀ। ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀତ୍ବ ଓ ବିଭିନ୍ନ ପ୍ରସଙ୍ଗକୁ ନେଇ ଏଥର ‘ରବିବାର ସମ୍ବାଦ’ର ସାମ୍ନାସାମ୍ନି ସ୍ତମ୍ଭରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ  କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସଂପ୍ରତି ବିରୋଧୀ ଦଳରେ ଥିବା ଏହି ଦୁଇ ପ୍ରାର୍ଥୀ କିଭଳି ନୂଆପଡ଼ା ଭୋଟରଙ୍କୁ ନିଜ ପକ୍ଷକୁ ଆଣିବା ଲାଗି ଉଦ୍ୟମ ଚଳାଇଛନ୍ତି ଉକ୍ତ ପ୍ରସଙ୍ଗରେ ସେମାନଙ୍କ ସହିତ ଆଲୋଚନା କରିଛନ୍ତି ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି

ମୁଁ ଆମଦାନି-ରପ୍ତାନି ନେତା ନୁହେଁ, ଖାଣ୍ଟି ନୂଆପଡ଼ିଆ: ଘାସିରାମ ମାଝୀ

ଚଳିତ ଉପନିର୍ବାଚନରେ ଆପଣ ଓ ଆପଣଙ୍କ ଦଳ କଂଗ୍ରେସ କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ?
ମୁଁ ବାହାରୁ ଆମଦାନି କିମ୍ବା ରପ୍ତାନି ହୋଇଥିବା ନେତା ନୁହେଁ। ମୁଁ ଖାଣ୍ଟି ନୂଆପଡ଼ିଆ ନେତା। ଉପନିର୍ବାଚନ ଜିତିବା କିମ୍ବା ହାରିବା ପରେ ଅନ୍ୟତ୍ର ଚାଲିଯିବା ଭଳି ନେତା ନୁହେଁ। ନୂଆପଡ଼ା ମୋର ଜନ୍ମ ଓ କର୍ମଭୂମି। ମୁଁ  ଏଠିକା ଲୋକଙ୍କ ସହିତ ରହିଥିଲି, ରହିଛି ଓ ରହିବି ମଧ୍ୟ। ନୂଆପଡ଼ାର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ପିଲାମାନେ ଅଧାରୁ ପାଠ ଛାଡୁଛନ୍ତି। ଗ୍ରାମୀଣ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି ଏବଂ ମଣ୍ଡି କଥା ନ କହିବା ଭଲ। ଏଭଳି ଅନେକ ପ୍ରସଙ୍ଗ ଆମେ ସାମ୍ନାକୁ ଆଣିବୁ। ଏହା  ନିଶ୍ଚିତ ଭାବରେ ଲୋକଙ୍କୁ ପ୍ରଭାବିତ କରିବ। ଏଥିସହ ରାଜ୍ୟର ଦୁର୍ବଳ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନାରୀ ନିର୍ଯାତନା ପ୍ରସଙ୍ଗ ବି ଆମେ ଉଠାଇବୁ।

ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ମାତ୍‌ ଦେବା ଲାଗି କ’ଣ ରହିଛି ଆପଣଙ୍କର ରଣନୀତି? ସେମାନେ ବି କଡ଼ା ପ୍ରତିନ୍ଦ୍ବନ୍ଦ୍ବିତା କରିବେ...
ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରି ବିଜେଡି ସ୍ଥାନୀୟ ମା’ଭଉଣୀ ଓ ତା’ର ନିଜ ଦଳର ମହିଳା ନେତ୍ରୀ ଓ କର୍ମୀମାନଙ୍କୁ ଅସମ୍ମାନ କରିଛି। ନୂଆପଡ଼ା ଜିଲ୍ଲାର ଦୁଇଟି ବ୍ଲକ୍‌ରେ ବିଜେଡିର ଦୁଇଜଣ ମହିଳା ଅଧ୍ୟକ୍ଷ ରହିଛନ୍ତି। ସେମାନଙ୍କୁ ମଧ୍ୟ ଅଣଦେଖା କରାଗଲା। ୪ବର୍ଷ ଧରି ପର୍ଯ୍ୟବେକ୍ଷକ ରହିଥିବା ତଥା ବିଜେଡି ମହିଳା ସଭାପତି ଥିବା ସ୍ନେହାଙ୍ଗିନୀ ଛୁରିଆ କ’ଣ ଜଣେ ନୂଆପଡ଼ାରେ ମହିଳା ନେତ୍ରୀ ସୃଷ୍ଟି କରିପାରିଲେନି? ଗୋଟିଏ ସ୍ଥାନରେ ନିର୍ବାଚନ ହାରିବା ପରେ କ୍ଷମତାର ଲୋଭରେ ସେ ଏଠାରେ ନିର୍ବାଚନ ଲଢୁଛନ୍ତି। ବିଜେଡି ନୂଆପଡ଼ାର ରାଜନୈତିକ ବିକାଶ କରିବାକୁ ଚାହୁ ନ ଥିଲା। ୨୪ବର୍ଷରେ ୧୦ବର୍ଷ ବିଜେଡି-ବିଜେପି ମିଶି ଓ ବାକି ସମୟ ବିଜେଡି ସରକାର ନୂଆପଡ଼ାକୁ ଅବହେଳା କରିଚାଲିଛନ୍ତି। ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ନୂଆପଡ଼ାର ଶିକ୍ଷା ଓ ସ୍ବାସ୍ଥ୍ୟସେବା ଏବଂ ଚାଷୀ ଓ ଆଦିବାସୀମାନଙ୍କ ପାଇଁ କ’ଣ କରିଛନ୍ତି? ନୂଆପଡ଼ାରେ ଆମଦାନି ନେତାଙ୍କ ଦ୍ବାରା ଶାସନ ଚାଲୁଥିଲା। ଜୟ ଢୋଲକିଆଙ୍କ ବାପା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ମଧ୍ୟ ଆମଦାନି ନେତା ଥିଲେ। ବ୍ୟବସାୟ କରିବାକୁ ଆସି ସେ ନୂଆପଡ଼ାରେ ଇଂରେଜଙ୍କ ଭଳି ପ୍ରବେଶ କରିଥିଲେ। ଅର୍ଥ ଓ କ୍ଷମତା ବଳରେ ବିଜେଡି ଏଠାରେ ନିର୍ବାଚନ ଲଢ଼ିବାକୁ ଚାହୁଛି ଏବଂ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ନେଇ ଠିକ୍ ସେହି ଢଙ୍ଗରେ କ୍ଷମତା ଦଖଲ କରିବାକୁ ଉଦ୍ୟମ କରୁଛି। ୨୦୦ ୟୁନିଟ୍ ମାଗଣା ବିଜୁଳି ଓ ବିଜେଡି ସରକାରର ଦୁର୍ନୀତି ତଦନ୍ତ ଭଳି ଏକାଧିକ ପ୍ରତିଶ୍ରୁତି ଦେଇ ବିଜେପି ଲୋକମାନଙ୍କୁ ଭୁଆଁ ବୁଲାଇଛି। ବିଜେଡି ଓ ବିଜେପିର ଅସଲ ଚେହେରା ନୂଆପଡ଼ାବାସୀ ଦେଖି ସାରିଲେଣି।

ଆପଣଙ୍କ ଦଳ କ୍ଷମତାରେ ନାହିଁ। କେଉଁ ଆଧାରକୁ ଭିତ୍ତି କରି ଆପଣ ଲୋକଙ୍କୁ ପ୍ରଭାବିତ କରିବେ ବୋଲି ଭାବୁଛନ୍ତି?
ମୁଁ ସବୁବେଳେ ଜନସାଧାରଣଙ୍କର ହକ୍ ପାଇଁ ଲଢ଼େଇ କରିଛି। ଆଦିବାସୀ ତଥା ପଛୁଆ ଗାଁଗଣ୍ଡାରେ ଶିକ୍ଷା ଓ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ମୁଁ ଲୋକମାନଙ୍କ ସାଙ୍ଗରେ ଆନ୍ଦୋଳନ କରିଛି। ମୁଁ ଯେତେେବଳେ ବ୍ଲକ୍‌ ଅଧ୍ୟକ୍ଷ ଥିଲି ସେତେବେଳେ ମଣ୍ଡି ବ୍ୟବସ୍ଥା, ଚାଷୀ ତଥା କେନ୍ଦୁପତ୍ର ତୋଳାଳିମାନଙ୍କ ଉନ୍ନତି ପାଇଁ ଯାହାସବୁ କରିଛି ତାହା ଲୋକମାନେ ଭଲ ଭାବରେ ଜାଣିଛନ୍ତି। ମୁଁ ସେମାନଙ୍କ ସୁଖଦୁଃଖରେ କିପରି ରହିଛି ତା’ର ପ୍ରମାଣ ମଧ୍ୟ ବିଗତ ଦିନରେ ନୂଆପଡ଼ାବାସୀ ଦେଇଛନ୍ତି। ଶିକ୍ଷାର ବିକାଶ ପାଇଁ ମାସ ମାସ ଧରି ମୁଁ ଯେଉଁ ଆନ୍ଦୋଳନ କରିଥିଲି ତାହା ନୂଆପଡ଼ାର ପ୍ରତିଟି ଲୋକ ଜାଣିଛନ୍ତି। ନୂଆପଡ଼ାବାସୀଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ କରୁଥିବା ହେତୁ ମୋତେ ଏକାଧିକବାର ହତ୍ୟା ଧମକ ମଧ୍ୟ ଦିଆଯାଇଛି। ଆମ ଲୋକେ ସବୁ ଜାଣିଛନ୍ତି। ମୁଁ ସର୍ବଦା ନୂଆପଡ଼ାବାସୀଙ୍କ ସହ ଛିଡ଼ା ହୋଇଛି ଏବଂ ଛିଡ଼ା ହେବି।

ଲୋକ କହିବେ, କିଏ ପର ଓ କିଏ ଘରଲୋକ: ସ୍ନେହାଙ୍ଗିନୀ ଛୁରିଆ

ଚଳିତ ଉପନିର୍ବାଚନରେ ଆପଣ ଓ ଆପଣଙ୍କ  ଦଳ ବିଜେଡି କେଉଁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବା ଲାଗି ଯୋଜନା କରିଛନ୍ତି?                                                                                   

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଗଠନ କରିଥିଲେ। ଏହାର ସର୍ବାଙ୍ଗୀନ ଉନ୍ନତି, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଆଦିବାସୀ ଓ ମହିଳା ସଶକ୍ତୀକରଣ ଭଳି ସମସ୍ତ ଦିଗର ପ୍ରଗତିକୁ ଧ୍ୟାନ ଦେଇ ନବୀନ ପଟ୍ଟନାୟକ ସୁନ୍ଦର ଓ ସଶକ୍ତ ନୂଆପଡ଼ାର ସ୍ବପ୍ନକୁ ସାକାର କରିଛନ୍ତି। ବିଜେଡି ସରକାରର ଏହି ସଫଳତା ଆଧାରରେ ମୁଁ ନୂଆପଡ଼ା ଉପନିର୍ବାଚନ ଲଢ଼ିବି। ଲୋକମାନଙ୍କ ପାଖକୁ ଆମେ ଯିବୁ। ସେମାନଙ୍କର ଆମ ଉପରେ ବିଶ୍ବାସ ରହିଛି। ଘାସିରାମ ମାଝୀଙ୍କର ବୟାନ ସଂପୂର୍ଣ୍ଣ ଭିତ୍ତିହୀନ। ରାଜନୈତିକ ଉଦ୍ଦେଶ୍ୟ ନେଇ ଲୋକଙ୍କୁ ସେ ବିଭ୍ରାନ୍ତ କରୁଛନ୍ତି। ୫-ଟି ମାଧ୍ୟମରେ ସବୁ ଶିକ୍ଷାନୁଷ୍ଠାନର ରୂପାନ୍ତରୀକରଣ ହୋଇଛି, ନୂତନ +୨ କଲେଜ ଖୋଲିଛି ଏବଂ ସ୍ବାସ୍ଥ୍ୟସେବାର ବିକାଶକୁ ଘାସିରାମ ମାଝୀ ଟିକେ ନୂଆପଡ଼ାରେ ଦେଖନ୍ତୁ। ବିଜୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ସମସ୍ତଙ୍କୁ ମାଗଣା ଚିକିତ୍ସା ସୁବିଧା ତଥା ମହିଳାମାନଙ୍କୁ ଏସ୍‌.ଏଚ୍‌.ଜି.ରେ ସାମିଲ କାରାଯାଇ ପ୍ରତି ପରିବାରରେ ରାସନ କାର୍ଡ ମଧ୍ୟ ଯୋଗାଇ ଦିଆଯାଇଛି। ମେଗା ଉଠାଜଳସେଚନ ପ୍ରକଳ୍ପ ଓ ପାନୀୟଜଳ ଯୋଗାଣ ଭଳି ବିକାଶମୂଳକ କାର୍ଯ୍ୟର ସୁଫଳ ଲୋକେ ପାଇଛନ୍ତି। ଐତିହ୍ୟ ଓ ସଂସ୍କୃତି ସଂରକ୍ଷଣ ପାଇଁ ସୁନାଦେଈ ଓ ଯୋଗେଶ୍ବରୀ ଭଳି ମନ୍ଦିରର ପୁନଃରୁଦ୍ଧାର କରାଯାଇଛି। ଏହାକୁ ଟିକେ ଘାସିରାମ ମାଝୀ ମନେପକାନ୍ତୁ!

ଆପଣ ନୂଆପଡ଼ା ବାସିନ୍ଦା ନୁହନ୍ତି ଏବଂ ଆମଦାନି ନେତା ବୋଲି ରାଜନୈତିକ ଆକ୍ଷେପ ହେଉଛି। ଆପଣଙ୍କୁ ବାଦ୍‌ଦେଇ ନୂଆପଡ଼ାରେ କ’ଣ ବିଜେଡିର ଅନ୍ୟ କେହି ପ୍ରାର୍ଥୀ ନଥିଲେ?
ନୂଆପଡ଼ାବାସୀ ନିର୍ଣ୍ଣୟ କରିବେ କିଏ ପର ଓ କିଏ ଘର ଲୋକ। ଯେଉଁମାନେ ମୋତେ ବାହାର ଲୋକ ବୋଲି କହୁଛନ୍ତି ସେମାନେ ଜାଣିବା ଦରକାର ମୁଁ ପଦ୍ମପୁର ସବ୍‌ଡିଭିଜନ୍‌ର ଝିଅ। ନୂଆପଡ଼ାରେ ମୋର ମାମୁ, ନଣନ୍ଦ ଓ ଅଧିକାଂଶ ପରିବାର ସଦସ୍ୟଙ୍କର ଘର। ନୂଆପଡ଼ାରେ ଚାରିବର୍ଷ କାଳ ମୁଁ ପର୍ଯ୍ୟବେକ୍ଷକ ଭାବେ ରହି ଅନେକ ବୃହତ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଇବା ସହିତ ନବୀନବାବୁଙ୍କ ନେତୃତ୍ବରେ ନୂଆପଡ଼ାର ବିକାଶ ସ୍ବପ୍ନକୁ ସାକାର କରିଛି। ପ୍ରତ୍ୟକ୍ଷ ଭାବେ ସ୍ଥାନୀୟ ଲୋକମାନଙ୍କ ସେବା କରିଛି। ବିଜେଡି ସଭାପତି ନବୀନବାବୁ, ଦଳର ନେତୃବୃନ୍ଦ ଓ ମୁଁ ନୂଆପଡ଼ାରେ ବିକାଶ ପାଇଁ ଯେଉଁସବୁ କାର୍ଯ୍ୟ କରିଛୁ, ତାହା ସମସ୍ତେ ଜାଣିଛନ୍ତି। ସେଥିପାଇଁ ନୂଆପଡ଼ାର ବିଜେଡି ନେତା, କର୍ମୀ ଓ ମା’ଭଉଣୀମାନଙ୍କ ଅନୁରୋଧରେ ଦଳ ମୋତେ ପ୍ରାର୍ଥୀ କରିଛି। ମୁଁ ଓଡ଼ିଶାର ଝିଅ ଓ ବୋହୂ ତଥା ଖାଣ୍ଟି ଓଡ଼ିଆ।

ଚଳିତ ଉପନିର୍ବାଚନରେ କଂଗ୍ରେସ ଓ ବିଜେପିକୁ ପରାଜିତ କରି ବିଜୟୀ ହେବା ଲାଗି ଆପଣଙ୍କର ରଣନୀତି କ’ଣ ରହିଛି?
କେନ୍ଦ୍ରରୁ ନେଇ ରାଜ୍ୟ ପର୍ଯ୍ୟନ୍ତ ବିଜେପି ଗତ ସାଧାରଣ ନିର୍ବାଚନରେ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାକୁ କେତେ ମାତ୍ରାରେ ପାଳନ କରିଛି ତାହାକୁ ଲୋକମାନେ ଭଲଭାବରେ ଜାଣିସାରିଲେଣି। ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ବିଜେପି ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି ଏବଂ ସେ ତାଙ୍କର ଦିବଂଗତ ବାପାଙ୍କ ପ୍ରତି ଅସମ୍ମାନ କରିଛନ୍ତି। ଦୀର୍ଘ ବର୍ଷ ଧରି ବିଜୁବାବୁ ଓ ନବୀନବାବୁଙ୍କ ସହିତ ରହି ସେ ଯେଉଁ ସଂଗ୍ରାମ ଓ ସଂଘର୍ଷ କରିଥିଲେ ତାହାକୁ ଜୟ ଢୋଲକିଆ ଧୋକା ଦେଇଛନ୍ତି। ଜୟଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିଛି ଏବଂ ନୂଆପଡ଼ାବାସୀ ଏହାର ଜବାବ ଦେବେ। ଗତ ନିର୍ବାଚନରେ କଂଗ୍ରେସ ଦଳରୁ ଘାସିରାମ ମାଝୀଙ୍କୁ ସୁଯୋଗ ଦିଆଯାଇ ନଥିଲା। ଏହାର କାରଣ ସମସ୍ତେ ଜାଣିଛନ୍ତି। ଘାସିରାମବାବୁ ନୂଆପଡ଼ା ପାଇଁ ଯାହାସବୁ କରିଛନ୍ତି ବୋଲି କହୁଛନ୍ତି ସେଥିରେ କେତେ ସତ ରହିଛି ତାହା ଲୋକମାନେ ଜାଣିଛନ୍ତି। ତେଣୁ ତାଙ୍କୁ ଓ କଂଗ୍ରେସକୁ ନେଇ କିଛି ନକହିବା ଭଲ। ଉଭୟ ବିଜେପି ଓ କଂଗ୍ରେସକୁ ନୂଆପଡ଼ାବାସୀ ଉଚିତ ଜବାବ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe