Image Courtesy of NDTV
ନୂଆଦିଲ୍ଲୀ: ଏକଗୋଡ଼ିଆ ହୋଇ ୧୦ ସେକେଣ୍ଡ୍ ଠିଆ ହେବାକୁ ଅସମର୍ଥ ମଧ୍ୟ-ବୟସ୍କ ବ୍ୟକ୍ତିମାନଙ୍କର ୧୦ ବର୍ଷ ମଧ୍ୟରେ ମୃତ୍ୟୁ ଘଟିବାର ଆଶଙ୍କା ଅଛି ବୋଲି ‘ବ୍ରିଟିସ୍ ଜର୍ଣ୍ଣାଲ୍ ଅଫ୍ ସ୍ପୋର୍ଟସ୍ ମେଡିସିନ୍’ରେ ପ୍ରକାଶିତ ଏକ ଅଧ୍ୟୟନରେ ଉଲ୍ଲେଖ ଅଛି।
ଏଥିପାଇଁ ଗବେଷକମାନେ ସ୍ବେଚ୍ଛାସେବୀମାନଙ୍କୁ ଗୋଟିଏ ଗୋଡ଼ରେ ଠିଆ ହୋଇ ଶରୀର ସନ୍ତୁଳନ ରକ୍ଷା ପରୀକ୍ଷା କରାଇଥିଲେ। ଯେଉଁମାନେ ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ଏକଗୋଡ଼ିଆ ହୋଇ ଠିଆ ହୋଇ ପାରିଲେ ନାହିଁ ସେମାନଙ୍କ ମଧ୍ୟରୁ ୮୪% ଆଗାମୀ ୧୦ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିବେ ବୋଲି ଅଧ୍ୟୟନକାରୀମାନେ କହିଛନ୍ତି। ସ୍ବେଚ୍ଛାସେବୀମାନଙ୍କ ବୟସ ଏବଂ ରୋଗ ଆଦିକୁ ବିଚାର କରି ଗବେଷକମାନେ ଏଭଳି ଭବିଷ୍ୟବାଣୀ କରିଛନ୍ତି। ଏଥିପାଇଁ ଅଧ୍ୟୟନକାରୀମାନେ ୨୦୦୯ରୁ ୫୦ ବର୍ଷ ବୟସରୁ ଅଧିକ ବୟସର ୧,୭୦୨ଜଣ ବ୍ୟକ୍ତିଙ୍କ ‘ଫିଟ୍ନେସ୍ ଏବଂ ହେଲ୍ଥ୍ ଷ୍ଟଡି’ କରି ଉପରୋକ୍ତ ସିଦ୍ଧାନ୍ତରେ ପହଞ୍ଚିଛନ୍ତି।
Image Courtesy of dtnextଶରୀରର ସନ୍ତୁଳନ ରକ୍ଷା ପରୀକ୍ଷାରେ ଅଂଶ ଗ୍ରହଣ କରିଥିବା ସ୍ବେଚ୍ଛାସେବୀମାନଙ୍କୁ କୁହାଯାଇଥିଲା କି, ସେମାନେ ସାମ୍ନାକୁ ଚାହିଁ, ଦୁଇହାତକୁ ଦେହର ଦୁଇ ପାଖରେ ଲଗାଇ ରଖି ଭୂମି ସ୍ପର୍ଶ ନ କରି ଗୋଟିଏ ଗୋଡ଼ ଉଠାଇ ଆର ଗୋଡ଼ ପଛପଟର ତଳଭାଗରେ ଲଗାଇ ରଖନ୍ତୁ। ଏଥିରେ ସଫଳତା ହାସଲ କରିବାକୁ ସେମାନଙ୍କୁ ୩ଥର ଉଦ୍ୟମ କରିବା ଲାଗି ଅନୁମତି ଦିଆଯାଇଥିଲା। କିନ୍ତୁ, ଏହି ପରୀକ୍ଷାରେ ପ୍ରତି ୫ଜଣରେ ଜଣେ ବିଫଳ ହୋଇଥିଲେ। ଅବଶ୍ୟ ବାର୍ଦ୍ଧକ୍ୟ ଏବଂ ଖରାପ ସ୍ବାସ୍ଥ୍ୟ ସେମାନଙ୍କ ବିଫଳତାର କାରଣ ବୋଲି ଅଧ୍ୟୟନକାରୀମାନେ କହିଛନ୍ତି।
ସୂଚନାଯୋଗ୍ୟ, ସାଧାରଣତଃ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ମଣିଷ ନିଜର ସନ୍ତୁଳନ ରକ୍ଷା କରିବା କ୍ଷମତା ବଜାୟ ରଖିପାରେ। ଏହା ପରେ ପରେ ତା’ର ଏହି କ୍ଷମତା ଦ୍ରୁତ ବେଗରେ ହ୍ରାସ ପାଇଥାଏ।
ବିଶେଷ ଦ୍ରଷ୍ଟବ୍ୟ: ଉପରୋକ୍ତ ଆଲେଖ୍ୟ ଏକ ଅଧ୍ୟୟନର ଫଳାଫଳ ମାତ୍ର। କୌଣସି ମଧ୍ୟ-ବୟସ୍କବ୍ୟକ୍ତି ନିଜେ ଏଭଳି ଭାବେ ପରୀକ୍ଷା ନ କରିବାକୁ ଅନୁରୋଧ।
Follow Us