ପତିଙ୍କ ଅନୁପସ୍ଥିତରେ କରି ସାରିଥିଲେ ଦ୍ୱିତୀୟ ବିବାହ, ବିବାହ ଫଟୋ ଧରି ରିସେପସନ୍‌ ପେଣ୍ଡାଲ୍‌ରେ ପହଞ୍ଚିଲେ ପ୍ରଥମପତି

ପତିଙ୍କ ଅନୁପସ୍ଥିତରେ କରି ସାରିଥିଲେ ଦ୍ୱିତୀୟ ବିବାହ, ବିବାହ ଫଟୋ ଧରି ରିସେପସନ୍‌ ପେଣ୍ଡାଲ୍‌ରେ ପହଞ୍ଚିଲେ ପ୍ରଥମପତି

ରିସେପ୍‌ସନ୍‌ରେ ଗହଳି ବଢୁଥାଏ। ମଧୁର ସମ୍ଭାଷଣରେ ଅତିଥିମାନଙ୍କୁ ପାଛୋଟି ନେଉଥାନ୍ତି ବର ପିତା। ସୁସଜ୍ଜିତ ମଣ୍ଡପରେ ବସିଥାନ୍ତି ବରକନିଆ। ସମସ୍ତଙ୍କ ମୁହଁରେ ବର କନିଆ ଯୋଡ଼ିର ତାରିଫ୍‌। ମିଠା ମିଠା ରଙ୍ଗରେ ସମସ୍ତେ ମସ୍‌ଗୁଲ୍‌ ଥିଲେ। ଠିକ୍‌ ଏତିକିବେଳେ ଘଟିଗଲା ଗୋଟେ ଅଘଟଣ। ମଣ୍ଡପ ଉପରକୁ ଉଠି ଜଣେ ଯୁବକ କନିଆ ମୁହଁକୁ କିଛି ଯୁଗଳବନ୍ଦୀ ଫଟୋ ଫୋପାଡ଼ି ଚାଲି ଆସିଲେ। ହାଁ କରି ଅନେଇ ରହିଲେ ସମସ୍ତେ। ଅପ୍ରସ୍ତୁତ ହୋଇପଡ଼ିଲେ କନିଆ। ବର ବି ତଟସ୍ଥ ହୋଇଗଲେ। ହଇଚଇ ଖେଳି ଯାଇଥିଲା। ଯୁବକ କ’ଣ ନୂଆବୋହୂର ପ୍ରେମିକ। ବୁଝୁ ବୁଝୁ ଜଣାପଡ଼ିଲା ଯୁବକ ଥିଲେ ନୂଆ କନିଆର ପତି। ପତିଙ୍କ ଅନୁପସ୍ଥିତିରେ ନିଜକୁ ଅବିବାହିତା କହି ଆଉ ଜଣକର ହାତ ଧରିଥିବାରୁ ଏହି ଘଟଣା ନବବଧୂଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା। ଦ୍ୱିତୀୟ ପତିଙ୍କ ପରିବାର ମଧ୍ୟ ଏଥିରେ ବିବ୍ରତ ଓ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। ତୁରନ୍ତ ଯୁବତୀଙ୍କ ଘରକୁ ଖବର ଦିଆଯାଇଥିଲା। ପରଦିନ ସକାଳେ ଯୁବତୀଙ୍କ ମାମୁ ଆସି ତାକୁ ଘରକୁ ନେଇ ଯାଇଥିଲେ। ରାଉରକେଲା ସିଭିଲ୍‌ ଟାଉନ୍‌ସିପ୍‌ ଅଞ୍ଚଳରେ ଏଭଳି ଚର୍ଚ୍ଚିତ ବିବାହ ଦେଖିବାକୁ ମିଳିଥିଲା।

୨୦୧୩ରେ ବନ୍ଧମୁଣ୍ଡାର ଦେବ ନାରାୟଣ ଚୌବେଙ୍କ ପୁଅ ମନଞ୍ଜୟଙ୍କ ରାଉରକେଲା ଏଚ୍‌ଡିଏଫ୍‌ସିରେ କାମ କରୁଥିବା ଜଗଦାର ଜଣେ ସୁନ୍ଦରୀ ତଥା ଶିକ୍ଷିତା ଯୁବତୀଙ୍କ ସହ ସାକ୍ଷାତ ହୋଇଥିଲା। ଧୀରେ ଧୀରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ। ପ୍ରେମ ନିବିଡ଼ ହେବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ମନଞ୍ଜୟଙ୍କ ରକ୍ଷଣଶୀଳ ପରିବାର ଏହାକୁ ଗ୍ରହଣ ନ କରିବାରୁ ସେ ପ୍ରେମିକାଙ୍କୁ ଜୀବନସାଥୀ କରିବା ନିଷ୍ପତ୍ତି ନେଇ ଘର ଛାଡ଼ିଥିଲେ। ୨୦୧୬ ସେପ୍ଟେମ୍ବର ୧୭ରେ ପାନପୋଷ କୋର୍ଟରେ ସେମାନଙ୍କ ବିବାହ ପଞ୍ଜୀକରଣ ହୋଇଥିଲା। ଏହାପରେ ମନଞ୍ଜୟ ପତ୍ନୀଙ୍କୁ ନେଇ ସିଭିଲ୍‌ ଟାଉନ୍‌ସିପ୍‌ରେ ଭଡ଼ା ଘର ନେଇ ରହୁଥିଲେ। ଇତିମଧ୍ୟରେ ପତ୍ନୀ ଏଚ୍‌ଡିଏଫ୍‌ସିରୁ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ୍‌ରେ ଯୋଗ ଦେଇଥିଲେ। ପତ୍ନୀଙ୍କୁ ଖୁବ୍‌ ଭଲ ପାଉଥିବା ମନଞ୍ଜୟ କୌଣସି ଅଭାବ ରଖୁ ନ ଥିଲେ। ଏପରିକି ବର୍ଷେ ତଳେ ବଜାରକୁ ଆସିଥିବା ମାରୁତି ସୁଜୁକି ସିଆଜ୍‌ କାର୍‌ ଚଢ଼ିବାକୁ ପତ୍ନୀ ମନ ବଳାଇବା ମାତ୍ରେ ସେହିଦିନ ହିଁ ଅର୍‌ବିଟ୍‌ ମୋଟର୍ସରୁ କାର୍‌ କିଣି ସେ ତାଙ୍କୁ ଉପହାର ଦେଇଥିଲେ। ଦୀର୍ଘ ଅଢ଼େଇ ବର୍ଷ ଧରି ପତି-ପତ୍ନୀଙ୍କ ମଧ୍ୟରେ ସବୁ ଠିକ୍‌ଠାକ୍‌ ଚାଲିଥିଲା।

publive-image

ଗତ ଫେବ୍ରୁଆରି ୨୩ ତାରିଖରେ ମନଞ୍ଜୟ ବ୍ୟବସାୟିକ କାର୍ଯ୍ୟରେ ବନାରସ ବାହାରିଲେ। ପତ୍ନୀ ତାଙ୍କୁ ବାଟେଇ ଦେଇ ନିଜ ବାପଘର ଜଗଦାକୁ ଯାଇଥିଲେ। ବନାରସ ଯାଇଥିଲେ ବି ମନଞ୍ଜୟ ପତ୍ନୀଙ୍କୁ ଫୋନ୍‌ କରି ଭଲମନ୍ଦ ବୁଝୁଥିଲେ। ହେଲେ ମାର୍ଚ୍ଚ ୪ ତାରିଖ ସକାଳେ ପତ୍ନୀ ଆଉ ଫୋନ୍‌ ଧରି ନ ଥିଲେ। ବାରମ୍ବାର କଲ୍‌ କଲା ପରେ ସେ ନିରୁତ୍ତର ରହିବାରୁ ମନଞ୍ଜୟ ଶ୍ୱଶୁରଙ୍କୁ ଫୋନ୍‌ କଲେ। ସେ ବି ଫୋନ୍‌ କାଟି ଦେଇଥିଲେ। ମନଞ୍ଜୟଙ୍କ ମନକୁ ପାପ ଛୁଇଁଲା। ସେ ଅଜଣା ନମ୍ବରରୁ ଶାଶୂଙ୍କୁ ଫୋନ୍‌ ଲଗାଇଲେ। ଶାଶୂ ରିସିଭ୍‌ କରିବା ପରେ ସ୍ମରିକା (ଛଦ୍ମନାମ) କେଉଁଠି ବୋଲି ପଚାରିଲେ। ଜ୍ୱାଇଁ ମନଞ୍ଜୟଙ୍କ ସ୍ୱର ବାରି ପାରି ନ ଥିଲେ ଶାଶୂ। କହିଲେ, ଝିଅର ବିବାହ ସରିଛି, ଆଜି ରିସେପ୍‌ସନ୍‌ ପାଇଁ ବ୍ୟୁଟି ପାର୍ଲର୍‌ ଯାଇଛି। ଶାଶୂଙ୍କ କଥା ଶୁଣିବା ପରେ ହତ୍‌ଚକିତ ମନଞ୍ଜୟ କାଳବିଳମ୍ବ ନ କରି ସେହି ରାତିରେ ରାଉରକେଲା ଫେରି ଆସିଥିଲେ। ଆସି ଶୁଣିଲେ ଯେ ବେଙ୍ଗାଲୁରୁରେ ରିଲାଏନ୍ସ ଜିଓ କମ୍ପାନିରେ ଚାକିରି କରୁଥିବା ସିଭିଲ୍‌ ଟାଉନ୍‌ସିପ୍‌ର ପ୍ରିୟରଞ୍ଜନ ଦାସଙ୍କୁ ତାଙ୍କ ପତ୍ନୀ ଗତ ୪ ତାରିଖରେ ବିବାହ କରିଛି। ୭ରେ ବିବାହ ଭୋଜି। ଏହା ଜାଣିବା ପରେ ମନଞ୍ଜୟ ତାଙ୍କର କିଛି ବନ୍ଧୁ ସହ ରଘୁନାଥପାଲି ଥାନାକୁ ଆସି ବିବାହ ପ୍ରମାଣପତ୍ର ଦେଖାଇ ବିବାହ ରୋକିବାକୁ ଅନୁରୋଧ କରିଥିଲେ। ହେଲେ ପୁଲିସ କିଛି ଶୁଣି ନ ଥିଲା। ଶେଷରେ ସେ ସିଭିଲ୍‌ ଟାଉନ୍‌ସିପ୍‌ରେ ଆୟୋଜିତ ଭୋଜିକୁ ଯାଇ ତାଙ୍କ ପ୍ରେମ ଓ ବିବାହ ବେଳର ଫଟୋ ପତ୍ନୀଙ୍କ ମୁହଁକୁ ଫୋପାଡ଼ି ଚାଲି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe