ପ୍ରଥମ ସ୍ତମ୍ଭ: ଗୁରୁ

୨୦୦୪ ମସିହାର କଥା। ମୁଁ ସେତେବେଳେ ସ୍କୁଲ୍‌ରେ ପଢୁଥାଏ। ସେ ସମୟରେ ‘ଆମ୍ମା ଭଗବାନ’ଙ୍କର ବେଶ୍ ନାମ ଡାକ ଥାଏ। ନିଜକୁ ବିଷ୍ଣୁଙ୍କର ଦଶମ ଅବତାର ବା ‘କଳ୍‌କୀ ଅବତାର’ ଭାବେ ଘୋଷଣା କରିଥିବା ଏହି ମଧ୍ୟବୟସ୍କ ଦମ୍ପତିଙ୍କ ଖ୍ୟାତି ପୂରା ଦେଶରେ ବ୍ୟାପିଥାଏ।

WQRWQRE

୨୦୦୪ ମସିହାର କଥା। ମୁଁ ସେତେବେଳେ ସ୍କୁଲ୍‌ରେ ପଢୁଥାଏ। ସେ ସମୟରେ ‘ଆମ୍ମା ଭଗବାନ’ଙ୍କର ବେଶ୍ ନାମ ଡାକ ଥାଏ। ନିଜକୁ ବିଷ୍ଣୁଙ୍କର ଦଶମ ଅବତାର ବା ‘କଳ୍‌କୀ ଅବତାର’ ଭାବେ ଘୋଷଣା କରିଥିବା ଏହି ମଧ୍ୟବୟସ୍କ ଦମ୍ପତିଙ୍କ ଖ୍ୟାତି ପୂରା ଦେଶରେ ବ୍ୟାପିଥାଏ। ଲୋକଙ୍କ ଚେତନା ଜାଗ୍ରତ କରାଇବା, ଦୁଃଖଯନ୍ତ୍ରଣା ଦୂର କରିବା, ମଣିଷ ଜାତିକୁ ଏକତାର ଡୋରିରେ ବାନ୍ଧିରଖିବା ପାଇଁ ସେମାନେ ଧରାପୃଷ୍ଠକୁ ଆସିଛନ୍ତି ବୋଲି ଜୋରସୋର ପ୍ରଚାର ମଧ୍ୟ ହେଉଥାଏ। ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀ ବ୍ୟକ୍ତିଗତ ଅନୁଭୂତି ବଖାଣି ଆମ୍ମା ଭଗବାନଙ୍କ ମହିମା ଓ ଚମତ୍କାର ସମ୍ବନ୍ଧରେ କହୁଥାଆନ୍ତି।

ଦକ୍ଷିଣ ଭାରତରେ ଥିବା ତାଙ୍କ ଆଧ୍ୟାତ୍ମିକ କେନ୍ଦ୍ରକୁ ଆମେ ଯାଇଥାଉ। ତାଙ୍କ ସଙ୍ଗଠନର ନାମ ଥିଲା ‘ୱାନ୍‌ନେସ୍’ ବା ‘ଏକତ୍ୱ’। ସମଗ୍ର ମାନବ ଜାତି ଏକ- ଏହି ବାର୍ତ୍ତାର ପ୍ରଚାର ଥିଲା ସେମାନଙ୍କର ମୁଖ୍ୟ ଆଭିମୁଖ୍ୟ। ସେଠାରେ ଶହ ଶହ ଏକର ପରିମିତ ଜମିରେ ନିର୍ମିତ ବିଶାଳ ଭିତ୍ତିଭୂମି, ଉଚ୍ଚମାନର ଖାଦ୍ୟ ଓ ରହଣି ବ୍ୟବସ୍ଥା, ରାଜନେତା, ଚଳଚ୍ଚିତ୍ର ତାରକାଙ୍କଠାରୁ ଆରମ୍ଭ କରି ସାମାଜିକ ଶିଡ଼ିର ସର୍ବନିମ୍ନ ପାହାଚ ଯାଏ ହଜାର ହଜାର ଭକ୍ତଙ୍କ ସମାଗମ ଦେଖି ମୁଁ ଅଭିଭୂତ ହେଲି। ପୁଣି ଭିନ୍ନଭିନ୍ନ ଲୋକଙ୍କ ପାଇଁ ଭିନ୍ନଭିନ୍ନ କୋର୍ସ, ଭିନ୍ନ କାର୍ଯ୍ୟକ୍ରମ ଓ ଆମ୍ମା ଭଗବାନଙ୍କ ଦୈବୀଲୀଳାକୁ ନେଇ ସମସ୍ତଙ୍କର ଅଦ୍ଭୁତ ବିଶ୍ବାସ। ଏସବୁ ‌ମୋତେ ଚମତ୍କୃତ କଲା। ସେଠାକାର ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଜାଣିବା ପର୍ଯ୍ୟନ୍ତ ମୁଁ ସମ୍ପୂର୍ଣ୍ଣ ପ୍ରଭାବିତ ଥିଲି। ସେଠାରେ ତିନି ପ୍ରକାରର ଦର୍ଶନ ବ୍ୟବସ୍ଥା ଥିଲା। ସାମୂହିକ ଦର୍ଶନ- ଆମ୍ମା ଭଗବାନ ଗୋଟିଏ ମଞ୍ଚ ଉପରେ ବସି ଅଗଣିତ ଭକ୍ତଙ୍କୁ ଏକାବେଳକେ ଦର୍ଶନ ଓ ଆଶୀର୍ବାଦ ଦେବେ। ଏହା ଦେୟମୁକ୍ତ। ଗ୍ରୁପ୍ ଦର୍ଶନ - ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶନାର୍ଥୀ ଭଗବାନଙ୍କ ସହ ଦଶରୁ ପନ୍ଦର ମିନିଟ୍‌ ସାକ୍ଷାତ୍ କରିପାରିବେ। ଏହି ସାକ୍ଷାତ୍ ଲାଗି ଦେୟ ଥିଲା ପଚିଶ ହଜାର ଟଙ୍କା। ବ୍ୟକ୍ତିଗତ ଦର୍ଶନ - ଏହି ବ୍ୟବସ୍ଥାରେ ଜଣେ ଭଗବାନଙ୍କ ସହ ସିଧାସଳଖ କଥା ହୋଇପାରିବେ। ଏଇ ଦର୍ଶନ ଲାଗି ଦେୟ ଲକ୍ଷେ ଟଙ୍କାରୁ ଆରମ୍ଭ ହେଉଥିଲା।

ମୁଁ ସାନ ଥିଲି। ସେଠାରେ କେତେକଙ୍କୁ ପଚାରିଲି- ‘‘ଏମାନେ ‘ସମସ୍ତେ ଏକ - ସମସ୍ତେ ଏକ’ ବୋଲି ଜପୁଛନ୍ତି। କିନ୍ତୁ ଭକ୍ତମାନଙ୍କ ଭିତରେ ପାତରଅନ୍ତର କେମିତି କରୁଛନ୍ତି? ଯାହା ପାଖରେ ପଇସା ଅଛି ଖାଲି ତା’ ଇଚ୍ଛା ପୂରଣ ହେବ? ଆଉ ଗରିବ ଭକ୍ତଟିଏ?’’ ମୋ ପ୍ରଶ୍ନର ସନ୍ତୋଷଜନକ ଉତ୍ତର କେହି ଦେଲେନାହିଁ। ମୁଁ ବୟସରେ ଛୋଟ ହୋଇଥିବାରୁ ବୋଧହୁଏ ମୋତେ ବା ମୋ କଥାକୁ କେହି ବିଶେଷ ଗୁରୁତ୍ବ ଦେଇ ନଥିଲେ। ତେବେ ଏହି ଦର୍ଶନ ପାଇଁ ଅନେକ ଅଭିଳାଷୀ ଥିଲେ, ନିୟମିତ ଲମ୍ବାଧାଡ଼ି ଲାଗୁଥିଲା। ଚେଲାମାନେ ବଡ଼ପାଟିରେ ଟାଣପଣ ଦେଖାଇ କହୁଥିଲେ, ‘‘ଯାହା ମନସ୍କାମନା ଅଛି, ଖୋଲିକରି ମାଗନ୍ତୁ। ଭଗବାନ ନିଶ୍ଚୟ ପୂର୍ଣ୍ଣ କରିବେ।’’ ମୋର ମନେଅଛି, ଆମେ କେତେଜଣ ଦର୍ଶନ ପାଇଁ ଯାଇଥିଲୁ, ଯାହା ପନ୍ଦର ମିନିଟ ପାଇଁ ଥିଲା। ଆମେ ବାହାରକୁ ବାହାରିଲା ବେଳେ ଜଣେ ଶିଷ୍ୟ ମୋତେ ପଚାରିଲେ,‘‘ତମେ କାହିଁକି କିଛି ମାଗିଲ ନାହିଁ ?’’ ମୁଁ ମନେମନେ ଭାବିଲି, ‘‘ତାଙ୍କ କଥା ଅନୁସାରେ ଯଦି ସେ ସତରେ ଭଗବାନ, ତା’ହେଲେ ମୋ ମନ ଭିତରେ କ’ଣ ଅଛି ଓ ମୁଁ କ’ଣ ଚାହୁଁଛି, ସେ ତ ଆପେ ଆପେ ବୁଝିଯାଇଥିବେ।’’

୨୦୧୯ରେ ଆୟକର ବିଭାଗର ଚଢ଼ାଉରେ ଶହଶହ କୋଟି ଟଙ୍କାର ବେହିସାବ ନଗଦ ଟଙ୍କା ସେଇ ସ୍ଥାନରୁ ମିଳିଲା। ମୁଁ ଏଥିରେ ଆଦୌ ଆଶ୍ଚର୍ଯ୍ୟ ହେଲିନାହିଁ। ମୁଁ ଏମିତି ଲୋକଙ୍କୁ ଜାଣିଛି, ଯେଉଁମାନେ ନିଜର ଅଭିଳାଷ ପୂରଣ ପାଇଁ  ହାତ ଉଧାର ନେଇ ଏକାନ୍ତ ଦର୍ଶନରେ ଯାଇଛନ୍ତି ଏବଂ ସବୁ ବ୍ୟର୍ଥ ଯାଇଛି। ଇଏ ହେଉଛି ଶହ ଶହ ବାବାଙ୍କ ମଧ୍ୟରୁ ମାତ୍ର ଜଣଙ୍କର ଉଦାହରଣ, ଯେଉଁମାନେ ଗରିବ ଓ ଅସହାୟଙ୍କ ବିଶ୍ୱାସ ସହ ଖେଳନ୍ତି। ବିଶ୍ୱାସ, ଅନ୍ଧବିଶ୍ୱାସ ଓ ଚମତ୍କାରର ମଞ୍ଜି ବୁଣି ହଜାର ହଜାର କୋଟି ଟଙ୍କାର ସାମ୍ରାଜ୍ୟ ଠିଆ କରିଛନ୍ତି। ସେ ସାରଥିବାବା ହୁଅନ୍ତୁ, ସୁରବାବା କି ଭୋଲେବାବା; ଲୋକଙ୍କ ବିଶ୍ୱାସ, ଭାବନା ସହ ବେପାର କରି ଏମାନେ ସମସ୍ତେ ନିଜେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ଏମାନଙ୍କର ଅଚଳାଚଳ ସମ୍ପତ୍ତି।

ପ୍ରଶ୍ନ ଉଠୁଛି ଆମ ଲୋକମାନେ କାହିଁକି ଏତେ ସରଳ ବିଶ୍ୱାସୀ? କାହିଁକି ଏତେ ନିରୀହ? ସେମାନେ ବର୍ଷ ବର୍ଷ ଧରି ଦାରିଦ୍ର୍ୟ, ବେରୋଜଗାରୀ, ଶିକ୍ଷାର ଅଭାବ, ଦୟନୀୟ ସ୍ୱାସ୍ଥ୍ୟ ସମସ୍ୟା ଭିତରେ ସନ୍ତୁଳି ହୋଇ ଶାସନ ବ୍ୟବସ୍ଥା ଉପରୁ ସମସ୍ତ ଆଶା ହରାଇ ସାରିଛନ୍ତି। ସେମାନଙ୍କ ଦୁସ୍ଥିତି, ସେମାନଙ୍କୁ ସ‌ତେ ଯେମିତି ‌କେଉଁ ଏକ ଚମତ୍କାର ଉପରେ କୁଟାଖିଅ ପରି ଭରସା କରିବାକୁ ବାଧ୍ୟ କରିଛି। ଆମ ସମାଜରେ ଗୁରୁ-ଶିଷ୍ୟ ସଂପର୍କର ମହାନ୍ ପରମ୍ପରା ବହୁକାଳରୁ ଚଳିଆସିଛି। ଏହାର ଅଗଣିତ ଉଦାହରଣ ବି ରହିଛି। ଗୁରୁ କେହି ବି ହୋଇପାରନ୍ତି। ଗୁରୁ ହେଉଛନ୍ତି ସେଇ ଆଲୋକବର୍ତ୍ତିକା, ଯିଏ ଜୀବନର ପ୍ରତ୍ୟେକ ପାଦରେ ଆମର ମାର୍ଗଦର୍ଶନ କରନ୍ତି। ଜୀବନର ଲକ୍ଷ୍ୟ ସାଧନରେ ଆମର ସହାୟତା କରନ୍ତି, ଆମ ଚେତନାକୁ ଜାଗ୍ରତ କରନ୍ତି, ଠିକ୍ ଓ ଭୁଲ୍‌ ଚିହ୍ନାଇ ଦିଅନ୍ତି ଏବଂ ମୋକ୍ଷ ପ୍ରାପ୍ତିର ସୂତ୍ର ବତାଇ ଦିଅନ୍ତି। କିନ୍ତୁ କିଏ ପ୍ରକୃତ ଗୁରୁ, କିଏ ଶଠ, ତାହା ଜାଣିବା ମୁସ୍କିଲ। ତେବେ ଏତିକି ଜାଣିରଖନ୍ତୁ, କେହି ଯଦି ଆପଣଙ୍କୁ ଅର୍ଥ ବିନିମୟରେ ବିଭିନ୍ନ ଚମତ୍କାରିତା ଦେଖାଇ ଚାକିରି ଦେବା, ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବା, ରୋଗମୁକ୍ତ କରିବା କିମ୍ବା ମାନସିକ ଶାନ୍ତି ପ୍ରଦାନ ଆଦିର ପ୍ରତିଶ୍ରୁତି ଦେଉଛି, ତା’ହେଲେ ସେ ଗୁରୁ ନୁହେଁ, ଜଣେ ଭଣ୍ଡ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe