ପ୍ରଥମ ସ୍ତମ୍ଭ: ଆହେ ନୀଳଶଇଳ

‘‘ତୁମେ ‘ଆହେ ନୀଳଶଇଳ’ ନାଟକ ପ୍ରସ୍ତୁତ କରିବା ପାଇଁ କେମିତି ଚିନ୍ତା କଲ?’’ ବହୁ ସମୟରେ ମୋତେ ଲୋକମାନଙ୍କଠାରୁ ଏହି ପ୍ରଶ୍ନଟି ଶୁଣିବାକୁ ମିଳିଥାଏ। ଏହାର ଉତ୍ତର ଖୁବ୍‌ ସରଳ ହେଲେ ବି ତାହା ମୋ ଜୀବନର ଏକ ଅନନ୍ୟ ଅନୁଭୂତି ହୋଇରହିଛି।

Newwet Project (7)

‘‘ତୁମେ ‘ଆହେ ନୀଳଶଇଳ’ ନାଟକ ପ୍ରସ୍ତୁତ କରିବା ପାଇଁ କେମିତି ଚିନ୍ତା କଲ?’’ ବହୁ ସମୟରେ ମୋତେ ଲୋକମାନଙ୍କଠାରୁ ଏହି ପ୍ରଶ୍ନଟି ଶୁଣିବାକୁ ମିଳିଥାଏ। ଏହାର ଉତ୍ତର ଖୁବ୍‌ ସରଳ ହେଲେ ବି ତାହା ମୋ ଜୀବନର ଏକ ଅନନ୍ୟ ଅନୁଭୂତି ହୋଇରହିଛି।  ୨୦୨୧ ମସିହା ଏପ୍ରିଲ୍‌ ମାସ। କୋଭିଡ୍‌ ସମୟ। ମୁଁ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ପଢୁଥାଏ। ପ୍ରଥମ ଅଧ୍ୟାୟରୁ ହିଁ ଉପନ୍ୟାସର କାହାଣୀ, ଶବ୍ଦ ବିନ୍ୟାସ ଓ ନାଟକୀୟ ବର୍ଣ୍ଣନାଶୈଳୀରେ ଅଭିଭୂତ ହୋଇପଡ଼ିଥାଏ। ମୋ ମନକୁ ଯେବେ ବି କୌଣସି ସୃଜନଶୀଳ କଥା ଆସେ, ମୁଁ ପ୍ରଥମେ ‘ରେଡିଓ ଚକ୍‌ଲେଟ୍’ର ଆର୍‌ଜେ ସଂଗ୍ରାମ ସହ ଆଲୋଚନା କରିଥାଏ। ଏମିତି ଦିନେ କଥା ଛଳରେ ଉପନ୍ୟାସଟି କିଭଳି ମୋତେ ବିମୋହିତ କରିଛି ‌ସେକଥା ମୁଁ ସଂଗ୍ରାମକୁ କହୁଥାଏ। ‘‘ଯଦି ଏଇ କଥାବସ୍ତୁ ସଞ୍ଜୟ ଲୀଲା ଭଂସାଲି ବା ରାଜାମୌଲିଙ୍କ ପରି ମହାନ ପ୍ରଯୋଜକ-ନିର୍ଦ୍ଦେଶକଙ୍କ ହାତରେ ପଡ଼ନ୍ତା, ତା’ହେଲେ ଓଡ଼ିଆ ମାଟିର ଏ କାହାଣୀକୁ ନେଇ ନିର୍ମିତ ଚଳଚ୍ଚିତ୍ର ଭାରତରେ ଏଯାବତ୍‌ ମହାକାବ୍ୟ, କାହାଣୀ, ପୁରାଣ, ଇତିହାସ ଆଧାରରେ ନିର୍ମିତ ହୋଇଥିବା ସମସ୍ତ ଚଳଚ୍ଚିତ୍ର, ଏମିତିକି ‘ବାହୁବଳୀ’କୁ ମଧ୍ୟ ପଛରେ ପକାଇଦିଅନ୍ତା!’’ ମୋ କଥାରେ କଥା ଯୋଡ଼ି ସଂଗ୍ରାମ କହିଲା, ‘‘ଏମିତି ବି ସୁରେନ୍ଦ୍ର ମହାନ୍ତି ଏହାକୁ ନାଟକର ଚିତ୍ରନାଟ୍ୟ ପରି ସଜାଇଛନ୍ତି।’’ ମୁଁ ଅତି ଉତ୍ସାହରେ କହିଲି, ‘‘କିଛି ଗୋଟେ କରିବା ସଂଗ୍ରାମ।

ଆମେ ଯେମିତି ହେଲେ ଏ କାହାଣୀକୁ ନେଇ ଦର୍ଶକଙ୍କ ପାଖରେ ପହଞ୍ଚାଇବା। ହେଲେ ସିନେମା ଗୋଟେ ଭିନ୍ନ ଦୁନିଆ। ଇତିହାସ ଆଧାରରେ ଲିଖିତ ଏତେ ବଡ଼ ଘଟଣାକୁ ଠିକ୍‌ ଭାବରେ ଚଳଚ୍ଚିତ୍ର ପରଦାରେ ଆଣିବା ପାଇଁ ଆମ ପାଖରେ ଆବଶ୍ୟକ ଦକ୍ଷତା ନାହିଁ।’’ ସଂଗ୍ରାମ କହିଲା, ‘‘ମ୍ୟାଡାମ୍‌, ଆମେ ଏହାକୁ ନେଇ ମଞ୍ଚ ନାଟକଟେ କରିବା କି? ହେଲେ ଆଜିକାଲି ତ ଲୋକ ଆଉ ନାଟକ ଦେଖିବାକୁ ଆସୁନାହାନ୍ତି!’’ ଏ କଥାଟା ମୋ ମନକୁ ପାଇଲା। ସିନେମା ସିନା ପାରିବାନି, ହେଲେ ନାଟକଟେ କରିବା। ବାକି ରହିଲା ଦର୍ଶକଙ୍କ କଥା। ମୋର ବିଶ୍ୱାସ ଥିଲା, ଭଲ ପ୍ରଯୋଜନାରେ ନାଟକଟିଏ ପ୍ରସ୍ତୁତ ହେଲେ, ଲୋକେ ମଞ୍ଚକୁ ଟାଣିହେଇ ଆସିବେ। ସେଇ ମୁହୂର୍ତ୍ତରେ ନାଟକର ପ୍ରସ୍ତୁତି ଆରମ୍ଭ କରିବା ପାଇଁ ସଂଗ୍ରାମକୁ କହିଲି। ‘‘କିନ୍ତୁ ଗୋଟେ କଥା ମନେରଖିବ ସଂଗ୍ରାମ। ଏ ହେଉଛି ଜଗନ୍ନାଥଙ୍କ କାହାଣୀ। କୌଣସି ଜିନିଷ ଯେମିତି କାମଚଳା ନହୁଏ। ଗୀତ, ସଂଗୀତ, ପୋଷାକ, ମଞ୍ଚ, କଳାକାର; ନାଟକ ପାଇଁ ଯେଉଁଠି ଯାହା ଦରକାର, ସବୁ ଯୋଗାଡ଼ିବାକୁ ହେବ।’’ ନାଟକକୁ ମୁଁ ଯେମିତି ଦୃଷ୍ଟିଭଙ୍ଗୀରେ ଦେଖୁଥିଲି, ସଂଗ୍ରାମକୁ ବୁଝେଇଦେଲି। ସଂଗ୍ରାମ କହିଲା, ‘‘କିନ୍ତୁ ଏଥିପାଇଁ ତ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ ହେବ। ଏତେ ଟଙ୍କା କୋଉଠୁ ଆସିବ? ଯଦି କେହି ପ୍ରାୟୋଜକ ମିଳି ବି ଯାଏ, ଏତେ ଟଙ୍କା ଗୋଟେ ନାଟକ ପାଇଁ ସେ କାହିଁକି ବା ଦେବ?’’ ମୁଁ କିନ୍ତୁ ଆଉ ଅଟକିଯିବା ସ୍ଥିତିରେ ନଥିଲି। ସଂଗ୍ରାମକୁ କହିଲି, ‘‘ଟଙ୍କା ପାଇଁ ତମେ ବ୍ୟସ୍ତହେବା ଦରକାର ନାହିଁ। ନାଟକ କେମିତି ସର୍ବୋତ୍କୃଷ୍ଟ ହେବ, ବାସ୍ ସେଇ କାମରେ ତମେ ଲାଗିପଡ଼।’’

ମନ ଥିଲା, ଉତ୍ସାହ ଆଉ ଆଗ୍ରହ ଥିଲା ବୋଲି କହିଦେଲି ସିନା, କିନ୍ତୁ ନାଟକକୁ ପ୍ରାୟୋଜିତ କରନ୍ତୁ ବୋଲି କାହାକୁ ପ୍ରସ୍ତାବ ଦେବି? ମୋ‌େତ ବୁଦ୍ଧିବାଟ ଦିଶୁ ନଥିଲା। ଆମେ ସିନା ମାଧ୍ୟମ, ହେଲେ କାମ ତ ଜଗନ୍ନାଥଙ୍କର। ବାଟ ସେ ଦେଖାଇବେ। ଏଇ ବିଶ୍ବାସ ମୋ ମନରେ ଥାଏ। ହଠାତ୍‌ କାହିଁକି କେଜାଣି ଖିମ୍‌ଜୀ ଜୁଏଲର୍ସ କଥା ମନକୁ ଆସିଲା। ତା’ର ପରିଚାଳନା ନିର୍ଦ୍ଦେଶକ ମିତେଶ ଖିମ୍‌ଜୀଙ୍କ ସମୟ ନେଇ, ଗୋଟେ ଲମ୍ବା ଚଉଡ଼ା ପ୍ରସ୍ତାବ ସହିତ ତାଙ୍କୁ ସାକ୍ଷାତ କରିବାକୁ ଗଲି। ପ୍ରସ୍ତାବରେ ସବୁ କଥା ପ୍ରାଞ୍ଜଳ ଭାବରେ ଲେଖାଥିଲା। ନାଟକ କେବେ, କେଉଁଠି, କେମିତି ହେବ, ତାଙ୍କୁ କେମିତି ଲାଭ ମିଳିବ ଇତ୍ୟାଦି ଇତ୍ୟାଦି। କିଛି ସମୟର ପ୍ରାରମ୍ଭିକ ଗପସପ ପରେ ମୁଁ ତାଙ୍କୁ ନାଟକ ବିଷୟରେ କହିଲି ଏବଂ ନାଟକ ପ୍ରସ୍ତୁତି ପାଇଁ ଆର୍ଥିକ ସହଯୋଗ ଦେବାଲାଗି ଅନୁରୋଧ କଲି। ମୁଁ ମୋ ପ୍ରସ୍ତାବଟିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିବାପାଇଁ ପ୍ରସ୍ତୁତ ହେଉଥିଲି। ହେଲେ ମିତେଶଭାଇ ଯେତେବେଳେ ଜାଣିଲେ ଯେ ଆମେ ଶ୍ରୀଜଗନ୍ନାଥଙ୍କ ଉପରେ ଏକ ନାଟକ କରୁଛୁ, ବିନା କୌଣସି ଆଲୋଚନା ଓ ପ୍ରଶ୍ନରେ ଆମକୁ ସହଯୋଗ କରିବାପାଇଁ ସେ ଖୁସିରେ ରାଜି ହୋଇଗଲେ। ସେଇଦିନଠାରୁ ଆଜିଯାଏ ମିତେଶଭାଇ ଓ ଖିମ୍‌ଜୀ ଜୁଏଲର୍ସ ‘ଆହେ ନୀଳଶଇଳ’ ନାଟକକୁ ନିଃସର୍ତ୍ତ ସହଯୋଗ କରିଆସିଛନ୍ତି। ଅନେକଥର, ଏକାଧିକ ମଞ୍ଚରେ ଏ ନାଟକ ମଞ୍ଚସ୍ଥ ହେଇସାରିଛି। କୌଣସିଥର ଟଙ୍କା ପାଇଁ ଆମକୁ ବିଶେଷ ଚିନ୍ତା କରିବାକୁ ପଡ଼ିନାହିଁ। ସତେଯେମିତି ମହାପ୍ରଭୁ ନିଜ କାମ ପାଇଁ ନିଜେ ଅର୍ଥ ଯୋଗାଡ଼ି ଦେଉଛନ୍ତି!

କେବଳ ଅର୍ଥ କାହିଁକି, ‘ଆହେ ନୀଳଶଇଳ’ ନାଟକ ପ୍ରସ୍ତୁତି ପର୍ଯ୍ୟାୟରେ ଆମକୁ ଅନେକ ଆହ୍ୱାନର ସାମ୍‌ନା କରିବାକୁ ପଡ଼ିଛି। ତାରିଖ ନିର୍ଦ୍ଧାରିତ ହୋଇଛି। ରବୀନ୍ଦ୍ର ମଣ୍ଡପ ବୁକିଙ୍ଗ୍‌ ସରିଛି। ହେଲେ କୋଭିଡ୍‌ କଟକଣା ଯୋଗୁଁ ଆମକୁ ନାଟକ ପ୍ରଦର୍ଶନ ଘୁଞ୍ଚାଇବାକୁ ପଡ଼ିଛି। ଏମିତି ପରିସ୍ଥିତି ଆସିଛି, ଶେଷ ମୁହୂର୍ତ୍ତରେ ଆମକୁ କଳାକାର ବଦଳାଇବାକୁ ପଡ଼ିଛି। କିନ୍ତୁ ପ୍ରତ୍ୟେକଥର ଅନୁଭବ ହୁଏ, ବିପଦ ଯେତେ ବଡ଼ ହୋଇଥିଲେ ବି, ଶେଷକ୍ଷଣରେ କେଉଁଠୁ ଏକ ଦିବ୍ୟଶକ୍ତି ଆସି ଆମକୁ ବାଟ ଦେଖାଇବା ସହ ଆମର ସବୁ କଷ୍ଟ ହରଣ କରିନିଏ। ଅନୁଭବ ହୁଏ, ସତରେ ତାଙ୍କ ଇଚ୍ଛା ବିନା ସଂସାରରେ ପତ୍ରଟିଏ ବି ହଲେନାହିଁ। ନାଟକ ମଞ୍ଚସ୍ଥ ହେଉଥିବା ସମୟରେ ଆମର ସମସ୍ତ କଳାକାର ଓ ଟେକ୍‌ନିସିଆନ୍‌ ମହାପ୍ରଭୁଙ୍କର ଦିବ୍ୟସତ୍ତାକୁ ସେଇ ପ୍ରେକ୍ଷାଳୟ ଭିତରେ ବାରମ୍ବାର ଅନୁଭବ କରିଛନ୍ତି। ବ୍ୟକ୍ତିଗତ ଭାବରେ ଏଇ ନାଟକ ମୋ ଲାଗି ଜୀବନର ସବୁ ଦିବ୍ୟ, ଅନ୍ତରଙ୍ଗ ଓ ମହାର୍ଘ ଅନୁଭୂତି ଭିତରେ ସର୍ବୋତ୍ତମ। ଶହେ କଥା ଭିତରେ ଗୋଟିଏ ସତକଥା ହେଉଛି, ଏ ନାଟକ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ। ସେ ନିଜେ ଏ କାହାଣୀର ମୁଖ୍ୟନାୟକ। ତାଙ୍କରି ଇସାରାରେ ଏ ନାଟକର ପରିକଳ୍ପନାଠାରୁ ଆରମ୍ଭ କରି ମଞ୍ଚାୟନ ପର୍ଯ୍ୟନ୍ତ, ସବୁ କିଛି ସମ୍ଭବ ଓ ସଫଳ ହୋଇଛି। ମୁଁ ଅତ୍ୟନ୍ତ ଭାଗ୍ୟବାନ୍‌ ଯେ ‘ନୀଳଶଇଳ’ ସେନାନୀରେ ସାମିଲ ଥିବା ଆର୍‌ଜେ ସଂଗ୍ରାମ, ନିର୍ଦ୍ଦେଶକ ଲାଲା ବୀରେନ୍‌ ରାୟ ଏବଂ ନାଟକର ସମସ୍ତ କଳାକାର ଓ ଟେକ୍‌ନିସିଆନ୍ ଆମର ଏହି ଭାବନା, ଦୃଷ୍ଟିଭଙ୍ଗୀକୁ ବୁଝିଛନ୍ତି। ଏହା ହିଁ ବାସ୍ତବରେ ଆମ ସଫଳତାର ମନ୍ତ୍ର।
ଜଗନ୍ନାଥ ସର୍ବନିୟନ୍ତା, ସର୍ବ ବିଦ୍ୟମାନ। ଅନେକ ଭାବରେ, ଅନେକ ରୂପରେ ତାଙ୍କର ଦର୍ଶନ ମିଳିପାରେ।

ତନୟା ପଟ୍ଟନାୟକ
ସଂପାଦକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe