ଯୁଦ୍ଧବିମାନ ନିଜେ ନିଜର ଶତ୍ରୁ

ଯୁଦ୍ଧବିମାନ ନିଜେ ନିଜର ଶତ୍ରୁ

Wikipedia

ଶତ୍ରୁପକ୍ଷ ବିରୋଧରେ ଲଢ଼ିବା ପାଇଁ ଉଦ୍ଦିଷ୍ଟ ଆଧୁନିକ ଯୁଦ୍ଧ ବିମାନ ବିଶେଷ କରି ନିଜର ମାତ୍ରାଧିକ ବେଗ ପାଇଁ ପ୍ରସିଦ୍ଧ। ଏବେ ଶବ୍ଦଠାରୁ ବି ଅଧିକ ଗୁଣ ବେଗରେ ଗତି କଲା ଭଳି ବିଭିନ୍ନ ଧରଣର ଯୁଦ୍ଧ ବିମାନ ନିର୍ମିତ ହେଲାଣି। ତେବେ ଏଭଳି ଦ୍ରୁତ ଗତିଶୀଳ ଯୁଦ୍ଧବିମାନ ପ୍ରାରମ୍ଭିକ ଅବସ୍ଥାରେ ନିଜ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ଏପରି ଅତ୍ୟାଧୁନିକ ବିମାନର ନୂଆ ନୂଆ ପରୀକ୍ଷଣ ବେଳେ ଅଜ୍ଞାତବଶତଃ ଏଭଳି ପ୍ରଥମ ଘଟଣା ଘଟିଥିଲା ୧୯୫୬ ମସିହା ସେପ୍ଟେମ୍ବର ୨୧ ତାରିଖରେ। ଆମେରିକା ନୌସେନାର ଜଣେ ଯୁବ ପାଇଲଟ ଆଟଲାଣ୍ଟିକ୍‌ ମହାସାଗର ଉପରେ ଏକ ନବନିର୍ମିତ ଯୁଦ୍ଧ ବିମାନ ଏଫ୍‌-୧୧ ଟାଇଗରର ପରୀକ୍ଷାମୂଳକ ଉଡ଼ାଣ କରୁଥିଲେ। ସେ ଭୂପୃଷ୍ଠରୁ ୨୦ ହଜାର ଫୁଟ ଉଚ୍ଚକୁ ବିମାନକୁ ନେଇଯାଇ ବନ୍ଧୁକରୁ ଗୁଳି ଫୁଟାଇବା ଲାଗି ପ୍ରସ୍ତୁତ ହୋଇଥିଲେ। ପରେ ୧୩ ହଜାର ଫୁଟ ଉଚ୍ଚ ଯାଏ ଖସି ଆସି ୭୦ ରାଉଣ୍ଡ୍‌ ଗୁଳି ଛାଡ଼ିଥିଲେ। ଏହାପରେ ୭ ହଜାର ଫୁଟ ଯାଏ ଖସି ଆସି ଆଉ କିଛି ଗୁଳି ଛାଡ଼ିଥିଲେ। ତେବେ ଏହାର କିଛି କ୍ଷଣ ପରେ ତାଙ୍କ ବିମାନ ଡେଣାରେ କିଛି ମାଡ଼ ହେବା ଜଣାପଡ଼ିଥିଲା। କୌଣସି ପକ୍ଷୀ ବାଜି ଖସିଯାଇଥିବା ସେ ଅନୁମାନ କରିଥିଲେ। ମାତ୍ର ବାରମ୍ବାର ଏପରି ଘଟି ବିମାନଟି ଶେଷରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଜଙ୍ଗଲରେ ଖସି ପଡ଼ିଥିଲା। ସୌଭାଗ୍ୟକ୍ରମେ ପାଇଲଟ ଜଣକ ଗୁରୁତର ଆହତ ହୋଇ ବଞ୍ଚିଯାଇଥିଲେ ସିନା, ଖୋଳତାଡ଼ ପରେ ବିମାନରୁ ନିକ୍ଷେପିତ ଗୁଳି ହିଁ ଏପରି ଦୁର୍ଘଟଣାର କାରଣ ହୋଇଥିବା ଜଣାପଡ଼ିଥିଲା। ବିମାନର ବେଗ (ଶବ୍ଦଠାରୁ ଅଧିକ) ଗୁଳିର ବେଗ ଠାରୁ ଅଧିକ ଥିବାରୁ ଗୁଳିଗୁଡ଼ିକ ଆଗେ ଆଗେ ଯାଉଥିଲେ ହେଁ ପଛରେ ବିମାନ ଆସି ସେଗୁଡ଼ିକୁ ଅତିକ୍ରମ କଲା ବେଳେ ସେଥିରେ ପିଟି ହୋଇଯାଇଥିଲା। ନିଜ ଗୁଳିର ଶିକାର ହେବା ପାଇଁ ବିମାନର ବେଗ ହିଁ ବଇରୀ ସାଜିଥିଲା। ତେବେ ସେପରି ଅଘଟଣକୁ ଦୂରେଇବା ଲାଗି ଏବେ ବିମାନରେ ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥା ଖଞ୍ଜାଯିବା ସହ ତାହାର ଉଡ଼ାଣରେ ମଧ୍ୟ ନାନା ନିର୍ଦ୍ଦେଶାବଳି ଯୋଡ଼ାଗଲାଣି। ଏପରିକି ଯାବତୀୟ ସତର୍କତା ସତ୍ତ୍ବେ ତିନି ବର୍ଷ ତଳେ ନେଦରଲାଣ୍ଡ୍‌ସ ବାୟୁସେନାର ଏକ ଏଫ୍‌-୧୬ ବିମାନରୁ ଛଡ଼ାଯାଇଥିବା ଗୁଳିର ଶିକାର ବିମାନଟି ନିଜେ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe