ଦ୍ବୈତନଗରୀରେ ସିନେମା ହଲ୍‌, ଜିମ୍‌, ସୁଇମିଂ ପୁଲ୍‌ ବନ୍ଦ

Advertisment

ଧାରଣା, ବାହାଘର, ସଭା ସମିତି ପାଇଁ ଅନୁମତି ବାତିଲ, ବୁଲିବ ସ୍ବତନ୍ତ୍ର ସ୍କ୍ବାଡ୍‌

ଧାରଣା, ବାହାଘର, ସଭା ସମିତି ପାଇଁ ଅନୁମତି ବାତିଲ, ବୁଲିବ ସ୍ବତନ୍ତ୍ର ସ୍କ୍ବାଡ୍‌

ବନ୍ଦ ହେଲା ଘରୋଇ ସ୍ବିମିଂ ପୁଲ୍‌: ନୂଆ ୭୧୦ ଆକ୍ରାନ୍ତ ଚିହ୍ନଟ, ୧୨ ମାଇକ୍ରୋ ଓ ୪ କଣ୍ଟେନ୍‌‌ମେଣ୍ଟ ଜୋନ୍‌

New Indian Express

ଭୁବନେଶ୍ୱର : ମହାମାରୀ ଆଇନ-୧୮୯୭ ଅନୁସାରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ‘କରୋନା ଅଧିନିୟମ-୨୦୨୦’ ବଳରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତଦନୁଯାୟୀ, ଆଜିଠାରୁ ଦ୍ବୈତନଗରୀ ଭୁବନେଶ୍ବର-କଟକ‌‌ରେ ଥିବା ସମସ୍ତ ସିନେମା ହଲ୍ ଓ ଜିମ୍, ସୁଇମିଂ ପୁଲ୍‌ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖାଯିବ। କୌଣସି ସଭା ସମିତି, ସମ୍ମିଳନୀ ପାଇଁ ଅନୁମତି ଦିଆଯିବ ନାହିଁ। ଯେଉଁମାନଙ୍କୁ ଆଗରୁ ଅନୁମତି ମିଳିଛି, ସେ ସବୁକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହାକୁ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅପରପକ୍ଷେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ବ୍ୟକ୍ତିଙ୍କୁ ଖୋଜିବା, ସମ୍ପର୍କ କରିବା, ଡାକ୍ତରଖାନାକୁ ନେଇ ପରୀକ୍ଷା କରାଇବା ବା କାହାକୁ ଅଲଗା ରଖିବା ପାଇଁ ପୁଲିସ ସହାୟତା ଚାହିଲେ, କମିସନରେଟ୍‌ ପୁଲିସ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ। ସେହିପରି ବିଏମ୍‌ସି ଓ ସିଏମ୍‌ସି କର୍ତ୍ତୃପକ୍ଷ ଯଦି କୌଣସି ଅଞ୍ଚଳକୁ ବାହାରୁ ପ୍ରବେଶ ନିଷିଦ୍ଧ କରିବାକୁ ଚାହାନ୍ତି ବା ସଂକ୍ରମିତ ରୋଗୀଙ୍କୁ ଅଲଗା ରଖିବା ପାଇଁ କୌଣସି ବ୍ୟବସ୍ଥାରେ ସହଯୋଗ ଚାହାନ୍ତି, କମିସନ‌ରେଟ୍‌ ପୁଲିସ ସହଯୋଗ କରିବ।

ଭୁବନେଶ୍ବର-କଟକ ପାଇଁ ପୁଲିସ୍ କମିସନର୍, ଅତିରିକ୍ତ କମିସନର୍, ଯୁଗ୍ମ କମିସନର୍ ଓ ସହ କମିସନର୍ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ମାଜିଷ୍ଟ୍ରେଟ୍‌ କ୍ଷମତା ପାଇଛନ୍ତି। ଯେଉଁମାନେ ଏହି ସରକାରୀ ଅଧିନିୟମ ନ ମାନିବେ, ତାଙ୍କ ବିରୋଧରେ ମହାମାରୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଡିସିପି, ଏସିପି, ଥାନା ଅଧିକାରୀ ଓ ପିସିଆର୍‌ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ। ଏହାକୁ ନିଶ୍ଚିତ କରିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଘୂରି ବୁଲିବ। ମାର୍ଚ ୩୧ ପର୍ଯ୍ୟନ୍ତ ନିରନ୍ତର ନଜର ରଖିବା ସହ ରିପୋର୍ଟ ପ୍ରଦାନ କରିବ ସ୍କ୍ବାଡ୍‌।

ପୁଲିସ କମିସନର୍‌ ଶ୍ରୀ ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ ପୁଲିସ୍‌ ବାରାକ୍‌ରେ ଏକାଧିକ ଫୋର୍ସ ଏକାଠି ରହୁଛନ୍ତି। ଏଣୁ ସେମାନଙ୍କ ଉପରେ ନଜର ରଖାଯାଇଛି। ଯଦି କାହାକୁ ଜ୍ବର ହୁଏ ବା ଦେହ ଖରାପ ହୁଏ, ଡାକ୍ତରୀ ରିପୋର୍ଟ ଉପରେ ତାଙ୍କୁ ଛୁଟି ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଦରଖାସ୍ତର ଆବଶ୍ୟକତା ନାହିଁ। ଅସୁସ୍ଥ ପୁଲିସ୍ କର୍ମଚାରୀଙ୍କୁ ଅଲଗା ରଖିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଏହି ଅଧିନିୟମ ଜାରି ହେବା ପରେ ପରେ କମିସନରେଟ୍‌ ପୁଲିସ ପକ୍ଷରୁ ଲୋୟର୍‌ ପିଏମ୍‌ଜିରେ ଧାରଣରେ ବସିଥିବା ଲୋକମାନଙ୍କୁ ଉଠାଇ ଦିଆଯାଇଛି। ଅନ୍ୟ ଜାଗାଗୁଡ଼ିକରେ ଚଢ଼ଉ କରିବା ପାଇଁ ସ୍କ୍ବାଡ୍‌ ପ୍ରସ୍ତୁତ ହୋଇଛି। ୧୦ରୁ ୧୫ଦିନ ସମସ୍ତେ ସତର୍କ ରହିଲେ, ପରିସ୍ଥିତି ସ୍ବାଭାବିକ ହେଇଯିବ ବୋଲି ଶ୍ରୀ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe