‘ନିଃସଙ୍ଗ ବୃକ୍ଷ’ ପାଇଁ ସାଥୀ ଖୋଜା

Advertisment
‘ନିଃସଙ୍ଗ ବୃକ୍ଷ’ ପାଇଁ ସାଥୀ ଖୋଜା

ପୃଥିବୀର ସବୁଠୁ ନିଃସଙ୍ଗ ବୃକ୍ଷ ଭାବେ ବିବେଚିତ ଦକ୍ଷିଣ ଆଫ୍ରିକାର ଏନ୍‌ସେଫାଲାର୍ଟୋସ୍‌ ଉଡି (ଇ. ଉଡି) ନାମକ ଏକ ଗଛ ପାଇଁ ଉଦ୍ଭିଦବିଜ୍ଞାନୀମାନେ ଉପଯୁକ୍ତ ସାଥୀଟିଏ ଖୋଜିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସାଇକାଡ୍ ପ୍ରଜାତି ବୃକ୍ଷ ପରିବାରର ଏହି ଇ. ଉଡି ଗଛଟି ତାହାର ମୋଟା ଗଣ୍ଡି ଓ ମୁକୁଟ ଭଳି ଦିଶୁଥିବା ମୋଟା ପତ୍ର ପାଇଁ ବିଶେଷ ଭାବରେ ପରିଚିତ। ଡାଇନୋସର୍‌ଙ୍କ ଅମଳରୁ ବର୍ତ୍ତିଯାଇଥିବା ଏହି ଗଛ ଅନେକ ଗଣବିଲୋପନର ସାମନା କରି ଆସିଛି। ଏକଦା ବହୁଳ ବିସ୍ତାର ଲାଭ କରିଥିବା ଏହି ଇ. ଉଡି ଏବେ ପୃଥିବୀର ସବୁଠୁ ବିପଦଗ୍ରସ୍ତ ପ୍ରଜାତି ମଧ୍ୟରୁ ଗୋଟିଏ। ଉଦ୍ଭିଦ ବିଜ୍ଞାନୀ ଜନ୍ ମେଡଲେ ଉଡ୍ ୧୮୯୫ ମସିହାରେ ଦକ୍ଷିଣ ଆଫ୍ରିକାର ଏନଗୋୟେ ଜଙ୍ଗଲରେ ଏକ ଉଦ୍ଭିଦବିଜ୍ଞାନ ଅଭିଯାନ ବେଳେ ଏକମାତ୍ର ଜଣାଶୁଣା ବନ୍ୟ ଇ. ଉଡିକୁ ଠାବ କରିଥିଲେ।

ସେ ଆଖପାଖ ଇଲାକାରେ ଯେତେ ଅନ୍ବେଷଣ କରିଥିଲେ ବି ଅନ୍ୟ କୌଣସି ଇ. ଉଡି ବୃକ୍ଷ ପାଇନଥିଲେ। ପରବର୍ତ୍ତୀ ଦୁଇ ଦଶନ୍ଧିରେ ଉଦ୍ଭିଦବିଜ୍ଞାନୀମାନେ ଉକ୍ତ ଗଛର ଗଣ୍ଡି ଓ ଡାଳକୁ ନେଇ ବଗିଚାରେ ତାହାର କୃତ୍ରିମ ଚାଷ କରାଇଥିଲେ। ତେବେ ତାହାର ମୂଳ ଗଣ୍ଡି ନଷ୍ଟ ହୋଇଯିବା ଆଶଙ୍କାରେ ଦକ୍ଷିଣ ଆଫ୍ରିକାର ବନ୍ୟ ବିଭାଗ ଦ୍ବାରା ତାହାକୁ ୧୯୧୬ରେ କଢ଼ାଯାଇ ପ୍ରିଟୋରିଆଠାରେ ସଂରକ୍ଷିତ କରି ରଖାଯାଇଛି। ସେବେଠାରୁ ବିଲୁପ୍ତ ଘୋଷିତ ହେବା ସହ ତାହା ସମ୍ପର୍କରେ ବିଶ୍ବବ୍ୟାପୀ ପ୍ରଚାର ପ୍ରସାର କରାଯାଇ ଆସୁଛି। ତେବେ ଇ. ଉଡି ଏବେ ଅସ୍ତିତ୍ବ ସଂକଟର ସାମନା କରୁଛି। କାରଣ ଏହି ଗଛରୁ ପ୍ରତିରୂପ (କ୍ଲୋନ୍) ସୃଷ୍ଟି କରାଯାଇଥିବା ସବୁ ଇ. ଉଡି ହେଉଛନ୍ତି ପୁରୁଷ ପ୍ରଜାତିର। ସୁତରାଂ କୌଣସି ଉପଯୁକ୍ତ ମାଈ ପ୍ରଜାତି ବିନା ଏହାର ପ୍ରାକୃତିକ ପ୍ରଜନନ ଅସମ୍ଭବ। ତେବେ ଏହାର ବିଲୁପ୍ତ ରୋକିବା ଆଶାରେ ଉଦ୍ଭିଦବିଜ୍ଞାନୀମାନେ ଗତ ଦୁଇ ବର୍ଷ ହେଲା ୧୦ ହଜାର ଏକର ପରିମିତ ବିଶାଳ ଏନଗୋୟେ ଜଙ୍ଗଲରେ ଡ୍ରୋନ ସାହାଯ୍ୟରେ ଖୋଜିବା ଜାରି ରଖିଥିଲେ ହେଁ ଏଯାଏ ଇ. ଉଡି ପାଇଁ ସାଥୀଟିଏ ମିଳିପାରିନାହିଁ। ଏପରିକି ସେମାନେ କୃତ୍ରିମ ମେଧା (ଏଆଇ) ଜ୍ଞାନକୌଶଳ ଉପଯୋଗ କରି ବିଭିନ୍ନ ବୃକ୍ଷର ସନ୍ଧାନ କରିଥିଲେ ହେଁ ସଫଳ ହୋଇପାରିନାହାନ୍ତି। ତେବେ ଭୂପୃଷ୍ଠରେ ଜୀବନର ସ୍ମରଣୀୟ ପ୍ରତୀକ ରୂପେ ରହିଥିବା ଇ. ଉଡି ପାଇଁ ନିଶ୍ଚୟ କେଉଁଠି ନା କେଉଁଠି ମାଈ ସାଥୀଟିଏ ରହିଥିବ ବୋଲି ସେମାନେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe