ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ନବରାତ୍ରି। ଏହି ଦିନଟି ହିମାଳୟର କନ୍ୟା ଏବଂ ଦେବୀ ଦୁର୍ଗାଙ୍କ ପ୍ରଥମ ରୂପ ଦେବୀ ଶୈଳପୁତ୍ରୀଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ। ଏହି ଦିନ କଳଶ ସ୍ଥାପନ ସହିତ ୯ଦିନ ବ୍ୟାପୀ ଉପବାସ ଆରମ୍ଭ ହୁଏ। କୁହାଯାଏ ଯେ ଏହି ଉପବାସ ପାଳନ କରିବା ଦ୍ୱାରା ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ମିଳିଥାଏ ଏବଂ ଜୀବନରେ ଖୁସିର ଆଗମନ ହୁଏ। ଯଦି ଆପଣ ଭାରତର ବିବିଧ ସଂସ୍କୃତି ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ନବରାତ୍ରିଠାରୁ ଭଲ ସମୟ ଆଉ କିଛି ନାହିଁ। ଏହି ୯ରାତିର ଉତ୍ସବରେ ରଙ୍ଗ, ସଙ୍ଗୀତ, ନୃତ୍ୟ ଏବଂ ଭକ୍ତିର ସମାଗମ ହୁଏ। ଏହି ୯ଦିନ ଦେବୀ ଦୁର୍ଗାଙ୍କ ପୂଜା କରାଯାଏ। ଦେଶର ପ୍ରତ୍ୟେକ କୋଣରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ଏହାକୁ ପାଳନ କରାଯାଇଥାଏ। ଆଜି ଆମେ ୬ଟି ରାଜ୍ୟରେ କିଭଳି ନବରାତ୍ରି ପାଳନ କରାଯାଏ, ସେ ବିଷୟରେ ଜଣାଇବୁ।
ଗୁଜରାଟ: ଗୁଜରାଟରେ ନବରାତ୍ରିର ୯ଦିନ ଖୁବ ଧୁମ୍ଧାମ୍ରେ ପାଳନ କରାଯାଏ। ଏହି ୯ଦିନ ଚାରିଆଡ ଆଲୋକିତ ହେବା ସହ ଦାଣ୍ଡିଆ ଖେଳ ଓ ଗରବା ନୃତ୍ୟରେ ମଜିଯାଆନ୍ତି ଗୁଜରାଟବାସୀ। ପାରମ୍ପରିକ ପୋଷାକ ପିନ୍ଧି ଗୁଜରାଟବାସୀ ସାଂସ୍କୃତିକ ସଙ୍ଗୀତର ତାଳେ ତାଳେ ନୃତ୍ୟ କରିଥାନ୍ତି। ଏଠାରେ ଭକ୍ତମାନେ ଦେବୀ ଦୁର୍ଗା ଏବଂ ତାଙ୍କର ୯ଅବତାରକୁ ସମ୍ମାନ ଦେବା ପାଇଁ ୯ଦିନ ପାଇଁ ଉପବାସ ରଖନ୍ତି। ପ୍ରତ୍ୟେକ ସନ୍ଧ୍ୟାରେ, ଉପବାସ କରୁଥିବା ମହିଳାମାନେ ମାଟିପାତ୍ରରେ ଦୀପ ଜାଳି ପ୍ରାର୍ଥନା କରନ୍ତି, ଯାହା ଜୀବନ ଏବଂ ଦିବ୍ୟ ଶକ୍ତିର ପ୍ରତୀକ ଆଟେ।
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ, ନବରାତ୍ରିକୁ ଦୁର୍ଗା ପୂଜା ଭାବରେ ପାଳନ କରାଯାଏ। ଏହି ମହାନ ଉତ୍ସବ ଦେବୀ ଦୁର୍ଗାଙ୍କ ମହିଷାସୁର ଉପରେ ବିଜୟକୁ ସମ୍ମାନିତ କରିବା ପାଇଁ କରାଯାଏ। ଦେବୀ ଦୁର୍ଗାଙ୍କ ବିଜୟକୁ ପାଳନ କରିବା ପାଇଁ ପୀଠ ଓ ପେଣ୍ଡାଲରେ ମା’ଙ୍କୁ ପୂଜା କରାଯାଏ। ଲୋକେ ପେଣ୍ଡାଲ ବୁଲିବା ସହ ସ୍ବାଦିଷ୍ଟ ଖାଦ୍ୟର ମଜା ନେଇଥାନ୍ତି। ପ୍ରତ୍ୟେକ ଦିନ ପାରମ୍ପରିକ ନୃତ୍ୟ ଏବଂ ସଙ୍ଗୀତ ପରିବେଶଣ କରାଯାଇଥାଏ, ଯାହା ମୁଖ୍ୟ ଆକର୍ଷଣ ପାଲଟେ। ଶୋଭାଯାତ୍ରା, ଲୋକନୃତ୍ୟ ଏବଂ ଧାର୍ମିକ ରୀତିନୀତିରେ ପେଣ୍ଡାଲ ଦୁଲୁକୁଥାଏ। ସାରା ଦେଶରୁ ଲୋକମାନେ କୋଲକାତାକୁ ଆକର୍ଷଣୀୟ ସାଜସଜ୍ଜା ଏବଂ ସାଂସ୍କୃତିକ ପ୍ରଦର୍ଶନ ଦେଖିବା ପାଇଁ ଆସିଥାନ୍ତି।
ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶରେ ନବରାତ୍ରି ମହା ଭକ୍ତିର ସହିତ ପାଳନ କରାଯାଏ। ଏହାର ମୁଖ୍ୟ ଆକର୍ଷଣ ହେଉଛି କୁଲୁ ଦଶହରା ପର୍ବ, ଯାହା ଏକ ସପ୍ତାହ ଧରି ଚାଲିଥାଏ। ଏହି ଅନନ୍ୟ ଉତ୍ସବ ପ୍ରଭୁ ରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନକୁ ଚିହ୍ନିତ କରେ। ଏଠାରେ କୁଲୁର ଧଳପୁର ମଇଦାନକୁ ଭଗବାନ ରଘୁନାଥଜୀଙ୍କ ପ୍ରତିମାକୁ ଏକ ଶୋଭାଯାତ୍ରା କରି ନିଆଯାଏ। ପ୍ରଭୁ ରଘୁନାଥଜୀଙ୍କୁ ଦର୍ଶନ କରିବା ପାଇଁ ସ୍ଥାନୀୟ ମନ୍ଦିରରୁ ହଜାର ହଜାର ଦେବୀଦେବତାମାନଙ୍କୁ ସଜା ଯାଇ ଛୋଟ ଛୋଟ ରଥରେ ଅଣାଯାଏ। ଏହି ଉତ୍ସବ ଶେଷରେ ଲଙ୍କା ଦହନ କରାଯାଇଥାଏ। କୁଲୁରେ ଦଶହରା 'ବିଜୟ ଦଶମୀ' ଦିନ ଆରମ୍ଭ ହୁଏ ଏବଂ ସାତ ଦିନ ପର୍ଯ୍ୟନ୍ତ ଚାଲିଥାଏ।
ତାମିଲନାଡୁ: ତାମିଲନାଡୁରେ, ନବରାତ୍ରିକୁ ଗୋଲୁ କିମ୍ବା କୋଲୁ ଭାବରେ ପାଳନ କରାଯାଏ। ଲୋକମାନେ ଘର ପାହାଚରେ ବା ଘରର ଥାକରେ ବିଭିନ୍ନ ଦେବାଦେବୀଙ୍କ କଣ୍ଢେଇ ବା ମୂର୍ତ୍ତିଗୁଡ଼ିକ ରଖିଥାନ୍ତି। ଏହାକୁ ଦେଖିବା ପାଇଁ ବନ୍ଧୁ ଓ ଅତିଥିମାନେ ଘରକୁ ଆସନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମର ଆଯୋଜନ କରାଯିବା ସହ ପାରମ୍ପରିକ ଶାସ୍ତ୍ରୀୟ ସଙ୍ଗୀତ ଏବଂ ନୃତ୍ୟ କରନ୍ତି ଲୋକେ।
ରାଜସ୍ଥାନ: ରାଜସ୍ଥାନରେ ରାଜକୀୟ ଢ଼ଙ୍ଗରେ ନବରାତ୍ରି ପାଳନ କରାଯାଏ। ଉଦୟପୁର ଏବଂ ଯୋଧପୁରରେ ଥିବା ବିଳାସପୂର୍ଣ୍ଣ ପ୍ରାସାଦରେ ପାରମ୍ପରିକ ସଙ୍ଗୀତ, ନୃତ୍ୟ ଏବଂ ରାଜକୀୟ ଶୋଭାଯାତ୍ରା ସହିତ ନବରାତ୍ରି କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ମହିଳାମାନେ ଉତ୍କୃଷ୍ଟ ରାଜସ୍ଥାନୀ ପୋଷାକ ପିନ୍ଧି ଏହି ଉତ୍ସବକୁ ପାଳନ କରନ୍ତି।
କେରଳ: କେରଳରେ, ନବରାତ୍ରି ଜ୍ଞାନ ଏବଂ କଳାର ଦେବୀ ମା’ ସରସ୍ୱତୀଙ୍କୁ ପୂଜା କରାଯାଏ। ଛାତ୍ରଛାତ୍ରୀମାନେ ଦେବୀଙ୍କ ଆଶୀର୍ବାଦ ପାଇଁ ତାଙ୍କ ମୂର୍ତ୍ତି ସମ୍ମୁଖରେ ସେମାନଙ୍କର ପୁସ୍ତକ ଏବଂ ବାଦ୍ୟଯନ୍ତ୍ର ରଖନ୍ତି। ଏହାକୁ ଆୟୁଧ ପୂଜା ମଧ୍ୟ କୁହାଯାଏ। କାରଣ ଏହି ସମୟରେ ବିଭିନ୍ନ ଉପକରଣ ଏବଂ ଯାନର ପୂଜା କରାଯାଏ। ପୂଜା ପାଇଁ ଲୋକେ ବ୍ୟବହାର କରୁଥିବା ଉପକରଣ, ଯାନବାହନ ଏବଂ ଯନ୍ତ୍ରପାତି ସଫା କରି ଏହାକୁ ସଜାଇଥାନ୍ତି।
ଓଡ଼ିଶା: ଓଡ଼ିଶାରେ, ନବରାତ୍ରିକୁ ଦୁର୍ଗାପୂଜା ଭାବରେ ପାଳନ କରାଯାଏ, ଯାହା ଶେଷ ଚାରି ଦିନ: ସପ୍ତମୀ, ଅଷ୍ଟମୀ, ନବମୀ ଏବଂ ଦଶମୀକୁ କେନ୍ଦ୍ରିତ କରିଥାଏ। ଭକ୍ତମାନେ ଦେବୀ ଦୁର୍ଗାଙ୍କ ପ୍ରତିମା ସହିତ ବଡ଼ ବଡ଼ ମଣ୍ଡପ ନିର୍ମାଣ କରନ୍ତି, ଯାହାକୁ ବିଜୟା ଦଶମୀ ପରେ ଜଳାଶୟରେ ବିସର୍ଜନ କରାଯାଏ। ଉତ୍ସବଗୁଡ଼ିକରେ ଦୈନନ୍ଦିନ ରୀତିନୀତି, ମନ୍ତ୍ର ପାଠ, କୁମାରୀ ପୂଜା ଏବଂ ସନ୍ଧି ପୂଜା ଅନ୍ତର୍ଭୁକ୍ତ। ଏହି ସମୟରେ ରାସ୍ତାଗୁଡ଼ିକୁ ଆଲୋକମାଳାରେ ସଜାଯାଇଥାଏ ଏବଂ ସାଂସ୍କୃତିକ ସଙ୍ଗୀତ, ପାରମ୍ପରିକ ନୃତ୍ୟ ସହିତ ଲୋକେ ଏହି ଉତ୍ସବ ପାଳନ କରିଥାନ୍ତି।
Durga Puja | Navratri
Follow Us