ଭୁବନେଶ୍ଵର: କିଏ ଜଳିଗଲା.. ବାଲେଶ୍ଵର ପୀଡିତା ନା ରାଜ୍ୟର ଶାସନ ଓ ବିଧି ବ୍ୟବସ୍ଥା ? ସମସ୍ତେ ଦେଖିଲେ ଜୁଇରେ ଜଳିଗଲା ସିନା ଲଢି ଲଢି ହାରିଯାଇଥିବା ସେ ଛାତ୍ରୀ.. କିନ୍ତୁ ପରୋକ୍ଷରେ ଝିଅଟିର ଜୁଇରୁ ଉଠୁଥିବା ଧୂଆଁରୁ ବାରି ହେଉଥିଲା ବ୍ୟବସ୍ଥାର ପୋଡାଗନ୍ଧ.. ସାହସୀ ଝିଅ ସହ ହୋଇଥିବା ଷଡ଼ଯନ୍ତ୍ରର ଶବ୍ଦ ବି ଶ୍ମଶାନରୁ ଶୁଭୁଥିଲା.. ଝିଅଟିର ଜୀବନ ନଥିବା ଦେହ ନିଆଁ ଆଁରେ ଜଳିବା ବେଳେ ତା ଆତ୍ମା କହୁଥିଲା- ମୁଁ ଜଳିନି, ବରଂ ଜଳିଛି ଏ ବ୍ୟବସ୍ଥା.. ମୋର ଜନ୍ମ ଜଳିବା ପାଇଁ ନୁବେଁ ବରଂ ଲଢିବା ପାଇଁ.. ଆଉ ଏ ଲଢେଇ ଆଜିଠୁ ଆରମ୍ଭ.. ମୋ ମୃତ୍ୟୁ ପରେ ହିଁ ଏ ବ୍ୟବସ୍ଥା ବିରୋଧରେ ବାଜିଛି ଲଢେଇର ବିଗୁଲ..
ଗୋଟେ ପଟେ ଲୁହ, ଅନ୍ୟ ପଟେ ନିଆଁ । କେଉଁଠି ଲୁହର ଲଢେଇ, କେଉଁଠି କୋହର ଲଢେଇ ଆଉ ପୁଣି କେଉଁଠି ନିଆଁ ନାଁରେ ଲଢେଇ.. ବାଲେଶ୍ଵର ପୀଡିତାଙ୍କ ଘଟଣାକ୍ରମକୁ ଯଦି ଲକ୍ଷ୍ୟ କରାଯାଏ ତେବେ ଆରମ୍ଭରୁ ଶେଷ ଖାଲି ନିଆଁ ଆଉ ନିଆଁ..
ପ୍ରଥମେ ନିର୍ଯାତନାର ନିଆଁ- ଯୌନ ପିପାସୁର ଆଖିର ଆଞ୍ଚରେ ପ୍ରଥମେ ଛାତ୍ରୀଙ୍କୁ ଲାଗିଥିଲା ଚେଙ୍କ, ପୋଟକା ହୋଇଯାଇଥିଲା ଗୋଟେ ନାରୀର ମନ । ଶିକ୍ଷାନୁଷ୍ଠାନରେ ଅଧ୍ୟାପକଙ୍କ ଏଭଳି ଆଚରଣକୁ ବିରୋଧ କରିଥିଲେ ଛାତ୍ରୀ.. ସ୍ଵର ଉଠାଇଥିଲେ, ନ୍ୟାୟ ମାଗିଥିଲେ.. ହେଲେ ସବୁଆଡୁ ନିରାଶ ହେବା ପରେ ଅସହାୟ ଛାତ୍ରୀଙ୍କ ପାଖରେ ଥିଲା ଗୋଟିଏ ହିଁ ଉପାୟ, ଏକମାତ୍ର ଅସ୍ତ୍ର- ଯାହାର ନାଁ ନିଆଁ.. ଯେଉଁ ନିଆଁରେ ନିଜକୁ ଜାଳି ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲେ ଛାତ୍ରୀ ଆଉ ସାରା ରାଜ୍ୟକୁ, ସମଗ୍ର ସରକାରୀ ଶାସନ କଳକୁ ହଲଚଲ କରିଦେଇଥିଲେ..
ପରେ ଆରମ୍ଭ ହୋଇଥିଲା ନିଆଁ ପାଇଁ ନିଆଁର ନାଟକ । ଯେଉଁମାନଙ୍କ ପାଖରୁ ନ୍ୟାୟ ନପାଇ ଛାତ୍ରୀ ଜଣଙ୍କ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ.. ୯୫ ପ୍ରତିଶତ ପୋଡ଼ିଯିବା ପରେ ସେହିମାନ ହିଁ ଆରମ୍ଭ କରିଥିଲେ ନିଆଁକୁ ନେଇ ନିତିଦିନିଆ ଲଢେଇ । ଛାତ୍ରୀ ନ୍ୟାୟ ମାଗିବା ବେଳେ ଦେଖା ଦର୍ଶନ ଦେଇନଥିବା ଲୋକେ ହିଁ ନିର୍ଯାତନାର ‘ନିଆଁ’କୁ ପ୍ରସଙ୍ଗ କରିଥିଲେ ଆଉ ଚିଲ ଝାମ୍ପିଲା ପରି ଖପ୍ କିନା ରାଜନୀତି କରିବାକୁ ହାଜର ହୋଇଗଲେ.. ବାସ୍ ତାପରେଜଳିଲା ନିଆଁ.. ସେଇଟା ଥିଲା ପ୍ରତିବାଦର ନିଆଁ, ବିରୋଧର ନିଆଁ.. ହେଉ ପଛେ ରାଜନୀତି ପାଇଁ ରୁଟିସେକା କିନ୍ତୁ ନ୍ୟାୟ ପାଇଁ ଜଳିଥିଲା ଫକୀର ମୋହନ କଲେଜ ସାମ୍ନାରେ ଟାୟରର ନିଆଁ..
ଏପଟେ ନିଆଁ ଧାସରେ ଜଳି ଯାଇଥିବା ପୀଡିତାଙ୍କ ଦେହ- ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲା । ଜୀବନ ବଞ୍ଚିବାକୁ ହଜାର ହଜାର ହାତ ଠାକୁରଙ୍କ ଆଗରେ ପ୍ରାର୍ଥନା କରିଥିଲା, ଦୀପ ଜାଳି ଆଶୁ ଆରୋଗ୍ୟ କାମନା କରିଥିଲା । ମେଡିକାଲରେ ମୃତ୍ୟୁ ମୁହଁରୁ ଫେରି ଆସିବା ପାଇଁ ମନ୍ଦିର ଆଗରେ ଜଳିଥିଲା ଦୀପ- ସେଠି ବି ଥିଲା ନିଆଁ.. ଯେଉଁ ଶିଖାରେ ଥିଲା ନିବେଦନ ଓ ଗୁହାରୀ..
ହଠାତ୍ ରାତି ଅଧରେ ଖବର ଆସିଲା ମୃତ୍ୟୁ ସହ ଲଢି ଲଢି ହାରିଗଲେ ସାହସୀ ଝିଅ.. ଆଉ ସେ ନାହାନ୍ତି- ନ୍ୟାୟ ମାଗି ମାଗି ନୀରବି ଗଲା ପୀଡିତାଙ୍କ ସ୍ଵର.. ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ତବ୍ଧ ହୋଇଗଲା ସାରା ରାଜ୍ୟ.. ଲୁହରେ ଭିଜିଲା ଓଡିଶା, କାନ୍ଦିଲା ଗାଁ, ବାହୁନିଲା ମାଆ.. ଗାଁ ମଶାଣୀରେ ଜଳିଗଲା ଜଣେ ହାରିଯାଇଥିବା ଝିଅର ଶବ । ଯେଉଁ ଘରୁ ଆଉ କିଛି ବର୍ଷ ପରେ ତାର ସବାରୀ ଉଠିଥାନ୍ତା ସେଠୁ ଉଠିଲା କୋକେଇ.. ଓଃ କାନ୍ଦି କାନ୍ଦି ପଥର ପାଲଟିଗଲେ ପରିବାର ଲୋକେ । ଶ୍ମଶାନରେ ହଜାର ହଜାର ଲୋକଙ୍କ ଭିଡ ଭିତରେ ହଠାତ୍ ଜଳି ଉଠିଲା ଜୁଇ । କେଇଁ ଘଣ୍ଟାରେ ପାଉଁଶ ହୋଇଗଲା ଗୋଟେ ହାରିଯାଇଥିବା ମଣିଷ- ସେଠି ବି ଥିଲା ନିଆଁ.. ମଶାଣୀର ନିଆଁ, ପ୍ରତିଶୋଧର ନିଆଁ, ବିରକ୍ତିର ନିଆଁ, ରାଜନୀତିର ନିଆଁ..
ଆଉ ତାପରେ.. ତାପରେ ଆପଣ ଭାବୁଥିବେ ଜୁଇ ପରେ କଣ ଆଉ ନିଆଁ ଥାଏ । ଜୁଇ ତ ଜୀବନର ଶେଷ ନିଆଁ.. ନାଇଁ ଆଜ୍ଞା.. ସାଧାରଣ ମଣିଷଟେ ପାଇଁ ଜୁଇ ହୁଏତ ଶେଷ ନିଆଁ ହୋଇପାରେ ..ହେଲେ ସେ ପୀଡିତା ପାଇଁ ଜୁଇର ନିଆଁ ନଥିଲା ଶେଷ କି ଅନ୍ତିମ.. ଅନ୍ତିମ ସଂସ୍କାର ପରେ ବି ଆହୁରି ହୁତୁହୁତୁ ହୋଇ ଜଳିଥିଲା ନିଆଁ, ଉଠିଥିଲା ଧୂଆଁ- ସେ ନିଆଁର ନାଁ କଣ ଜାଣନ୍ତି.. ସେଇଟା ରାଜନୀତିର ନିଆଁ ଆଜ୍ଞା ଯାହା କାଠ କି ପେଟ୍ରୋଲରେ ଲାଗେନି.. ସେ ନିଆଁ କେବଳ ଶବରୁ ସୃଷ୍ଟି ହୁଏ, ପୋଡା ଦେହରୁ ଜଳେ.. ଯାହା ବାଲେଶ୍ଵର ପୀଡିତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।
ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଆଉ ସରକାରଙ୍କୁ ଘେରିବାକୁ ଏହାଠାରୁ ଆଉ ଭଲ ମୌକା କିଛି ନଥିଲା ବିରୋଧୀଙ୍କ ପାଇଁ ତେଣୁ ଘୃଣାର ଘିଅରେ ଏବଂ ଲୁହରେ ଲିଭି ଆସୁଥିବା ନିଆଁରେ ପୁନଶ୍ଚ ଫୁଙ୍କ ମାରିଥିଲେ ବିରୋଧୀ । ଫଳ ସ୍ଵରୂପ ଆହୁରି ବ୍ୟାପିଥିଲା ନିଆଁ- ବିଜେଡି ପ୍ରତିବାଦର ନିଆଁ ଜାଳି ବାଲେଶ୍ଵର ବନ୍ଦ କଲା ଆଉ କଂଗ୍ରେସ ସମେତ ବିଭିନ୍ନ ବାମପନ୍ଥୀ ଦଳ ବି ସମାନ ନିଆଁର ମଶାଲ ଧରି ସାରା ରାଜ୍ୟକୁ ବନ୍ଦ କଲେ.. ଟାୟାର ଜାଳି ରାସ୍ତା ରୋକିଲେ, ଗାଡ଼ି ଅଟକାଇଲେ- ଏଠି ବି ଥିଲା ନିଆଁ.. ଛାତ୍ରୀ ଜୀବିତ ଥିବା ବେଳେ କେହି ସାହାଯ୍ୟ କଲେନି ମାତ୍ର ମୃତ୍ୟୁ ପରେ ଆରମ୍ଭ ହେଲା ସହାନୁଭୂତିର ଯାତ୍ରା । ରାସ୍ତାରେ ଚାଲିଲା କ୍ୟାଣ୍ଡେଲ ରାଲି, ଜଳିଲା ମହମବତୀ । ନିଆଁରେ ପୀଡିତା ପୋଡ଼ିଗଲେ ଆଉ ସେହି ନିଆଁକୁ ନେଇ ଚାଲିଲା ନାଟକ- ଏଠି ବି ଥିଲା ନିଆଁ
ନିଆଁ.. ନିଆଁ.. ନିଆଁ.. ଆରମ୍ଭରୁ ଅନ୍ତ ନିଆଁ- ଏ ନିଆଁ କଣ ସତରେ ଲିଭିବ ନା ଆହୁରି ଜୋରରେ ଜଳିବ ? ଯଦି ଲିଭିବ କେବେ ଲିଭିବ ? ଯଦି ଜଳିବ ଏ ନିଆଁର ଆଁରେ ଆଉ କିଏ କିଏ ଜଳିବେ ? ପୀଡ଼ିତା ତ ଜଳିଗଲେ.. ଏବେ ଆଉ କାହା ପାଳି ? ବୋଧହୁଏ କାମନାର ନିଆଁ, ନିର୍ଯାତନାର ନିଆଁ ମଣିଷ ମନରୁ, ପ୍ରତି କ୍ୟାମ୍ପସରୁ ଯେଯାଏଁ ଲିଭିନଥିବ ସେଯାଏଁ ହୁଏତ କେଉଁଠି ନା କେଉଁଠି ନାରୀଟିଏ ଜଳୁଥିବ.. ନିଆଁରେ, ଜୁଇରେ..
ଅଧିକ ପଢନ୍ତୁ-