67
କୁହାଯାଏ, ଜୀବନରେ ବା ଦୁନିଆରେ ପରିବର୍ତ୍ତନ ହିଁ ଏକମାତ୍ର ସ୍ଥାୟୀ। ବ୍ୟବସାୟ ହେଉ ଅବା ବ୍ୟକ୍ତିଗତ ବିକାଶ, ପରିବର୍ତ୍ତନକୁ ସ୍ୱୀକାର କରିବା ଏବଂ ପରିବର୍ତ୍ତନ ସହ ଖାପଖୁଆଇ ଗତି କରିବା କେବଳ ଏକ କୌଶଳ ନୁହେଁ; ସଫଳତା ପ୍ରାପ୍ତି ଏବଂ ତିଷ୍ଠି ରହିବା ପାଇଁ ଏହା ଏକାନ୍ତ ଅପରିହାର୍ଯ୍ୟ। ଏ ବିଷୟରେ ଭାବୁ ଭାବୁ ଅନେକ କାହାଣୀ ଭିତରୁ କୋଡାକ୍ କ୍ୟାମେରାର ଇତିହାସ ମୋ ମନକୁ ଚାଲିଆସେ। ଦିନେ କ୍ୟାମେରା ଶିଳ୍ପରେ ରାଜୁତି କରୁଥିବା ଏହି କମ୍ପାନି ଯୁଗୋପଯୋଗୀ ଟେକ୍ନୋଲୋଜିକୁ ଆପଣାଇବାରେ ବିଫଳ ହେବାର ପରିଣାମ ଆମ ସମସ୍ତଙ୍କ ପାଇଁ ଏକ ଉଲ୍ଲେଖନୀୟ ଶିକ୍ଷା। ସମୟ ଥିଲା, କ୍ୟାମେରା ଶିଳ୍ପର ଶୀର୍ଷରେ ଥିଲା କୋଡାକ୍। ଏହାର ମାର୍କେଟିଂ କୌଶଳ ଏହି ବ୍ରାଣ୍ଡ୍କୁ ସମସ୍ତଙ୍କଠାରୁ ଅଲଗା କରି ରଖିଥିଲା। ରାସ୍ତାଘାଟରେ ହୋର୍ଡିଂରେ କୋଡାକ୍ ମୋମେଣ୍ଟସ୍ ନାମରେ ପ୍ରଚାର, କୋଡାକ୍ ପ୍ରାୟୋଜିତ ଫଟୋଗ୍ରାଫି ପ୍ରତିଯୋଗିତା ଓ ପ୍ରଦର୍ଶନୀ ଆୟୋଜନ, ରେଡିଓରେ ‘ଦି କୋଡାକ୍ ଆୱାର୍ (୧୯୩୦)’ ନାମରେ କାର୍ଯ୍ୟକ୍ରମର ପ୍ରସାରଣ, ବିବାହ, ଭ୍ରମଣ, ବନ୍ଧୁମିଳନ, ଛୁଟିଦିନ, ପ୍ରାକୃତିକ ଚିତ୍ରୋତ୍ତୋଳନ; ସବୁଠି କୋଡାକ୍ କ୍ୟାମେରା ଓ କୋଡାକ୍ ଫିଲ୍ମର ଉପସ୍ଥିତି ଥିଲା। ‘ଫଟୋରେ ଜୀବନର ସ୍ମରଣୀୟ ମୁହୂର୍ତ୍ତଗୁଡ଼ିକୁ ତୋଳିଧରିବା’- କମ୍ପାନିର ଏହି ପ୍ରଚାର ବାର୍ତ୍ତା ଯଥାର୍ଥ ପ୍ରମାଣିତ ହେଉଥିଲା। ବିଂଶ ଶତାବ୍ଦୀ ବେଳକୁ କୋଡାକ୍ କ୍ୟାମେରା ଓ କ୍ୟାମେରା ରୋଲ୍ ବା ନେଗେଟିଭ୍ ବଜାରର ସିଂହଭାଗ ଅକ୍ତିଆର କରିଥିଲା। ଲୋକେ ଫଟୋଗ୍ରାଫି କହିଲେ କୋଡାକ୍ କ୍ୟାମେରାକୁ ହିଁ ବୁଝୁଥିଲେ। ହେଲେ ବିଂଶ ଶତାବ୍ଦୀର ଶେଷ ଆଡ଼କୁ ଓ ଏକବିଂଶ ଶତାବ୍ଦୀର ଆରମ୍ଭରେ ଡିଜିଟାଲ୍ ଫଟୋଗ୍ରାଫିର ଅଭ୍ୟୁଦୟ ସହ କୋଡାକ୍ର ବ୍ୟାବସାୟିକ ଅବନତି ଆରମ୍ଭ ହୋଇଥିଲା।
ଡିଜିଟାଲ୍ କ୍ୟାମେରା ଦୁନିଆରେ ପ୍ରବେଶ କରିବାରେ ପ୍ରଥମ ହୋଇଥିଲେ ମଧ୍ୟ ଡିଜିଟାଲ୍ ଫଟୋଗ୍ରାଫିର ବୈପ୍ଳବିକ ପ୍ରଭାବ ବିଷୟରେ ଆକଳନ କରିବାରେ କୋଡାକ୍ ବିଫଳ ହୋଇଥିଲା। ଆଧୁନିକ ଟେକ୍ନୋଲୋଜିକୁ ଆପଣାଇବା ଏବଂ ଉପଭୋକ୍ତାଙ୍କର ଡିଜିଟାଲ୍ ଫଟୋଗ୍ରାଫି ପ୍ରତି ଆଗ୍ରହ ତଥା ଏହାର ସୁବିଧାଜନକ ବ୍ୟବହାରକୁ ଅଣଦେଖା କରି ପାରମ୍ପରିକ ଫିଲ୍ମ ରୋଲ୍ଭିତ୍ତିକ ବ୍ୟବସାୟକୁ କମ୍ପାନି ଜାବୁଡ଼ି ଧରିଲା। ଏହି ଅଦୂରଦୃଷ୍ଟି ଓ ବ୍ୟବସାୟ କୌଶଳକୁ ବଦଳାଇ ଆଗକୁ ଯିବାର ଅନିଚ୍ଛାଭାବ ଏକ ବିପଜ୍ଜନକ ବିଫଳତାକୁ ନିମନ୍ତ୍ରଣ ଦେଲା। ପୁଣିଥରେ ଡିଜିଟାଲ୍ ବିପ୍ଳବର ପାହି ଛୁଇଁବାକୁ ଚେଷ୍ଟା କଲାବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହି ସାରିଥିଲା। ପ୍ରତିଦ୍ବନ୍ଦ୍ବୀମାନେ ବଜାର କବ୍ଜା କରିସାରିଥିଲେ। ୨୦୧୨ରେ କୋଡାକ୍ ଦେବାଳିଆ ଘୋଷିତ ହେବା ଏକ ଯନ୍ତ୍ରଣାଦାୟକ ମୁହୂର୍ତ୍ତ ଥିଲା। ପରିବର୍ତ୍ତିତ ପରିବେଶ ସହ ଖାପଖୁଆଇ ନପାରିଲେ ଏପରି ପରିଣାମ ଭୋଗିବାକୁ ପଡ଼େ। ଏହା କେବଳ କୋଡାକ୍ର କାହାଣୀ ନୁହେଁ, ଭବିଷ୍ୟତକୁ ପରଖିବାରେ ବିଫଳ ସାଜିଥିବା ନୋକିଆ, ୟାହୁ ଇତ୍ୟାଦି କମ୍ପାନିମାନଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡ଼ିଛି। ଉଦ୍ୟୋଗ ଦୁନିଆର ଏହି କାହାଣୀ ଆମ ଜୀବନର କାହାଣୀ ସହ ଅନେକ ସାମଞ୍ଜସ୍ୟ ରଖେ। ପାରିପାର୍ଶ୍ବିକ ପରିସ୍ଥିତି ସହ ଖାପଖୁଆଇ ଚଳିବାର କ୍ଷମତା ହିଁ ସଫଳତାର ଚାବିକାଠି। ପରିବର୍ତ୍ତନର ସ୍ରୋତ ସହ ଗତି କରିବା କେବଳ ବ୍ୟବସାୟର ରୂପାନ୍ତର ପାଇଁ ନୁହେଁ; ବ୍ୟକ୍ତିଗତ ଜୀବନରେ, ପରିବାରରେ, ସମାଜରେ ଓ ସମୟ ଅନୁସାରେ ଏହାର ଆବଶ୍ୟକତାକୁ ଅନୁଭବ କରିବା ଏବଂ ତଦନୁସାରେ ପାଦ ବଢ଼ାଇବା ଆମ ପାଇଁ ଜରୁରି ହୋଇଥାଏ।
ପରିବର୍ତ୍ତନକୁ ଗ୍ରହଣ କରିବା ଅର୍ଥ ଯୁବାବସ୍ଥାରେ ପଦାର୍ପଣ, ଚାକିରି, ବିବାହ, ପରିବାର, ପିତୃତ୍ୱ ବା ମାତୃତ୍ୱ ଲାଭ, କର୍ମ ଜୀବନରୁ ଅବସର; ଜୀବନର ଏସବୁ ପାହାଚରେ ସହି ସମ୍ଭାଳି ସଫଳତାର ସହ ପାଦ ରଖିବା। ଠିକ୍ ସେମିତି ବିନା ଅଭିଯୋଗରେ, ବିନା ସମୟ ଅପଚୟରେ ନୂଆ ନୂଆ ଆଧୁନିକ କଳାେକୗଶଳ ଓ ପ୍ରଯୁକ୍ତି ସହ ପରିଚିତ ହେବା, ଚାକିରି ବଜାରର ଚାହିଦା ଅନୁସାରେ ନିଜକୁ ପ୍ରସ୍ତୁତ କରିବା ହେଉଛି ଏହାର ଅନ୍ୟତମ ଉଦାହରଣ। କୋଡାକ୍ କେବଳ ଏକ କମ୍ପାନିର ଅଧୋପତନର କାହାଣୀ ନୁହେଁ, ଜୀବନ ପାଇଁ ଏକ ତୁଳନାତ୍ମକ ଚିତ୍ର। କୋଡାକ୍ ପାଖରେ ଅର୍ଥର ପ୍ରାଚୁର୍ଯ୍ୟ, ଅନୁଭୂତି ଓ ସଫଳତା ଆଦି ସବୁକିଛି ଥିଲା। ଡିଜିଟାଲ୍ ଫଟୋଗ୍ରାଫିକୁ ଆପଣାଇ ସେ ମଧ୍ୟ ସଫଳତାକୁ ବଜାୟ ରଖିପାରିଥାନ୍ତା। ଠିକ୍ ସେମିତି ପରିବର୍ତ୍ତନକୁ ସ୍ୱାଗତ କରି ଆମେ ମଧ୍ୟ ଜୀବନରେ ଉନ୍ନତି କରିପାରିବା। ଆଜି କୃତ୍ରିମ ବୁଦ୍ଧିମତା ବା ଅାର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI)ର ଆବିର୍ଭାବ ଯୁବପିଢ଼ି ଭିତରେ ଚହଳ ପକାଇଛି। ହେଲେ ଅଧିକାଂଶ AI ଟେକ୍ନୋଲୋଜି ସହ ପରିଚିତ ହେବା, ତାକୁ ଆୟତ୍ତ କରିବା, ବ୍ୟବହାର କରିବା ଏବଂ କର୍ମକ୍ଷେତ୍ରରେ ଉପଯୋଗ କରିବା ପରିବର୍ତ୍ତେ ତାକୁ ଭୟ କରୁଛନ୍ତି। ପରିବର୍ତ୍ତନକୁ ଡରିଗଲେ ହେବନାହିଁ। ଏହାକୁ ସୁଯୋଗ ବା ଆହ୍ୱାନ ଭାବରେ ଗ୍ରହଣ କରିବାକୁ ହେବ। ଥରେ ପରିବର୍ତ୍ତନ ଆସିଲେ ତା’ ପ୍ରତି ତତ୍ପରତା ଦେଖାଇବାକୁ ପଡ଼ିବ। କୌତୂହଳ ଓ ଅନ୍ବେଷାଭାବ ଜାତ କରିବାକୁ ହେବ। ଆମେ ବଦଳିଯାଉଥିବା ସମୟ ବା ପରିସ୍ଥିତିକୁ ଆୟତ୍ତ କରିପାରିବା ନାହିଁ, କେବଳ ଏହା ପ୍ରତି ଆମର ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରିପାରିବା। ବ୍ୟାବସାୟିକ ଉନ୍ନତି, ବ୍ୟକ୍ତିଗତ ବିକାଶ ହେଉ ବା ସାମାଜିକ ପ୍ରଗତି, ଯେତେ ଶୀଘ୍ର ଆମେ ପରିବର୍ତ୍ତନର ତାଳରେ ପାଦ ମିଶେଇ ଆଗକୁ ବଢ଼ିବା, ସେତେ ଶୀଘ୍ର ଆମେ ସଫଳତାର ଶୀର୍ଷ ଛୁଇଁପାରିବା। ନୂତନ ଅବସ୍ଥା ସହ ଖାପଖୁଆଇ ନିଜକୁ ଉପଯୋଗୀ କରିବା ଅବା ବିନାଶ ଯିବା; ଏହା କେବଳ ଆମ ହାତରେ।
ତନୟା ପଟ୍ଟନାୟକ
ସଂପାଦକ
Follow Us