ପ୍ରଥମ ସ୍ତମ୍ଭ: ଚଳନ୍ତି ଇତିହାସ

କେତେଜଣ ଶତାୟୁଙ୍କୁ ଆପଣ ଜାଣିଛନ୍ତି? ମୁଁ ଜଣଙ୍କୁ ଜାଣିଛି। ପଦ୍ମଚରଣ ନାୟକ। ତାଙ୍କୁ ଶହେ ବର୍ଷ ପୂରିବା ବେଶୀ ଦିନ ହୋଇନାହିଁ। ଗତବର୍ଷ ଆମ ଅଫିସ୍‌ରେ ତାଙ୍କ ସହିତ ବେଶ୍ କିଛି ସମୟ କଥା ହେବାର ସୁଯୋଗ ମିଳିଥିଲା।

ପ୍ରଥମ ସ୍ତମ୍ଭ: ଚିଠି

କେତେଜଣ ଶତାୟୁଙ୍କୁ ଆପଣ ଜାଣିଛନ୍ତି? ମୁଁ ଜଣଙ୍କୁ ଜାଣିଛି। ପଦ୍ମଚରଣ ନାୟକ। ତାଙ୍କୁ ଶହେ ବର୍ଷ ପୂରିବା ବେଶୀ ଦିନ ହୋଇନାହିଁ। ଗତବର୍ଷ ଆମ ଅଫିସ୍‌ରେ ତାଙ୍କ ସହିତ ବେଶ୍ କିଛି ସମୟ କଥା ହେବାର ସୁଯୋଗ ମିଳିଥିଲା। କଥା ଆରମ୍ଭ ହେଉ ହେଉ ସେ ମତେ ପଚାରିଥିବା ପ୍ରଥମ ପ୍ରଶ୍ନଟି ଥିଲା,‘‘ଏଇ ବହିଟି ତମେ ପଢ଼ିଛ?’’ ମୁଁ କହିଲି, ‘‘ନା’’। ସେ ଧରିଥିବା ଏକ କନା ଝୁଲାବ୍ୟାଗ୍‌ରୁ ହାତ ପୂରାଇ ବହିଟିଏ ବାହାରକୁ ଆଣିଲେ, ଆଉ ମୋତେ ବଢ଼ାଇ ଦେଲେ। ତା’ପରେ ସାରାଜୀବନ ସେ କିପରି ନିଜକୁ ନିଶା ନିବାରଣ ଅଭିଯାନରେ ନିୟୋଜିତ କରିଛନ୍ତି, ସେ ବିଷୟରେ ମୋତେ କହିଗଲେ। ‘‘ଆଚ୍ଛା, ଏ ବହିଟି ପଢ଼ିଛ?’’ ସେ ଆଉ ଥରେ ପଚାରିଲେ। ମୁଁ ପୁଣିଥରେ ମନାକଲି। ଝୁଲାମୁଣି ଭିତରୁ ଆଉ ଖଣ୍ଡିଏ ବହି କାଢ଼ି ଆଣି ମୋ ହାତରେ ଧରାଇଦେଲେ ପଦ୍ମଚରଣବାବୁ। ଆମ କଥାବାର୍ତ୍ତା ସରିବା ବେଳକୁ ସେ ମୋତେ ଚାରିଖଣ୍ଡ ବହି ଦେଇସାରିଥିଲେ। ମୋତେ ଭାରି ଅସହଜବୋଧ ହେଉଥିଲା, କାରଣ ତାଙ୍କର ପ୍ରତି ପ୍ରଶ୍ନରେ ମୋର ଉତ୍ତର ଥିଲା-ନା। ଏଥିସହିତ ମୁଁ  ତାଙ୍କ କପଡ଼ା ବ୍ୟାଗ୍‌ଟିକୁ ଦେଖି ଚମତ୍କୃତ ହେଉଥିଲି। ମୋତେ ଲାଗୁଥିଲା, ଏହି ସାଧାରଣ ବ୍ୟାଗ୍ ଯେମିତି ଜ୍ଞାନର ଏକ ଅସରନ୍ତି ଭଣ୍ଡାର।
ଏହାର କିଛି ଦିନ ପରେ ପଦ୍ମଚରଣବାବୁଙ୍କ ସହ ଆମର ପନ୍ଦରଦିନିଆ କାର୍ଯ୍ୟକ୍ରମ ‘ସମ୍ବାଦ ସାହିତ୍ୟ ପକ୍ଷ’ରେ ପୁଣିଥରେ ସାକ୍ଷାତ ହେଲା। ସେ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଦେଖୁ ଦେଖୁ ପ୍ରଥମେ ପଚାରିଲେ, ‘‘ତମେ ଅନିର୍ବାଣ ପଢ଼ିଛ? ନବକୃଷ୍ଣ ଚୌଧୁରୀଙ୍କ ଜୀବନ ଆଧାରିତ ଏଇ ବହିଟି ମୁଁ ଲେଖିଛି।’’ ଏଥର ବି ମୁଁ ମନାକଲି। ମୋତେ ସେ ବହିଟି ଦେବେ ବୋଲି କହିଲେ ଏବଂ ପରଦିନ ଅନିର୍ବାଣ ପୁସ୍ତକ ସହିତ ଆମ କାର୍ଯ୍ୟକ୍ରମରେ ପହଞ୍ଚିଲେ। ସେ ଏକା ଥିଲେ। ହାତରେ ବାଡ଼ି ନାହିଁ କି, କାହାର ସାହାରା ଲୋଡ଼ା ନାହିଁ। ଅନାୟାସରେ ଅଳ୍ପ ବୟସ୍କ ପିଲାଟିଏ ପରି ସେ ଚାଲି ଚାଲି ଆସୁଥିଲେ। ତାଙ୍କ ପାଦ କୌଣସି ଆବୁଡ଼ାଖାବୁଡ଼ା ଜାଗାରେ ପଡ଼ିଯିବ ଭାବି ମୁଁ ଡରି ଯାଉଥିଲି। ମାତ୍ର ତାଙ୍କ ମୁହଁରେ ଲେଶମାତ୍ର ଚିନ୍ତାର ଚିହ୍ନ ନଥିଲା। ସେ ଥିଲେ ସଂପୂର୍ଣ୍ଣ ନିରୁଦ୍‌ବିଗ୍ନ। ମନେ ମନେ ମୁଁ ଭାବୁଥିଲି, ଜଣଙ୍କର ଯଦି ଦୃଢ଼ ମନୋବଳ ନଥିବ ତେବେ ଶହେ ବର୍ଷରୁ ଅଧିକ ବୟସରେ ବି ଏପରି ଆଗ୍ରହ, ଉତ୍ସାହ ଓ ଊର୍ଜା ରହିବା କଦାଚିତ୍ ସମ୍ଭବ ନୁହେଁ।
କାର୍ଯ୍ୟବ୍ୟସ୍ତତା, ଆଧୁନିକ ଜୀବନଶୈଳୀ ଭିତରେ ବୁଡ଼ି ରହି ଆମେ ବେଳେ ବେଳେ ବୟସ୍କ ଲୋକମାନଙ୍କ ମହତ୍ତ୍ୱ ଭୁଲିଯାଉ। ବୟସାଧିକ୍ୟ ହେତୁ ସେମାନେ କେବେ କେବେ ଗୋଟିଏ କଥାକୁ ବାରମ୍ବାର ଦୋହରାଇଥାଆନ୍ତି, ପୁଣି କେତେବେଳେ ଆମ କଥା ଭଲରେ ବା ଥରକରେ ଶୁଣିପାରନ୍ତି ନାହିଁ। ମୁହଁରେ ପ୍ରକାଶ କରି ନପାରିଲେ ମଧ୍ୟ ଏହା ଆମ ଭିତରେ ବିରକ୍ତିବୋଧ ସୃଷ୍ଟି କରିଥାଏ। ପୁଣି ସେମାନଙ୍କର ଧୀରମନ୍ଥର ଗତି ଯୋଗୁଁ ଆମେ ବିବ୍ରତ ହୋଇଯାଉ। ଅପରପକ୍ଷରେ ବିରକ୍ତ ଓ ବିବ୍ରତ ହେବା ପରିବର୍ତ୍ତେ ଆମେ ହୃଦୟଙ୍ଗମ କରିବା ଉଚିତ ଯେ ସେମାନଙ୍କ ବୟସ ପଛରେ ଜୀବନର କେତେ ଅଭିଜ୍ଞତା ଲୁଚି ରହିଛି। ବାସ୍ତବରେ ବର୍ଷୀୟାନ୍‌ମାନେ ଜଣେ ଜଣେ ଚଳନ୍ତି ଇତିହାସ। କେତେ କେତେ ତିକ୍ତମଧୁର, ଜୟପରାଜୟର ଅଭୁଲା ଅଧ୍ୟାୟ ସାଇତା ହୋଇ ରହିଛି ସେମାନଙ୍କ ଜୀବନଗ୍ରନ୍ଥରେ! ମୁଁ ଓ ମୋ ପରି ଆଜିର ଯୁବପିଢ଼ି, ବହୁ ସମୟରେ ଏମାନଙ୍କ ସଙ୍ଗଲାଭରୁ ବଞ୍ଚିତ ହେଉ। ଏମାନଙ୍କ ଜୀବନରୁ ଶିକ୍ଷାଲାଭର ଅବସର ହାତଛଡ଼ା କରୁ। କାରଣ ଆମେ ଏତେ ବ୍ୟସ୍ତ ଯେ କାହାକୁ ଶୁଣିବାକୁ ଆମ ପାଖରେ ସମୟ ନାହିଁ।
ପଦ୍ମଚରଣବାବୁଙ୍କ ପରି ମଣିଷମାନେ ସତରେ ବିରଳ। ସେମାନେ ଅନେକ ଉତ୍‌ଥାନପତନର ଜୀବନ୍ତ ଦଲିଲ। ସେମାନେ ଯୁଦ୍ଧର ବିଭୀଷିକା ଦେଖିଛନ୍ତି, ଶାନ୍ତିର ସୁଖକୁ ବି ଅନୁଭବ କରିଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ପ୍ରଭାବ ପରଖିଛନ୍ତି, ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ଦେଶକୁ ସ୍ବାଧୀନ କରିବାର ସ୍ବାଦ ବି ଚାଖିଛନ୍ତି। ପୁଣି ଚୀନ୍‌ ଓ ପାକିସ୍ତାନ ସହ ଲଢୁଥିବା ଯୁଦ୍ଧଗ୍ରସ୍ତ ଭାରତକୁ ଦେଖିଛନ୍ତି ଏବଂ ଦେଶରେ ଜାରି ହୋଇଥିବା ଜରୁରୀ ପରିସ୍ଥିତିର ଭୟାବହତାକୁ ମଧ୍ୟ ଅନୁଭବ କରିଛନ୍ତି। ଏଥିସହ ଅନେକ ପରିବର୍ତ୍ତନକୁ ଅଙ୍ଗେ ନିଭାଇଛନ୍ତି। ରେଡିଓରୁ ଟେଲିଭିଜନ୍‌, ଇଣ୍ଟରନେଟ୍‌ ଟୁଜିରୁ ଫାଇଭ୍‌ଜି, ‘ଏଆଇ’ ଯାଏ କେତେ ବୈଷୟିକ ବିବର୍ତ୍ତନ ଦେଖିଛନ୍ତି। ସେମାନେ ଏଭଳି ଅନେକ ଘଟଣାକୁ ଅତି ନିକଟରୁ ଦେଖିଛନ୍ତି, ଯାହା ବିଷୟରେ ଆମକୁ କେବଳ ପଢ଼ିବାର ସୁଯୋଗ ମିଳିଛି। ସେମାନେ ସମୟର ଭରପୂର ସଦୁପଯୋଗ କରି ଅନୁଭୂତି ଓ ଅଭିଜ୍ଞତାର ଭଣ୍ଡାର ପାଲଟିଛନ୍ତି। ହେଲେ ଆଜିର ଯୁବପିଢ଼ିର ଅଧିକାଂଶ ସମୟ ସ୍କ୍ରିନ୍‌କୁ ଚାହିଁ ଚାହିଁ କଟୁଛି। ସେମାନଙ୍କୁ ସବୁ ଜିନିଷ ‘ଫଟାଫଟ୍’ ଦରକାର। ସମୟ ବାହାର କରି ଅନୁଭବୀମାନଙ୍କଠାରୁ ଶୁଣିବା ଓ ଶିଖିବାର ଧୈର୍ଯ୍ୟ ଆମର ନାହିଁ। ବୟସ୍କମାନେ କେବଳ ଇତିହାସ ଜାଣନ୍ତି ତାହା ନୁହେଁ, ସେମାନେ ଭଲ ଭାବରେ ବୁଝିଥାଆନ୍ତି; ଜୀବନରେ କ’ଣ ଗୁରୁତ୍ବପୂର୍ଣ୍ଣ, କେଉଁଟି ଦୀର୍ଘସ୍ଥାୟୀ ଓ କେଉଁଟି କ୍ଷଣସ୍ଥାୟୀ।

ତନୟା ପଟ୍ଟନାୟକ
ସଂପାଦକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe