ଦେ‌ଶରେ ପ୍ରଥମ: ଜିଇପି ସୂଚକାଙ୍କ ଆଣିଲା ଉତ୍ତରାଖଣ୍ଡ

Advertisment
ଦେ‌ଶରେ ପ୍ରଥମ: ଜିଇପି ସୂଚକାଙ୍କ ଆଣିଲା ଉତ୍ତରାଖଣ୍ଡ

ବିଶ୍ବର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ଏକ ବିରଳ ଗୌରବର ଅଧିକାରୀ ହେବାକୁ ଯାଉଛି। ପରିସଂସ୍ଥାର ବିକାଶକୁ ମୋଟ ପରିବେଶ ଉତ୍ପାଦ (ଗ୍ରସ୍‌ ଏନ୍‌ଭିରନ୍‌ମେଣ୍ଟାଲ୍‌ ପ୍ରଡକ୍ଟ ବା ଜିଇପି) ସୂଚକାଙ୍କ ଦ୍ବାରା ମୂଲ୍ୟାଙ୍କନ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଜିଇପି ସୂଚକାଙ୍କ ପରିବେଶ ନେଇ ସଚେତନତା ସୃଷ୍ଟି କରିବ ଏବଂ ଏହା ପରିବେଶ ସୁରକ୍ଷା ପ୍ରତି ଅବଦାନକୁ ଆକଳନ କରିବାରେ ସହାୟକ ହୋଇପାରିବ ବୋଲି ଏହାର ଉନ୍ମୋଚନ ଅବସରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି। ଏହାର ମୂଲ୍ୟାଙ୍କନ ପରିବେଶ ଓ ଅର୍ଥନୀତି ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରିବ। ଏଥି ସହିତ ଉତ୍ତରାଖଣ୍ଡ ଜଳବାୟୁ ସୁରକ୍ଷା ଦିଗରେ ଆଗକୁ ବଢୁଛି ବୋଲି ଶ୍ରୀ ଧାମି ଉଲ୍ଲେଖ କରିଛନ୍ତି। ତାଙ୍କ କହିବାନୁସାରେ, ୨୦୧୦-୧୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସବୁଜ ବୋନସ୍‌ ଯୋଜନା କରିଥିଲେ, ମାତ୍ର ଉତ୍ତରାଖଣ୍ଡ ତାହାର ଲାଭ ପାଇପାରିନଥିଲା।

ସେହି କାରଣରୁ ତାଙ୍କ ସରକାର ୨୦୨୧ ଡିସେମ୍ବର ୨୧ରେ ପରିବେଶ ସେବାର ମୂଲ୍ୟ ଓ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ପରିବେଶ କ୍ଷତିର ମୂଲ୍ୟ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ମୋଟ ପରିବେଶ ଉତ୍ପାଦ (ଜିଇପି) ରୂପେ ପରିଭାଷିତ କରିଥିଲେ। ଜିଇପି ଦ୍ବାରା ବିଭିନ୍ନ ବିକାଶମୂଳକ ଯୋଜନା, ଶିଳ୍ପ ପ୍ରକ୍ରିୟା ଓ ସରକାରଙ୍କ ଦ୍ବାରା ପ୍ରସ୍ତୁତ ନିୟମଗୁଡ଼ିକର ଅନୁପାଳନର ସାମଗ୍ରିକ ଫଳାଫଳ ରାଜ୍ୟର ସ୍ଥାନୀୟ ପରିବେଶ ଗୁଣରେ ଦୃଶ୍ୟମାନ ହେବ। ଜିଇପି ସୂଚକାଙ୍କ ହେଉଛି କୌଣସି ଅଞ୍ଚଳର ପାରିବେଶିକ ସ୍ବାସ୍ଥ୍ୟ ଓ ଗୁଣବତ୍ତା ମାପିବାର ଏକ ଉପାୟ। ଏହା ସବୁଜ ଜିଡିପିର ଏକ ଉପାଦାନ ଯାହା ଅର୍ଥନୈତିକ ଅଭିବୃଦ୍ଧି ସହିତ ପରିବେଶ ଉପାଦାନକୁ ଧ୍ୟାନରେ ରଖିଥାଏ। ପରିସଂସ୍ଥା ସେବାଗୁଡ଼ିକର ସ୍ଥିତି, ପରିବେଶ-ସଭ୍ୟତାର ଅଗ୍ରଗତି ଓ ପ୍ରାକୃତିକ ସମ୍ପଦ ଉପରେ ମାନବୀୟ କାର୍ଯ୍ୟକଳାପର ପ୍ରଭାବ ମାପିବା ପାଇଁ ‘ଜିଇପି’କୁ ବ୍ୟବହାର କରାଯାଇପାରିବ। ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡ ଏହାର ଜୈବ ବିବିଧତା ମାଧ୍ୟମରେ ଦେଶକୁ ବାର୍ଷିକ ୯୫,୧୧୨ କୋଟି ଟଙ୍କାର ସେବା ଯୋଗାଇଥାଏ। ରାଜ୍ୟ ୭୧ ପ୍ରତିଶତରୁ ଅଧିକ ଅଞ୍ଚଳ ହେଉଛି ଜଙ୍ଗଲ। ହିମାଳୟ ପର୍ବତମାଳ​ାର ଅବସ୍ଥିତି ସାଙ୍ଗକୁ ଏହି ରାଜ୍ୟ ଗଙ୍ଗା, ଯମୁନା ଓ ଶାରଦା ପରି ନଦୀର ଉତ୍ପତ୍ତିସ୍ଥଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe