ଲେନ୍ସ ପଛରେ ପ୍ରଥମ ଭାରତୀୟ ନାରୀ

Advertisment
ଲେନ୍ସ ପଛରେ ପ୍ରଥମ ଭାରତୀୟ ନାରୀ

ଭାରତର ‘ଫାଷ୍ଟ୍‌ ଲେଡି ଅଫ୍‌ ଦି ଲେନ୍ସ’ ଭାବେ ବିବେଚିତ ହୋମାଇ ଭିୟାର୍‌ୱାଲା ନାରୀ ସମାଜ ପାଇଁ ଏକ ଦୃଷ୍ଟାନ୍ତ। ଗୋଟିଏ ସମୟ ଥିଲା ଯେତେବେଳେ ନାରୀମାନେ ଘରୁ ବାହାରକୁ ବାହାରି ପାରୁନଥିଲେ। ଯେତେବେଳେ ରକ୍ଷଣଶୀଳ ସମାଜରେ ନାରୀର ସ୍ବାଧୀନତା ବୋଲି କିଛି ନ ଥିଲା, ସେହି ସମୟରେ ଯେଉଁ ନାରୀମାନେ ନାରୀମାନଙ୍କର ଅସ୍ତିତ୍ବ ସଂଘର୍ଷର ପଥ ପ୍ରଦର୍ଶକ ହୋଇପାରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ହୋମାଇ ଭିୟାର୍‌ୱାଲା (୧୯୧୩-୨୦୧୨)। ସେ ଥିଲେ ଭାରତର ପ୍ରଥମ ମହିଳା ଫଟୋ ଜର୍ଣ୍ଣାଲିଷ୍ଟ। ୨୦୧୭ ମସିହାରୁ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ତିଆରି କରାଯାଇଥିଲା ଗୁଗଲ୍‌ ଡୁଡଲ୍‌ ଆର୍ଟ, ଯାହାର ନାମକରଣ କରାଯାଇଥିଲା- First Lady of the Lens। ହୋମାଇଙ୍କ ଲେନ୍ସରେ ବନ୍ଦୀ ହୋଇଥିଲା ବ୍ରିଟିସ ସାମ୍ରାଜ୍ୟର ଶେଷ କିଛି ବର୍ଷ ଓ ସ୍ବାଧୀନତା ପରବର୍ତ୍ତୀ ସମୟର ଛବି। ହୋମାଇ ନାମ ଅପେକ୍ଷା ସେ ‘ଡାଲ୍‌ଡା ୧୩’ ନାମରେ ଅଧିକ ପରିଚିତ। ଏହି ଛଦ୍ମନାମ ପଛରେ ମଧ୍ୟ ଏକ କାହାଣୀ ରହିଛି। ହୋମାଇ ୧୯୧୩ ମସିହାରେ ଜନ୍ମଗ୍ରହଣ କରିଥିଲେ, ମାତ୍ର ୧୩ ବର୍ଷ ବୟସରେ ତାଙ୍କର ପ୍ରେମିକଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ସେ ୧୩ ବର୍ଷ ବୟସରେ ତାଙ୍କର ପ୍ରଥମ ଫଟୋ ଉଠାଇଥିଲେ ଏବଂ ଶେଷରେ ସେ ଯେଉଁ ପ୍ରଥମ ଗାଡ଼ି କିଣିଥିଲେ ସେହି ଗାଡ଼ିର ନମ୍ୱର ଥିଲା ଡିଏଲ୍‌ଭି-୧୩। ଯେହେତୁ ଏହି ୧୩ ନମ୍ବରଟି ବିଭିନ୍ନ ପ୍ରକାରେ ତାଙ୍କ ଜୀବନ ସହିତ ଜଡ଼ିତ ହୋଇ ରହିଥିଲା, ତେଣୁ ସେ ନିଜର ଛଦ୍ମନାମ ‘ଡାଲ୍‌ଡା-୧୩’ ରଖିଥିଲେ।

୧୯୧୩ ମସିହା ଡିସେମ୍ବର ୯ ତାରିଖରେ ଗୁଜରାଟ ନାଭସାରିର ଏକ ସାଧାରଣ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ହୋମାଇ। ତାଙ୍କ ବାପା ଦୋସସାଭାଇ ହାତୀରାମ ଥିଲେ ଉର୍ଦ୍ଦୁ-ପାର୍ସୀ ମଞ୍ଚର ଜଣେ ଅଭିନେତା। ସେ ଗୋଟିଏ ଭ୍ରାମ୍ୟମାଣ ଥିଏଟର୍‌ କମ୍ପାନିରେ ଚାକିରି କରୁଥିବାରୁ ପ୍ରାୟତଃ ସେମାନଙ୍କର ଠିକଣା ବଦଳୁଥିଲା। ବାପାଙ୍କର ପେସାଗତ କାରଣରୁ ହୋମାଇଙ୍କର ଶୈଶବ ଭାରତର ନାନା ପ୍ରାନ୍ତରରେ କଟିଥିଲା। ପରାଧୀନ ଭାରତରେ କୁସଂସ୍କାର ଓ ଘରେ ଅଭାବ ଅନଟନ ଲାଗି ରହିଥିଲେ ମଧ୍ୟ ହୋମାଇଙ୍କୁ ଶିକ୍ଷିତା କରାଇବାରେ ଆଦୌ ଅବହେଳା କରିନଥିଲେ ତାଙ୍କ ବାପା। ହୋମାଇ ଗ୍ରାଣ୍ଡ୍‌ ରୋଡ୍‌ ହାଇସ୍କୁଲରୁ ପ୍ରଥମ ଓ ଏକମାତ୍ର ଛାତ୍ରୀ ଭାବେ ମ୍ୟାଟ୍ରିକ୍ୟୁଲେସନ୍‌ ପରୀକ୍ଷାରେ ପାସ୍‌ କରିଥିଲେ। ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ସ୍ନାତକ, ସାର୍‌ ଜେ. ଜେ. ସ୍କୁଲ୍‌ ଅଫ୍‌ ଆର୍ଟରୁ ଆଲୋକଚିତ୍ର ଅର୍ଥାତ୍ ଫଟୋଗ୍ରାଫିରେ ଡିଗ୍ରି ହାସଲ କରିଥିଲେ। ଫଟୋଗ୍ରାଫିରେ ତାଙ୍କୁ ଆହୁରି ଦକ୍ଷ କରିବାକୁ ସାହାଯ୍ୟ କରନ୍ତି ସେତେବେଳେ ଟାଇମସ୍‌ ଅଫ୍‌ ଇଣ୍ଡିଆରେ କାର୍ଯ୍ୟରତ ତାଙ୍କ ପ୍ରେମିକ ତଥା ସ୍ବାମୀ ମାନେକଶୋ ଭିୟାରାୱାଲା। ଅନ୍ୟପକ୍ଷରେ ଯଦିଓ ସେହି ସମୟରେ ପାର୍ସୀ ମହିଳାମାନେ ଶାଢ଼ି ବ୍ୟତୀତ ଅନ୍ୟାନ୍ୟ ପୋଷାକ ବି ପିନ୍ଧୁଥିଲେ କିନ୍ତୁ ହୋମାଇ ଆଜୀବନ ଶାଢ଼ି ହିଁ ପରିଧାନ କରିଥିଲେ।

ପ୍ରଥମେ ହୋମାଇ ଯେଉଁସବୁ ଫଟୋ ଉଠାଉଥିଲେ ସେଗୁଡ଼ିକୁ ନିଜ ନାଁରେ ଛାପିବା ପାଇଁ ସଂକୋଚବୋଧ କରୁଥିଲେ। ସମାଜରେ ଜଣେ ଅପରିଚିତା ନାରୀ ହୋଇଥିବାରୁ ତାଙ୍କର ସବୁ ଫଟୋ ତାଙ୍କର ଭାବୀ ସ୍ବାମୀ ମାନେକଶୋଙ୍କ ନାମରେ ପ୍ରକାଶ କରାଉଥିଲେ। ନାଗରିକ ଜୀବନ ଓ ଆଧୁନିକ ତରୁଣୀମାନଙ୍କୁ ନେଇ ଉଠାଇଥିବା ତାଙ୍କର ଫଟୋଗୁଡ଼ିକ ତତ୍କାଳୀନ ‘ଇଲଷ୍ଟ୍ରେଟେଡ୍‌ ୱିକ୍‌ଲି’ ଓ ‘ବମ୍ବେ କ୍ରନିକଲ୍‌’ ପ୍ରଭୃତିରେ ପ୍ରକାଶିତ ହେଉଥିଲା। ୧୯୪୨ ମସିହାରେ ସେ ବ୍ରିଟିସ ଇନ୍‌ଫର୍‌ମେସନ୍‌ ସର୍ଭିସ୍‌ରେ ଯୋଗ ଦେଇ ଦିଲ୍ଲୀ ଚାଲିଆସନ୍ତି ଏବଂ ସେ ସମୟର କିଛି ଗୁରୁତ୍ବପୂର୍ଣ୍ଣ ଛବି ସ୍ଥାନ ପାଏ ତାଙ୍କ ଲେନ୍ସରେ। ଭାରତର ସ୍ବାଧୀନତା ଆନ୍ଦୋଳନ, କଂଗ୍ରେସ ସଦସ୍ୟମାନଙ୍କର ସଂଘର୍ଷ ଇତ୍ୟାଦିର ଛବି ତୋଳି ଧରିବା ସହିତ ସ୍ବାଧୀନତା ପରବର୍ତ୍ତୀ ଦେଶରେ ନୂତନ ଭାବରେ ଗଢ଼ି ଉଠିଥିବା ଷ୍ଟିଲ୍‌ ପ୍ଲାଣ୍ଟ୍‌, ନଦୀବନ୍ଧ, ଲାଲ୍‌କିଲ୍ଲାରେ ପ୍ରଥମ ଜାତୀୟ ପତାକା ଉତ୍ତୋଳନ, ରାଷ୍ଟ୍ରପତି ଭବନରେ ମାଉଣ୍ଟ୍‌ବ୍ୟାଟେନ୍‌ଙ୍କର ଗନ୍ ସ୍ୟାଲୁଟ୍, ମହାତ୍ମା ଗାନ୍ଧୀଙ୍କର ମୃତ୍ୟୁ ସମୟ ପ୍ରଭୃତିରୁ ଆରମ୍ଭ କରି ବିଂଶ ଶତକରେ ଭାରତକୁ ଆସୁଥିବା ବିଖ୍ୟାତ ବ୍ୟକ୍ତିମାନଙ୍କର ଫଟୋ ତାଙ୍କ କ୍ୟାମେରାରେ କଏଦ କରିଥିଲେ। ତାଙ୍କ କ୍ୟାମେରାରେ ମାର୍ଟିନ୍‌ ଲୁଥର୍‌ କିଙ୍ଗ୍‌ଙ୍କ ଠାରୁ ଆରମ୍ଭ କରି ମାର୍ଶଲ୍‌ ଟିଟୋ, ଜୁନିୟର୍‌ ହୋ ଚି ମିନ୍, ରୋଜା ଶାହ ପହଲ୍‌ଭି, କ୍ରୁଶ୍ଚେଭ୍‌ଙ୍କ ଭଳି ନେତାମାନଙ୍କ ଫଟୋ ଏବଂ‌ ୧୯୫୬ ମସିହାରେ ଭାରତକୁ ଆସିଥିବା ତରୁଣ ଦଲାଇ ଲାମାଙ୍କ ଫଟୋ ଉଠିଥିଲା। ସେତେବେଳେ ପ୍ରକାଶିତ ‘ଅନଲୁକର୍‌’ ଓ ‘କରେଣ୍ଟ୍‌’ ପତ୍ରିକା ହୋମାଇଙ୍କୁ ବିଶ୍ବବିଖ୍ୟାତ ନାରୀମାନଙ୍କର ଫଟୋ ଉଠାଇବା ପାଇଁ ଅନୁରୋଧ କରିବାରୁ ସେ ରାଣୀ ଏଲିଜାବେଥ୍‌ ଓ ଆମେରିକାର ଫାଷ୍ଟ୍‌ ଲେଡି ଜ୍ୟାକି କେନେଡିଙ୍କର ଫଟୋ ଉଠାଇଥିଲେ।

ତାଙ୍କ ଦ୍ବାରା ଉଠା ଯାଇଥିବା ମହାତ୍ମା ଗାନ୍ଧୀଙ୍କ ଶେଷ ଯାତ୍ରା ଓ ଶେଷକୃତ୍ୟର ଅସଂଖ୍ୟ ଫଟୋ ତାଙ୍କୁ ଜଣେ ସଫଳ ଫଟୋ ସାମ୍ବାଦିକ ଭାବରେ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଦିଲ୍ଲୀର ‘ଦ ଆଲ୍‌କ୍ୟାଜି ଫାଉଣ୍ଡେସନ୍‌ ଫର୍‌ ଦ ଆର୍ଟସ୍‌’ କର୍ତ୍ତୃପକ୍ଷ ହୋମାଇଙ୍କ ଉତ୍ତୋଳିତ ଅନେକ ଫଟୋ ସେମାନଙ୍କର ଚିରକାଳୀନ ସଂଗ୍ରହ ଭାବରେ ସଂରକ୍ଷଣ କରି ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଜଣେ ଫଟୋ ସାମ୍ବାଦିକ ଭାବରେ ହୋମାଇ ଅଜସ୍ର ପୁରସ୍କାର ପାଇଛନ୍ତି। ୧୯୯୮ ମସିହାରେ ଆଉଟ୍‌ଷ୍ଟାଣ୍ଡିଂ ଓମେନ୍‌ ମିଡିଆ ପର୍ସନ୍‌ ହିସାବରେ ସେ ଚମେଲି ଦେବୀ ଜୈନ ପୁରସ୍କାର ଲାଭ କରିଥିଲେ। ୨୦୧୧ ମସିହାରେ ରାଷ୍ଟ୍ରର ସମ୍ମାନଜନକ ଦ୍ବିତୀୟ ବେସାମରିକ ପୁରସ୍କାର ‘ପଦ୍ମବିଭୂଷଣ’ ସମ୍ମାନରେ ଭୂଷିତ ହୋଇଥିଲେ। ଏହାବ୍ୟତୀତ ଭାରତ ସରକାରଙ୍କ ତଥ୍ୟ ଓ ସୂଚନା ବିଭାଗ ଦ୍ୱାରା ଜୀବନବ୍ୟାପୀ ସାଧନା ପାଇଁ ଜାତୀୟ ଫଟୋ ପୁରସ୍କାର ପାଇଥିଲେ। ୧୯୯୬ ମସିହାରେ ହୋମାଇଙ୍କ ଜୀବନ ଉପରେ ‘ଡାଲ୍‌ଡା ଥାର୍ଟିନ୍‌’ ନାମରେ ଏକ ତଥ୍ୟଚିତ୍ର ନିର୍ମାଣ କରିଥିଲେ ବ୍ରିଟିସ ଆର୍ଟ କାଉନସିଲ୍‌। ୨୦୦୬ ମସିହାରେ ‘ଇଣ୍ଡିଆ ଇନ୍‌ ଫୋକସ୍‌: କ୍ୟାମେରା କ୍ରନିକଲ୍‌ସ ଅଫ୍‌ ହୋମାଇ ଭିୟାରାୱାଲା’ ନାମରେ ଏକ ଗ୍ରନ୍ଥ ପ୍ରକାଶ କରି ହୋମାଇଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରାଯାଇଥିଲା।
୧୯୭୦ ମସିହାରେ ସ୍ବାମୀଙ୍କ ମୃତ୍ୟୁ ପରେ କର୍ମ ଜୀବନରୁ ସ୍ବେଚ୍ଛାକୃତ ଅବସର ନେଇ ଏକମାତ୍ର ପୁତ୍ର ଫାରୁକ୍ ପାଖରେ ରହିବା ପାଇଁ ପିଲାନିକୁ ଚାଲି ଆସନ୍ତି ହୋମାଇ। କିନ୍ତୁ ୧୯୮୯ ମସିହାରେ କ୍ୟାନ୍ସରରେ ଏକମାତ୍ର ସନ୍ତାନର ମୃତ୍ୟୁ ପରେ ସେ ଗୁଜରାଟ ଫେରିଆସି ନିଃସଙ୍ଗ ଜୀବନ କାଟନ୍ତି। ୨୦୧୨ ଜାନୁଆରିରେ ଖଟ ଉପରୁ ପଡ଼ିଯିବା ଫଳରେ ଆହତ ହୋଇ ପ୍ରତିବେଶୀଙ୍କ ସହାୟତାରେ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ଏବଂ କିଛିଦିନ ପରେ ୯୮ ବର୍ଷ ବୟସରେ ଜାନୁଆରି ୧୫ ତାରିଖ ଦିନ ଫାଷ୍ଟ୍‌ ଇଣ୍ଡିଆନ୍‌ ଲେଡି ଅଫ୍‌ ଦ ଲେନ୍ସ ହୋମାଇ ଭିୟାରାୱାଲାଙ୍କ ପରଲୋକ ହୁଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe