ଯୁବପିଢ଼ି ମଧ୍ୟରେ ସମ୍ପ୍ରତି ଫିଟନେସ୍ ସଂସ୍କୃତି ବ୍ୟାପିବାରେ ଲାଗିଛି। ଅଧିକାଂଶ ଯୁବକ ନିଜର ଶାରୀରିକ କାର୍ଯ୍ୟଦକ୍ଷତା ବଢ଼ାଇବା ଏବଂ ଚେହେରାକୁ ଆକର୍ଷଣୀୟ କରିବା ନିଶାରେ କଡ଼ା ଫିଟନେସ୍ ରୁଟିନ୍ରେ ବାନ୍ଧି ହେଉଛନ୍ତି। ମାତ୍ର ଏହା ପରୋକ୍ଷରେ ସେମାନଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ ବୋଲି ସେମାନେ ଅଜ୍ଞ ଥାଆନ୍ତି। ଫିଟ୍ନେସ୍ ପାଇଁ ବ୍ୟବହୃତ କାର୍ଯ୍ୟଦକ୍ଷତା ବୃଦ୍ଧିକାରୀ ପଦାର୍ଥର ଅପବ୍ୟବହାର ପୁରୁଷଙ୍କ ପ୍ରଜନନ କ୍ଷମତାକୁ ବିପଦରେ ପକାଇଥାଏ। କଠିନ ଓ ଦୀର୍ଘକାଳୀନ ଫିଟ୍ନେସ୍ ରୁଟିନ୍ରେ ବାନ୍ଧି ହେବା ଦ୍ୱାରା ଟେଷ୍ଟୋଷ୍ଟେରନ୍, ଲ୍ୟୁଟିନାଇଜିଂ ହରମୋନ୍ ଓ ଫଲିକ୍ଲ-ଷ୍ଟିମୁଲେଟିଂ ହରମୋନ୍ ଭଳି ପ୍ରମୁଖ ପ୍ରଜନନ ହରମୋନ୍ ବାଧାପ୍ରାପ୍ତ ହୋଇଥାଏ।
ଦୀର୍ଘ ସମୟ ଧରି ବ୍ୟାୟାମ କରିବା ଦ୍ୱାରା କର୍ଟିସୋଲ୍ ସ୍ତର ବଢ଼ି ଟେଷ୍ଟୋଷ୍ଟେରନ୍କୁ ହ୍ରାସ କରେ, ଯାହା ଶୁକ୍ରାଣୁ ଉତ୍ପାଦନକୁ କମାଇ ଦେଇଥାଏ। ସେହିପରି ସାଉନାରେ ସ୍ନାନ କିମ୍ବା ଦୀର୍ଘ ସମୟ ଧରି ସାଇକେଲିଂ ପରି କାର୍ଯ୍ୟକଳାପ ସ୍କ୍ରୋଟାଲ୍ ତାପମାତ୍ରା ବୃଦ୍ଧି କରେ, ଯାହା ଶୁକ୍ରାଣୁ ଉତ୍ପାଦନ ଓ ଗୁଣବତ୍ତାରେ ବାଧା ସୃଷ୍ଟି କରେ। ଅତ୍ୟଧିକ ପ୍ରଶିକ୍ଷଣ ଅକ୍ସିଡେଟିଭ୍ ଚାପ, ଶୁକ୍ରାଣୁରେ ଡିଏନ୍ଏ କ୍ଷତି ଓ ଦୀର୍ଘକାଳୀନ ପ୍ରଦାହ ସୃଷ୍ଟି କରିପାରେ, ଯାହା ସମଗ୍ର ପ୍ରଜନନ କ୍ଷମତାକୁ ହ୍ରାସ କରେ। ଖାଦ୍ୟ ନିୟନ୍ତ୍ରଣ, ଚାପ ଓ ନିଦ୍ରାଭାବ ମଧ୍ୟ ପ୍ରଜନନ ସ୍ୱାସ୍ଥ୍ୟରେ ବାଧା ସୃଷ୍ଟି କରେ।
ପୁରୁଷମାନେ ମାଂସପେଶୀ ବିକାଶ ପାଇଁ ସେବନ କରୁଥିବା ଆନାବୋଲିକ୍ ଷ୍ଟେରଏଡ୍, ପ୍ରଜନନ ସ୍ବାସ୍ଥ୍ୟ ଲାଗି ସବୁଠାରୁ ହାନିକାରକ। ଏହା ପ୍ରାକୃତିକ ହରମୋନ୍ ଉତ୍ପାଦନକୁ ଦମନ କରି ଶୁକ୍ରାଣୁ ସଂଖ୍ୟାକୁ ଶୂନ କରିଦେଇପାରେ
ସବୁଠାରୁ ଚିନ୍ତାଜନକ ବିପଦ ହେଉଛି ଫିଟ୍ନେସ୍ ପାଇଁ ଆନାବୋଲିକ୍ ଷ୍ଟେରଏଡ୍ ବ୍ୟବହାର, ଯାହାକୁ ପୁରୁଷମାନେ ମାଂସପେଶୀ ବିକାଶ ପାଇଁ ସେବନ କରନ୍ତି। ଏହା ଶରୀରର ପ୍ରାକୃତିକ ହରମୋନ୍ ଉତ୍ପାଦନକୁ ଦମନ କରିଦିଏ। ଏହା ଶୁକ୍ରାଣୁ ସଂଖ୍ୟାକୁ ହ୍ରାସ କିମ୍ବା ଶୂନ କରିଦେଇପାରେ। ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ମଧ୍ୟମ ଫିଟନେସ୍ ରୁଟିନ୍ରେ ନିୟୋଜିତ ହେବା ଉଚିତ, ଯାହା ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ଉତ୍ତମ। ସର୍ବୋପରି ସନ୍ତାନ ଅଭିଳାଷୀ ପୁରୁଷମାନେ କଠିନ ବ୍ୟାୟାମ ରୁଟିନ୍ ଓ ଅନିୟନ୍ତ୍ରିତ ପରିପୂରକ ସେବନ ଠାରୁ ଦୂରେଇ ରହିବା ସହ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ।
Follow Us