ପର୍ଯ୍ୟଟକମାନଙ୍କ ପାଇଁ ଏକ ନିଆରା ଭସା ଜଙ୍ଗଲ ପାଲଟିଛି ‘ଏସ୍‌ଏସ୍‌ ଆୟାରଫିଲ୍‌ଡ’ ନାମକ ୧୦୨ ବର୍ଷର ଜାହାଜ

ପର୍ଯ୍ୟଟକମାନଙ୍କ ପାଇଁ ଏକ ନିଆରା ଭସା ଜଙ୍ଗଲ ପାଲଟିଛି ‘ଏସ୍‌ଏସ୍‌ ଆୟାରଫିଲ୍‌ଡ’ ନାମକ ୧୦୨ ବର୍ଷର ଜାହାଜ

ପୁରୁଣା ଓ ପରିତ୍ୟକ୍ତ ସାମଗ୍ରୀ ଦେଖିବା ମାତ୍ରେ ଯେଉଁମାନଙ୍କର ହୃଦ୍‌ସ୍ପନ୍ଦନ ବଢ଼ିଥାଏ, ସେମାନେ ଅନ୍ତତଃ ଜୀବନରେ ଥରେ ଅଷ୍ଟ୍ରେଲିଆର ସିଡନି ନିକଟ ହୋମ୍‌ବୁସ୍‌ ଉପସାଗର ବୁଲି ଆସିବା ଦରକାର। ସେଠା ଉପକୂଳରେ ବିଂଶ ଶତାବ୍ଦୀରେ କାର୍ଯ୍ୟକ୍ଷମ ଥିବା ଅନେକ ପାଣିଜାହାଜ ଏବେ ଅବ୍ୟବହୃତ ଓ ପରିତ୍ୟକ୍ତ ଅବସ୍ଥାରେ ଠୁଳ ହୋଇ ରହିଛି। ସେମାନଙ୍କ ଭିତରେ ରହିଥିବା ‘ଏସ୍‌ଏସ୍‌ ଆୟାରଫିଲ୍‌ଡ’ ନାମକ ୧୦୨ ବର୍ଷର ଜାହାଜଟି ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରୁଛି। ଏହାର କଳଙ୍କିଲଗା ପୃଷ୍ଠଦେଶରେ ବିଭିନ୍ନ ବୃକ୍ଷରାଜିର ସମାହାର ପର୍ଯ୍ୟଟକଙ୍କ ମନରେ ଏକ ଭାସମନ ଜଙ୍ଗଲର ଭ୍ରମ ଆଣିଥାଏ। ୧,୧୪୦ ଟନ୍‌ ଓଜନର ଏହି ପରିହାର୍ଯ୍ୟ ଜାହାଜଟି ମଧ୍ୟ ସ୍ଥାନୀୟ ଲୋକଙ୍କ ଭିତରେ ‘ଭସା ଜଙ୍ଗଲ’ ଭାବେ ପରିଚିତ।

ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଏହି ଜାହାଜଟି ପ୍ରଶାନ୍ତ ମହାସାଗରରେ ଡେରା ପକାଇଥିବା ଆମେରିକୀୟ ସୈନିକମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ ପରିବହନ କରିବାକୁ ନିଉକ୍ୟାସଲ ଓ ସିଡନି ମଧ୍ୟରେ ଯାତ୍ରା କରୁଥିଲା। ୧୯୭୨ ମସିହାରେ ଏହା ଅବସର ନେବା ସହ ତାହାକୁ ଭାଙ୍ଗି କବାଡ଼ି ସାମଗ୍ରୀରେ ପରିଣତ କରିବା ପାଇଁ ନିର୍ଦ୍ଦେଶ ମିଳିଥିଲା। ମାତ୍ର କୌଣସି କାରଣରୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା ଏବଂ ହୋମ୍‌ବୁସ୍‌ ଉପକୂଳ ମଧ୍ୟ ଆଉ ଜାହାଜର ଧ୍ବଂସସ୍ଥାନ ହୋଇ ରହିଲା ନାହିଁ। ଫଳରେ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ବ୍ୟବହୃତ ଅନେକ ଜାହାଜ ସମୁଦ୍ର କୂଳରେ ପଡ଼ି ରହି ପ୍ରକୃତିରେ ବିଲୀନ ହେବାକୁ ଅପେକ୍ଷା କରିଛନ୍ତି। ତେବେ କାଳକ୍ରମେ ‘ଏସ୍‌ଏସ୍‌ ଆୟାରଫିଲ୍‌ଡ’ରେ ଆପଣା ଛାଏଁ ବିକଶିତ ହୋଇଥିବା ବୃକ୍ଷରାଜି ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ବହନ କରିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଏକ ନିଆରା ଭସା ଜଙ୍ଗଲ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe