ଭୁବନେଶ୍ବର: ବର୍ଷା… ବର୍ଷା … ବର୍ଷା … ସବୁଠି ଏବେ ବର୍ଷା । ଖାଲି ଆକାଶରୁ ବର୍ଷା ବର୍ଷୁନି ବରଂ ଏହି ବର୍ଷା ହେଡଲାଇନରୁ ହଟୁନି… ଖବରକାଗଜରେ ଖେଳି ଯାଇଛି । ଏବେ ଯୁଆଡେ ଦେଖିଲେ ବର୍ଷାକୁ ନେଇ ଖବର, ବର୍ଷାକୁ ନେଇ ଚିତ୍କାର ଏବଂ ହାହାକାର । ଗାଁରୁ ସହର.. ଉତ୍ତରରୁ ଉପକୂଳ । ଏବେ ସବୁଠି ବର୍ଷାର ତାଣ୍ଡବ, ବନ୍ୟାର ବିକଟାଳ ରୂପ । ପ୍ରକୃତିର କୋପ ଆଗରେ ତ୍ରାହି ତ୍ରାହି ଡାକୁଛି ମଣିଷ ।
/filters:format(webp)/sambad/media/media_files/2025/09/03/2s3m95_heavy-rain_625x300_10_july_23-2025-09-03-20-09-28.jpg)
ଦିନେ ବର୍ଷା ଅପେକ୍ଷାରେ ଥିବା ମଣିଷ ଏବେ ବର୍ଷାକୁ ଦେଖିଲେ ଡରୁଛି । ଆକାଶରୁ ଡହଡହ ଖରା ଯେତେବେଳେ ନିଆଁ ହେଇ ବର୍ଷୁଥିଲା ସେତେବେଳେ ବର୍ଷା ଟିକେ କରାଇବାକୁ ଭଗବାନଙ୍କୁ ହାତ ଯୋଡି ଡାକୁଥିଲା ମଣିଷ… ହେଲେ ଏବେ ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ ଆତଙ୍କିତ ହେଉଛି ଆଖି, ଛାତିରେ ପଶୁଛି ଛନକା । କାରଣ ଏବେ ବର୍ଷା ଆଉ ଖାଲି ବର୍ଷା ହେଇ ବର୍ଷୁନି.. ବରଂ ବର୍ଷା ଏବେ ବର୍ଷକର ଖାଦ୍ୟ, ବର୍ଷର ସମ୍ପତି, ବର୍ଷ ବର୍ଷର ଘର ଦ୍ବାର ସବୁ ଧୋଇନେବାକୁ ମାଡି ଆସୁଛି । ବର୍ଷାର ବିକଟାଳ ରୂପ ପୂର୍ବରୁ ଏମିତି କେବେ ଦେଖିନି ଏ ଦୁନିଆ, ଦେଶ କି ରାଜ୍ୟ ।
/filters:format(webp)/sambad/media/media_files/2025/09/03/deccanherald_import_sites_dh_files_gallery_images_2023_07_12_punjab-rains-1-2025-09-03-20-09-39.jpg)
ଚଳିତ ବର୍ଷ ବର୍ଷା ତାର ପୁରୁଣା ରେକର୍ଡ ଭାଙ୍ଗି ସବୁ କିଛି ଧ୍ବସ୍ତ ବିଧ୍ବସ୍ତ କରିବାରେ ବ୍ୟସ୍ତ ଅଛି… ଆଉ ମଣିଷ ବର୍ଷାର ଏହି ବିଶ୍ବରୂପ ଦେଖି ନିଜ ପ୍ରାଣକୁ ଧରି ଜୀବନ ବିକଳରେ ଧାଉଁଛି… ଜୀବନ ସିନା ବର୍ତ୍ତି ଯାଉଛି କିନ୍ତୁ ପାଣି ପାଟିରୁ ବର୍ତ୍ତୁନି ମଣିଷର ଘରଦ୍ବାର, କୋଠାବାଡ଼ି, ବାପଅଜା ଅମଳର ସମ୍ପତ୍ତି ଓ ଭିଟାମାଟି । ସବୁ କିଛି ବର୍ଷାର ବନ୍ଦୀଶାଳାରେ ଜଳବନ୍ଦୀ ।
ଫାଟିଯାଇଛି କି ଆକାଶ ?
ଆକାଶରୁ ମୂଷଳଧାରାରେ ବର୍ଷା ହେଉଛି । ସତେକି କିଏ କଳସୀରେ ପାଣି ଢାଳିଲା ପରି ଢାଳୁଛି । ଯିଏ ଏ କଳସୀଢଳା ବର୍ଷାରେ ଭିଜି ଭିଜି ଯାଇଛି କେତେ ମାରାତ୍ମକ ସେସମୟ ପରିସ୍ଥିତି । ଆକାଶରୁ ବର୍ଷା, ରାସ୍ତାରେ ବର୍ଷାପାଣିର କର୍ଫ୍ୟୁ । ଡ୍ରେନଜ ସମସ୍ୟା ପାଇଁ ରାସ୍ତାରେ ନାଆ ଖେଳୁଥିବ ବର୍ଷାଜଳ ଆଉ ତାରି ଭିତରେ ଆଗେଇ ଯାଉଥିବ ମାଳ ମାଳ ଗାଡ଼ି । କେଉଁଠି କାହାର ଗାଡ଼ି ବନ୍ଦ ହେଇଯାଉଥିବ ତ କାହାର ସେନସର କାମ କରୁନଥିବ । ପୁଣି କିଏ ପାଣି ତଳେ ରାସ୍ତା ଉପରେ ହୋଇଥିବା ବିରାଟ ଗାତରେ ପଡି ଦୁର୍ଘଟଣାର ଶିକାର ହେଉଥିବ । ଓଃ ଥରେ ଭାବିଲେ ବର୍ଷା ବେଳର ସେ ଦୃଶ୍ୟ ଓ ହନ୍ତସନ୍ତ ଭରା ସ୍ଥିତିକୁ… ଏଇ କିଛି ମାସ ହେବ, କିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟର ଲୋକ ଏମିତି ବର୍ଷାର ବେହାଲ ସ୍ଥିତି ଦେଇ ଗତି କରୁଛନ୍ତି ।
ଉବୁଟୁବୁ ଓଡ଼ିଶା
ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଆଗାମୀ ୨ ଦିନ ଯାଏ ପ୍ରବଳ ଛେଚିବ । ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ଓଡିଶା ଦେଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଗତି କରିବା। ପ୍ରଭାବରେ ଆହୁରି ୪୮ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷାରେ ବାଲେଶ୍ବରର ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଅଧା ଓଡିଶାକୁ ବର୍ଷାର ଘାଣ୍ଟି ଦେଲାଣି ।
/filters:format(webp)/sambad/media/media_files/2025/09/03/541785612_10163745960999684_6078090907833234485_n-2025-09-03-20-08-02.jpg)
ବର୍ଷାର ଭୟଙ୍କର ଚିତ୍ର ବାଲେଶ୍ବରରୁ ଆସିଛି । ସପିଂ ମଲ୍ରେ ଜିନିଷ ଭାସୁଛି, ଘରେ ଅଢ଼େଇ ଫୁଟର ପାଣି ପଶିଛି । ବାଲେଶ୍ଵରରେ ଯୁଆଡ଼େ ଦେଖିବ ଖାଲି ପାଣି ଆଉ ପାଣି । ସହରର ରାସ୍ତାରେ ଓ ଲୋକଙ୍କ ଘରେ ୨ ଫୁଟ ଉଚ୍ଚର ପାଣି । ଲୋକଙ୍କ ଘରେ ଆସବାବପତ୍ର, ହାଣ୍ଡି କଡ଼େଇ ସହ ସିଲିଣ୍ଡର ଭାସୁଛି। ଶୋଇଥିବା ଅବସ୍ଥାରେ ଘରେ ପାଣି ପଶିଯାଇଥିବାରୁ ଜରୁରୀ କାଗଜପତ୍ର ମଧ୍ୟ ବାହାର କରି ପାରି ନାହାନ୍ତି ଲୋକେ । ଫଳରେ ସବୁକିଛି ପାଣି ପାଟିରେ ପଶିଯାଇଛି ।
ସପିଂ ମଲ୍ରେ ଜିନିଷ ସବୁ ଭାସୁଛି। ରାସ୍ତା କଡରେ ଥିବା ବଡ ବଡ ରେସ୍ତୁରାଁରେ ବି ପାଣି ପଶିଯାଇଛି । ପୋଲ ଉପରେ ପାଣି ଚାଲୁଛି । ବାଲେଶ୍ବରକୁ ବର୍ଷା ଜଳ ପୂରା କବଜା କରି ରଖିଛି । ଖାଲି ବାଲେଶ୍ବର କାହିଁକି ଭଦ୍ରକରେ ବି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଥିବା ବେଳେ ଯାଜପୁରରେ ପାଣି ମନ୍ଦିର ଭିତରେ ପଶିଯାଇଛି ।
ଉତ୍ତର ଭାରତର ଅବସ୍ଥା ଖରାପ
ଖାଲି ଓଡିଶାର ନୁହେଁ ଉତ୍ତର ଭାରତର ଅନେକ ରାଜ୍ୟ ଏବେ ଜଳମଗ୍ନ । ପାଣି ପାଟିରେ ପଶିଛନ୍ତି ଅନେକ ରାଜ୍ୟ । ଦେଶ ସାରା ବର୍ଷାର ପ୍ରକୋପ ଜାରି ରହିଛି । ବିଶେଷ କରି ଉତ୍ତର ଭାରତର ସମଗ୍ର ଅଞ୍ଚଳରେ । ଉତ୍ତର ଭାରତର ରାଜ୍ୟ ଗୁଡ଼ିକରେ ବର୍ଷା ବନ୍ୟାର ରୂପ ନେଇ ଜୀବନକୁ ଜଳବନ୍ଦୀ କରିଛି । ହାହାକାର ସ୍ଥିତି ସୃଷ୍ଟି କରିଛି । ରାସ୍ତା ବୁଡ଼ିଛି, ଘରଗୁଡ଼ିକ ଅଥଳ ଜଳରେ ଜଳମଗ୍ନ ହୋଇଛି । ଲୋକେ ନାହିଁନଥିବା ଅସୁବିଧାର ସମ୍ମୁ୍ଖୀନ ହେଉଛନ୍ତି ।
/filters:format(webp)/sambad/media/media_files/2025/09/02/punjab-2025-09-02-17-44-52.jpg)
ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ଏବଂ ହିମାଚଳ ପ୍ରଦେଶରେ ଗତ ୨ ମାସ ଧରି ଲଗାତାର ପ୍ରକୃତିର ପ୍ରଳୟ ଦେଖିବାକୁ ମିଳୁଥିବା ବେଳେ ଏବେବି ବାଦଲ ଫଟା ବର୍ଷା ଏବଂ ବନ୍ୟା ସ୍ଥିତି ଜାରି ରହିଛି । ଦିଲ୍ଲୀରେ ଯମୁନାର ଜଳ ଯାତନା ଦେଉଛି । ଯମୁନା ନଦୀ ଭୟଙ୍କର ରୂପ ଧାରଣ କରୁଛି । ବିପଦ ସଙ୍କେତ ଅତିକ୍ରମ କରିଛି ଯମୁନା ନଦୀର ଜଳସ୍ତର । ଦିଲ୍ଲୀରେ ଗତ କାଲିଠୁ ପ୍ରବଳ ବର୍ଷା ଲାଗି ରହିଛି, ଯାହା ଜଳମଗ୍ନ ସ୍ଥିତି ଓ ଟ୍ରାଫିକ ସମସ୍ୟା ସୃଷ୍ଟି କରିଛି । ବର୍ଷା ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସଙ୍କଟ ସୃଷ୍ଟି କରିଛି । ବର୍ଷା ପାଇଁ ନଦୀ ଫୁଲୁଥିବାରୁ ଲୋହା ବ୍ରିଜରେ ଗାଡି ଚଳାଚଳ ବନ୍ଦ କରି ଦିଆଯାଇଛି । ଯମୁନା ବଜାରରେ ଫସିଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।
ସେପଟେ ହରିଆଣାରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି । ୧୮ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ପଞ୍ଜାବରେ ବି ସ୍ଥିତି ସଙ୍ଗୀନ । ପ୍ରଳୟ ପାଟିରେ ପଞ୍ଜାବ ଥିବା ବେଳେ ସବୁଠି ପାଣି ଆଉ ପାଣି । ଘରଦ୍ବାର, ରାସ୍ତାଘାଟ, ଦୋକାନ ବଜାର ସବୁଠି ବନ୍ୟା ପାଣି । ପ୍ରବଳ ବର୍ଷା ବନ୍ୟା ସ୍ଥିତି ଆଣିଥିବା ବେଳେ ଫୁଲିଛି ପଞ୍ଜାବ ଦେଇ ବହିଯାଇଥିବା ନଦୀ । ସତଲେଜ, ବ୍ୟାସ, ରାବି ନଦୀର ଜଳସ୍ତର ବଢିଛି । ବିପଦ ସଂକେତ ପାର କରିଛି ଜଳସ୍ତର...ଇତି ମଧ୍ଯରେ ବର୍ଷା ଓ ବନ୍ୟାରେ ପ୍ରାୟ ୨୯ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ହଜାର ହଜାର ଲୋକ ବେଘର ହୋଇଛନ୍ତି । ପ୍ରାୟ ଅଢେଇ ଲକ୍ଷ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ୧୩୦୦ ଗାଁ ପାଣି ଘେରରେ ରହିଛି ।
/filters:format(webp)/sambad/media/media_files/2025/09/03/new-project-36-2025-09-03-09-51-19.jpg)
ବର୍ଷା- ବିହୁନେ ମରୁଡି… ବର୍ଷା ବହୁଳେ ଜୀବନ ଯନ୍ତ୍ରଣାର ରଡ଼ି… ଏକଥା ବୁଝିବାକୁ ଆଉ କାହାକୁ ବାକି ନାହିଁ । ବର୍ଷା କିଛି ଲୋକଙ୍କ ପାଇଁ ଖୁସିର କେଇଫର୍ଦ୍ଦ ବତୁରା କବିତା ସାଜିଥିବା ବେଳେ କାହା ପାଇଁ ବିପଦ ଓ ବିପତ୍ତିର କାଳଫାଶ । ଗାଉଁଲୀ ବର୍ଷା ହେଉ କି ସହରୀ ବର୍ଷା- ଆକାଶରୁ ଝରିଲେ ହିଁ ଡରୁଛି ମଣିଷ, ହାତ ଯୋଡି ନବର୍ଷିବାକୁ ଆକାଶକୁ ନେହୁରା ହେଉଛି ଚାଷୀ ଓ ଚାଷ…
Follow Us