କୋଲକାତା: ବୁଡ଼ିଛି ପେଣ୍ଡାଲ, ବୁଡ଼ିଛି ମଣ୍ଡପ… ବୁଡିଛି ବି ବଡ଼ ବଡ଼ ତୋରଣ ପାଇଁ ଚାଲିଥିବା ପ୍ରସ୍ତୁତିସ୍ଥଳୀ । କୋଲକାତାରେ ବଡ଼ ବର୍ଷା ପରବର୍ତ୍ତୀ ବନ୍ୟା ସ୍ଥିତି ଦୁର୍ଗାପୂଜାର ମାହୋଲକୁ ଏକଦମ୍ ଫିକା ପକାଇ ଦେଇଛି । ଦଶରା ଆସିଲେ ବଦଳିଯାଏ କୋଲକାତାର ଚେହେରା… ସଜେଇ ହୁଏ ସହର, ରୂପସୀ ହୁଏ ରାଜଧାନୀର ଛାତି । ମାଆଙ୍କ ସ୍ବାଗତ ପାଇଁ ସବୁଠି ଚାଲେ ପ୍ରସ୍ତୁତି… ସବୁଠି ନିର୍ମାଣ ହୁଏ ଆକାଶଛୁଆଁ ତୋରଣ । କୁହାଯାଏ କୋଲକାତାର ଦଶହରା ସବୁଠୁ ନିଆରା । ସେଠି କୁଆଡେ ପେଣ୍ଡାଲ ବୁଲୁବୁଲୁ ପାହିଯାଏ ରାତି । ମାଳମାଳ ରଙ୍ଗୀନ ଆଲୋକର ଝିଲମିଲ ଝଲକରେ ଜଣାପଡ଼େନି ସକାଳ । ଶହଶହ ଥିମରେ କୋଲକାତାରେ ମାଆ ଦୁର୍ଗାଙ୍କ ମୂର୍ତ୍ତି ତିଆରି ହୋଇଥିବା ବେଳେ ପେଣ୍ଡାଲର ସାଜସଜ୍ଜା ଦେଖିବାକୁ ଦେଶ ବିଦେଶରୁ ଲୋକେ କୋଲକାତା ଛୁଟି ଆସନ୍ତି । 

Advertisment

New Project (9)

ହେଲେ ଏଥର ପୂଜା ପୂର୍ବରୁ କୋଲକାତାରେ ପାଣି ରଚିଛି ପ୍ରଳୟ । ବର୍ଷାର ତାଣ୍ଡବରେ ସବୁକିଛି ଧରାସାୟୀ ହୋଇଛି । ବଡ଼ ବଡ଼ ପେଣ୍ଡାଲ ବୁଡିଯିବା ସହ ମାଆଙ୍କ ନିର୍ମାଣ ଚାଲିଥିବା ମୂର୍ତ୍ତି ବି ପାଣି ଘେରରେ ରହିଛି । ବର୍ଷା ପରର ବନ୍ୟା ସ୍ଥିତିରେ କୋଲକାତାର ରାସ୍ତାଘାଟ, ଘରଦ୍ବାର ସବୁ ବୁଡିଥିବା ବେଳେ ମଣ୍ଡପରେ ବି ପଶିଛି ପାଣି । ଯେଉଁଠି ଜୀବନ ବର୍ତ୍ତିନି ସେଠି ଦେବୀଙ୍କ ମୂର୍ତ୍ତି ବି ଜଳବନ୍ଦୀ । 

New Project (8)

ଗୋଟେ ପଟେ ପୀଠରେ ନବରାତ୍ରୀ ଚାଲିଥିବା ବେଳେ ଆଉ ଦିନ କେଇଟା ପରେ ମାଆଙ୍କୁ ମଣ୍ଡପକୁ ଆବାହନ କରାଯାଇଥାନ୍ତା । ମାଆଙ୍କ ଆଗମନୀ, ମାଆଙ୍କୁ ଆମନ୍ତ୍ରଣ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଗୋଟେ ଗୋଟେ ପେଣ୍ଡାଲରେ ସାଜସଜ୍ଜା ସରି ଆସୁଥିଲା ଏବଂ ଅନ୍ୟ କିଛି ପେଣ୍ଡାଲରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିରେ ରଙ୍ଗ ଦେବା ସହ ପୋଷାକ ପରିଧାନ କାମ ଚାଲିଥିଲା । ପୂଜା ପାଇଁ ପୂରା ମାହୋଲ ବ୍ୟସ୍ତ ଥିବା ବେଳେ, ସାରା କୋଲକାତା ଚଳଚଞ୍ଚଳ ଥିବା ବେଳେ ବର୍ଷା ପରର ଏ ବନ୍ୟା ବାଧା ସୃଷ୍ଚି କରିଛି । ଗୋଟେ ପଟେ ଲୋଟେ ଜଳବନ୍ଦୀ ଥିବା ବେଳେ ବ୍ୟବସାୟ ମାଡ ଖାଇଛି । କାରଣ ପୂଜାରେ କୋଲକାତାରେ ବେପାର ଭଲ ଜମେ । ହେଲେ ସେ ବେପାରରେ ଜଳ ମାଡିଯାଇଛି ।

552437507_4014893932156260_6009197854043982405_n

ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଫଟୋ । ଯାହା ସମସ୍ତଙ୍କୁ ଚକିତ କରିଛି । ବର୍ଷା ପରେ ଜଳ ସହରକୁ ବୁଡାଇଥିବା ବେଳେ ମାଆ ଜଗତଜନନୀଙ୍କୁ ବି ବୁଡାଇବାକୁ ମାଡି ଆସିଛି । ମଣ୍ଡପରେ ମୂର୍ତ୍ତି ତିଆରି ଚାଲିଥିବା ବେଳେ ଜଳ ବନ୍ଦୀ ସାଜିଛନ୍ତି ମାଆ ଦୁର୍ଗା । ଦେବୀଙ୍କ ପାର୍ଶ୍ବ ମୂର୍ତ୍ତି ଏକପ୍ରକାର ବୁଡିଯାଇଥିବା ବେଳେ ମହିଷାସୁର ବୁଡିଯାଇଛି । ପୂଜା ପୂର୍ବରୁ ପ୍ରକୃତିର ଏ ତାଣ୍ଡବକୁ କିଏ କିଏ ମାଆଙ୍କ ରାଗ କହୁଥିବା ବେଳେ କେହି କେହି ମୌସୁମୀ ବିଦାୟ ନେବା ପୂର୍ବରୁ ମାଆଙ୍କ ଚରଣ ସ୍ପର୍ଶ କରି ଫେରିଯାଉଥିବା କହିଛନ୍ତି । ଆଉ କେହି କେହି ଏହି ଦୃଶ୍ୟକୁ ଆବାହନ ପୂର୍ବର ବିସର୍ଜନ ବୋଲି ବି କହୁଛନ୍ତି । କାରଣ ପୂଜା ପରେ ହିଁ ମାଆଙ୍କୁ ମେଲାଣି ଦିଆଯାଏ ଆଉ ତାଙ୍କ ମୂର୍ତ୍ତିକୁ ପାଣିରେ ଭସାଇ ଦିଆଯାଏ । ହେଲେ ଏଠି ଆମନ୍ତ୍ରଣ ପୂର୍ବରୁ, ଆବାହନୀ ପୂର୍ବରୁ ବିଜର୍ସନ ପାଇଁ ନିଜେ ଜଳ ମାଆଙ୍କ ପାଖକୁ ଆସିଥିବା ଚର୍ଚ୍ଚା କରାଯାଉଛି ।

New Project

ସେପେଟେ ଆଗକୁ ପୂଜା ଥିବାରୁ କୋଲକାତାର ବନ୍ୟା ସ୍ଥିତି ଶୀଘ୍ର ସୁଧାରି ଜଳ ନିଷ୍କାସନ କରି ସହରକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଛି । ଜଳ ଛାଡିଲେ ପୁଣି ଥରେ ମଣ୍ଡପ ଝଲସିବ, ପେଣ୍ଡାଲ ଚମକିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି ।

ଅଧିକ ପଢନ୍ତୁ-

କୋଲକାତାରେ ପାଣିର କର୍ଫ୍ୟୁ ! ସୁଧୁରୁନି ସ୍ଥିତି, କମୁନି ପାଣି… ପୁଣି ବର୍ଷା ପାଇଁ ଆଲର୍ଟ ଜାରି