ମନମୋହିଲା ଶାଢ଼ି ପିନ୍ଧି ଫୁଟ୍‌ବଲ୍‌ ଖେଳ

ମନମୋହିଲା ଶାଢ଼ି ପିନ୍ଧି ଫୁଟ୍‌ବଲ୍‌ ଖେଳ

ଗତ ସପ୍ତାହରେ ମଧ୍ୟପ୍ରଦେଶର ଗ୍ବାଲିଅର ପୌର ନିଗମ ପକ୍ଷରୁ ଆୟୋଜିତ ଏକ ନିଆରା ଫୁଟ୍‌ବଲ୍‌ ଖେଳ ପ୍ରତିଯୋଗିତା ଏବେ ଚର୍ଚ୍ଚାର ବିଷୟ ହେବା ସହ ତାହାର ଏକ ଭିଡିଓ କ୍ଲିପିଂ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ‘ଶାଢ଼ି ପିନ୍ଧି ଗୋଲ୍‌’ ନାମକ ଏହି ପ୍ରତିଯୋଗିତାରେ କେବଳ ଗ୍ବାଲିଅର ଜିଲ୍ଲାର ମୋଟ ଆଠଟି ମହିଳା ଦଳ ଭାଗ ନେଇଥିବା ବେଳେ ପ୍ରତ୍ୟେକ ଖେଳାଳି ଫୁଟ୍‌ବଲ୍‌ ଜର୍ସି ବଦଳରେ ଶାଢ଼ି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ଗତ ମାସ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଆୟୋଜିତ ଏହି ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ୨୦ ବର୍ଷରୁ ୭୨ ବର୍ଷ ବୟସର ମହିଳା ଖେଳାଳିମାନେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ।

ପ୍ରତିଟି ମ୍ୟାଚ୍‌ ରୋମାଞ୍ଚକର ହେବା ସହ ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ମଧ୍ୟ ଯୋଗାଇଥିବା ଜଣାଯାଇଛି। ସାମ୍ବାଦିକ ପ୍ରଭୁ ପାଟେରିଆ ଟ୍ବିଟରରେ ଛାଡ଼ିଥିବା ମ୍ୟାଚ୍‌ର ଏକ ଭିଡିଓ କ୍ଲିପିଂରେ ଗ୍ବାଲିଅର ପୌର ନିଗମର କମିସନର ଥିବା ଆଇଏଏସ୍‌ କିଶୋର କନ୍ୟାଲ୍‌ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ଧାରା ବିବରଣୀ ଦେଉଥିବା ବେଳେ ଖେଳାଳିମାନଙ୍କ ଫୁଟବଲ୍‌ ଛଡ଼ାଛଡ଼ି ଦର୍ଶକଙ୍କ ମନରେ ରୋମାଞ୍ଚ ଭରିଦେଇଥିଲା। ବିଶେଷ କରି ଏଥିରେ ସାମିଲ ହୋଇଥିବା ବୟସ୍କା ଖେଳାଳିମାନଙ୍କ ଉତ୍ସାହ ଅନ୍ୟମାନଙ୍କୁ ବେଶ ପ୍ରଭାବିତ କରିଥିବା ଜଣାଯାଇଛି। ‘ଶାଢ଼ି ପିନ୍ଧ ଓ ନିଜକୁ ଫିଟ୍‌ ରଖ’ ବୋଲି ବାର୍ତ୍ତା ଦେଉଥିବା ଏହି ଜିଲ୍ଲାସ୍ତରୀୟ ଫୁଟବଲ ମ୍ୟାଚ୍‌ର ସଫଳତାରେ ଉତ୍ସାହିତ ହୋଇ ଆୟୋଜକମାନେ ଆସନ୍ତା ବର୍ଷ ଏହାକୁ ରାଜ୍ୟସ୍ତରୀୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏପରିକି ଏଥିପାଇଁ ଅନ୍ୟ ଜିଲ୍ଲାର ମହିଳାମାନେ ମଧ୍ୟ ଆଗ୍ରହ ପ୍ରକାଶ କରିଥିବା କଥା ଅନ୍ୟତମ ଆୟୋଜିକା ଅଞ୍ଜଳି ଗୁପ୍ତା ବାତ୍ରା ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe