ଅଲିଭା ପଦଚିହ୍ନ : ୫୦ ବର୍ଷ ପରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅକ୍ଷୁଣ୍ଣ ରହିଛି ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ୍‌ଙ୍କ ପାଦଚିହ୍ନ

Advertisment
ଅଲିଭା ପଦଚିହ୍ନ : ୫୦ ବର୍ଷ ପରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅକ୍ଷୁଣ୍ଣ ରହିଛି ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ୍‌ଙ୍କ ପାଦଚିହ୍ନ

ଆମେରିକୀୟ ମହାକାଶଯାନ ଆପୋଲୋ-୧୧ରେ ଚନ୍ଦ୍ର ଅଭିଯାନ କରିଥିବା ମହାକାଶଚାରୀ ନିଲ୍‌ ଆର୍ମଷ୍ଟ୍ରଙ୍ଗ ବିଶ୍ବର ପ୍ରଥମ ବ୍ୟକ୍ତି ଭାବେ ୧୯୬୯ ଜୁଲାଇ ୨୦ରେ ଚନ୍ଦ୍ରପୃଷ୍ଠରେ ପଦଚାରଣ କରିଥିଲେ। ତେବେ ତାଙ୍କର ଏହି ଐତିହାସିକ ଉପଲବ୍‌ଧିର ଦୀର୍ଘ ୫୦ ବର୍ଷ ପରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ତାଙ୍କ ପଦଚିହ୍ନଗୁଡ଼ିକ ସେମିତି ଅକ୍ଷୁଣ୍ଣ ରହିଛି। ନିକଟରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ସେଇ ପଦଚିହ୍ନ ସମ୍ବଳିତ ଚନ୍ଦ୍ରପୃଷ୍ଠର ସଦ୍ୟ ଉତ୍ତୋଳିତ ଫଟୋ ପ୍ରକାଶ କରାଯାଇଛି। ‘ନାସା’ର ମହାକାଶଯାନ ‘ଲୁନାର ରିକନ୍ନାଇସାନ୍ସ ଅର୍ବିଟର’ ଦ୍ବାରା ଉତ୍ତୋଳନ କରାଯାଇଥିବା ଏହି ଫଟୋ ସମୂହରେ ଆର୍ମଷ୍ଟ୍ରଙ୍ଗ ଓ ତାଙ୍କ ପରେ ସହଯାତ୍ରୀ ଏଡ୍ବିନ୍‌ ଆଲଡ୍ରିନ୍‌ ମଧ୍ୟ ସେଠାରେ ବିଚରଣ କରିଥିବା ପଦଚିହ୍ନଗୁଡ଼ିକ ସ୍ପଷ୍ଟ ଭାବେ ଜଣାପଡୁଛି।

ଏଥି ସହିତ ଆଉ ଏକ ବିଶେଷ ସ୍ମାରକୀ ମଧ୍ୟ ସେଠାରେ ଅକ୍ଷତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଆର୍ମଷ୍ଟ୍ରଙ୍ଗ ଓ ସାଥୀ ମହାକାଶଚାରୀ ସେଠାରୁ ମୃତ୍ତିକା ସଂଗ୍ରହ ପରେ ସାଙ୍ଗରେ ନେଇଥିବା ଏକ ଫଳକକୁ ସେଠାରେ ପୋତିଥିଲେ। ସେଥିରେ ଲେଖାଥିଲା, ‘ପୃଥିବୀରୁ ଆସିଥିବା ମାନବ ଏଠାରେ ୧୯୬୯ ଜୁଲାଇରେ ପ୍ରଥମେ ପାଦ ଥାପିଲେ। ସମଗ୍ର ମାନବଜାତିର ଶାନ୍ତି କାମନା କରି ଆମେ ଏଠାକୁ ଆସିଛୁ।’ ଅଦ୍ୟାବଧି ଉକ୍ତ ଫଳକ ସମେତ ସେଥିରେ ଲେଖାଥିବା ବାର୍ତ୍ତା ମଧ୍ୟ ସେମିତି ଅକ୍ଷୁଣ୍ଣ ରହିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଚନ୍ଦ୍ରର ବାୟୁମଣ୍ଡଳ ନଥିବାରୁ ସେଠାରେ ଧୂଳିଝଡ଼ର ଆଶଙ୍କା ନାହିଁ। ସେହିପରି ସେଠାରେ ଜଳ ନଥିବାରୁ ଜଳୀୟବାଷ୍ପ ଜନିତ ବର୍ଷା କି ଜଳସ୍ରୋତର ଉପଦ୍ରବ ମଧ୍ୟ ନାହିଁ। ସୁତରାଂ ମହାକାଶଚାରୀଙ୍କ ପଦଚିହ୍ନ ସମେତ ଉକ୍ତ ସ୍ମାରକୀ ଫଳକ ଅକ୍ଷତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe