ଖରାରୁ ବର୍ଷା କି ବର୍ଷାରୁ ଶୀତ ପରି ପାଗ ପରିବର୍ତ୍ତନ ଦିନରେ ଶର୍ଦ୍ଦି ହେବା ଏକ ସ୍ବାଭାବିକ ଘଟଣା। ସେଥି ଯୋଗୁଁ ଅନେକଙ୍କର ନାକ ରୁନ୍ଧି ହୋଇଯାଇଥାଏ। ଏଭଳି ସ୍ଥିତିରେ ଜୋର୍ ନିଃଶ୍ବାସ ଛାଡ଼ି ନାକ ସଫା କରିବା ସ୍ବାଭାବିକ ମନେ ହୋଇଥାଏ। ମାତ୍ର ବାରମ୍ବାର କିମ୍ବା ଖୁବ୍ ଜୋର୍ରେ ନାକ ସଫା କରିବା ଦ୍ବାରା ନାସାପଥରେ ଥିବା ସୂକ୍ଷ୍ମ ନଳୀ କ୍ଷତିଗ୍ରସ୍ତ ହୋଇ ନାକ ଫୁଲିଯାଇଥାଏ ଏବଂ ଭୀଷଣ ଅସ୍ବସ୍ତିକର ବୋଧ ହୁଏ। ତେଣୁ ଥଣ୍ଡା ହେଲେ ସେଥିରୁ ଆଶ୍ବସ୍ତି ପାଇବାର ବିକଳ୍ପ ଉପାୟ ଅନୁସରଣ କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି।
ଖୁବ୍ ଜୋରରେ ନାକ ସଫା କରିବାକୁ ଚେଷ୍ଟା କଲେ ନାକର ୟୁଷ୍ଟାଚିଆନ୍ ନଳୀରେ ଚାପ ବଢ଼ିଯାଇ କାନର ପରଦା ବା କର୍ଣ୍ଣ ଝିଲ୍ଲୀ ଫାଟିଯିବାର ଆଶଙ୍କା ରହିଛି।
ସାଧାରଣତଃ ନାକରେ କୌଣସି ପ୍ରକାର ବାହ୍ୟ ସଂକ୍ରମଣ ରହିଲେ ନାକର ପଛଭାଗରେ ଖପୁରିରେ ଥିବା ସାଇନସ୍ରୁ ମ୍ୟୁକସ୍ ଝରି ସେହି ସଂକ୍ରାମକ ବାହ୍ୟ ଶତ୍ରୁକୁ ବାହାରକୁ ବାହାର କରିଦେଇଥାଏ। ସୁତରାଂ ସେହି ପ୍ରଦୂଷିତ ମ୍ୟୁକସ୍କୁ ବାହାରକୁ ବାହାର କରିଦେବା କଥା। ଖୁବ୍ ଜୋରରେ ନାକ ସଫା କରିବାକୁ ଚେଷ୍ଟା କଲେ ନାକର ୟୁଷ୍ଟାଚିଆନ୍ ନଳୀ (ନାକ ଓ କାନକୁ ଯୋଗ କରୁଥିବା ସଂକୀର୍ଣ୍ଣ ପଥ)ରେ ବେଳେବେଳେ ଚାପ ବଢ଼ିଯାଇ କାନର ପରଦା ବା କର୍ଣ୍ଣ ଝିଲ୍ଲୀ ଫାଟିଯିବାର ଆଶଙ୍କା ରହିଛି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଗୋଟିଏ ନାକପୁଡ଼ାକୁ ଚାପି ଧରି ଅନ୍ୟ ପୁଡ଼ା ବାଟେ ବର୍ଜ୍ୟ ମ୍ୟୁକସ୍କୁ କମ୍ ଚାପ ଦେଇ ନିଷ୍କାସନ କରିଦେବା ଦରକାର। ନାକରେ ଯଦି ମ୍ୟୁକସ୍ ଶୁଖି ପୁଡ଼ାକୁ ରୁନ୍ଧି ଦେଇଥାଏ, ତେବେ କୌଣସି ସାଲାଇନ୍ ସ୍ପ୍ରେ ବ୍ୟବହାର କରି ଅଥବା ନାକବାଟେ ବାମ୍ଫ ପ୍ରବେଶ କରାଇ ରନ୍ଧ୍ରକୁ ସରଳ କରିବାକୁ ହେବ। ନାକ ପୋଛିବା ପାଇଁ କୋମଳ ତଥା ଓଦା କନା କି ଟିସୁ ବ୍ୟବହାର କରିବା ଉଚିତ। ଯଦି ଦୀର୍ଘ ଦିନ ଧରି ନାକରୁ ପାଣି ଝରିବା ଲାଗି ରହେ, ତେବେ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର।
Follow Us