ଫୋକସ୍‌ରେ ଗ୍ୟାଜେଟ୍: ନୂଆ ଓୟାରଲେସ୍ କି’ବୋର୍ଡ ‘ବବଲ୍ ସ୍କୋୟାର୍‌’

Advertisment
ଫୋକସ୍‌ରେ ଗ୍ୟାଜେଟ୍: ନୂଆ ଓୟାରଲେସ୍ କି’ବୋର୍ଡ ‘ବବଲ୍ ସ୍କୋୟାର୍‌’

ଓୟାରଲେସ୍ କି’ବୋର୍ଡ ହେଉ କି ମାଉସ୍, ସେଗୁଡ଼ିକ ଆଉ କେବଳ କମ୍ପ୍ୟୁଟର କି ନୋଟବୁକ୍ ପାଇଁ ସୀମିତ ହୋଇ ରହିନାହିଁ। ଦିନକୁ ଦିନ ସ୍ମାର୍ଟଫୋନ୍ ଓ ଟାବଲେଟ୍‌ଗୁଡ଼ିକ ଅଧିକ ଶକ୍ତିଶାଳୀ ହୋଇ ଚାଲିଥିବା ବେଳେ ଅନେକ ବ୍ୟବହାରକାରୀ ସେମାନଙ୍କ ନୋଟ୍‌ବୁକ୍ ସହ ଓୟାରଲେସ୍ କି’ବୋର୍ଡ ଓ ମାଉସ୍‌କୁ ସଂଲଗ୍ନ କରି ଫୋନ୍ ଓ ଟାବ୍‌ଲେଟ୍‌ରେ କମ୍ପ୍ୟୁଟର ଅନୁରୂପ କ୍ରିୟାଶୀଳତା ଅନୁଭବ କରୁଛନ୍ତି। ତେବେ ବଜାରରେ ଉପଲବ୍ଧ ଅନେକ ବେତାର କି’ବୋର୍ଡଗୁଡ଼ିକ ଅପେକ୍ଷାକୃତ ବ୍ୟୟସାପେକ୍ଷ ହୋଇଥିବାରୁ ଅନେକ ସେଥିପାଇଁ ମଧ୍ୟ ଅନିଚ୍ଛା କରିଥାଆନ୍ତି। ତେବେ ସେମାନଙ୍କୁ ସୁହାଇଲା ପରି ପଟ୍ରୋନିକ୍ସ କମ୍ପାନି ‘ବବଲ୍ ସ୍କୋୟାର୍’ ନାମରେ ଏକ କି’ବୋର୍ଡ ବଜାରକୁ ଛାଡ଼ିଛି। ମାତ୍ର ୮୪୯ ଟଙ୍କାରେ ମିଳୁଥିବା ଏହି କି’ବୋର୍ଡ ଦେଖିବାକୁ ଆକର୍ଷଣୀୟ ଯେମିତି ତାହାର କାର୍ଯ୍ୟଶୀଳତା ମଧ୍ୟ ସେମିତି ମନମୁଗ୍ଧକର।

ସଂପୂର୍ଣ୍ଣ ପ୍ଲାଷ୍ଟିକ୍‌ରେ ନିର୍ମିତ ଏହି କି’ବୋର୍ଡ ସବୁଜ, ବାଇଗଣୀ ଓ ଗୋଲାପି ପରି ତିନିଟି ରଙ୍ଗରେ ଉପଲବ୍ଧ, ଯାହା ଉପକରଣଟିକୁ ଏକ ଯୁବସୁଲଭ ଠାଣି ପ୍ରଦାନ କରୁଛି। ଅନେକ କି’ବୋର୍ଡକୁ ସୀମିତ ଆୟତନ ବିଶିଷ୍ଟ କରିବା ପାଇଁ ସେଥିରେ କିଛି ଫିଚର ବାଦ୍ ଦିଆଯାଇଥିବା ବେଳେ ଏହି ‘ବବଲ୍ ସ୍କୋୟାର୍’ରେ ସାଧାରଣ କି’ବୋର୍ଡର ସମସ୍ତ ସୁବିଧା ସୁଯୋଗ ରହିଛି। ଏହାର ଉପରି ଭାଗରେ ସ୍ମାର୍ଟଫୋନ୍ ଧରି ରଖିବା ପାଇଁ ଏକ ସ୍ବତନ୍ତ୍ର ସ୍ଳଟ୍ ରହିଛି। ଏହାର ତଳଭାଗର କୋଣଗୁଡ଼ିକରେ ଛୋଟ ସିଲିକନ୍ ପଟି ରହିଛି ଯଦ୍ଦ୍ବାରା ଏହା ରହିଥିବା ପୃଷ୍ଠତଳକୁ ଦୃଢ଼ ଭାବରେ ଜାବୁଡ଼ି ରଖିପାରିବ। ମାତ୍ର ୬୪୦ ଗ୍ରାମ୍ ଓଜନର ଏହି କି’ବୋର୍ଡରେ ଏକ ୟୁଏସ୍‌ବି ସଂଯୋଗ ସ୍ଲଟ୍ ରହିଛି ଏବଂ ତାହାକୁ ସକ୍ରିୟ କରିବା ଲାଗି ଏକ ସ୍ବତନ୍ତ୍ର ଟଗଲ୍ କି’ ମଧ୍ୟ ରହିଛି। ଏହାର କି’ଗୁଡ଼ିକ ଉତ୍ତମ ଆକାରର ହୋଇଥିବାରୁ ସେଥିରେ ଟାଇପ୍ କରିବା ସୁଗମ ହୋଇପାରୁଛି। ଆଣ୍ଡ୍ରଏଡ୍, ଆଇଓଏସ୍ ଓ ଵିଣ୍ଡୋଜ୍ ଆଦି ଯନ୍ତ୍ରାଂଶରେ ବ୍ୟବହାରଯୋଗ୍ୟ ଏହି ‘ବବଲ୍ ସ୍କୋୟାର୍’ରେ ଖଚିତ ଏକମାତ୍ର ଏଏଏ ବ୍ୟାଟେରିଟି ପାଖାପାଖି ବର୍ଷେ ଯାଏ କାମ କରିବ ବୋଲି କମ୍ପାନି ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe