ଗତ ଗୁରୁବାର ପ୍ରମୁଖ ଫୋନ୍ ନିର୍ମାତା ସାମସଙ୍ଗ୍ କମ୍ପାନି ପକ୍ଷରୁ ନୂତନ ସ୍ମାର୍ଟ ଫୋନ୍ ‘ଗାଲାକ୍ସି ଏସ୍୨୫ ଏଫ୍ଇ’ ଉନ୍ମୋଚନ କରିଛି। ସାମସଙ୍ଗ୍ର ଏହି ନୂତନ ଗାଲାକ୍ସି ଫୋନ୍ ଆଣ୍ଡ୍ରଏଡ୍ ୧୬ ଉପରେ ଆଧାରିତ ହୋଇଥିବା ବେଳେ ଏହାକୁ ଶକ୍ତି ଦେବା ପାଇଁ ଏକ୍ସିନସ୍ ୨୪୦୦ ଏସ୍ଓସି ଚିପସେଟ୍ ବ୍ୟବହୃତ ହୋଇଛି। ଏଥି ସହିତ କମ୍ପାନି ମଧ୍ୟ ୭ଟି ଓଏସ୍ ଅପଗ୍ରେଡ୍ର ପ୍ରତିଶ୍ରୁତି ଦେଇଛି। ଡିଜାଇନ୍ ଦୃଷ୍ଟିରୁ କମ୍ପାନି ଏଥିରେ ଅଧିକ ପରିବର୍ତ୍ତନ କରିନାହିଁ, କିନ୍ତୁ ଏହାର କଳେବର ଏସ୍୨୪ ଏଫ୍ଇ ସଂସ୍କରଣ ଅପେକ୍ଷା ଟିକେ ପତଳା।
ଏହାର ୬.୭ ଇଞ୍ଚ ବିଶିଷ୍ଟ ଫୁଲ୍ଏଚ୍ଡି+ ଡାଇନାମିକ୍ ଆମୋଲେଡ୍ ପରଦାର ରିଫ୍ରେସ ହାର ୧୨୦ ହର୍ଜ ଓ ସର୍ବାଧିକ ବ୍ରାଇଟ୍ନେସ୍ ୧,୯୦୦ ନିଟ୍ସ। ପରଦାଟି କର୍ଣ୍ଣିଂ ଗରିଲା ଗ୍ଲାସ୍ ଭିକ୍ଟସ୍+ ଦ୍ବାରା ସୁରକ୍ଷିତ। ଏଥିରେ ଖଚିତ ଏକ ଟ୍ରିପଲ୍ କ୍ୟାମେରା ପ୍ରଣାଳୀରେ ୫୦ ମେଗାପିକ୍ସେଲ୍ର ପ୍ରାଥମିକ ସେନ୍ସର୍, ୮ ମେଗାପିକ୍ସେଲ୍ର ଟେଲିଫୋଟୋ ଲେନ୍ସ ଏବଂ ୧୨ ମେଗାପିକ୍ସେଲ୍ର ଅଲ୍ଟ୍ରା-ୱାଇଡ୍ ଲେନ୍ସ ରହିଛି। ଏହାର ୪,୯୦୦ ଏମ୍ଏଏଚ୍ର ବ୍ୟାଟେରି ପ୍ୟାକ୍ ୪୫ ଵାଟ୍ର ଫାଷ୍ଟ ଚାର୍ଜିଂକୁ ସମର୍ଥନ କରେ। ଚଳିତ ମାସ ଶେଷ ଭାଗ ଆଡ଼କୁ ଉପଲବ୍ଧ ହେବାକୁ ଥିବା ‘ଗାଲାକ୍ସି ଏସ୍୨୫ ଏଫ୍ଇ’ର ୮ଜିବି ରାମ୍ ଓ ୧୨୮ ଜିବି ମେମୋରି ବିଶିଷ୍ଟ ସଂସ୍କରଣର ଦାମ୍ ୬୨,୯୯୯ ଏବଂ ୮ ଜିବି ରାମ୍ ଓ ୨୫୬ ଜିବି ମୋମୋରି ଭାରିଆଣ୍ଟ୍ର ମୂଲ୍ୟ ୬୮,୯୯୯ ଟଙ୍କା ରହିବ ବୋଲି ଆଶା କରାଯାଉଛି।
Follow Us