ଭାରତୀୟ ଗ୍ୟାଜେଟ୍ କମ୍ପାନି ନଏଜ୍ ପକ୍ଷରୁ ତାହାର ସଦ୍ୟତମ ସ୍ମାର୍ଟଵାଚ୍ ‘ନଏଜଫିଟ୍ ଜାଭେଲିନ୍’ର ବଜାର ପ୍ରବେଶ କରାଯାଇଛି। ଗତ ଜୁନ୍ ମାସରେ କମ୍ପାନି ‘ନଏଜଫିଟ୍ ଅରିଜିନ୍’ ନାମକ ତାହାର ପ୍ରଥମ ସ୍ମାର୍ଟଵାଚ୍ ବଜାରକୁ ଛାଡ଼ିଥିଲା। ଆମାଜନ୍ ଓ ମିନ୍ତ୍ରା େଵବ୍ସାଇଟ୍ରେ ଉପଲବ୍ଧ କମ୍ପାନିର ଏହି ଦ୍ବିତୀୟ ଉତ୍ପାଦର ବଜାରମୂଲ୍ୟ ୩,୯୯୯ ଟଙ୍କା ରହିଛି। ନୀଳ ରଙ୍ଗରେ ମିଳୁଥିବା ଏହି ହାତଘଡ଼ିର ୪୬୬x୪୬୬ ପିକ୍ସେଲ ରିଜୋଲ୍ୟୁସନ ବିଶିଷ୍ଟ ଏକ ୧.୪୬ ଇଞ୍ଚର ଆମୋଲେଡ୍ ପରଦା ସାଙ୍ଗକୁ ଏକ ବୃତ୍ତାକାର ଧାତବ ଡାଏଲ ରହିଛି ଯହିଁରେ ଏକ ଘୂର୍ଣ୍ଣାୟମାନ କ୍ରାଉନ୍ ରହିଛି। ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଉପକରଣ ସହ କାମ କରୁଥିବା ଏହି ଘଣ୍ଟାର ଏକ ଚୁମ୍ବକୀୟ ଚମଡ଼ା ଫିତା ରହିଛି।
ଏଥିରେ ଶହେରୁ ଅଧିକ ସ୍ପୋର୍ଟସ୍ ମୋଡ୍, ବ୍ଲୁଟୁଥ୍ କଲିଂ ଓ ଶତାଧିକ କ୍ଲାଉଡ୍ଭିତ୍ତିକ ଵାଚ୍ଫେସ୍ ପରି ବୈଶିଷ୍ଟ୍ୟ ରହିଛି। ଅନ୍ୟ ସ୍ମାର୍ଟ ଵାଚ୍ ପରି ଏଥିରେ ହୃତ୍ସ୍ପନ୍ଦନ, ରକ୍ତରେ ଅମ୍ଳଜାନ ପରିମାଣ ମାପିବା ସହ ନିଦ୍ରା ଓ ଶ୍ବାସକ୍ରିୟା ନିରୀକ୍ଷଣ ବ୍ୟବସ୍ଥା ସାଙ୍ଗକୁ ଏକ ବିଲ୍ଟ-ଇନ୍ କାଲକୁଲେଟର, ମ୍ୟୁଜିକ୍ କଣ୍ଟ୍ରୋଲର ଓ ଆଲାର୍ମ ବ୍ୟବସ୍ଥା ମଧ୍ୟ ରହିଛି। ସବୁଠୁ ଆକର୍ଷଣୀୟ ବିଶେଷତ୍ବ ହେଲା ମାତ୍ର ଦୁଇ ଘଣ୍ଟାରେ ସଂପୂର୍ଣ୍ଣ ଚାର୍ଜ ହେଉଥିବା ଏହାର ବ୍ୟାଟେରିକୁ ଥରେ ଚାର୍ଜ କଲେ ତାହା ସାତ ଦିନ ଯାଏ କାମ କରିପାରିବ ଏବଂ ଏହାର ଷ୍ଟାଣ୍ଡବାଏ ସମୟ ହେଉଛି ୩୦ ଦିନ। ନିରାପତ୍ତା ପାଇଁ ଏଥିରେ ଏସ୍ଓଏସ୍ ବ୍ୟବସ୍ଥା ମଧ୍ୟ ରହିଛି। ଆଇପି୬୮ ରେଟିଂ ଏହାକୁ ଜଳକଣା ଓ ଧୂଳିରୁ ସୁରକ୍ଷିତ ରଖିପାରିବ। ଏହି ସୀମିତ ସଂସ୍କରଣର ସ୍ମାର୍ଟଵାଚ୍ ପଛପଟେ ଘଡ଼ିର କ୍ରମିକ ନମ୍ବର ସହିତ କ୍ରୀଡ଼ାବିତ୍ ନୀରଜ ଚୋପ୍ରାଙ୍କ ସ୍ବାକ୍ଷର ରହିଛି।
Follow Us