ଗନ୍ଧମାର୍ଦ୍ଦନ ପର୍ବତ

ଗନ୍ଧମାର୍ଦ୍ଦନ ପର୍ବତ

ଶାଳ୍ମଳୀ, ଦେଓମାଳି, ମଳୟଗିରି, ମହେନ୍ଦ୍ରଗିରି, ଦେବଗିରି, ନିୟମଗିରି, ଲାଙ୍ଗୁଳି, ଆମ୍ବପାଣି, ଗୁଡ଼ହାଣ୍ଡି ଆଦି ଅଜସ୍ର ପର୍ବତମାଳାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓଡ଼ିଶାକୁ ଯେପରି ସୌନ୍ଦର୍ଯ୍ୟ ବିମଣ୍ଡିତ କରିଛି, ସେହିପରି ପୁରାଣ, ମହାପୁରାଣମାନଙ୍କର ଆଖ୍ୟାୟିକାରେ ବର୍ଣ୍ଣିତ ହୋଇ ଓଡ଼ିଶାକୁ କରିଛି ମହିମାମୟ। ସେମାନଙ୍କ ମଧ୍ୟରେ ରହିଛି ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ। ରାମାୟଣରେ ଗନ୍ଧମାର୍ଦ୍ଦନ ପର୍ବତ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ରାମାୟଣର ବର୍ଣ୍ଣନା ଅନୁସାରେ, ଔଷଧୀୟ ବୃକ୍ଷଲତାରେ ପରିପୂର୍ଣ୍ଣ ଗନ୍ଧମାର୍ଦ୍ଦନ ଗିରି ହିମାଳୟରେ ଅବସ୍ଥିତ ହୋଇଥିଲା ବେଳେ, ନାନା ଔଷଧୀୟ ବୃକ୍ଷଲତାରେ ପରିପୂର୍ଣ୍ଣ ଓଡ଼ିଶାର ଗନ୍ଧମାର୍ଦ୍ଦନ ଏହା ସହିତ ଏକ ମଧୁର ସଂପର୍କ ଯୋଡ଼ିଥାଏ।

କଥିତ ଅଛି, ହନୁମାନ ଯେତେବେଳେ ସୁଶେଷଣଙ୍କ ନିର୍ଦ୍ଦେଶରେ ଗନ୍ଧମାର୍ଦ୍ଦନ ପର୍ବତକୁ ସଂଜୀବନୀ ସନ୍ଧାନରେ ଗଲେ, କେଉଁଟି ସଂଜୀବନୀ ଲତା ଜାଣି ନପାରି ସମଗ୍ର ଗନ୍ଧମାର୍ଦ୍ଦନଙ୍କୁ ଉଠାଇ ଲଙ୍କା ନେଇଗଲେ। ସେତେବେଳେ ସେଥିରୁ କିଛି ଅଂଶ ଓଡ଼ିଶାର ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ସୀମାରେ ଖସି ପଡ଼ିଥିଲା; ଯାହା ବର୍ତ୍ତମାନର ଗନ୍ଧମାର୍ଦ୍ଦନ ଗିରି। ଏପରି କୁହାଯିବାର ପ୍ରମୁଖ କାରଣ ହେଉଛି, ଏହି ପର୍ବତରେ ରହିଛି ଅସଂଖ୍ୟ ଔଷଧୀୟ ବୃକ୍ଷ। ପ୍ରାୟ ଦୁଇଶହ ଷାଠିଏ ପ୍ରକାର ଔଷଧୀୟ ଗୁଳ୍ମ ଓ ପ୍ରାୟ ପାଞ୍ଚଶହରୁ ଅଧିକ ଔଷଧୀୟ ବୃକ୍ଷ ଏଠାରେ ଦେଖାଯାଏ। ସେଥିରୁ ଏଠାରେ ଥିବା ଜନଜାତିମାନେ ଔଷଧ ପ୍ରସ୍ତୁତ କରୁଥିଲେ। ସଂପ୍ରତି ବହୁ ଆୟୁର୍ବେଦୀୟ ସଂସ୍ଥାନ ଏଠାରୁ ଜଡ଼ିବୁଟି ସଂଗ୍ରହ କରି ଔଷଧ ପ୍ରସ୍ତୁତ କରୁଛନ୍ତି।
ଏହି ପର୍ବତର ବଲାଙ୍ଗୀର ପଟରେ ରହିଛି ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ହରିଶଙ୍କର ମନ୍ଦିର ଏବଂ ବରଗଡ଼ ପଟକୁ ରହିଛି ନୃସିଂହନାଥ ମନ୍ଦିର। ଏହାର ମଧ୍ୟବର୍ତ୍ତୀ ସ୍ଥାନରେ କେତେକ ବୌଦ୍ଧକାଳୀନ ଭାସ୍କର୍ଯ୍ୟର ଭଗ୍ନାବଶେଷ ଦେଖିବାକୁ ମିଳେ। ଗବେଷକମାନଙ୍କ ମତରେ, ଏଠାରେ ବୌଦ୍ଧକାଳୀନ ପରିମଳଗିରି ବିଶ୍ୱବିଦ୍ୟାଳୟ ଥିଲା। ହରିଶଙ୍କରରେ ଶିବ ଓ ବିଷ୍ଣୁ ପୂଜା ପାଉଥିବା ବେଳେ, ନୃସିଂହନାଥରେ ନୃସିଂହଙ୍କର ସିଂହବିଡ଼ାଳ ମୂର୍ତ୍ତି ପୂଜିତ। ନୃସିଂହ ଚତୁର୍ଦ୍ଦଶୀରେ ଏଠାରେ ଏକ ବିରାଟ ମେଳା ଅନୁଷ୍ଠିତ ହୋଇଥାଏ। ନୃସିଂହନାଥ ଓ ହରିଶଙ୍କରର ଝରଣା ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ସଂପ୍ରତି ଏହା ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମର୍ଯ୍ୟାଦା ପାଇଛି। କୁହାଯାଏ, କଳିଯୁଗରେ ହନୁମାନଙ୍କର ଏହା ନିତ୍ୟନିବାସ।
-ଡକ୍ଟର ତୁଳସୀ ଓଝା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe