ନୂଆଦିଲ୍ଲୀ: ଆମ ଦେଶ ଭାରତ ଯେ କଳା ଓ ନିପୁଣତାର ଏକ ଗନ୍ତାଘର ଏହା କହିବା ବାହୁଲ୍ୟ । ଏଠି କୋଣଅନୁକୋଣରେ, ପଲ୍ଲୀଠାରୁ ଦିଲ୍ଲୀ, ସବୁଠି ଅଛନ୍ତି କଳାପ୍ରତିଭା। ସେମାନଙ୍କୁ ଚିହ୍ନି ଆଗକୁ ଆଣି ପାରିଲେ ଦେଶ ପାଇଁ ଗୌରବ ଅର୍ଜନ କରିବାକୁ ସେମାନେ ଆଦୌ ସମୟ ନିଅନ୍ତି ନାହିଁ। ନିକଟରେ ରାସ୍ତା ଉପରେ ‘ପିୟା ତୋସେ ନୈୖନା ଲାଗେରେ...’ ଗୀତ ଗାଉଥିବା ଜଣେ ଝିଅର ଭିଡିଓ ଭାଇରାଲ୍ ହୋଇଛି। ଝିଅଟିର କଣ୍ଠସ୍ବର ଶୁଣି ଆପଣ ପ୍ରଶଂସା ନକରି ସ୍ଥିର ବସିପାରିବେ ନାହିଁ। ତାହାକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି ଆଇଏଏସ୍ ଅଧିକାରୀ ଅଶ୍ବିନୀ ସରଣ।
ଗତକାଲି ଟ୍ବିଟର୍ରେ ସେୟାର ହୋଇଥିବା ଏହି ଭିଡିଓଟିର ଏବେ ସୁଦ୍ଧା ୫ ଲକ୍ଷ ଭିୟୁ ହୋଇ ସାରିଲାଣି। ଦେଖିବାକୁ ମିଳିଛି ଯେ ଏହି ଗାୟିକା ଜଣକ ଗୀତ ଗାଉ ଗାଉ ଭାବପ୍ରବଣ ହୋଇ କାନ୍ଦି ପକାଉଛନ୍ତି। ଜାଣିବାକୁ ମିଳିଛି ଯେ ସେ ଏକ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇ ଅସଫଳ ହେବା ପରେ ବାହାରେ ତାଙ୍କୁ ଗଣାମାଧ୍ୟମ ପ୍ରତିନିଧି ଗୀତ ଗାଇବାକୁ କହିଛନ୍ତି। ସେ ଗୀତଟିକୁ ଅତି ସୁନ୍ଦର ଭାବେ ଗାଇ ସଭିଁଙ୍କୁ ମନ୍ତ୍ରମୁଗ୍ଧ କରାଇଥିବା ସହ ନିଜେ ଭାବପ୍ରବଣ ହୋଇ ପଡ଼ିଛନ୍ତି।
ପ୍ରତିଯୋଗିତାରେ ଅସଫଳ ହୋଇ ଫେରିଥିବା ଏହି ଗାୟିକାଙ୍କ କଣ୍ଠସ୍ବର କେବଳ ଆଇଏଏସ୍ ଅଶ୍ବିନୀ ସରଣଙ୍କୁ ନୁହେଁ, ବହୁ ସୋସିଆଲ୍ ମିଡିଆ ବ୍ୟବହାକାରୀଙ୍କୁ ପସନ୍ଦ ଆସିଛି। ଏହି ପ୍ରତିଭାଙ୍କୁ ସୁଯୋଗ ଦେବା ଉଚିତ ବୋଲି ସୋସିଆଲ୍ ମିଡିଆ ବ୍ୟବହାରକାରୀ ସେମାନଙ୍କ କମେଣ୍ଟ୍ରେ ଲେଖିଛନ୍ତି। ଆପଣ ବି ନିଜର ମତ ରଖନ୍ତୁ। ବାସ୍ତବରେ କ’ଣ ଏହି ଗାୟିକାଙ୍କୁ ରିଜେକ୍ଟ କରାଯିବା ଉଚିତ ? ନା ଆଉ ଏକ ସୁଯୋଗ ଦେବା ଦରକାର?
Follow Us