ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା

Advertisment

ଜଗତସିଂହପୁର ଜିଲ୍ଲା ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳା ଠାକୁରାଣୀଙ୍କ ପୀଠର ସ୍ବତନ୍ତ୍ର ପ୍ରସିଦ୍ଧି ରହିଛି। କିଂବଦନ୍ତି ଅନୁଯାୟୀ, ସତ୍ୟଯୁଗରେ କୃପାଜଳ ନାମକ ଜଣେ ଋଷି କଠୋର ତପସ୍ୟା କରି ବ୍ରହ୍ମାପଦ ଲାଭ କରିଥଲେ।

ଜଗତସିଂହପୁର ଜିଲ୍ଲା ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳା ଠାକୁରାଣୀଙ୍କ ପୀଠର ସ୍ବତନ୍ତ୍ର ପ୍ରସିଦ୍ଧି ରହିଛି। କିଂବଦନ୍ତି ଅନୁଯାୟୀ, ସତ୍ୟଯୁଗରେ କୃପାଜଳ ନାମକ ଜଣେ ଋଷି କଠୋର ତପସ୍ୟା କରି ବ୍ରହ୍ମାପଦ ଲାଭ କରିଥଲେ।

hfkhfhkhhkhkhk

ଝଙ୍କଡ଼: ଜଗତସିଂହପୁର ଜିଲ୍ଲା ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳା ଠାକୁରାଣୀଙ୍କ ପୀଠର ସ୍ବତନ୍ତ୍ର ପ୍ରସିଦ୍ଧି ରହିଛି। କିଂବଦନ୍ତି ଅନୁଯାୟୀ, ସତ୍ୟଯୁଗରେ କୃପାଜଳ ନାମକ ଜଣେ ଋଷି କଠୋର ତପସ୍ୟା କରି ବ୍ରହ୍ମାପଦ ଲାଭ କରିଥଲେ। ସେହି କୃପାଜଳ ବ୍ରହ୍ମା ଝଙ୍କଡ଼ ପୀଠରେ ବାଣୀ ବୈକୁଣ୍ଠ ସର୍ଜନା କରି ମା’ ସରସ୍ୱତୀଙ୍କୁ କନ୍ୟା ରୂପରେ ପାଇବା ପାଇଁ ତପସ୍ୟା କରିଥିଲେ। ମା’ ସରସ୍ୱତୀ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ, ମାଘ ମାସ ଶୁକ୍ଳ ପକ୍ଷ ଶ୍ରୀପଞ୍ଚମୀ ତିଥିରେ ତାଙ୍କ ଆଶ୍ରମରେ ଆବିର୍ଭୂତା ହୋଇଥିଲେ। ତେଣୁ ମା’ ସାରଳାଙ୍କୁ କୃପାଜଳ ନନ୍ଦିନୀ, କୃପାଜଳ ଦୁହିତା ଓ କୃପାଜଳ ସୂତା ବୋଲି ସାରଳା ଦାସ ତାଙ୍କ ରଚିତ ମହାଭାରତରେ ବର୍ଣ୍ଣନା କରିଛନ୍ତି। ମହିଷାସୁର ଆକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତ ଦେବଦେବୀ ଏହି ଝଙ୍କଡ଼ପୀଠକୁ ଆସି ମା’ଙ୍କୁ ପ୍ରାର୍ଥନା କରିବା ପରେ ଦେବୀ ସେମାନଙ୍କୁ ବିନ୍ଧ୍ୟାଚଳରେ ନିଜ ନିଜର ନେତ୍ରାଗ୍ନିରୁ ଯଜ୍ଞ କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ମହିଷାସୁରକୁ ବଧ କରିବା ପୂର୍ବରୁ ମା’ ଗୋଟିଏ ମୁଗୁନି ପ୍ରସ୍ତରରେ ଶରମୁନରେ ମହିଷା ମୁକ୍ତିର ଏକ ଚିତ୍ର ଅଙ୍କନ କରିଥିଲେ। ଦେବଗଣଙ୍କ ଯଜ୍ଞରୁ ମା ଆବିର୍ଭୂତ ହୋଇ ମହିଷା ନିଧନ କରିଥିଲେ ସତ, ମାତ୍ର ଦେବୀଙ୍କ ସ୍ୱହସ୍ତାଙ୍କିତ ଚିନ୍ମୟଶିଳାଟି ଏଠାରେ ପଡ଼ି ରହିଥିଲା। କାଳକ୍ରମେ ତା ଉପରେ ଗୁପ୍ତଚନ୍ଦ୍ରଭାଗା ନଦୀର ପଟୁମାଟି ଚଢ଼ି ଯାଇଥିଲା। 

ତ୍ରେତୟା ଯୁଗରେ ଭଗବାନ ପର୍ଶୁରାମ ତୀର୍ଥାଟନ ସମୟରେ ଏଠାରେ ପହଞ୍ଚି ଗୋଟିଏ ବରଗଛ ମୂଳେ ନିଜର ବରାଙ୍ଗୁ ଧନୁକୁ ରଖିଦେଇ ନଦୀକୁ ଯାଇ ସ୍ନାନ ତର୍ପଣ ସାରି ଦେଖିଲେ ଯେ ଯେଉଁ ଧନୁର ଗୁରୁଭାର ପୃଥିବୀ ସହ୍ୟ କରି ନପାରି ଦ୍ୱାଦଶାଙ୍ଗୁଳ ନିମ୍ନଗାମୀ ହୁଏ, ସେହି ଧନୁ ଭୂମିକୁ ସ୍ପର୍ଶ ନକରି ଶୂନ୍ୟରେ ରହିଛି। ତେଣୁ ସେ ଭୂମିକୁ ଖନନ କରି ସେଠାରୁ ଯେଉଁ ଶିଳା ମୂର୍ତ୍ତିଟି ଉଦ୍ଧାର କଲେ ତାହାଙ୍କୁ ସେହି ବରଗଛ ମୂଳେ ସ୍ଥାପନ କରି ପୂଜାର୍ଚ୍ଚନା କଲେ। ଶର ମୁନରେ ଅଙ୍କିତା ଓ ଆବିଷ୍କୃତା ହୋଇଥିବାରୁ ତାଙ୍କର ନାମ ହେଲା ସାରଳା। ଏଠି ତ୍ରିବୀଜାତ୍ମକ ମନ୍ତ୍ରରେ ମା’ଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ତୁଳସୀ ଓ ବେଲପତ୍ର ମା’ଙ୍କ ପୂଜାରେ ଏକତ୍ର ବ୍ୟବହାର ହେଉଥିବାରୁ ମା’ ଏକାଧାରରେ ପରମବୈଷ୍ଣବୀ ଓ ନିତ୍ୟ ଚଣ୍ଡି ସ୍ୱରୂପିଣୀ। ପ୍ରତିଦିନ ମା’ଙ୍କ ମାର୍ଜନା ପରେ ସର୍ବ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ସମର୍ପଣ କରାଯାଇଥିବା ବେଳେ, ପ୍ରତି ଏକାଦଶୀ ତିଥିରେ ସନ୍ଧ୍ୟା ସମୟରେ ମା’ଙ୍କୁ ଶ୍ରୀ ଜଗନ୍ନାଥଙ୍କ ବେଶରେ ସଜ୍ଜିତ କରାଯାଇଥାଏ। 

ମହାଷ୍ଟମୀରେ ସନ୍ଧି ପୂଜା, ମହା ନବମୀରେ ନିଶବ୍ଦ ପୂଜା

ଶାରଦୀୟ ପାର୍ବଣରେ ଆଶ୍ବୀନ କୃଷ୍ଣପକ୍ଷ ମୂଳାଷ୍ଟମୀରୁ ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ପାଳିତ ହୁଏ। ଏହି ସମୟରେ ପ୍ରଥମ ପ୍ରହର ଧୂପ ପରେ ବଡସିଂହାର, ଷୋଡ଼ଶ ଉପଚାର ପୂଜା ଓ ଦ୍ବିତୀୟ ପ୍ରହର ଧୂପ ପରେ ପହୁଡ଼ ପଡିଥାଏ। ଅପରାହ୍ଣରେ ପୁନଶ୍ଚ ପହୁଡ଼ ଖୋଲାଯାଇ ମାର୍ଜନା ସରିବା ପରେ ସନ୍ଧ୍ୟା ଆରତୀ ବେଶଦର୍ଶନ ହୁଏ। ଆରତୀ ପରେ ନାଟ୍ୟ ମଣ୍ଡପରେ ପୁରାଣପଣ୍ଡାଙ୍କ ଦ୍ୱାରା ସାରଳା ଦାସଙ୍କ ବିରଚିତ ଚଣ୍ଡୀ ପୁରାଣ ପାଠ କରା ଯାଇଥାଏ। ପ୍ରଥମ ପ୍ରହର ଧୂପ ପରେ ବଡ଼ସିଂହାର, ଚଣ୍ଡୀଧୂପ ଓ ରାତ୍ର ୯ଟାରେ ସମ୍ପୂର୍ଣ୍ଣ ସୁନାବେଶରେ ସ୍ୱଳ୍ପ ସମୟ ପାଇଁ ମା’ ଦର୍ଶନ ଦେଇଥାନ୍ତି। ଏହି ଅବସରରେ ବଡ଼ ମଣ୍ଡାପିଠା ମା’ଙ୍କୁ ଭୋଗ ଲାଗି କରାଯାଇଥାଏ। ନବପତ୍ରିକା ଠାରୁ ମା’ଙ୍କର ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ଦାଣ୍ଡଯାତ୍ରା ବା ନଗର ପରିକ୍ରମା କରାଯାଏ।

ମହାଷ୍ଟମୀ ଦିନ ରାତି ୩ଟା ବେଳକୁ ମନ୍ଦିର ସୌଧ କରାଯାଇ ସନ୍ଧିପୂଜା ଆରମ୍ଭ ହୋଇ ପ୍ରାତଃ ସମୟରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ ସହିତ ସନ୍ଧିପୂଜା ଶେଷ ହୁଏ। ନବମୀ ଦିନ ବିଶ୍ରାମ ଯୋଗୁଁ ମନ୍ଦିରର ସମ୍ମୁଖଦ୍ୱାର ବନ୍ଦ ରୁହେ। ଦକ୍ଷିଣ ପଶ୍ଚିମ ଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିଥାନ୍ତି। ସମସ୍ତ ନୀତିକାନ୍ତି ଚାଲିଲେ ବି ଘଣ୍ଟଘଣ୍ଟା, କାହାଳୀ ବାଜେ ନାହିଁ, ନିଶବ୍ଦ ପୂଜା କରାଯାଏ। ଦଶହରା ଦିନ ସମାର୍ଜନୀ କଳସ ଶୋଭାଯାତ୍ରା ବେଢ଼ା ପରିକ୍ରମା କରିବା ପରେ ଚନ୍ଦନ ପୁଷ୍କରିଣୀରେ ବିସର୍ଜନ ସହ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe