ଦିନକୁ ଦିନ ଲୋକଙ୍କର ଖର୍ଚ୍ଚ କରିବାର କ୍ଷମତା ବଢ଼ିବା ସହିତ ଅବିଶ୍ବସନୀୟ ମୂଲ୍ୟର ଖାଦ୍ୟ ଓ ପାନୀୟ ମଧ୍ୟ ମିଳିବାରେ ଲାଗିଛି। ଏହି କ୍ରମରେ ଲକ୍ଷ୍ନୌର ଏକ ସମ୍ଭ୍ରାନ୍ତ ଜଳଖିଆ ଦୋକାନ (କାଫେ)ରେ ମିଳୁଥିବା ଦେଶର ସବୁଠୁ ଲୋକପ୍ରିୟ ପାନୀୟ ଚା’ର ଏକ ସ୍ବତନ୍ତ୍ର ସଂସ୍କରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ‘୨୪ କାରାଟ ସୁବର୍ଣ୍ଣ ଚା’ ନାମରେ ଲୋକପ୍ରିୟ ହୋଇଥିବା ଏହି ପାନୀୟ ତାହାର ମୂଳ ରୂପକୁ ଏକ ଭିନ୍ନ ସ୍ବାଦରେ ପରଷୁଛି। ଉକ୍ତ କାଫେରେ ଉପଲବ୍ଧ ଏହି ନୂତନ ଧରଣର ଚା’ରେ ୨୪ କାରାଟ ସୁନା ପାତିଆ ପଡୁଛି ଯାହା ଚା’ର ରଙ୍ଗ ଓ ସ୍ବାଦକୁ ନିଆରା ତଥା ଆକର୍ଷଣୀୟ କରିପାରୁଥିବା କାଫେ ତରଫରୁ ଦାବି କରାଯାଇଛି। ଲକ୍ଷ୍ନୌର ଜଣେ ଖାଦ୍ୟପ୍ରେମୀ ନିଜ ଇନ୍ଷ୍ଟାଗ୍ରାମ୍ରେ ଛାଡ଼ିଥିବା ଏକ ଭିଡିଓ କ୍ଲିପିଂରୁ ଉକ୍ତ ‘୨୪ କାରାଟ ସୁବର୍ଣ୍ଣ ଚା’ର ପ୍ରସ୍ତୁତି ସମ୍ପର୍କରେ ସମ୍ୟକ ଧାରଣା ମିଳିପାରୁଛି।
ପ୍ରଥମେ ଜଣେ ଚା’ବାଲା ମଗ୍ ଭିତରେ ଥିବା ସାଧାରଣ କ୍ଷୀର ଚା’କୁ ଏକ କପ୍ରେ ଢାଳୁଥିବା ଦେଖାଯାଇଛି। ତା’ପରେ ସେଥିରେ କିଛି ମଲାଇ ମିଶାଇବା ପରେ ଚା’ ସ୍ତର ଉପରେ ଯତ୍ନର ସହିତ ଖଣ୍ଡେ ସୁନା ପାତ ଛଡ଼ାଯାଉଛି। ଏହା ପରେ ସୁବର୍ଣ୍ଣପାତଯୁକ୍ତ ଚା’କୁ ଗରାଖଙ୍କୁ ପରଷାଯାଉଛି। ୨୪ କାରାଟ ସୁନା ପରି ଦାମୀ ଉପାଦାନ ବ୍ୟବହାର କରାଯାଉଥିବା କାରଣରୁ ସ୍ବାଭାବିକ ଭାବେ ଏହି ଚା’ର ଦର ସାଧାରଣଠାରୁ ବହୁଗୁଣ ଅଧିକ ରହିଛି। ଏଠାରେ ଚା’ କପ୍ ପିଛା ୧୫୦ ଟଙ୍କା ନିଆଯାଉଛି। ଏହି ଦାମୀ ଚା’ ବାବଦରେ କିଛି ଗ୍ରାହକ ନକାରାତ୍ମକ ଟିପ୍ପଣୀ କରିଥିବା ବେଳେ ଏଥି ପ୍ରତି ଆକୃଷ୍ଟ ହେଉଥିବା ସୀମିତ ଗରାଖଙ୍କ ପାଇଁ ଏହି ଅଭିନବ ଚା’ ପ୍ରସ୍ତୁତି ଜାରି ରହିବ ବୋଲି କାଫେ ପକ୍ଷରୁ କୁହାଯାଇଛି।
Follow Us