ବିସ୍ମୃତି ଗର୍ଭରେ ଗୋପୀବାବୁଙ୍କ ଗାଁ

ମାଟି ମା’ର ଅସଜଡ଼ା ପଣତ ତଳେ ଭାଦ୍ରବର ଲଘୁଚାପଜନିତ ଲଗାଣ ବର୍ଷା ଘନେଇ ଆସୁଥିଲା। କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ଛକର ବାମ ପାର୍ଶ୍ବରେ ଯେଉଁ ପିଚୁ ସଡ଼କଟି ତରଳ କଫି ପରି ଗଡ଼ିଯାଇଛି ଶଙ୍ଖତ୍ରାସ ଆଡ଼କୁ...

gjdggdjdj

ମାଟି ମା’ର ଅସଜଡ଼ା ପଣତ ତଳେ ଭାଦ୍ରବର ଲଘୁଚାପଜନିତ ଲଗାଣ ବର୍ଷା ଘନେଇ ଆସୁଥିଲା। କଟକ-ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ଛକର ବାମ ପାର୍ଶ୍ବରେ ଯେଉଁ ପିଚୁ ସଡ଼କଟି ତରଳ କଫି ପରି ଗଡ଼ିଯାଇଛି ଶଙ୍ଖତ୍ରାସ ଆଡ଼କୁ, ସେଇ ବାଟରେ ସୁରଞ୍ଜନ ବାବୁ ଜରିପଡ଼ା ଓ ସଇନ୍ଧା ଗାଁ ଡେଇଁ ଛଅ କି.ମି. ଯିବା ପରେ ପହଞ୍ଚିଲେ ନାଗବାଲି ବଜାର ନିକଟରେ। ବାମପଟେ କାକଟପୁର ବ୍ରାଞ୍ଚ କେନାଲ ଫୁଲି ଉଠି ଆଷାଢ଼ର କେଉଁ ଗିରି ନଦୀର ଭ୍ରମ ସୃଷ୍ଟି କରୁଥିଲା। ମାଛି ଗୋଡ଼ ପରି ଝରୁଥିବା ଭୋଦେଇ ବର୍ଷାର ଅଦଉତି ଭୁଲି ନାଗବାଲି ଗାଁର ମହାନ୍ତି ସାହି ପାଖରେ ପହଞ୍ଚିଲା ବେଳକୁ ଅପରାହ୍‌ଣର ସୂର୍ଯ୍ୟ କାଳିମେଘ ଉହାଡ଼ରେ ମୁହଁ ଲୁଚେଇ ସାରିଥିଲେ। ମଝିରେ ମଝିରେ କାଲୁଆ ପବନ ଖରାହଜା ଗାଁ ଦାଣ୍ଡରେ ତା’ର ଉପସ୍ଥିତି ଜାହିର କରୁଥିଲା। ନାଗବାଲିର ଗାଁ ଛୁଇଁ ବହି ଯାଉଥିଲା ସିଢ଼ୁଆ-କାଠଯୋଡ଼ିର ଏକ ଶାଖା ନଦୀ, କ୍ଷୁଦ୍ର କିନ୍ତୁ ଉତ୍ତାଳ ଓ ଗଭୀର। ସୁରଞ୍ଜନ ବାବୁଙ୍କର ମନେ ପଡୁଥିଲା କବିତାର ପଙ୍‌କ୍ତିଟିଏ-
“ବିତରେ ଅକାତରେ ଜୀବନ ଘନ
ଧନ୍ୟ ଯେ ଦାତା ଜାଣେ ଯାଚକ ମନ
ଚାଳନ୍ତି କୂଳ ଲଂଘି ଗିରି-ସରିତେ
ମତ୍ତ ପାମର ଯଥା ଅଳପ ବିତ୍ତେ
ଗୋଦାବରୀକି ସର୍ବେ କରନ୍ତି ଗତି
ମହତ ଆଶ୍ରା ବିନୁ କାହିଁ ମୁକତି?”
ହେଲେ ସହର କ୍ରମଶଃ ଧସେଇ ପଶି ଆସିଥିବା ନାଗବାଲିରେ ଗୋଟିଏ ବି ଚାଳଘର ଦିଶୁ ନଥିଲା। ଗାଁ କହିଲେ ଯେଉଁଠି କାକରଭିଜା ଘାସ, ଛିଟ ପ୍ରଜାପତି, କଇଁ ଗଡ଼ିଆ, କଅଁଳିଆ କଳମ ନଟି, ଅଦୂରର ନୀଳ ପାହାଡ଼, ତାଳ ବଣ, ବେଣା ପାଟ, କିଆ ଗୋହିରୀ, ବିଲ ମଦରଙ୍ଗା, ବାଡ଼ିର ସଜନା ଓ ନେଉଟିଆ ଶାଗ, ଘଷି ଚାଳିଆ, ଗାଧୁଆ ତୁଠ ଇତ୍ୟାଦି ଥାଏ- ଗାଁ ବୁଲିଲା ପରେ କିଛି ବି ଦୃଷ୍ଟିରେ ପଡ଼ିଲା ନାହିଁ।
କଟକ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ନାଗବାଲି ଗାଁ ହେଉଛି ଓଡ଼ିଆ ସାହିତ୍ୟର ଦୁଇଜଣ ମୂର୍ଦ୍ଧନ୍ୟ ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଓ ଗୋପୀନାଥ ମହାନ୍ତିଙ୍କ ଜନ୍ମସ୍ଥାନ। ହେଲେ ମେଲା ମୁକୁଳା ପଡ଼ିଥିବା କେଇ ହାତ ଡିହ ଖଣ୍ଡିକରେ ଶ୍ୱାନ ଶ୍ୱାପଦଙ୍କ ଉପଦ୍ରବ ଓ ଲତା ଗୁଳ୍ମରେ ପରିପୂର୍ଣ୍ଣ ଥିଲା। ନିଜକୁ ବିଶ୍ୱାସ କରି ପାରୁନଥିଲେ ସୁରଞ୍ଜନ ବାବୁ, ଯିଏ କୋରାପୁଟରେ ଦୀର୍ଘ ବର୍ଷର ରହଣି ଭିତରେ ଜଙ୍ଗଲୀ ମଣିଷର ମନର କଥାକୁ ଏତେ ସୁନ୍ଦର ଭାବରେ ବଖାଣି ପାରିଥିଲେ, ଏତେ ଦରଦ ଓ ସହାନୁଭୂତି ତାଙ୍କୁ ଦେଖେଇ ପାରିଥିଲେ, ଟିକ୍ରି ଜାନି, ମାଣ୍ଡିଆ ଜାନି ଓ କାଜୋଡ଼ି ପରି ଚରିତ୍ର ସୃଷ୍ଟି କରି କହି ପାରିଥିଲେ ଜୀବନରେ ବଞ୍ଚିବାର ସୁଆଦ ଅଛି, ମରଣ ନାହିଁ- ସେ ଲୋକଟି ତା’ ଗାଁରେ ଏତେ ଅଜଣା, ଯାହାର ସ୍ମୃତି ରକ୍ଷା ପାଇଁ ଗାଁରେ ଆବକ୍ଷ ପ୍ରତିମୂର୍ତ୍ତିଟିଏ ନାହିଁ, ଯିଏ ମାତ୍ର ୨୯ ବର୍ଷ ବୟସରେ ‘ପରଜା’ ଉପନ୍ୟାସ ରଚନା କରି ସାରସ୍ୱତ ଜଗତରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ। ୧୯୫୫ ମସିହାରେ ‘ଅମୃତର ସନ୍ତାନ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ, ୧୯୭୪ରେ ‘ମାଟି ମଟାଳ’ ପାଇଁ ଜ୍ଞାନପୀଠ ଓ ୧୯୮୧ରେ ପଦ୍ମଭୂଷଣ ଉପାଧିରେ ଭୂଷିତ ହୋଇଥିଲେ ଓ ଯିଏ ତାଙ୍କ ଜୀବନକାଳ ଭିତରେ ସର୍ବମୋଟ୍ ୨୪ଟି ଉପନ୍ୟାସ, ୧୧ଟି କ୍ଷୁଦ୍ର ଗଳ୍ପ, ୩ଟି ନାଟକ, ଆତ୍ମଜୀବନୀ, ଲଳିତ ନିବନ୍ଧ ଓ କନ୍ଧ, ଗଦବା ଓ ସଉରା ଜନଜାତିଙ୍କ ଭାଷା ଉପରେ ଅନେକ ପୁସ୍ତକ ରଚନା କରି ସାରସ୍ୱତ ବାଣୀ ଭଣ୍ଡାରକୁ ପୁଷ୍କଳ ଓ ମହିମାମଣ୍ଡିତ କରିଥିଲେ, ସେହି ସାରସ୍ୱତ ସ୍ରଷ୍ଟାଙ୍କ ଜନ୍ମମାଟିରେ ତାଙ୍କର ଜୟନ୍ତୀ କି ଶ୍ରାଦ୍ଧ ସଭାଟିଏ ସଂସ୍କୃତି ବିଭାଗ ତରଫରୁ ପାଳିତ ହୁଏନାହିଁ। କଟକ, ଭୁବନେଶ୍ୱର ଅବା ସୁଦୂର କୋରାପୁଟରେ ମଧ୍ୟ ତାଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ରାସ୍ତାଟିଏ ଏଯାବତ୍ ନାମିତ ହୋଇପାରିନାହିଁ। କେବଳ ଗୋପୀନାଥ ନୁହନ୍ତି ତାଙ୍କର ଜ୍ୟେଷ୍ଠ ଭ୍ରାତା କାହ୍ନୁଚରଣ ମଧ୍ୟ ଜଣେ କୃତବିଦ୍ୟ ସାରସ୍ୱତ ସ୍ରଷ୍ଟା। ‘ହା ଅନ୍ନ’, ‘ତୁଣ୍ଡ ବାଇଦ’, ‘ବାଲିରାଜା’ ପରି ଉପନ୍ୟାସର ସ୍ରଷ୍ଟା ହିସାବରେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି।

ଗୋପୀନାଥଙ୍କ ଉପନ୍ୟାସର ଅନୂଦିତ ସଂସ୍କରଣ ପଢ଼ି ପଣ୍ଡିତ ନେହରୁ ମଧ୍ୟ ଏକ ରୁଚିପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ, ‘ହି ଇଜ୍ ଭେରି ଫଣ୍ଡ ଅଫ୍ ହିଲ୍‌ମେନ୍। ହି ହାଜ୍ ଭେରି ଲିଟିଲ୍ ଟାଇମ୍ ଫର୍ ଅଦର କ୍ଲାସେସ୍ ଅଫ୍ ପିପୁଲ୍। ହି ବିହେଭ୍‌ସ ଆଜ୍ ଇଫ୍ ହି ଇଜ୍ ବର୍ନ ଓନ୍‌ଲି ଫର୍ ଆଦିବାସିଜ୍‌”। ବଙ୍ଗଳାର ପ୍ରଖ୍ୟାତ ଔପନ୍ୟାସିକା ମହାଶ୍ୱେତା ଦେବୀ ୨୮ ଅଗଷ୍ଟ, ୧୯୯୪ ମସିହାରେ ଏକ ସାକ୍ଷାତକାରରେ କହିଥିଲେ, “ଯଦି କେହି ମତେ ପଚାରେ ମୋ’ ମୃତ୍ୟୁ ଯାଏ କେଉଁ ବହି ସାଥିରେ ରଖିବି, ମୁଁ କହିବି, ମୁଁ ଆନନ୍ଦରେ ମୃତ୍ୟୁବରଣ କରିବି ଗୋପୀନାଥଙ୍କ ‘ଅମୃତର ସନ୍ତାନ’ ଉପରେ ଦୁଇ ହାତ ରଖି।”

ଗୋପୀନାଥଙ୍କ ଉପନ୍ୟାସର ଅନୂଦିତ ସଂସ୍କରଣ ପଢ଼ି ପଣ୍ଡିତ ନେହରୁ ମଧ୍ୟ ଏକ ରୁଚିପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ, ‘ହି ଇଜ୍ ଭେରି ଫଣ୍ଡ ଅଫ୍ ହିଲ୍‌ମେନ୍। ହି ହାଜ୍ ଭେରି ଲିଟିଲ୍ ଟାଇମ୍ ଫର୍ ଅଦର କ୍ଲାସେସ୍ ଅଫ୍ ପିପୁଲ୍। ହି ବିହେଭ୍‌ସ ଆଜ୍ ଇଫ୍ ହି ଇଜ୍ ବର୍ନ ଓନ୍‌ଲି ଫର୍ ଆଦିବାସିଜ୍‌”। ବଙ୍ଗଳାର ପ୍ରଖ୍ୟାତ ଔପନ୍ୟାସିକା ମହାଶ୍ୱେତା ଦେବୀ ୨୮ ଅଗଷ୍ଟ, ୧୯୯୪ ମସିହାରେ ଏକ ସାକ୍ଷାତକାରରେ କହିଥିଲେ, “ଯଦି କେହି ମତେ ପଚାରେ ମୋ’ ମୃତ୍ୟୁ ଯାଏ କେଉଁ ବହି ସାଥିରେ ରଖିବି, ମୁଁ କହିବି, ମୁଁ ଆନନ୍ଦରେ ମୃତ୍ୟୁବରଣ କରିବି ଗୋପୀନାଥଙ୍କ ‘ଅମୃତର ସନ୍ତାନ’ ଉପରେ ଦୁଇ ହାତ ରଖି।” ବିଡ଼ମ୍ବନାର ବିଷୟ, କଟକ ସହରଠାରୁ ମାତ୍ର ୧୫ କି.ମି. ଦୂରରେ ଥିବା କଟକ ସଦର ବ୍ଲକ୍ ଅଧୀନରେ ଥିବା ନାଗବାଲି ଏଯାବତ୍ ରାଜସ୍ୱ ଗ୍ରାମର ମାନ୍ୟତା ପାଇନାହିଁ। ଖଣ୍ଡେଇତା ଗ୍ରାମ ପଞ୍ଚାୟତ ଅଧୀନରେ ଏବେ ବି ଏହା ଏକ ପଡ଼ା ଗ୍ରାମ ବା ହାମ୍‌ଲେଟ୍। ଗାଁରେ ସବୁ ସମ୍ପ୍ରଦାୟର ପାଖାପାଖି ୩୦୦ ଘର ଓ ୧୧୦୦ ଭୋଟର ଏବଂ ଦୁଇଟି ପ୍ରାଥମିକ ଓ ମ.ଇ. ବିଦ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ଶନିଶ୍ଚର ଓ ହନୁମାନ ମନ୍ଦିର, ତ୍ରିନାଥ ମନ୍ଦିର, ବାସେଳୀ ଠାକୁରାଣୀ ମନ୍ଦିର, କୋଶଳେଇ ଓ ସାଥୀ ଭଉଣୀ ଗ୍ରାମଦେବତୀ ମନ୍ଦିର, ଜଟିଆବାବା ଟୁଙ୍ଗି ଥିବାରୁ ଧାନଘରପଡ଼ା, ଅରଡ଼, ଶଙ୍ଖତ୍ରାସ, ଖଡ଼ିଛୁଆଁ ଦେଉଳି ପରି ନାଗବାଲିକୁ ଏକ ରାଜସ୍ୱ ଗ୍ରାମର ମାନ୍ୟତା ଦେବାପାଇଁ ସମସ୍ତ କାଗଜପତ୍ର କଟକ ଜିଲ୍ଲାପାଳଙ୍କୁ ଦିଆ ଯାଇଥିଲେ ମଧ୍ୟ, ଏଯାବତ୍ କାର୍ଯ୍ୟକାରୀ ନ ହୋଇଥିବା କଥା କହି ଗୋପୀବାବୁଙ୍କ ବଂଶଧର ଶ୍ରୀ ବିଜନ୍ ନାରାୟଣ ମହାନ୍ତି ଖେଦୋକ୍ତି ପ୍ରକାଶ କରିଥିଲେ।

ଏହି ପ୍ରସଙ୍ଗରେ ସୁରଞ୍ଜନ ବାବୁଙ୍କର ମନରେ ଗୋଟିଏ ବିଷୟ ପ୍ରତିଧ୍ୱନିତ କରୁଥିଲା, ଆମେରିକାର ନ୍ୟୁୟର୍କଠାରୁ ଦେଢ଼ ଶହ କି.ମି. ଦୂର କନେକ୍ଟିକଟ୍ ରାଜ୍ୟ। ଏହି ରାଜ୍ୟର ବଡ଼ ସହର ହାର୍ଟଫୋର୍ଡ, ଯାହାର ବୁକ୍‌-ଫାର୍ମ ଅଞ୍ଚଳରେ ବିଶ୍ୱର ଦୁଇ ବିଖ୍ୟାତ ଲେଖକ ପଡ଼ୋଶୀ ରୂପେ ବାସ କରୁଥିଲେ। ସେମାନେ ହେଲେ ସାମୁଏଲ୍ କ୍ଲିମେନ୍ସ ଓରଫ୍ ମାର୍କ ଟ୍ବେନ୍ (୧୮୩୫-୧୯୧୦) ଓ ହାରିଏଟ୍ ବିଚର୍ ଷ୍ଟୋ (୧୮୧୧-୧୮୯୬)। ମାର୍କ ଟ୍ବେନ୍ ତାଙ୍କର ଜୀବଦ୍ଦଶାରେ ୧୬ ଖଣ୍ଡ ଉପନ୍ୟାସ ରଚନା କରିଥିଲେ। ତନ୍ମଧ୍ୟରେ ଦି ଆଡ୍‌ଭେଞ୍ଚର ଅଫ୍ ଟମ୍ ସାୟର୍ (୧୮୭୬) ଓ ଲାଇଫ୍ ଅନ୍ ମିସିସିପି (୧୮୮୩) ଲେଖକଙ୍କୁ ଅନେକ ପ୍ରସିଦ୍ଧି ଦେଇଛି। ଜଣେ କ୍ରୀତଦାସର ଜୀବନୀକୁ ନେଇ ୧୮୫୨ ମସିହାରେ ପ୍ରକାଶିତ ହୋଇଥିଲା ଷ୍ଟୋଙ୍କର ‘ଅଙ୍କଲ୍ ଟମ୍‌ସ କେବିନ୍‌’। ତାହାର ତିନି ଲକ୍ଷ କପି କେବଳ ଆମେରିକାରେ ବିକ୍ରୟ ହୋଇଥିଲା ଓ ଆମେରିକାର ଦାସତ୍ୱ ପ୍ରଥାର ମୂଳୋତ୍ପାଟନ କରିବାରେ ସହାୟକ ହୋଇଥିଲା। ଆମେରିକାର ତଦାନୀନ୍ତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ ଷ୍ଟୋଙ୍କୁ ଦେଖି ଥରେ ମନ୍ତବ୍ୟ ଦେଇଥିଲେ, ‘ୟୁ ଆର୍ ଦ୍ୟାଟ୍ ସ୍ମଲ୍‌ ଲେଡି ହୁ ମେଡ଼୍ ଦି ସିଭିଲ୍ ୱାର୍ ଇନ୍ ଆମେରିକା’। ଏ ଦୁଇଜଣ ଲେଖକଙ୍କର ସାହିତ୍ୟ କୃତିକୁ ନେଇ ସ୍ମାରକୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇ ବଡ଼ ବଡ଼ ହୋର୍ଡିଂ ଲଗାଯାଇ ତାଙ୍କ ସାହିତ୍ୟ କୃତି ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି। ସଂଗ୍ରହାଳୟ ଭିତରକୁ ଯିବା ପାଇଁ କୋଡ଼ିଏ ଡଲାର୍‌ର ଟିକେଟ୍ ଓ ବରିଷ୍ଠ ନାଗରିକଙ୍କ ପାଇଁ ୧୩ ଡଲାର୍‌ର ଟିକେଟ୍ ବ୍ୟବସ୍ଥା କରାଯାଇଛି। ଏହି ଅର୍ଥ ଉଭୟ ମ୍ୟୁଜିୟମ୍‌ର ରକ୍ଷଣାବେକ୍ଷଣରେ ଖର୍ଚ୍ଚ କରାଯାଏ। ସେହି ଢାଞ୍ଚାରେ ସରକାରୀ ଉଦ୍ୟମରେ ଗୋପୀବାବୁଙ୍କ ପୈତୃକ ଗ୍ରାମରେ ସ୍ମାରକୀ ସଂଗ୍ରହାଳୟଟିଏ ପ୍ରତିଷ୍ଠା କରାଯାଇ ପାରିଲେ ଏ ଦୁଇ ସାହିତ୍ୟ ସ୍ରଷ୍ଟାଙ୍କ ସ୍ମୃତିରକ୍ଷା ହୋଇପାରନ୍ତା ବୋଲି ସୁରଞ୍ଜନ ବାବୁ ମନେମନେ ଭାବୁଥିଲେ।

ଫେରିବା ବାଟରେ ଗାଁ ଦାଣ୍ଡରେ ସ୍ନିଗ୍ଧ ଶୀତଳତାର ଅପୂର୍ବ ସ୍ପର୍ଶ। ଆକାଶରେ କଳା ମେଘର ମେଳି ଭାରୀ ବର୍ଷାର ସୂଚନା ଦେଉଥିଲା। ଗାଁ ନଦୀ ପଠାରେ ଅପରୂପା କାଶତଣ୍ଡୀ ଢଳିଢଳି ନାଚି ବର୍ଷାଭିଜା ପଥିକର ଦୃଷ୍ଟି ଆକର୍ଷଣ କରୁଥିଲା। ନାଗବାଲି ଗାଁର ଜଟିଆ ବାବା ଭାଗବତ ଟୁଙ୍ଗୀ ପାଖରେ ଘଡ଼ିଏ ଅଟକି ସୁରଞ୍ଜନ ବାବୁ ହାତଯୋଡ଼ି ମୁଣ୍ଡିଆ ମାରିଲା ବେଳେ ଭାଗବତର ପଦ କେତୋଟି ତୁଣ୍ଡରୁ ତାଙ୍କର ସ୍ୱତଃ ବାହାରି ପଡୁଥିଲା:
“ଏମନ୍ତେ ଗ୍ରୀଷ୍ମଋତୁ ଗଲା     ବରଷାଋତୁ ପ୍ରସରିଲା
ସକଳ ଋତୁଙ୍କର ସାର        ଶସ୍ୟ ସମ୍ପଦ ମଞ୍ଚପୁର
ମେଘେ ମିଳିଲେ ଶୂନ୍ୟ ପଥେ    ବିଜୁଳି ପବନ ସଙ୍ଗତେ
ତୃଣରେ ଇନ୍ଦ୍ରଗୋପ ମିଶି        ସୈନ୍ୟ ସମ୍ପଦ ପ୍ରାୟ ଦିଶି
ଛତୁଏ ଛତ୍ର ପ୍ରାୟ ହୋଇ        ରାଜାଙ୍କ ପ୍ରାୟ ଦିଶେ ମହୀ।”
ମୋ: ୯୪୩୭୦୦୦୬୩୬

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe