ମହାପ୍ରଭୁଙ୍କ ଆଶୀର୍ବାଦରୁ ପୁତ୍ରପ୍ରାପ୍ତି ହୋଇଛି : ଚନ୍ଦ୍ରଶେଖର ମଙ୍ଗରାଜ (ଦେଉଳକରଣ)

ମହାପ୍ରଭୁଙ୍କ ଆଶୀର୍ବାଦରୁ ପୁତ୍ରପ୍ରାପ୍ତି ହୋଇଛି : ଚନ୍ଦ୍ରଶେଖର ମଙ୍ଗରାଜ (ଦେଉଳକରଣ)

ଦେଉଳକରଣ ଶ୍ରୀମନ୍ଦିରର ପ୍ରାୟ ସମସ୍ତ ସେବା କରନ୍ତି। ଦୈନିକ ନୀତିକାନ୍ତି, ରୋଷଘରଠାରୁ ଆରମ୍ଭ କରି ସମସ୍ତ ସେବକଙ୍କ ସହ ସମନ୍ବୟ ଭିତ୍ତିରେ କାମ ଦେଉଳକରଣଙ୍କ ମୁଖ୍ୟ ଦାୟିତ୍ବ। ଦ୍ବାର ଖୋଲାଠାରୁ ଆରମ୍ଭ କରି ଠାକୁର କ’ଣ ଖାଇବେ, କେଉଁ ଅଳଙ୍କାର ପିନ୍ଧିବେ, କେଉଁ ଲୁଗା ଲାଗି ‌ହେବେ, ଅଳଙ୍କାର କେମିତି ତିଆରି ହେବ, ସବୁକଥା ବୁଝିବାକୁ ପଡ଼େ। କେଉଁମାନେ ସେବା କରିପାରିବେ ବା କରିପାରିବେନି, ସେ ଉପରେ ବି ଦେଉଳକରଣ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ କରନ୍ତି।

ବର୍ଷ ଭିତରେ ସବୁଠାରୁ ବଡ଼ ସେବା ହେଉଛି, ରଥଯାତ୍ରା ‌ସେବା। ଦଇତା ପ୍ରବେଶଠାରୁ ଠାକୁରଙ୍କ ରୁନ୍ଧା କାର୍ଯ୍ୟ ପର୍ଯ୍ୟନ୍ତ ସମସ୍ତ କରିବାକୁ ପଡ଼େ। ଦଇତାପତିଙ୍କ ସହ ବୈଠକ କରି ଆଲୋଚନା ପରେ ଏଇଥିପାଇଁ ଯେଉଁସବୁ ସାମଗ୍ରୀ ଆବଶ୍ୟକ ପଡ଼ିଥାଏ, ତାହା ଯୋଗାଇ ଦିଏ। ସେନାପଟା ଲାଗି ସହ ଅନ୍ୟାନ୍ୟ ଆବଶ୍ୟକ ସେବା ସାମଗ୍ରୀ ଯୋଗାଇ ଦିଏ। ପରେ ଦଇତାପତିମାନେ ଅଣସର, ପହଣ୍ଡି, ରୁନ୍ଧା ଆଦି ସେବା ସଂପନ୍ନ କରିଥାନ୍ତି। କାର୍ଯ୍ୟ ଯେପରି ସୁରୁଖୁରୁରେ ସଂପନ୍ନ ହେବ, ସେ ଉପରେ ନଜର ରଖିଥାଉ। ଏ ଦିଗରେ ପ୍ରଶାସନ ସବୁଥିରେ ସହଯୋଗ ଯୋଗାଇ ଆସୁଛନ୍ତି। ଏ ବର୍ଷ ଜିଲ୍ଲାପାଳ, ନୀତି ପ୍ରଶାସକ ସର୍ବଦା ପାଖରେ ରହି ନୀତି ତଦାରଖରେ ସହଯୋଗ କରି ଆସୁଛନ୍ତି। ସବୁବେଳେ ଚାହିଁଛନ୍ତି, ନୀତିକାନ୍ତି ଯେଭଳି ଶୃଙ୍ଖଳିତ ଭାବରେ ସଂପନ୍ନ ହେଉ।

ଆମ ଘରେ ଇଷ୍ଟ ଦେବତା ହେଉଛନ୍ତି ମହାବୀର। ଯେବେ ବି ମୁଁ ଘରୁ ବାହାରେ ମହାବୀରଙ୍କୁ ମୁଣ୍ଡିଆ ମାରି ଆସେ- ଦୈନନ୍ଦିନ କାର୍ଯ୍ୟ ସୁରୁଖୁରରେ ଯେପରି ସଂପନ୍ନ ହେବ। ତାଙ୍କ କୃପାରୁ ସବୁ ସୁରୁଖୁରୁରେ ସଂପନ୍ନ ହୋଇଆସୁଛି। ଅନ୍ୟ ସମୟରେ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତି କଥା ବୁଝେ।

ସବୁ ସମୟରେ ମହାପ୍ରଭୁଙ୍କୁ ଆଶିଷ ଅଙ୍ଗେ ନିଭେଇଛି। ମୁଁ ବଡଠାକୁର ଶ୍ରୀବଳଭଦ୍ରଙ୍କୁ ବହୁତ ମାନେ। ଶ୍ରୀବଳଭଦ୍ରଙ୍କୁ ମୁଣ୍ଡିଆ ମାରି ଯେତେବେଳେ ଯାହା ଚାହିଁଛି, ସବୁ ପୂରଣ ହୋଇଛି। ଏଭଳି ଅନେକ ଅନୁଭୂତି ଅଛି, ଯାହା ଅବର୍ଣ୍ଣନୀୟ। ଦୋଳପୂର୍ଣ୍ଣିମାରେ ସବୁବେଳେ ମହାପ୍ରଭୁଙ୍କୁ ପାଖରୁ ଦେଖିଛି। ସତେ ଯେପରି ସ୍ବର୍ଗପୁରରୁ ମହାପ୍ରଭୁ ମର୍ତ୍ତ୍ୟପୁରକୁ ଚାଲି ଆସିଛନ୍ତି, ସେଭଳି ଅନୁଭବ ମିଳେ। ଫଗୁ ମାଡ଼ ଭିତରେ ଯେଭଳି ମହାପ୍ରଭୁ ଆଗରେ ଛିଡ଼ା ହେବା ଭଳି ମନେ ହୋଇଛି। ଆମ ପରିବାରରେ ପୁଅମାନେ ମହାପ୍ରଭୁଙ୍କ ସେବା କରିପାରନ୍ତି। ଏଥିପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲି, ଯେ ମୋତେ ଏକ ପୁତ୍ର ସନ୍ତାନ ଦେବାକୁ। ପ୍ରଭୁ ବି ମୋ ଗୁହାରି ଶୁଣି, ଯେଉଁ ସମୟରେ ପୁତ୍ର ଚାହିଁଥିଲି, ଯେଉଁଭଳି ଚାହିଁଥିଲି, ସେହିଭଳି ପୁଅ ଦେଇଛନ୍ତି। ମୋର ଦୁଃଖର ସବୁବେଳେ ସମାଧାନ କରିଛନ୍ତି। ଜଗନ୍ନାଥ ତ’ ସୃଷ୍ଟିକର୍ତ୍ତା, କିନ୍ତୁ ଶ୍ରୀବଳଭଦ୍ର ସବୁର ମୁଖ୍ୟ। ଏଣୁ ମୁଁ ବଡ଼ଠାକୁର ବଳଭଦ୍ରଙ୍କୁ ବହୁତ ମାନେ। ଆଗାମୀ ନବକଳେବର ପୂର୍ବରୁ ଦେଖିବେ, ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ରର ବହୁତ ପରିବର୍ତ୍ତନ ହୋଇଯିବ। ଏ ଠାକୁର ଅନେକ କିଛି ପରିବର୍ତ୍ତନ କରି ଦେଇଥିବେ। ପ୍ରତିଦିନ ମୁଁ ମହାପ୍ରଭୁଙ୍କ ପାଇଁ ସ୍ବତନ୍ତ୍ର ଦାୟିତ୍ବ ପାଇଛି। ମା’-ବାପା ଭଳି ଖାଇବା, ପିଇବା, ପିନ୍ଧିବା କଥା ବୁଝିବା ଦାୟିତ୍ବ ଦେଇଛନ୍ତି। ଏହାଠାରୁ ବଡ଼ ସୌଭାଗ୍ୟ ଆଉ କ’ଣ ବା ଅଛି! ଚଳିତ ବର୍ଷର ରଥଯାତ୍ରାର ପ୍ରସ୍ତୁତି ସୁରୁଖୁରରେ ଚାଲିଛି ଓ ସୁରୁଖୁରରେ ବି ଏ ବର୍ଷ ‌ରଥଯାତ୍ରା ଶେଷ ହେବ ବୋଲି ଆଶା ରଖିଛି।

  • -ଚନ୍ଦ୍ରଶେଖର ମଙ୍ଗରାଜ (ଦେଉଳକରଣ)
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe