Advertisment

ସବୁଜ ଦୀପାବଳି

Advertisment

ଦୀପାବଳି ହେଉଛି ଆନନ୍ଦ, ଆଲୋକ ଓ ଉଜ୍ଜ୍ୱଳତାର ପର୍ବ। ଏହାକୁ ସୁରକ୍ଷିତ ଓ ସବୁଜ ଉପାୟରେ ପାଳନ କରିବା ଆମ ହାତରେ। ବର୍ତ୍ତମାନ ପରିବେଶ ପ୍ରଦୂଷଣ ପରିପ୍ରେକ୍ଷୀରେ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରୁଛନ୍ତି।

ଦୀପାବଳି ହେଉଛି ଆନନ୍ଦ, ଆଲୋକ ଓ ଉଜ୍ଜ୍ୱଳତାର ପର୍ବ। ଏହାକୁ ସୁରକ୍ଷିତ ଓ ସବୁଜ ଉପାୟରେ ପାଳନ କରିବା ଆମ ହାତରେ। ବର୍ତ୍ତମାନ ପରିବେଶ ପ୍ରଦୂଷଣ ପରିପ୍ରେକ୍ଷୀରେ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରୁଛନ୍ତି।

Untitled-2

ଭୁବନେଶ୍ବର(ଦୋଳଗୋବିନ୍ଦ ପଣ୍ଡା): ଦୀପାବଳି ହେଉଛି ଆନନ୍ଦ, ଆଲୋକ ଓ ଉଜ୍ଜ୍ୱଳତାର ପର୍ବ। ଏହାକୁ ସୁରକ୍ଷିତ ଓ ସବୁଜ ଉପାୟରେ ପାଳନ କରିବା ଆମ ହାତରେ। ବର୍ତ୍ତମାନ ପରିବେଶ ପ୍ରଦୂଷଣ ପରିପ୍ରେକ୍ଷୀରେ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରୁଛନ୍ତି। ପ୍ରଦୂଷଣର ଭୟାବହତାକୁ ଲକ୍ଷ୍ୟକରି ଦିଲ୍ଲୀ ଓ ବିଭିନ୍ନ ରାଜ୍ୟର ସରକାର କିଛି ବର୍ଷ ହେଲା ଏହା ଉପରେ ଆଂଶିକ କଟକଣା ଲଗାଇ ଆସୁଥିଲେ। ଏବେ ସେଇ କଟକଣାଟା ଟିକେ ବଢ଼ିଯାଇଛି। ଆମ ରାଜ୍ୟ ସରକାର ବି ବାଣ ବିକ୍ରି ଓ ଫୁଟା ଉପରେ କଟକଣା ଲଗାଇଛନ୍ତି। ଆଗକୁ ଶୀତଋତୁ ମଧ୍ୟ ଆସୁଛି। ତେଣୁ ଏଭଳି ସମୟରେ ଅଧିକ ବାଣ ଫୁଟାଇଲେ ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରିବା ସହ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ। ବାଣରୁ ନିର୍ଗତ ହେଉଥିବା ରାସାୟନିକ ପଦାର୍ଥ ଲୋକମାନଙ୍କୁ କ୍ଷତି ପହଞ୍ଚାଇପାରେ। ତେଣୁ ସୁପ୍ରିମ୍‌କୋର୍ଟ ବି ବାଣଫୁଟା ଉପରେ କଡ଼ା ନିର୍ଦ୍ଦେଶାବଳି ଜାରି କରିଛନ୍ତି। କେବଳ ସବୁଜ ବାଣ ବିକ୍ରି କରିବା, ବାହାରୁ ଦିଲ୍ଲୀ-ଏନ୍‌ସିଆର୍‌କୁ ବାଣ ଚାଲାଣ ବନ୍ଦ କରିବା, ଆଦେଶ ଅମାନ୍ୟ କରୁଥିବା ଲୋକକୁ କଡ଼ା ଦଣ୍ଡ ଦେବା, ସକାଳେ ଅଳ୍ପ ସମୟ (୬ଟାରୁ ୭ଟା) ଓ ସନ୍ଧ୍ୟାରେ ଅଳ୍ପ ସମୟ (ରାତି ୮ଟାରୁ ୧୦ଟା) ବ୍ୟତୀତ ଅନ୍ୟ ସମୟରେ ବାଣ ଫୁଟାଇବା ପାଇଁ ଅନୁମତି ନାହିଁ। ଅକ୍ଟୋବର ୨୧ରେ ଦୀପାବଳି ଥିବା ବ‌େଳେ କେବଳ ୧୮ରୁ ୨୧ ପର୍ଯ୍ୟନ୍ତ ସବୁଜ ବାଣ ବିକ୍ରିକୁ ଅନୁମତି ମିଳିଛି। ସୁପ୍ରିମକୋର୍ଟ ବାଣର ଅନଲାଇନ ବିକ୍ରି ଉପରେ କଟକଣା ଲଗାଇଛନ୍ତି। ଲାଇସେନ୍ସଧାରୀ ବିକ୍ରେତା ହିଁ ବାଣ ବିକ୍ରି କରିପାରିବେ। କମ୍ ପ୍ରଦୂଷଣଯୁକ୍ତ ବାଣ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ଦ୍ଧାରିତ ଡେସିବଲ ଲିମିଟ୍‌ ଭିତରେ ଧ୍ୱନି ବାହାର କରୁଥିବା ବାଣ ହିଁ ଫୁଟାଯାଇପାରିବ।

ତେବେ ସୁପ୍ରିମ୍‌କୋର୍ଟ ସର୍ତ୍ତମୂଳକ ଆଂଶିକ ଅନୁମତି ଦେଇଥିବା ବେଳେ ଏବଂ ପ୍ରାୟ ସମସ୍ତ ରାଜ୍ୟ ସରକାର କଟକଣା ଲାଗୁ କରିଥିବା ବେଳେ ଆମ ଲୋକମାନେ ତାହା ମାନୁଛନ୍ତି କେତେ? ସରକାରଙ୍କ କଟକଣାକୁ ଫୁ କରି ଆମ ଲୋକମାନେ ଚୋରାରେ ବାଣ ତିଆରି ଓ ବିକ୍ରି କରିବା ଦେଖାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ଘର ଭିତରେ ଚାଲୁଥିବା ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟି ବହୁ ଲୋକ ମୃତାହତ ହେବା ଘଟଣା ପ୍ରତିବର୍ଷ ଖବରକାଗଜରେ ବାହାରୁଛି। କ’ଣ ମିଳୁଛି ଏଥିରୁ? ଅଧିକ ଲାଭ ହେଉଛି ବୋଲି କିଛି ଲୋକ ନିଜ ପରିବାରର ଆର୍ଥିକ ଉନ୍ନତି ପାଇଁ ବିପଦକୁ ବରଣ କରୁଛନ୍ତି। କିନ୍ତୁ ଆଜି ନ ହେଲେ କାଲି ଯେତେବେଳେ ଦୁର୍ଘଟଣା ଘଟୁଛି, ସେତେବେଳେ ସମ୍ପୂର୍ଣ୍ଣ ପରିବାର ପାଉଁଶ ହୋଇଯାଉଛି। ବାରୁଦଗଦା ଉପରେ ନିଜ ପରିବାରର ଭବିଷ୍ୟତ ଗଢ଼ିବାର ସ୍ବପ୍ନ ଦେଖିବା ବନ୍ଦ କରିବା ଦରକାର। କାରଣ ଆପଣ ଯେତେ ନିପୁଣ ଓ ସତର୍କ ହେଲେ ମଧ୍ୟ ବିପଦ ଯେବେ ଆସେ କାହାକୁ କହିକି ଆସେ ନାହିଁ। ଗୋଟିଏ ବିରାଡ଼ି, କୁକୁର କିମ୍ବା ମୂଷା ବି ଦୁର୍ଘଟଣାର କାରଣ ହୋଇପାରନ୍ତି। ସଟ୍‌ସର୍କିଟ୍‌ର ସମ୍ଭାବନା ବି ରହିଛି। ତା’ଛଡ଼ା ବେଆଇନ ବାଣ କାରଖାନା ଧରାପଡ଼ିଲେ ଗିରଫ ହେବା ସହ ଜେଲ-ଜରିମାନାର ଭୟ ବି ଅଛି। 

ବାଣରୁ ନିର୍ଗତ ବିଷାକ୍ତ ରାସାୟନିକ ବାଷ୍ପ ଶ୍ୱାସରୋଗ ଥିବା ଲୋକଙ୍କୁ ବିଶେଷ ପ୍ରଭାବିତ କରେ ଏବଂ ଯେଉଁମାନେ ଏକାଧିକ ରାସାୟନିକ ପ୍ରତି ସମ୍ବେଦନଶୀଳ ସେମାନେ ବି ଏହାଦ୍ବାରା ପ୍ରଭାବିତ ହୁଅନ୍ତି। ଅଧ୍ୟୟନରୁ ଜଣାପଡିଛି ଯେ ବାଣରେ ଲେଡ୍ ଓ କ୍ୟାଡମିୟମ୍ ଭଳି ଭାରୀ ଧାତୁ ଅଧିକ ପରିମାଣର ଅଛି ଏବଂ ସେଗୁଡ଼ିକର ଧୂଆଁରେ ସଲଫର୍, ଫସଫରସ୍, ନାଇଟ୍ରୋଜେନ ଓ କାର୍ବନର ଅକ୍ସାଇଡ୍ ଥାଏ, ଯାହା ଅତ୍ୟନ୍ତ କ୍ଷତିକାରକ। ବାଣ ବିସ୍ଫୋରଣ ଯୋଗୁ ସୃଷ୍ଟ ପ୍ରେସର ୱେଭ୍ କାରଣରୁ ଆଖି, ଆଖିପତା ଓ କର୍ନିଆ ଆଘାତପ୍ରାପ୍ତ ହୁଏ। ଦୀପାବଳି ସମୟରେ ବାଣଫୁଟାର ପ୍ରତିକ୍ରିୟା ପରବର୍ତ୍ତୀ କିଛିଦିନ ପର୍ଯ୍ୟନ୍ତ ଶରୀର ଓ ମନ ଉପରେ ରହିଥାଏ।

ସେଥିପାଇଁ ଏକ ସୁରକ୍ଷିତ ଓ ସବୁଜ ଦୀପାବଳି ହେଉଛି ଏହାର ଏକମାତ୍ର ବିକଳ୍ପ। ଆମେ ଆମର ପର୍ବ ପାଳନ କରିବା କିନ୍ତୁ ତାହା ଯେପରି ଆମକୁ କେବଳ ଆନନ୍ଦ ଦିଏ ଏବଂ କିଛି କ୍ଷତି ନ କରେ। ଦୀପାବଳି ହେଉଛି ଦୀପର ପର୍ବ। ତେଣୁ ଆମେ ଏହାକୁ ଦୀପ ଜାଳିବା ମାଧ୍ୟମରେ ପାଳନ କରିବା। ଦୀପଗୁଡ଼ିକୁ କାଠ, କପଡା, କାଗଜ ପ୍ରଭୃତି ଦହନଶୀଳ ପଦାର୍ଥ ଓ ବୈଦ୍ୟୁତିକ ତାରଠାରୁ ଦୂରରେ ରଖିବା ଆବଶ୍ୟକ। ବୈଦ୍ୟୁତିକ ଆଲୋକମାଳା ସଜାଇବା ବେଳେ ବିଦ୍ୟତ୍ ତାରକୁ କୌଣସି ଧାତବ ଖୁଣ୍ଟରେ ବାନ୍ଧିବା ଉଚିତ ନୁହେଁ, କାରଣ ବିଦ୍ୟୁତର କୌଣସି ଲିକେଜ୍ ଧାତବ ଖୁଣ୍ଟକୁ ଚାର୍ଜ କରିଦେଇପାରେ ଏବଂ ଏହାକୁ ସ୍ପର୍ଶ କରୁଥିବା କାହାକୁ ବି ବୈଦ୍ୟୁତିକ ଆଘାତ ଲାଗିପାରେ। ସବୁଠୁ ଭଲ ହେବ ଘରକୁ ଆଲୋକିତ କରିବା ପାଇଁ ବୈଦ୍ୟୁତିକ ଆଲୋକ ପରିବର୍ତ୍ତେ, ମାଟିର ଦୀପ ଓ ମହମବତି ଜାଳିବା। ଏହାଦ୍ବାରା ବିଦ୍ୟୁତ୍ ବି ବଞ୍ଚିବ।

ତେବେ ସବୁଜ ଦୀପାବଳି କ’ଣ? ଯେଉଁ ଦୀପାବଳିରେ ଦୀପ ଜଳିବ ଓ ବାଣ ବି ଫୁଟିବ କିନ୍ତୁ ପରିବେଶ ପ୍ରଦୂଷଣ ହେବ ନାହିଁ ବା କମ୍ ପ୍ରଦୂଷଣ ହେବ ତାହା ହିଁ ସବୁଜ ଦୀପାବଳି। ଅତିରିକ୍ତ ଧୂଆଁ ଓ ଶବ୍ଦ ସୃଷ୍ଟିକାରୀ ବାଣ ବ୍ୟବହାରକୁ ସୀମିତ କରିବା ଏବଂ ଉତ୍ସବ ପରେ ବର୍ଜ୍ୟବସ୍ତୁକୁ ଠିକ୍ ଭାବରେ ସଫା କରିବା ଉଚିତ। ଦୀପାବଳିରେ କାହାକୁ ଉପହାର ଦେବା ପାଇଁ ପରିବେଶ ଅନୁକୂଳ ଉପହାର ଚୟନ କରିବା ଏବଂ ପ୍ଲାଷ୍ଟିକ୍ ଆଦି ଭିନ୍ନ ପରିବେଶ-ଅନୁକୂଳ ସାମଗ୍ରୀରେ ଘର ସଜାଇବା ଆବଶ୍ୟକ।

ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସ୍‌ଆଇଆର)ର ବିଜ୍ଞାନାଗାରଗୁଡ଼ିକ ବିଭିନ୍ନ ପରିବେଶ ଅନୁକୂଳ ଆତସବାଜି, ଯେପରିକି କମ୍ ଶବ୍ଦ ଉତ୍ପନ୍ନକାରୀ ବାଣ, ଫୁଲପାତ୍ର ବାଣ, ପେନସିଲ ବାଣ, ଚକ୍ରି ବାଣ ଓ ଝୁରଝୁରିଆ ବାଣ ପ୍ରଭୃତି ବିକଶିତ କରିବାରେ ସଫଳ ହୋଇଛି। ସିଏସ୍‌ଆଇଆର୍ ଦ୍ୱାରା ବିକଶିତ ନୂତନ ସୂତ୍ର ଉପରେ ଆଧାର କରି ଏହି ଆତସବାଜିଗୁଡ଼ିକ ନିର୍ମାଣ କରାଯାଇଛି ଏବଂ ଉପଭୋକ୍ତା ଓ ବିକ୍ରେତାମାନଙ୍କ ପାଇଁ ଭାରତୀୟ ବଜାରରେ ଉପଲବ୍ଧ।

ଏହି ପ୍ରକାର କମ୍ ପ୍ରଦୂଷଣ ସୃଷ୍ଟିକାରୀ ବାଣକୁ ଆମେ ସବୁଜ ବାଣ ବୋଲି କହିପାରିବା, ଯେଉଁଥିରୁ କମ୍ ପରିମାଣର କାର୍ବନ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, ସଲ୍‌ଫର ଡାଇଅକ୍ସାଇଡ୍ ଓ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ପ୍ରଭୃତି ନିର୍ଗତ ହେଉଥିବ।

ପାରମ୍ପରିକ ବାଣରୁ ସବୁଜ ବାଣକୁ ଭିନ୍ନ କରିବା ପାଇଁ ଏକ ସବୁଜ ଲୋଗୋ ଏବଂ କୁଇକ୍ ରେସପନ୍ସ (QR) କୋଡିଂ ସିଷ୍ଟମ୍‌ ବିକଶିତ କରାଯାଇଛି। ନକଲି ବାଣର ଉତ୍ପାଦନ ଓ ବିକ୍ରୟକୁ ଏଡାଇବା ପାଇଁ QR କୋଡ୍ ହେଉଛି ସବୁଜ ବାଣ ଉପରେ ଥିବା ଏକ ଅନୁପମ ବୈଶିଷ୍ଟ୍ୟ। ଗ୍ରାହକମାନେ ସ୍ମାର୍ଟ ଫୋନ୍ ଓ ଅନ୍ୟ ଉପକରଣ ବ୍ୟବହାର କରି ଏହି କୋଡ୍‌କୁ ସ୍କାନ କରି ଏହା ବିଷୟରେ ଜାଣିପାରିବେ। ସବୁଜ ବାଣର ମୂଲ୍ୟ ନିୟମିତ ବାଣ ସହ ପ୍ରାୟ ସମାନ। ଦେଶର ସମସ୍ତ ବାଣ ନର୍ମାତା ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଏହିପରି ସବୁଜ ବାଣ ପ୍ରସ୍ତୁତ କରିବା ଆବଶ୍ୟକ। ସବୁଜ ଦୀପାବଳି ଓ ଶସ୍ତା ଦୀପାବଳି ହେଉଛି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଅଭିଯାନ। ଏହି ଅଭିଯାନରେ ଆମେ ସମସ୍ତେ ସାମିଲ ହେବା ଉଚିତ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe