ଝୁଲା ପଥରର ମନ୍ଦିର ‘କକନମଠ’ : ଯେଉଁଠି ନାହାନ୍ତି ପୂଜାରୀ, ସଂଜ ହେଲେ କେହି ବି ରହିବାକୁ କରନ୍ତି ନାହିଁ ସାହସ

ଝୁଲା ପଥରର ମନ୍ଦିର ‘କକନମଠ’ : ଯେଉଁଠି ନାହାନ୍ତି ପୂଜାରୀ, ସଂଜ ହେଲେ କେହି ବି ରହିବାକୁ କରନ୍ତି ନାହିଁ ସାହସ

HerZindagi

ଏହି ମନ୍ଦିରକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ପଥରଗୁଡ଼ିକ ଝୁଲନ୍ତା ଅବସ୍ଥାରେ ରହିଥିବା ମନେହେବ। ଭ‌ାରତର ମନ୍ଦିରଗୁଡ଼ିକ କେବଳ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ପ୍ରତ୍ୟେକ ମନ୍ଦିରର ପୃଥକ କାହାଣୀ ରହିଛି। ଶୈଳୀ ତଥା କଳା ଦୃଷ୍ଟିରୁ ମଧ୍ୟ ଅନେକ ମନ୍ଦିରର ସ୍ବତନ୍ତ୍ରତା ରହିଛି। ଏଠାରେ ଏପରି ଅନେକ ମନ୍ଦିର ଅଛି, ଯାହାର ରହସ୍ୟ ଲୋକମାନଙ୍କୁ ବିସ୍ମିତ କରେ। ଏପରିକି କେତେକ ମନ୍ଦିରର ସ୍ଥାପତ୍ୟ ଉଚ୍ଚକୋଟୀର ହୋଇଥିବାବେଳେ କେତେକ ମନ୍ଦିର ଅସମ୍ପୂର୍ଣ୍ଣ ରହିଥିବା ଦେଖିବାକୁ ମିଳିଥାଏ। ତେବେ‌ ବି ସେମାନଙ୍କର ଆକର୍ଷଣ ଆଜି ମଧ୍ୟ ରହିଛି। ଏମିତି ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ମନ୍ଦିର ହେଉଛି ମଧ୍ୟପ୍ରଦେଶର ସିହୋନିଆରେ ଥିବା କକନମଠ ମନ୍ଦିର। ଏହି ମନ୍ଦିରକୁ ଛୁଇଁବାକୁ ପର୍ଯ୍ୟଟକମାନେ ଭୟ କରନ୍ତି। ଏହା ଏକ ସୁଉଚ୍ଚ ଭବ୍ୟ ମନ୍ଦିର। ଏହା ବିନା ଚୂନ ସିମେଣ୍ଟରେ ତିଆରି ହୋଇଛି। ହଜାର ହଜାର ବର୍ଷର ଏହି ପୁରୁଣା ମନ୍ଦିର ଗୋଟିଏ ରାତିରେ ତିଆରି ହୋଇଥିବା ଶୁଣିବାକୁ ମିଳେ। କୁହାଯାଏ ଏହା ଭାରତର ସବୁଠୁ ଶକ୍ତିଶାଳୀ ଓ ପୁରୁଣା ମନ୍ଦିର।

କହିବାକୁ ଗଲେ ଏହି କକନମଠ ମନ୍ଦିରଟି ପୃଥିବୀର ଅନ୍ୟତମ ଆଶ୍ଚର୍ଯ୍ୟ। ଏହାର ଆଖପାଖରେ ଥିବା ବହୁ ମନ୍ଦିର ନଷ୍ଟ ହୋଇଗଲାଣି। ହେଲେ ଏହି ମନ୍ଦିର କିନ୍ତୁ ଏବେ ବି ତା’ର ସ୍ଥିତି ବଜାୟ ରଖିଛି। ଯଦିଓ ଆଜି ଏହି ମନ୍ଦିର ବହୁ ପରିମାଣରେ ନଷ୍ଟ ହୋଇଯାଇଛି, ତଥାପି ଲୋକମାନେ ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି। ପଥରକୁ ପଥର ଯୋଡ଼ି ନିର୍ମିତ ହୋଇଥିବା ଏହି ମନ୍ଦିରଟି ଯେଉଁ ପଥରରେ ତିଆରି ହୋଇଛି ତାହା ଆଖପାଖ କୌଣସିଠାରେ ଦେଖିବାକୁ ମିଳେନି।

publive-image

ମନ୍ଦିରର ମଧ୍ୟଭାଗରେ ମହାଦେବଙ୍କ ଏକ ବିଶାଳ ମୂର୍ତ୍ତି ଓ ବିରାଟ ଶିବଲିଙ୍ଗ ରହିଛି। ଯାହା ଏହାର ଅନ୍ୟତମ ଆକର୍ଷଣ ପର୍ଯ୍ୟଟକଙ୍କ ପାଇଁ। ଭକ୍ତଙ୍କ ପାଇଁ ଏହା ମଧ୍ୟ ଭକ୍ତି ଓ ବିଶ୍ବାସର ଅନନ୍ୟ ପୀଠ। ୧୨୦ ଫୁଟ୍‌ ଉଚ୍ଚତା ଥିବା ଏହି ମନ୍ଦିରର ଗର୍ଭଗୃହ ଶହ ଶହ ବର୍ଷ ପରେ ବି ବେଶ୍ ସୁରକ୍ଷିତ ରହିଛି। କୁହାଯାଏ ଏହି ମନ୍ଦିରରେ କିଛି ଚମତ୍କାରୀ ଅଦୃଶ୍ୟ ଶକ୍ତି ରହିଛି। ଏନେଇ ଶୁଣିବାକୁ ମିଳେ ଯେ, ମନ୍ଦିର ଆଖପାଖରେ ଥିବା ପଥର ନେବାକୁ ପ୍ରୟାସ କରିଲେ ବହୁ ଭୟଙ୍କର ପରିସ୍ଥିତି ସାମ୍‌ନା କରିବାକୁ ପଡ଼ିଥାଏ। ପଥର ନେବାକୁ ପ୍ରୟାସ କରିବା ମାତ୍ରେ ମନ୍ଦିର ଦୋହଲିବାକୁ ଲାଗିଥାଏ।

କିଂବଦନ୍ତି ଅନୁଯାୟୀ ଏହି ମନ୍ଦିର ଏକାଦଶ ଶତାବ୍ଦୀରେ କଚ୍ଛପଘାଟ ଶାସକ କୀର୍ତ୍ତିରାଜଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ମନ୍ଦିରଟି ଅନେକ ଛୋଟ ଛୋଟ ମନ୍ଦିର ଦ୍ୱାରା ଘେରି ରହିଥିଲା। ଯଦିଓ, ବର୍ତ୍ତମାନ ଏହି ଛୋଟ ମନ୍ଦିରଗୁଡ଼ିକ ଏଠାରେ ଅବସ୍ଥିତ ନାହିଁ, ତଥାପି ସେମାନଙ୍କର ଚିହ୍ନ ଏଠାରେ ସ୍ପଷ୍ଟ ଭାବରେ ଦେଖାଯାଏ।

publive-image

ବିଶ୍ୱାସ କରାଯାଏ ଯେ, ରାଜା କୀର୍ତ୍ତିରାଜଙ୍କ ରାଣୀ କକନାବତୀ ଭଗବାନ ଶିବଙ୍କ ପ୍ରତି ଅଦମ୍ୟ ଭକ୍ତି ରଖିଥିଲେ ଏବଂ ଏହି ମନ୍ଦିର ତାଙ୍କ ନିର୍ଦ୍ଦେଶରେ ନିର୍ମିତ ହୋଇଥିଲା। ତେଣୁ ଏହି ମନ୍ଦିରକୁ ରାଣୀ କକନାବତୀଙ୍କ ନାମରେ କକନମଠ ମନ୍ଦିର ଭାବରେ ନାମିତ କରାଯାଇଥିଲା।

ଏହା ମଧ୍ୟ କୁହାଯାଏ ଯେ, ଏହି ମନ୍ଦିରଟିକୁ ଭୂତମାନଙ୍କ ଦ୍ୱାରା ନିର୍ମିତ କରାଯାଇଥିଲା। ଭଗବାନ ଶିବଙ୍କୁ ଭୂତନାଥ ମଧ୍ୟ କୁହାଯାଏ ତେଣୁ ଭୂତମାନେ ଏଠାରେ ପୂଜା କରନ୍ତି। କାରଣ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ଭୂତମାନଙ୍କ ଉପରେ ନ୍ୟସ୍ତ ହୋଇଥିଲା ଏବଂ ସେମାନଙ୍କୁ ଏହି କାମ ଗୋଟିଏ ରାତିରେ ଶେଷ କରିବାକୁ ପଡ଼ିଥିଲା। କିନ୍ତୁ ସକାଳ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନଥିଲା। ସେବେଠାରୁ ମନ୍ଦିର ଅସମ୍ପୂର୍ଣ୍ଣ ହୋଇରହିଛି। ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଥିବା ସାମଗ୍ରୀ ଏଥିରେ ପ୍ରାୟତଃ ବ୍ୟବହାର ହୋଇନାହିଁ। କୁହାଯାଏ ଯେ ଏହି ମନ୍ଦିରର ପଥର ଝୁଲିକି ରହିଥାଏ। ମନ୍ଦିରର ଉପରି ଭାଗରେ ଏକ ଭାରୀ ପଥର ରଖାଯାଇଛି, ଯାହାର ଓଜନ ଅନେକ ଟନ୍ ସହିତ ସମାନ। ଏହାକୁ ଦେଖି ଏହା କୁହାଯାଇଥାଏ ଯେ ଜଣେ ମଣିଷ ଏହା କରିବା ସମ୍ଭବ ନୁହେଁ। ସେଥିପାଇଁ ମନ୍ଦିରର ସମସ୍ତ କଥା ରହସ୍ୟ ହୋଇ ରହିଯାଇଛି।

publive-image HindiMeTour

ରହସ୍ୟମୟ ଏହି ମନ୍ଦିରଟି ଦର୍ଶକଙ୍କ ମନରେ ଭୀତି ସଞ୍ଚା‌ର କରିଥାଏ। ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ଶହଶହ ବର୍ଷର ଏହି ପୁରୁଣା ମନ୍ଦିର ନେଇ କୌଣସି ଚର୍ଚ୍ଚା କରିନାହନ୍ତି। ମନ୍ଦିରଟିରେ ଏଯାଏଁ କେହି ପୂଜାରୀ ବି ନାହାନ୍ତି। ସଞ୍ଜ ନଇଁଗଲା ପରେ ବି ଆଖପାଖର କୌଣସି ଲୋକ ଏଠାରେ ରହିବାକୁ ସାହସ କରିପାରନ୍ତିନି। ସତରେ କ’ଣ ସଂଧ୍ୟା ହେଲେ ଏଠି କିଛି ଘଟିଥ‌ାଏ! ଏହି ମନ୍ଦିର କ’ଣ ଗୋଟିଏ ରାତିରେ ତିଆରି ହୋଇଥିଲା। ଆଉ ସଞ୍ଜ ନଇଁଲେ ଏଠାରେ କ’ଣ ଭୂତପ୍ରେତଙ୍କ ରାଜୁତି ଚାଲେ? କ’ଣ ରହିଛି ଏହି ମନ୍ଦିର ରହସ୍ୟ? କ’ଣ ପାଇଁ ଏହି ମନ୍ଦିର ପ୍ରତି ଲୋକଙ୍କ ମନରେ ବହୁତ ଡର। ଆଜିଯାଏ ଏ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe