ହାନିକାରକ କୃତ୍ରିମ ଆଖିପତା!

Advertisment
ହାନିକାରକ କୃତ୍ରିମ ଆଖିପତା!

ଆଜିକାଲି ମୁଖମଣ୍ଡଳକୁ ଅଧିକ ଆକର୍ଷକ କରିବା ପାଇଁ ବିଶେଷ କରି ମହିଳାମାନେ ଆଖିପତାର ରୂପବିନ୍ୟାସ କରିବା ଏକ ଫେସନ୍ ପାଲଟିଛି। ତେବେ ପତା ଉପରେ କୃତ୍ରିମ ଆଖିପତା ଲଗାଇବା ପୂର୍ବରୁ ତାହା ଆମ ଶରୀର ପକ୍ଷେ ହିତକର ନା ହାନିକାରକ, ତାହା ବିଚାର କରିବା ଗୁରୁତ୍ବପୂର୍ଣ୍ଣ। ଏପରି ରୂପଚର୍ଯ୍ୟାରେ ଆଖିପତା ଉପରେ କୃତ୍ରିମ ଆଖିପତା ଲଗାଇବା ଲାଗି ବ୍ୟବହୃତ ଅଠା ଆଖି ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଚକ୍ଷୁ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ପ୍ରାକୃତିକ ଭାବେ ଆମକୁ ମିଳିଥିବା ଆଖିପତା ଓ ତହିଁରେ ସଜ୍ଜିତ ହୋଇ ରହିଥିବା ଲୋମସମୂହର ମୁଖ୍ୟ କାର୍ଯ୍ୟ ହେଲା ମୂଲ୍ୟବାନ୍ ଆଖିକୁ ବାୟୁବାହୀ କଣିକାଠାରୁ ରକ୍ଷା କରିବା। ମାତ୍ର କୃତ୍ରିମ ଆଖିପତାଗୁଡ଼ିକ ଅପେକ୍ଷାକୃତ ମୋଟା ଓ ଲମ୍ବା ହୋଇଥାଏ। ଏଗୁଡ଼ିକ ସାଧାରଣତଃ ରେଶମ, ନେଉଳ ବା ଘୋଡ଼ା ବାଳ ଅଥବା ପ୍ଳାଷ୍ଟିକ୍‌ ଓ ନାଇଲନ୍‌ ତନ୍ତୁରେ ନିର୍ମିତ। ତାହାକୁ ଏକ ଅଠା ଦ୍ବାରା ଆଖିପତା ଉପରେ ଲଗାଯାଇଥାଏ।

ଏକ ଅନୁଧ୍ୟାନ ଅନୁଯାୟୀ, ଏପରି ୪୦ ପ୍ରତିଶତ ମହିଳାଙ୍କର ଏହି ଅଠା ଯୋଗୁଁ ପାର୍ଶ୍ବ ପ୍ରତିକ୍ରିୟା ହୋଇଥାଏ ଏବଂ ୬୦ ପ୍ରତିଶତ ମହିଳାଙ୍କର ‘କେରାଟୋକଞ୍ଜକ୍ଟିଭାଇଟିସ୍‌’ ପରି ଆଖିଫୁଲା ସଂକ୍ରମଣ ହୋଇଥାଏ। ଆଉ ଏକ ରିପୋର୍ଟ ଅନୁଯାୟୀ, କୃତ୍ରିମ ଆଖିପତାରେ ବେଳେ ବେଳେ ଉପଯୁକ୍ତ ଅଠା ବଦଳରେ ଶସ୍ତା ଅଠା ଲାଗିଥାଏ, ଯାହା ଆଖିର ସ୍ବାସ୍ଥ୍ୟ ପାଇଁ ଅଧିକ ବିପଜ୍ଜନକ। ସର୍ବୋପରି ଏହି ଅଠା କର୍କଟ ଆଶଙ୍କା ମଧ୍ୟ ବଢ଼ାଇଥାଏ। ବଜାରରେ ଉପଲବ୍ଧ ପ୍ରାୟ ୨୦ ସରିକି କୃତ୍ରିମ ଆଖିପତା ଅଠା ମଧ୍ୟରୁ ୭୫ ପ୍ରତିଶତ ଅଠାରେ କର୍କଟ ସୃଷ୍ଟିକାରୀ ଫର୍ମାଲ୍‌ଡିହାଇଡ୍‌ ରାସାୟନିକ ରହିଛି। ଏଥି ସହିତ କୃତ୍ରିମ ଆଖିପତା ଲଗାଇବା ଦ୍ବାରା ଆଖିରେ ଏକ ନିର୍ଦ୍ଦିଷ୍ଟ ଧରଣର ବୀଜାଣୁ ‘ବ୍ଲେଫାରାଇଟିସ୍‌’ର ସଂକ୍ରମଣ ହୋଇଥାଏ। ଏଥି ସହିତ ଏହା ଲଗାଯିବା ପାଇଁ ଉଦ୍ଦିଷ୍ଟ ସାର୍ବଜନୀନ ସେଲୁନ୍‌ଗୁଡ଼ିକର ଦୁର୍ବଳ ପରିମଳ ବ୍ୟବସ୍ଥା ଯୋଗୁଁ ସଂକ୍ରମଣ ଆଶଙ୍କା ଅଧିକ ଥାଏ। ଏତଦ୍‌ ବ୍ୟତୀତ କୃତ୍ରିମ ଆଖିପତାକୁ ପ୍ରାକୃତିକ ଆଖିପତାଠାରୁ ବାହାର କଲାବେଳେ ମୂଳ ଆଖିପତା ମଧ୍ୟ ଦୁର୍ବଳ ହୋଇଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe