ପୁରାଣଯୁଗରୁ ଆଜି ପର୍ଯ୍ୟନ୍ତ ବାପାମାଆ, ଭାଇଭଉଣୀ, ସ୍ବାମୀସନ୍ତାନଙ୍କ ଜୀବନ ରକ୍ଷା ପାଇଁ ନାରୀ ତା’ ଜୀବନକୁ କିଭଳି ଉତ୍ସର୍ଗ କରିଛି ତାହାର ବହୁ ଉଦାହରଣ ରହିଛି। ଆଜିର ଆଧୁନିକ ଯୁଗରେ ବି ଅବ୍ୟାହତ ରହିଛି ଏହି ଧାରା। ସ୍ବାର୍ଥପର ଦୁନିଆରେ ଅଧିକାଂଶ ନିଜର ସ୍ବାର୍ଥ ପୂରଣ ପଛରେ ଧାଉଁଥିବା ବେଳେ ନାରୀଟିଏ ଆଜି ବି ନିଃସ୍ବାର୍ଥ ଭଲପାଇବାର ଜୀବନ୍ତ ଉଦାହରଣ ସାଜୁଛି। ମାଆ, ଭଉଣୀ, ସ୍ତ୍ରୀ ଆଦି ସଂପର୍କର ଭିନ୍ନ ଭିନ୍ନ ରୂପରେ ସେ ଆତ୍ମୀୟଙ୍କୁ ନୂଆ ଜୀବନ ଦେଉଛି। ସେ ଅନୁଭବ କରିଛି, ତ୍ୟାଗର ଆନନ୍ଦ ଭୋଗ ଆଗରେ ତୁଚ୍ଛ।
ଅସୁସ୍ଥତା ହେତୁ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଯେବେ ଅଚଳ ହୋଇଯାଏ, ଡାକ୍ତର କହନ୍ତି ସୁସ୍ଥ ଅଙ୍ଗଟିଏ ପ୍ରତିରୋପଣ ହିଁ ବଞ୍ଚିବାର ଏକମାତ୍ର ରାସ୍ତା। ପୁଣି ଏପରି ଅବସ୍ଥାରେ ଅଙ୍ଗଟିଏ ନ ପାଇ ଅନେକ ମୃତ୍ୟୁମୁଖରେ ବି ପଡୁଛନ୍ତି। ଅନ୍ୟପଟେ ଏକଥା ବି ଦେଖିବାକୁ ମିଳୁଛି, କେହି ଜଣେ ଆତ୍ମୀୟସ୍ବଜନ ନିଜ ଜୀବନକୁ ଖାତିର ନକରି ଅଙ୍ଗଦାନ ପାଇଁ ଆଗେଇ ଆସୁଛି। ଦୁଇଟିଯାକ କିଡ୍ନି ଅଚଳ ହୋଇଯିବା କାରଣରୁ ଅସହାୟ ହୋଇ ପଡ଼ିଥିବା ଅନେକଙ୍କ ପାଇଁ ସାହାରା ପାଲଟିଛନ୍ତି ସେମାନଙ୍କ ମାଆ, ଭଉଣୀ ଓ ପତ୍ନୀ। ସେମାନେ ନିଜର କିଡ୍ନି ଦାନକରି ପ୍ରିୟଜନଙ୍କ ଜୀବନ ବଞ୍ଚାଇ ଉଦାହରଣ ସୃଷ୍ଟି କରିଛନ୍ତି। କିଡ୍ନି ପ୍ରତିରୋପଣ ପରେ ଅନେକେ ଆଜି ମୃତ୍ୟୁମୁଖରୁ ଫେରି ଆସି ହସଖୁସିରେ ସଂସାର କରୁଛନ୍ତି। ଏହା କେବଳ ଚିକିତ୍ସା ବିଜ୍ଞାନ ହେତୁ ସମ୍ଭବ ବୋଲି କହିଲେ ଭୁଲ୍ ହେବ, ସେହି ଜୀବନ ପଛରେ ଲୁଚିଛି ଜଣେ ମମତାମୟୀର ଅସୀମ ତ୍ୟାଗ। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେଭଳି କେତେକ ପ୍ରେରଣାଦାୟୀ ନାରୀଙ୍କୁ ନେଇ ଆମର ଏ ପ୍ରଥମ ପ୍ରସଂଗ।
ପ୍ରତିବେଦନ: ବନ୍ଦନା ମିଶ୍ର
ତୁ ମୋର ସୁନା ଝିଅ
ଜଣେ ମହିଳା ଜୀବନରେ ପ୍ରଥମ ପ୍ରେମ ଓ ପ୍ରଥମ ଶିଶୁର ସ୍ଥାନ ସର୍ବଦା ଅପୂରଣୀୟ। ମାଅା ହେବାର ଅନନ୍ୟ ଅନୁଭବ ଦେଇଥିବା ସେହି ଆଦ୍ୟ ଶିଶୁଟି ବଡ଼ ହେବା ପରେ ବି ମାଆ ଆଖିର ତାରା େହାଇ ସେମିତି ଝଲସୁଥାଏ। ନିଜ ପିଲା ଉପରେ ପତରଟିଏ ପଡ଼ିଲେ, ମାଆ ଦେହରେ ପଥର ପଡ଼ିବା ପରି ଲାଗେ। ସେଥିପାଇଁ ତ ନିଜ ପିଲାର ଜୀବନ ବଞ୍ଚାଇବା ପାଇଁ ମାଆଟିଏ କେବେ ବି ପଞ୍ଚଘୁଞ୍ଚା ଦିଏନାହିଁ। ସେଭଳି ଜଣେ ପ୍ରେରଣାଦାୟୀ ମାଆ ହେଉଛନ୍ତି ଭୁବେନଶ୍ବରର ବୁଦ୍ଧେଶ୍ବରୀ କଲୋନିର ବାସିନ୍ଦା ମନୋରମା ପଟ୍ଟନାୟକ, ଯିଏକି ନିଜ କିଡ୍ନିରୁ ଗୋଟାଏ ଦେଇ ତାଙ୍କ ଝିଅ ମାନସୀଙ୍କ ଜୀବନ ବଞ୍ଚାଇବାକୁ ଆଗେଇ ଆସିଥିଲେ।
ମନୋରମାଙ୍କର ପାଞ୍ଚ ପିଲାଙ୍କ ମଧ୍ୟରୁ ସବୁଠାରୁ ବଡ଼ ହେଉଛନ୍ତି ମାନସୀ ଓରଫ ଛବି। ମାନସୀ ବିବାହ ପରେ ନିଜ ସ୍ବାମୀଙ୍କ ସହ ପୁଡୁଚେରୀରେ ରହୁଥିଲେ। ୨୦୦୬ ମସିହାର କଥା। ହଠାତ୍ ମାନସୀଙ୍କର ରକ୍ତଚାପ ବଢ଼ିଯିବା ସହ ଅନ୍ୟ ଗୁରୁତର ଶାରୀରିକ ସମସ୍ୟା ଉପୁଜିଲା। ସେ ଚିକିତ୍ସା କରାଇବା ପାଇଁ ବାପଘର ଭୁବନେଶ୍ବର ଚାଲିଆସିଲେ। ସେତେବେଳକୁ ତାଙ୍କ ବୟସ ୪୫ ବର୍ଷ ଭିତରେ। ପରୀକ୍ଷା କଲାରୁ ଜଣାପଡ଼ିଲା ମାନସୀଙ୍କର ଦୁଇଟିଯାକ କିଡ୍ନି ନଷ୍ଟ ହୋଇଯାଇଛି। ଯଦି କିଡ୍ନି ପ୍ରତିରୋପଣ ନକରାଯାଏ ତେବେ ସେ ଅଧିକ ଦିନ ବଞ୍ଚିବା ମୁସ୍କିଲ। ଜଲଦି କିଡ୍ନିଟିଏ ଯୋଗାଡ଼ କରିବାକୁ ପଡ଼ିବ ବୋଲି ଡାକ୍ତର ଶୁଣାଇ ଦେଲେ। ନିଜ ଝିଅର ଜୀବନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ଦେଖି କେମିତି ବା ଧୈର୍ଯ୍ୟ ଧରି ରହିପାରିଥାନ୍ତେ ମନୋରମା! ସେ ପୁଣି ସେହି ପିଲା, ଯିଏ ତାଙ୍କୁ ମାତୃତ୍ବର ପ୍ରଥମ ଅନୁଭବ ଦେଇଥିଲା!
/filters:format(webp)/sambad/media/media_files/2026/03/08/gjgdjgjbcn-2026-03-08-00-06-17.jpg)
ମନୋରମାଙ୍କ ନିଷ୍ପତ୍ତି ସଂପର୍କରେ ତାଙ୍କ ବୋହୂ ମିତା ପଟ୍ଟନାୟକ କହନ୍ତି, ‘‘ସେଦିନର କଥା ମୋର ଏବେ ବି ଜଳଜଳ ହୋଇ ଆଖିଆଗରେ ଭାସି ଉଠୁଛି। ଛବିଦେଈଙ୍କୁ କିଏ କିଡ୍ନି ଦେବ ବୋଲି ପରିବାର ଭିତରେ ଘଣ୍ଟାଚକଟା ଚାଲିଥାଏ। ସେତିକିବେଳେ ଝିଅ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ବୋଉ ଆଗେଇ ଆସିଲେ। ସେତେବେଳେ ତାଙ୍କୁ ବୟସ ୬୭ ବର୍ଷ। ବୟସ୍କଲୋକ ଅଙ୍ଗ ଦେଲେ ସମସ୍ୟା ହେବାର ଆଶଙ୍କା ଥିବା ସତ୍ତ୍ବେ ଝିଅ ପାଇଁ ଏଭଳି ଏକ ସାହସିକ ପଦକ୍ଷେପ ସେ ଗ୍ରହଣ କଲେ। ନିଜ କିଡ୍ନି ଦେଇ ଛବିଦେଈଙ୍କ ଜୀବନ ବଞ୍ଚାଇଲେ।’’
ଏବେ ମନୋରମାଙ୍କୁ ବୟସ ୮୭ ବର୍ଷ। କିଡ୍ନି ପ୍ରତିରୋପଣର ୧୨ ବର୍ଷ ପରେ ସଂକ୍ରମଣରେ ଝିଅ ମାନସୀ ଆରପାରିକୁ ଚାଲିଗଲେ। ଯଦିଓ କିଡ୍ନି ଦେବା ଭଳି ତ୍ୟାଗ ପରେ ବି ଝିଅକୁ ବେଶି ଦିନ ବଞ୍ଚାଇ ରଖିପାରିଲେ ନାହିଁ ମନୋରମା, ତଥାପି ନିଜ ସନ୍ତାନ ପ୍ରତି ତାଙ୍କର ବଳିଦାନ ଚିରସ୍ମରଣୀୟ ହୋଇ ରହିଗଲା।
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
‘ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ’... ଭାଇକୁ ସୁନା ମୁକୁଟରେ ଦେଖିବାର ଇଚ୍ଛା କେଉଁ ଭଉଣୀର ଅବା ନଥାଏ! ଭଉଣୀଟିଏ ଭାଇକୁ ହସ୍ପିଟାଲ୍ ବେଡ୍ରେ ମରଣ ସହ ଯୁଝୁଥିବାର ଦେଖିବା କେତେ କଷ୍ଟକର ହୋଇ ନଥିବ ସତେ!
ଆଖି ସାମ୍ନାରେ ଭାଇର ଜୀବନ ଯୁଦ୍ଧର ଯନ୍ତ୍ରଣା ଦେଖିବା କ’ଣ କେଉଁ ଭଉଣୀ ପାଇଁ ସହଜ କଥା! ନିଜ ଜୀବନକୁ ବାଜି ଲଗାଇ ଶରୀରରୁ ଅଙ୍ଗ କାଢ଼ିଦେଇ ଭାଇର ଜୀବନ ବଞ୍ଚାଇବା ପରି ଭଉଣୀଟିଏ ଏ ଯୁଗରେ ଖୁବ୍ କମ୍ ମିଳିବେ! ସେଭଳି ଏକ ଉଦାର କାମ କରିପାରିଛନ୍ତି ବୋଲି ସମାଜ ଆଖିରେ ଆଦରଣୀୟା ପାଲଟିଛନ୍ତି ପୁରୀ ଡେଲାଙ୍ଗସ୍ଥିତ ଅରାଗଡ଼ ଗ୍ରାମର ବିଚିତ୍ରା ମହାପାତ୍ର। ସେ ହରିପୁର ଗ୍ରାମର ବାସିନ୍ଦା ତାଙ୍କ ସାନଭାଇ ରବୀନ୍ଦ୍ରନାଥ ଜେନାଙ୍କୁ ନିଜ କିଡ୍ନି ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି।
କରୋନା ମହାମାରୀ ପୂର୍ବର କଥା। ଅଚାନକ ଭୀଷଣ ଜ୍ବରରେ ପୀଡ଼ିତ ହୁଅନ୍ତି ରବୀନ୍ଦ୍ର। ନାନା ଔଷଧ ଖାଇବା ସତ୍ତ୍ବେ ଜ୍ବର ଛାଡ଼େ ନାହିଁ। ସେ ଦୌଡ଼ି ଆସନ୍ତି ଭୁବନେଶ୍ବରର ଏକ ବେସରକାରୀ ହସ୍ପିଟାଲ୍କୁ ଚିକିତ୍ସା ପାଇଁ। ପରୀକ୍ଷା କରିବାରୁ ଜଣାପଡ଼େ କି ତାଙ୍କର ୨ଟିଯାକ କିଡ୍ନି ନଷ୍ଟ ହୋଇଯାଇଛି। ବୟସ ବେଶି ନୁହେଁ, ୪୨-୪୩ ବର୍ଷ ହେବ। ଏତେ କମ୍ ବୟସରୁ କିଡ୍ନି ନଷ୍ଟ ହୋଇଯିବା ଖବର ପରିବାର ଭିତରେ ଦୁଃଖର ଛାୟା ଖେଳାଇ ଦିଏ! ପୁଅମାନେ ବି ନିଜ କିଡ୍ନି ଦେଇ ବାପାଙ୍କୁ ବଞ୍ଚାଇବାକୁ ଚିନ୍ତାକଲେ। ହେଲେ ସେମାନଙ୍କ କିଡ୍ନି ମେଳ ଖାଇଲା ନାହିଁ। କେଉଁଠୁ ଆଣିବେ କିଡ୍ନି? କେମିତି ବଞ୍ଚିବ ରବୀନ୍ଦ୍ରଙ୍କ ଜୀବନ? ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଭାଇ ପାଇଁ ନିଜ କିଡ୍ନି ଦାନ କରିବାର ନିଷ୍ପତ୍ତି ନେଲେ ବିଚିତ୍ରା। ମନରେ ଟିକେ ବି ଦ୍ବନ୍ଦ୍ବ ନଥିଲା ତାଙ୍କର। ଯେଉଁ ଭାଇ ସହ ଖେଳିବୁଲି ସେ ବଡ଼ ହୋଇଛନ୍ତି, ସେ ଭାଇ ସହ ଜୀବନ ଖେଳିଥିବା ଖେଳକୁ ସେ ହରାଇବାକୁ ଅଣ୍ଟା ଭିଡ଼ିଲେ। ପିଲାଦିନେ ଭାଇକୁ ସାଙ୍ଗମାନଙ୍କ କବଳରୁ ରକ୍ଷା କରୁଥିବା ବିଚିତ୍ରା ବଡ଼ ହେଲା ପରେ ସେହି ଭାଇ ପାଇଁ ଯମ ସହ ବି ଲଢ଼ିଗଲେ। ବିଚିତ୍ରାଙ୍କୁ ବୟସ ବି ସେତେ ବେଶି ହୋଇ ନଥାଏ। ରବୀନ୍ଦ୍ରଙ୍କଠାରୁ ସେ ମାତ୍ର ୩-୪ ବର୍ଷ ବଡ଼। ତାଙ୍କ ନିଷ୍ପତ୍ତି ରବୀନ୍ଦ୍ରଙ୍କ ପରିବାର ଲୋକଙ୍କ ମନରେ ଆଶ୍ବସ୍ତି ଭରିଲା। ପରୀକ୍ଷା ହେବାରୁ ତାଙ୍କ କିଡ୍ନି ଭାଇଙ୍କ ଶରୀରରେ ମେଳ ଖାଇଲା। ଭୁବନେଶ୍ବରରର ଏକ ବେସରକାରୀ ହସ୍ପିଟାଲ୍ରେ ଦୀର୍ଘ ୧୨ ଘଣ୍ଟା ଧରି ଅସ୍ତ୍ରୋପଚାର ହେଲା। ଶେଷର ରବୀନ୍ଦ୍ରଙ୍କ ଶରୀରରେ ସଫଳତାର ସହ ବିଚିତ୍ରାଙ୍କ କିଡ୍ନି ଲାଗିଲା। ଭାଇଭଉଣୀର ଅତୁଟ ବନ୍ଧନ ସାରା ଦୁନିଆ ଦେଖିଲା।
ମାଆଙ୍କ କିଡ୍ନି ଦେବା ନିଷ୍ପତ୍ତିକୁ ନେଇ ତାଙ୍କ ପୁଅ ମାନସ କହନ୍ତି, ‘‘ମାଆ ଯେତେବେଳେ ମାମୁଙ୍କୁ କିଡ୍ନି ଦେବାକୁ ସ୍ଥିରକଲେ ଆମେ କେହି ବି ବିଚଳିତ ହେଲୁ ନାହିଁ। କାହିଁକି ନା, ଆମେ ପିଲାଟିଦିନରୁ ମାଆ ଓ ମାମୁଙ୍କ ମଧ୍ୟରେ ଥିବା ଭଲପାଇବା ଦେଖି ବଢ଼ିଛୁ। ଜଣଙ୍କର ଅନ୍ୟଜଣଙ୍କ ପାଇଁ ଜୀବନ ଦିଆନିଆ ସଂପର୍କ। ଜଣେ ଭଉଣୀ ତା’ ଭାଇର ଜୀବନ ବଞ୍ଚାଇବାର ନିଷ୍ପତ୍ତି ନେବ, ତାକୁ ରୋକିବାକୁ ଆମେ କିଏ? ମୋ ମାମୁଙ୍କର କିଛି ହୋଇ ଯାଇଥିଲେ ମୋ ମାଆ ବଞ୍ଚି ଥାଉ ଥାଉ ମୃତ ପାଲଟି ଯାଇଥାନ୍ତା। କିଏ ଜାଣୁ କି ନ ଜାଣୁ, ସେ ଭାଇଭଉଣୀଙ୍କ ଭିତରର ନିବିଡ଼ତା ଆମେ ଜାଣୁ। ସେଥିପାଇଁ ଆମେ ଦୁଇ ପରିବାର ମିଶି ମାଆଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇଲୁ। ଏବେ ଉଭୟ ମାଆ ଓ ମାମୁ ଭଲ ଅଛନ୍ତି। ମୁଁ ଏଭଳି ଜଣେ ସ୍ନେହମୟୀ ମାଆର ପୁଅ ହୋଇ ନିଜକୁ ଗର୍ବିତ ଅନୁଭବ କରୁଛି।’’
ତୁମେ ହିଁ ସ୍ବର୍ଗ ମୋର
କୁହାଯାଏ, ସ୍ବାମୀ-ସ୍ତ୍ରୀର ବନ୍ଧନ ଜନ୍ମଜନ୍ମର, ଜଣଙ୍କ ବିନା ଅନ୍ୟ ଜଣେ ଅଧୁରା! ଜଣେ ଦୂରକୁ ଚାଲିଗଲେ ଅନ୍ୟ ଜଣଙ୍କ ଜୀବନ ରସହୀନ ହୋଇଯାଏ। ସେଥିପାଇଁ ତ, ଯେତେ ବାଧାବିଘ୍ନ ଆସିଲେ ବି ସାତଜନ୍ମ ସାଥୀ ହୋଇ ରହିବା ପାଇଁ ବେଦି ଉପରେ ଶପଥ କରନ୍ତି ସେମାନେ। ହେଲେ ବିଧି ବି ବେଳେ ବେଳେ ବିଘ୍ନ ଉପୁଜାଏ। ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ଛଡ଼ାଇ ନେବାର ଭୟ ଦେଖାଏ। ଯେଉଁଠି ପ୍ରେମ ନିର୍ମଳ ଓ ତ୍ୟାଗ ଅସୀମ, ସେଠି ଭାଗ୍ୟ ହାରେ ଓ ଜୀବନ ଜିତେ। ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି ପ୍ରମିଳା ରାଉତ। ସେ ମୃତ୍ୟୁମୁଖରୁ ସ୍ବାମୀଙ୍କୁ ଛଡ଼ାଇ ଆଣିଛନ୍ତି କହିଲେ ଭୁଲ୍ ହେବନାହିଁ। ସ୍ୱାମୀଙ୍କ ଦୁଇଟି କିଡ୍ନି ଖରାପ ଥିବା ଜାଣି ନିଜର ଗୋଟିଏ କିଡ୍ନି ଦେବାକୁ ଆଗେଇ ଆସିଥିଲେ ପ୍ରମିଳା । ଆଉ ସ୍ୱାମୀଙ୍କ ଜୀବନ ବଞ୍ଚାଇ ସମାଜ ପାଇଁ ପ୍ରେରଣା ପାଲଟିଲେ।
୨୦୨୧ ମାର୍ଚ୍ଚ ୩ ତାରିଖରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମର ମୁକୁନ୍ଦ କୁମାର ରାଉତଙ୍କୁ ବିବାହ କରିଥିଲେ ପ୍ରମିଳା। ବିବାହର କିଛି ବର୍ଷ ବେଶ୍ ଭଲରେ କଟିଲା। ହେଲେ ସତେ ଯେପରି ତାଙ୍କ ସୁଖୀ ଦାମ୍ପତ୍ୟ ଜୀବନ ଉପରେ କାହାର କୁନଜର ଲାଗିଗଲା। ଦୁଇବର୍ଷ ପରେ ସ୍ବାମୀ ମୁକୁନ୍ଦ ରାଉତ ଅସୁସ୍ଥ ହୋଇପଡ଼ିଲେ। ପରୀକ୍ଷା କରିବାରୁ ଦୁଇଟିଟିଯାକ କିଡ୍ନି ନଷ୍ଟ ହୋଇ ଯାଇଥିବା ଜାଣିବାକୁ ମିଳିଲା। ଏଭଳି ପରିସ୍ଥିତିରେ ସ୍ବାମୀଙ୍କ ପାଇଁ ସାହାରା ବନିଲେ ପ୍ରମିଳା। ନିଜ ମନ ଦୃଢ଼ କରିବା ସହ ସ୍ବାମୀଙ୍କୁ ସାହସ ଦେଲେ- ସାଥୀ ହୋଇ ବଞ୍ଚିବା, ସାଥୀ ହୋଇ ମରିବା!
/filters:format(webp)/sambad/media/media_files/2026/03/08/dgjjgjbcn-2026-03-08-00-07-03.jpg)
ପତ୍ନୀଙ୍କ ବଳିଦାନ ସଂପର୍କରେ ମୁକୁନ୍ଦ କହନ୍ତି, ‘‘ମୁଁ କେବେ ଚାହୁଁ ନଥିଲି ମୋ ପତ୍ନୀଙ୍କ କିଡ୍ନି ମୋ ଦେହରେ ଲାଗୁ । ନିଜ ପାଇଁ ପତ୍ନୀଙ୍କ ଜୀବନ ବିପଦରେ ପକାଇବାକୁ ମୋ ମନ କହୁ ନଥିଲା। ହେଲେ ସେ ଜିଦ୍ କରି କିଡ୍ନି ଦେବାକୁ ମୋତେ ମନାଇଲେ। ଶେଷରେ ୨୦୨୪ ମସିହା ଫେବ୍ରୁଆରି ୭ ତାରିଖରେ ଛତିଶଗଡ଼ ରାୟପୁରର ଏକ ଘରୋଇ ହସ୍ପିଟାଲ୍ରେ ମୋର କିଡ୍ନି ପ୍ରତିରୋପଣ ହେଲା। ମୁଁ ତାଙ୍କ ପାଇଁ ନୂଆ ଜୀବନ ପାଇଲି। ତାଙ୍କ ପରି ପତ୍ନୀ ଈଶ୍ବର ସମସ୍ତଙ୍କୁ ଦିଅନ୍ତୁ। ଏହାଛଡ଼ା ମୁଁ ସଭିଙ୍କୁ ନିବେଦନ କରୁଛି କି କିଡ୍ନି ଦାନକରି ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ।’’
ବାଟ କଢ଼ାଇ ନେଲେ ଠାକୁର
ଜଣେ ନାରୀ ପାଇଁ ତା’ ସ୍ବାମୀଠାରୁ ବଡ଼ ଆଉ କିଏ ବା ହୋଇପାରେ! ଯମ ସହ ଲଢ଼ି ସତ୍ୟବାନଙ୍କୁ ଛଡ଼ାଇ ଆଣିଥିବା ସାବିତ୍ରୀଙ୍କ କାହାଣୀ ଏବେ ବି ଆମକୁ ପ୍ରେରିତ କରେ। ହେଲେ ମନରେ ପ୍ରଶ୍ନ ଉଠେ, ଏ ଯୁଗରେ କ’ଣ ସେଭଳି ପତ୍ନୀ ଅଛନ୍ତି? ଯିଏ ନିଜ ଜୀବନକୁ ବାଜି ଲଗାଇ ସ୍ବାମୀର ଜୀବନ ବଞ୍ଚାନ୍ତି! ଏହାର ଉଦାହରଣ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ପ୍ରୀତିଲତା ପଟ୍ଟନାୟକ। ନିଜ କିଡ୍ନି ଦେଇ ସ୍ବାମୀ ପ୍ରଣବେଶ ପଟ୍ଟନାୟକଙ୍କ ଜୀବନ ବଞ୍ଚାଇଛନ୍ତି।
୨୦୨୩ ମସିହାର କଥା। ଶାରୀରିକ ଭାବେ ଅସହଜବୋଧ ହେବାରୁ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଲେ ପ୍ରଣବେଶ। ଡାକ୍ତର ତାଙ୍କୁ କିଡ୍ନି ପରୀକ୍ଷା କରିବାକୁ କହିଲେ। ରିପୋର୍ଟ ଆସିବା ପରେ ଯେଉଁ ଭୟ ଥିଲା ତାହା ହିଁ ହେଲା। ପ୍ରଣବେଶଙ୍କର ୨ଟାଯାକ କିଡ୍ନି ନଷ୍ଟ ହେବାକୁ ବସିଥିଲା। ପ୍ରଥମେ ତ ସେ ହୋମିଓପାଥି ଓ ଆୟୁର୍ବେଦୀୟ ଚିକିତ୍ସା ସାହାଯ୍ୟରେ ସୁସ୍ଥ ହେବାକୁ ଚେଷ୍ଟା କରିଥିଲେ, େହଲେ ସେସବୁ ଫଳପ୍ରଦ ହେଲା ନାହିଁ। ସେହିବର୍ଷ ଡିସେମ୍ବର ମାସରେ ପ୍ରଣବେଶଙ୍କ ଶରୀର ଆହୁରି ବିଗିଡ଼ିଗଲା। ଭୁବନେଶ୍ବରର ଯେଉଁ ବେସରକାରୀ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ, ସେଠାରେ ତାଙ୍କୁ ତୁରନ୍ତ ଆଡ୍ମିସନ୍ ନେବାକୁ ପରାମର୍ଶ ଦିଆଗଲା। ସେଠାରେ ସେ ଔଷଧ, ଡାଇଲିସିସ୍ ଆଦି ସମସ୍ତ ପ୍ରକ୍ରିୟା ଦେଇ ଗତି କଲେ। ଦୀର୍ଘ ୧ ମାସ ଧରି ଭୁବନେଶ୍ବରରେ ରହିବା ପରେ ପୁଣି ରାଇରଙ୍ଗପୁର ଫେରିଯାଇ ସେଠାରେ ଡାଇଲିସିସ୍ ଗ୍ରହଣ କରୁଥାନ୍ତି।
୨୦୨୪ ଫେବ୍ରୁଆରିରେ ରୁଟିନ୍ ଚେକ୍ଅପ୍ ପାଇଁ ଭୁବନେଶ୍ବର ଆସନ୍ତି। ସେଦିନ ଥାଏ ଫେବ୍ରୁଆରି ୯ ତାରିଖ, ଯେଉଁଦିନ ନିଃଶ୍ବାସ ନେବାରେ ଅସୁବିଧା ଅନୁଭବ କଲେ ପ୍ରଣବେଶ। ଶରୀରରୁ ଅମ୍ଳଜାନ କମିଯାଇଥାଏ। ଏପରିିକି ୭-୮ ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟର୍ରେ ବି ରହିବାକୁ ପଡ଼ିଲା ତାଙ୍କୁ। ସେ ଭଲହୋଇ ଘରକୁ ଫେରିବେ ବୋଲି ବିଶ୍ବାସ ଛାଡ଼ି ଦେଇଥିଲେ ପରିବାର ଲୋକ। ତୁରନ୍ତ କିଡ୍ନି ପ୍ରତିରୋପଣ ନହେଲେ ସେ ବଞ୍ଚିବେ ନାହିଁ ବୋଲି ଡାକ୍ତର ସ୍ପଷ୍ଟ କହି ସାରିଥିଲେ। ପରିବାର ଲୋକ ମିଶି ପ୍ରଥମେ କିଡ୍ନିଦାତା ଯୋଗାଡ଼ କରିବାକୁ ସ୍ଥିରକଲେ। ହେଲେ ପ୍ରଣବେଶଙ୍କ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଥାଏ। ତାଙ୍କ ହାତରେ ସମୟ ଖୁବ୍ କମ୍ ଥିବାରୁ ଅନ୍ୟ କାହାକୁ ଅପେକ୍ଷା ନକରି ସ୍ବାମୀଙ୍କୁ ନିଜେ କିଡ୍ନି ଦାନ କରିବେ ବୋଲି ନିଷ୍ପତ୍ତି ନେଲେ ପ୍ରୀତି। ତାଙ୍କର ପରୀକ୍ଷା ହେଲା। ପ୍ରଣବେଶଙ୍କ ଶରୀରରେ ପ୍ରୀତିଙ୍କ କିଡ୍ନି ମେଳ ଖାଇଲା। କିଡ୍ନି ଦେବା ପୂର୍ବରୁ ନିଜ ମାଆ ଓ ଭାଇଙ୍କ ସହ କଥା ହେଲେ ପ୍ରୀତି। ତାଙ୍କ ପରିବାରରୁ ମଧ୍ୟ ସମର୍ଥନ ମିିଳିଲା। ଏହି ନିଷ୍ପତ୍ତି ଯୋଗୁଁ ନିଜ ହସଖୁସିର ସଂସାର ଉଜୁଡ଼ିଯିବା ପୂର୍ବରୁ ଅଟକିଗଲା। ପ୍ରୀତିଙ୍କ କିଡ୍ନି ନେଇ ନୂଆ ଜୀବନ ପାଇଲେ ପ୍ରଣବେଶ।
ନିଜ ସ୍ବାମୀଙ୍କୁ କିଡ୍ନି ଦେଇ ଟିକେ ବି ପଶ୍ଚାତ୍ତାପ କରନ୍ତିନି ପ୍ରୀତି। ସେ କହନ୍ତି,‘‘ସ୍ବାମୀଙ୍କ ବିନା ମୋର ଅସ୍ତିତ୍ବ ହିଁ କ’ଣ! ମୋର ଛୋଟ ପିଲାଟିର ମୁହଁକୁ ଚାହିଁ ପ୍ରଥମରୁ ମୁଁ ଟିକେ ଦ୍ବନ୍ଦ୍ବରେ ଥିଲି। ସ୍ବାମୀଙ୍କ ଅବସ୍ଥା ବିଗିଡ଼ିବାର ଦେଖି ମୁଁ ଆଉ ଧୈର୍ଯ୍ୟ ଧରିପାରିଲି ନାହିଁ। ସେ ହସ୍ପିଟାଲ୍ ବେଡ୍ରେ ମୃତ୍ୟୁ ସହ ସଂଘର୍ଷ କରୁଥାନ୍ତି। ସେ ବଞ୍ଚିବାକୁ ଚାହୁଥିଲେ ଓ ମୁଁ ବି ତାଙ୍କୁ ବଞ୍ଚାଇ ରଖିବାକୁ ଚାହୁଥିଲି। ମୁଁ ଛୋଟବେଳରୁ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କୁ ଧରିଛି ଓ ପ୍ରତ୍ୟେକ ସ୍ଥିତିରେ ତାଙ୍କ ଉପରେ ବିଶ୍ବାସ ରଖିଛି। ମୁଁ ଶେଷ ମୁହୂର୍ତ୍ତରେ ସବୁକିଛି ଠାକୁରଙ୍କ ଉପରେ ଛାଡ଼ି ଦେଇଥିଲି। ଶେଷରେ ମୋର ଗୁରୁ ଶ୍ରୀଶ୍ରୀଆଚାର୍ଯ୍ୟଦେବଙ୍କ ଆଶୀର୍ବାଦରେ ଏତେ ବଡ଼ ନିଷ୍ପତ୍ତି ନେଇପାରିଲି।’’
କେବଳ ମନୋରମା, ପ୍ରମିଳା, ପ୍ରୀତି କି ବିଚିତ୍ରା ନୁହନ୍ତି...
ଭୁବନେଶ୍ବରର ମନୋରମାଙ୍କଠାରୁ ରାଇରଙ୍ଗପୁରର ପ୍ରୀତିଙ୍କ ପର୍ଯ୍ୟନ୍ତ ଯେଉଁ ମହିଳାମାନଙ୍କ ତ୍ୟାଗ, ପ୍ରେମ ଓ ସାହସିକତାର କାହାଣୀ ଏଠାେର ଉପସ୍ଥାପିତ କରାଗଲା, ସେମାନେ ଭାତହାଣ୍ଡିରୁ ଗୋଟିଏ ଗୋଟିଏ। ଓଡ଼ିଶାର କୋଣଅନୁକୋଣରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜ ଜୀବନକୁ ଖାତିର ନକରି ଅଙ୍ଗଦାନ କରି ନିଜ ପ୍ରିୟଜନଙ୍କ ଜୀବନ ବଞ୍ଚାଇଛନ୍ତି। ପୁଣି ଏଭଳି ମହିଳା ବି ଅଛନ୍ତି ଯେଉଁମାନେ ନିଜ ରକ୍ତସଂପର୍କ ବାହାରେ ମାନବିକତାର ଦ୍ବାହିରେ ଅଙ୍ଗଦାନ କରିବାକୁ ପଛାଇ ନାହାନ୍ତି। ଏହା ଭାରତୀୟ ନାରୀର ମହନୀୟତାକୁ ହିଁ ପ୍ରତିପାଦିତ କରେ। ଆଉ ଦେଶ କଥା ଯଦି ବିଚାର କରିବା ତେବେ କେତେ ଯେ ନାରୀ ଏଭଳି କାର୍ଯ୍ୟ କରିଛନ୍ତି, ତାହା ହିସାବ କରିପାରିବା ନାହିଁ। ଗୋଟିଏ ପଟେ ନାରୀ ଯୁଦ୍ଧଭୂମିରେ ଅବତ୍ତୀର୍ଣ୍ଣ ହୋଇ ଶତ୍ରୁକୁ ସଂହାର କରିପାରେ ଏବଂ ଅନ୍ୟପଟେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ରକ୍ଷା କରିପାରେ। ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ନାରୀଙ୍କୁ ଶହେ ସଲାମ୍!
Follow Us