ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ପୁଲିସର ଜଣେ ଅଧିକାରୀ ମାନବିକତା ଦେଖାଇ ପ୍ରଶଂସା ସାଉଁଟିଛନ୍ତି। ଦେଖିବାକୁ ଗଲେ ଗ୍ବାଲିୟରର ଡିଏସପି ସନ୍ତୋଷ ପଟେଲ ପ୍ରାୟତଃ ତାଙ୍କର ଉତ୍ତମ କାମ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ ଜଣେ ବୃଦ୍ଧଙ୍କୁ ସାହାଯ୍ୟ କରିଥିବା ଘଟଣା ସାମ୍ନାକୁ ଆସିଛି।
ମଧ୍ୟପ୍ରଦେଶର ଗୃହ ବିଭାଗ ନିଜର ଟୁଇଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ପାଦରେ ଚାଲିଚାଲି ଯାଉଥିବା ଜଣେ ବୃଦ୍ଧ ଦମ୍ପତ୍ତିଙ୍କୁ ଡିଏସପି ସନ୍ତୋଷ ପଟେଲ ଲିଫ୍ଟ ଦେଇ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।
ଗତ ବୁଧବାର ହୋଲି ଓ ମହିଳା ଦିବସ ରହିଥିଲା। ତେଣୁ ଯାନବାହାନ ଏତେଟା ଚାଲୁ ନଥିଲା। ଗାଡ଼ି ନମିଳିବାରୁ ଗରିବ ଦମ୍ପତ୍ତି ଜାତୀୟ ରାଜପଥରେ ଚାଲିଚାଲି ଯାଉଥିଲେ। ଏଦୃଶ୍ୟ ଦେଖି ସେହି ରାସ୍ତା ଦେଇ ଯାଉଥିବା ଡିଏସପି ସନ୍ତୋଷ ପଟେଲ ନିଜ ଗାଡ଼ି ଅଟକାଇ ଦେଇଥିଲେ। ଆଉ ବୃଦ୍ଧ ଦମ୍ପତିଙ୍କୁ ତାଙ୍କ ଗାଡ଼ିରେ ବସିବାକୁ କହିଥିଲେ। ବୃଦ୍ଧ ଦମ୍ପତିଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଭିତରେ ଡିଏସପି ଉଭୟଙ୍କ ସହିତ ଅନେକ କଥା ହୋଇଥିଲେ, ଆଉ ଭିଡିଓ ବି କରିଥିଲେ।
ଗାଡ଼ିରୁ ଓହ୍ଲାଇବା ପରେ ବୃଦ୍ଧ ଦମ୍ପତି ଡିଏସପିଙ୍କୁ ଆର୍ଶୀବାଦ ଦେଇ ୨୦ଟଙ୍କା ବଢ଼ାଇଥିଲେ। ଏହାପରେ ଡିଏସପି ସମାନ୍ୟ ହସି ଦେଇ ବୃଦ୍ଧଙ୍କୁ ଉକ୍ତ ଟଙ୍କା ରଖିବାକୁ କହି ମହିଳା ଦିବସର ଶୁଭେଚ୍ଛା ଜଣାଇ ମିଠା ଖୁଆଇ ସେଠାରୁ ଚାଲି ଯାଇଥିଲେ।
Follow Us