ରନ୍‌ୱେ ମଝିରେ ରାଜପଥ ! ଜାଣନ୍ତୁ ବିମାନ ଉଡାଣ ବେଳେ କିଭଳି ହୁଏ ଟ୍ରାଫିକ ନିୟନ୍ତ୍ରଣ

ରନ୍‌ୱେ ମଝିରେ ରାଜପଥ ! ଜାଣନ୍ତୁ ବିମାନ ଉଡାଣ ବେଳେ କିଭଳି ହୁଏ ଟ୍ରାଫିକ ନିୟନ୍ତ୍ରଣ

ଗାଡ଼ିମୋଟର ଓ ଜୀବଜନ୍ତୁମାନଙ୍କ ଚଳପ୍ରଚଳ ଜନିତ ଦୁର୍ଘଟଣା ଆଶଙ୍କାରୁ ମୁକ୍ତ ରହିବା ସହ ନିରାପଦ ଉଡ଼ାଣ ଓ ଅବତରଣ ଉଦ୍ଦେଶ୍ୟରେ ବିମାନ ବନ୍ଦରଗୁଡ଼ିକ ସାଧାରଣତଃ ଅନ୍ୟମାନଙ୍କ ଠାରୁ ପୃଥକ କରି ନିର୍ମାଣ କରାଯାଇଥାଏ। ଏହାଦ୍ବାରା ସଂପୃକ୍ତ ଅଞ୍ଚଳରେ ଅନ୍ୟ କୌଣସି ଯାନବାହାନ ଯାତାୟାତ ଦ୍ବାରା ଉଡ଼ାଜାହାଜର ଉଡ଼ାଣ ଓ ଅବତରଣ ପ୍ରଭାବିତ ହୋଇନଥାଏ। ମାତ୍ର ସ୍ପେନ୍‌ର ଦକ୍ଷିଣ ଉପକୂଳରେ ରହିଥିବା ଜିବ୍ରାଲ୍‌ଟର ଆନ୍ତର୍ଜାତିକ ବିମାନ ବନ୍ଦରର ନିଆରା ସ୍ଥିତି ସମ୍ପର୍କରେ ଜାଣିଲେ ବିଶ୍ବାସ କରିହେବନି।

ଜିବ୍ରାଲ୍‌ଟର ସହରରେ ରହିଥିବା ଏହି ବିମାନବନ୍ଦରର ନିର୍ମାଣ ଶୈଳୀ ସବୁଠାରୁ ଆଶ୍ଚର୍ଯ୍ୟଜନକ, କାରଣ ଏହାର ରନ୍‌ୱେ ମଝିରେ ଏକ ଜାତୀୟ ରାଜପଥ ରହିଛି। ଏହାର ଠିକ୍‌ ମଝି ଭାଗରେ ହିଁ ଚାରି ଲେନ୍‌ ବିଶିଷ୍ଟ ୱିନସନ୍‌ ଚର୍ଚ୍ଚିଲ ବୁଲଭାର୍ଡ ନାମକ ଜାତୀୟ ରାଜପଥ ଯାଇଛି। ତେବେ ପରିଚାଳନାଗତ ଦକ୍ଷତା ଯୋଗୁଁ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିଛି। ଯେତେବେଳେ ବିମାନବନ୍ଦରରୁ କୌଣସି ବିମାନ ଉଡ଼ାଣ ଆରମ୍ଭ କରିବାକୁ ଥାଏ ବା ସେଠାରେ ଅବତରଣ କରୁଥାଏ, ସେତିକିବେଳେ ସଡ଼କ ପଥକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଏ। ସେହିପରି ବିମାନର ଉଡ଼ାଣ କି ଅବତରଣ ସଂପୂର୍ଣ୍ଣ ହେଲା ପରେ ପୁଣି ରାଜପଥକୁ ଯାତାୟାତ ପାଇଁ ଖୋଲି ଦିଆଯାଇଥାଏ। ତେବେ ଏଥିପାଇଁ ରାସ୍ତାରେ ଭୀଷଣ ଟ୍ରାଫିକ୍‌ ଜାମ ଲାଗି ରହିଥାଏ। ସହରର ସଂକୀର୍ଣ୍ଣତା ଯୋଗୁଁ ବିକଳ୍ପ ରାସ୍ତା ନିର୍ମାଣ ସମ୍ଭବ ହୋଇନଥିବା ବେଳେ ୧୯୩୯ ମସିହାରେ ନିର୍ମିତ ଏହି ବିମାନବନ୍ଦରଟି ସେମିତି ସକ୍ରିୟ ରହିଛି ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe