Advertisment

Colors: ଅନ୍ଧାର ମହକେ ରଙ୍ଗର ପୁଲକେ

Advertisment

ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି। ରଙ୍ଗ ଦିଆନିଆରେ ମସ୍‌ଗୁଲ୍‌ ହେବାର ଅବସର। ପରସ୍ପରକୁ ରଙ୍ଗବିରଙ୍ଗର ଫଗୁ ବୋଳି ଆନନ୍ଦ ଆହରଣ କରିବାର ଅପୂର୍ବ ଅବକାଶ। ପୁଣି ପିଚକାରିରୁ ରଙ୍ଗ ଛାଟି ସାଥୀସହୋଦରଙ୍କୁ ଓଦା....

ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି। ରଙ୍ଗ ଦିଆନିଆରେ ମସ୍‌ଗୁଲ୍‌ ହେବାର ଅବସର। ପରସ୍ପରକୁ ରଙ୍ଗବିରଙ୍ଗର ଫଗୁ ବୋଳି ଆନନ୍ଦ ଆହରଣ କରିବାର ଅପୂର୍ବ ଅବକାଶ। ପୁଣି ପିଚକାରିରୁ ରଙ୍ଗ ଛାଟି ସାଥୀସହୋଦରଙ୍କୁ ଓଦା....

Untitled-7

ଆଉ ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି। ରଙ୍ଗ ଦିଆନିଆରେ ମସ୍‌ଗୁଲ୍‌ ହେବାର ଅବସର। ପରସ୍ପରକୁ ରଙ୍ଗବିରଙ୍ଗର ଫଗୁ ବୋଳି ଆନନ୍ଦ ଆହରଣ କରିବାର ଅପୂର୍ବ ଅବକାଶ। ପୁଣି ପିଚକାରିରୁ ରଙ୍ଗ ଛାଟି ସାଥୀସହୋଦରଙ୍କୁ ଓଦା କରିବାର ନିଆରା ସୁଯୋଗ! ପୁଣି ଏହି ଅବସରରେ ଆମେ ଆରାଧ୍ୟଙ୍କୁ ରଙ୍ଗ ନୈବେଦ୍ୟ ଅର୍ପଣ କରୁ, ଗୁରୁଜନଙ୍କୁ ପାଦରେ ଅବିର ଦେଉ, ସାଙ୍ଗସାଥୀଙ୍କ ମୁହଁରେ ଫଗୁ ଲେସି ଆଲିଙ୍ଗନ କରୁ, ଛୋଟପିଲାଙ୍କ ମଥାରେ ଆଙ୍କିଦେଉ ରଙ୍ଗର ତିଳକ। ସଂପର୍କର ଭିନ୍ନ ଭିନ୍ନ ରଙ୍ଗକୁ ଏମିତି ରଙ୍ଗିନ କରିଥାଉ ହୋଲିରେ। କିନ୍ତୁ, କେବେ ଭାବିଛେ କି, ଯେଉଁମାନେ ସୃଷ୍ଟିର ସୌନ୍ଦର୍ଯ୍ୟ ଦେଖିବାରୁ ବଞ୍ଚିତ, ଯେଉଁମାନଙ୍କ ପାଇଁ ଦୁନିଆର ରଙ୍ଗ କେବଳ କଳା, ସେମାନେ କିପରି ହୋଲି ପାଳନ୍ତି? ଏ ପ୍ରଶ୍ନର ଉତ୍ତର ଖୋଜିଛି ଏଥରର ପ୍ରଥମ ପ୍ରସଙ୍ଗ।
ଉପସ୍ଥାପନା: ଶୁଚିସ୍ମିତା ବାରିକ

କୁହାଯାଏ, ଯେତେବେଳେ ଗୋଟିଏ ଦ୍ବାର ବନ୍ଦ ହୋଇଯାଏ, ସେତେବେଳେ ଈଶ୍ବର ଅନେକ ଦ୍ବ‌ାର ଖୋଲି ଦିଅନ୍ତି! ଏହି ବିଶ୍ବାସ ଅନେକଙ୍କ ଜୀବନରେ ନୂଆ ମୋଡ଼ ଆଣିଛି, ନୂଆ ରାସ୍ତା ଦେଖାଇଛି, ପୁଣି ନୂଆ ଅନୁଭବ ବି ଦେଇଛି। ଠିକ୍‌ ସେମିତି ମଣିଷର କୌଣସି ଗୋଟାଏ ଇନ୍ଦ୍ରିୟ ଯେତେବେଳେ ଦୁର୍ବଳ ହୋଇଯାଏ ବା କାର୍ଯ୍ୟ କରେନାହିଁ, ସେତେବେଳେ ତା’ର ଅନ୍ୟ ଇନ୍ଦ୍ରିୟଗୁଡ଼ିକ ସକ୍ରିୟ ହୋଇ ଉଠନ୍ତି। ଏହି ସୂତ୍ରରେ ଦୃଷ୍ଟିବାଧିତମାନଙ୍କର ଶ୍ରବଣ, ଆଘ୍ରାଣ ଓ ସ୍ପର୍ଶ ଶକ୍ତି ଅତ୍ୟନ୍ତ ପ୍ରଖର। ଯେଉଁମାନଙ୍କର ଜନ୍ମଗତ ଭାବେ ଦୃଷ୍ଟିଶକ୍ତି ନାହିଁ ଅଥବା ଅଘଟଣ/ଦୁର୍ଘଟଣା ହେତୁ ଦୃଷ୍ଟିଶକ୍ତି ହରାଇଛନ୍ତି, ସେମାନେ ହୋଲି ପାଳନ୍ତି ନାହିଁ ବୋଲି ଭାବିବା‌ ଉଚିତ ନୁହେଁ। ସେମାନେ ରଙ୍ଗକୁ ଦେଖିପାରନ୍ତି ନାହିଁ ସତ, କିନ୍ତୁ ଏହାର ବାସ୍ନାକୁ ଅନୁଭବ କରିପାରନ୍ତି, ଶରୀରରେ ରଙ୍ଗ ବୋଳିବା ବେଳର ଶିହରଣକୁ ନେଇ ଉଲ୍ଲସିତ ହୁଅନ୍ତି। ଆଉ ଠିକ୍‌ ଆମ ଭଳି ଦୃଷ୍ଟିବାଧିତମାନେ ମଧ୍ୟ ବଡ଼ ଉତ୍ସାହର ସହିତ ହୋଲି ପାଳନ୍ତି।

ପରସ୍ପରକୁ ଅବିର ବୋଳି ଓ ମିଠାଖୁଅାଇ ହୋଲି ପାଳୁ
ଛୋଟବେଳୁ ହୋଲିରେ ସାଙ୍ଗସାଥୀଙ୍କ ସହ ରଙ୍ଗ ବୋଳାବୋଳିରେ ମାତି ମଉଜ କରିଥିବା ପିଲାଟି ଯେତେବେଳେ ଦୃଷ୍ଟିଶକ୍ତି ହରାଏ, ସେତେବେଳେ ତା’ର ବେଦନା କେବଳ ସେ ହିଁ ଅନୁଭବ କରିପାରେ! ପିଲାଦିନର ପିଚକାରି ଖେଳ ଓ ଅବିର ବୋଳାବୋଳି ଆଜି ବି ଶାନ୍ତନୁଙ୍କର ମନେପଡ଼େ। ଦିନେ ସେ ବି ପରିବାର ଓ ସାଙ୍ଗସାଥୀଙ୍କ ମେଳରେ ସବୁ ପର୍ବ ପାଳୁଥିଲେ। ଭାଗ୍ୟର ବିଡ଼ମ୍ବନା! ୧୦ ବର୍ଷ ତଳେ ଔଷଧର ନକାରାତ୍ମକ ପ୍ରତିକ୍ରିୟା ହେତୁ ଦୃଷ୍ଟିଶକ୍ତି ହରାଇଲେ ମୟୂରଭଞ୍ଜ ବାସିନ୍ଦା ୨୭ ବର୍ଷୀୟ ଶାନ୍ତନୁ ମହାନ୍ତ।

ଶାନ୍ତନୁ କହନ୍ତି, ‘‘ଦୃଷ୍ଟି ଚାଲିଗଲା ପରେ ଆରମ୍ଭ ହୋଇଥିଲା ମୋ ଏକଲାପଣର କଠିନ ଯାତ୍ରା। ଧୀରେ ଧୀରେ ସାଙ୍ଗସାଥୀ ମୋଠାରୁ ଅଲଗା ହୋଇଗଲେ, କେହି ମିଶିଲେ ନାହିଁ। ସମସ୍ତେ ଯେପରି ହଠାତ୍‌ ସ୍ବାର୍ଥପର ହୋଇଗଲେ! ସେବେଠାରୁ ମଁୁ ନିଜକୁ ଦୃଢ଼ କଲି। ଜୀବନ ସହ ଏକୁଟିଆ ଯୁଝିବାକୁ ପଣକଲି। ଘଟଣାକ୍ରମେ ଉତ୍କଳ ଦୃଷ୍ଟିହୀନ ସଂଘ ସହ ଯୋଡ଼ିହେବା ପରେ ଜୀବନ ନୂଆ ମୋଡ଼ ନେଲା। ପ୍ରାୟ ତିନିବର୍ଷ ହେବ ସଂଘ କାର୍ଯ୍ୟାଳୟରେ ରହୁଛି। ପ୍ରତିବର୍ଷ ସଂଘର ଅନ୍ୟ ସଦସ୍ୟଙ୍କ ସହ ମିଶି ଏଠାରେ ହେ‌ାଲି ପାଳନ କରୁଛି। ପରସ୍ପରକୁ ଅବିର ଲଗାଇ ଓ ମିଠାଖୁଅାଇ ଖୁସି ମନାଉଛୁ।’’

jdggjbcnbn

ପୁରୁଣା ଦିନର ବ୍ୟଥା କିନ୍ତୁ ଶାନ୍ତନୁଙ୍କ ମନରୁ ଲିଭିନାହିଁ। ସେ କହନ୍ତି, ‘‘ପ୍ରତିବର୍ଷ ସାଙ୍ଗସାଥୀ ଓ ପରିବାର ସହ ଧୁମ୍‌ଧାମ୍‌ରେ ହୋଲି ପାଳୁଥିଲି। ଘରକୁ ଘର ବୁଲି ସମସ୍ତଙ୍କୁ ରଙ୍ଗ ଲଗାଉଥିଲି। ପୁଣି ସାଙ୍ଗସାଥୀଙ୍କ ସହ ମିଶି ଭୋଜିଭାତ କରୁଥିଲି। ହେଲେ ଦୃଷ୍ଟିଶକ୍ତି ହରାଇବା ପରଠାରୁ ମୋ ଜୀବନର ପରିଭାଷା ବଦଳିଯାଇଥିଲା। ବର୍ତ୍ତମାନ ମଁୁ ମାତ୍ର ଦଶ ପ୍ରତିଶତ ଦେଖିପାରୁଛି ଏବଂ ରଙ୍ଗ ଚିହ୍ନି ପାରୁଛି, ହେଲେ ଆଗଭଳି ଆଉ ସ୍ପଷ୍ଟ ଦେଖାଯାଉ ନାହିଁ। ଆଜି ବି ହୋଲି ଆସିଲେ ମନରେ ଦୁଃଖ ଆସିଯାଏ। ଭାବେ, ଦିନେ ମଁୁ ମଧ୍ୟ ସାଧାରଣ ଲୋକଙ୍କ ଭଳି ରଙ୍ଗକୁ ଦେଖିପାରୁଥିଲି ଏବଂ ହୋଲି ଖେଳି ପାରୁଥିଲି। ତେବେ ଏପରି ଭାବନା ମୁଁ କ୍ରମଶଃ ପରିତ୍ୟାଗ କରି ବାସ୍ତବତାକୁ ଆପଣାଇ ନେଇଛି।’’

ଅନ୍ୟ ଦମ୍ପତିଙ୍କ ଭଳି ଆମେ ବି ରଙ୍ଗ ଖେଳୁ
ଆଖି ସିନା ରଙ୍ଗକୁ ପରଖି ପାରେ ନାହିଁ, କିନ୍ତୁ ମନ ପ୍ରେମର ରଙ୍ଗକୁ ଠିକ୍‌ ବୁଝିପାରେ। ସନାତନ ସାହୁଙ୍କ ଜୀବନକୁ କଲ୍ୟାଣୀ ଆସିବା ଦିନଠାରୁ ତାଙ୍କ ଜୀବନରେ ସତେ ଅବା ରଙ୍ଗ ଭରିଯାଇଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ବାସିନ୍ଦା ସନାତନ ଓ କଲ୍ୟାଣୀ ପତିପତ୍ନୀ, ପୁଣି ଦୁହେଁ ଦୃଷ୍ଟିବାଧିତ। ଉଭୟ ଭୁବନେଶ୍ବରରେ ରହି ଖେଳନା ବ୍ୟବସାୟ କରି ଗୁଜରାଣ ମେଣ୍ଟାଉଛନ୍ତି।

ରଙ୍ଗ ବଦଳରେ ଫୁଲ
ବସନ୍ତ ଆଗମନ ମାତ୍ରେ ଧରାପୃଷ୍ଠରେ ରଙ୍ଗ ଚହଟେ ଆଉ ଦୋଳପର୍ବ ଅବସରରେ ଲୋକେ ଫଗୁ ଓ ରଙ୍ଗ ମଖାମଖି ହୋଇ ହୋଲି ଖେଳନ୍ତି। କିନ୍ତୁ, କୋଲ୍‌କାତା ମହାନଗରୀରେ ଥିବା ଲାଇଟ୍‌ହାଉସ୍‌ ଫର୍‌ ଦି ବ୍ଲାଇଣ୍ଡ୍‌ ସ୍କୁଲ୍‌ରେ ଗତ ୧୧ ବର୍ଷ ହେବ ଆୟୋଜନ ହୋଇଆସୁଛି ଗୋଟାଏ ଅଭିନବ ହୋଲି। ଏ ହୋଲି ‘ରଙ୍ଗ ହୋଲି’ ନୁହେଁ; ସ୍ପର୍ଶ ଓ ସୁଗନ୍ଧମୟ ହୋଲିର ପୁଲକ। ଅର୍ଥାତ୍‌ ଫଗୁ, ଅବିର କି ରଙ୍ଗ ପରିବର୍ତ୍ତେ ଏଠାରେ ଦୃଷ୍ଟିବାଧିତ ଶିକ୍ଷାର୍ଥୀମାନେ ଲାଲ୍‌, ନୀଳ, ହଳଦିଆ ଫୁଲପାଖୁଡ଼ା ଓ ଫୁଲମାଳରେ ‘ଫୁଲଦୋଳ’ ପାଳନ୍ତି। କି ଶିକ୍ଷକ କି ଶିକ୍ଷାର୍ଥୀ, ସଭିଏଁ ଏକତ୍ର ହୋଇ ଫୁଲପାଖୁଡ଼ା ଫିଙ୍ଗି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରନ୍ତି। ଏହି ଉତ୍ସବରେ ବିଦ୍ୟାଳୟର ବହୁ ପ୍ରାକ୍ତନ ଛାତ୍ର, ଯେଉଁମାନଙ୍କ ମଧ୍ୟରୁ କେତେକ କେନ୍ଦ୍ର ସରକାରଙ୍କ ସଂସ୍ଥାନରେ ଚାକିରି କରୁଛନ୍ତି, ସେମାନେ ବି ଭାଗ ନିଅନ୍ତି। ଦୃଷ୍ଟିବାଧିତଙ୍କ ଜୀବନ ଆନନ୍ଦମୟ କରିବା କ୍ଷେତ୍ରରେ ସମର୍ପିତ ଭାବେ କାର୍ଯ୍ୟ କରୁଥିବା ଶାରଦୀୟ ନାମରେ ଗୋଟାଏ ସଙ୍ଗଠନ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି। ସ୍କୁଲ୍‌ର ପ୍ରଧାନଶିକ୍ଷକ ଅମିୟ ସଂପତି କହନ୍ତି, ‘‘ଅନେ‌କ ପିଲା ରାସାୟନିକ ରଙ୍ଗ କାରଣରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ସେଥିପାଇଁ ଦୋଳର ଏହି ଉତ୍ସବରେ ସାମିଲ୍‌ ହେବାଲାଗି ସେମାନଙ୍କୁ ଡରମାଡ଼େ। ଫୁଲଦୋଳ ଅନେକାଂଶରେ ସେ ଡର ଦୂର କରିପାରିଛି। ଭୟ ଜୟକରି ଅଗ୍ରସର ହେବା ଲାଗି ଫୁଲଦୋଳ ସେମାନଙ୍କୁ ସାହସ ଦିଏ।’’

hjgdgdjdgjg

ବାଦ୍ୟ ତାଳେ ତାଳେ ଫଗୁ ଆସର
ମୁମ୍ବାଇସ୍ଥିତ କମଳା ମେହେଟା ଦାଦର୍‌ ସ୍କୁଲ୍‌ ଫର୍‌ ବ୍ଲାଇଣ୍ଡ୍‌ରେ ମଧ୍ୟ ଦୃଷ୍ଟିବାଧିତ ବାଳିକାମାନେ ହୋଲି ଖେଳନ୍ତି। ନେତ୍ରହୀନା ହୋଇଥିଲେ ବି ଏମାନେ ପରସ୍ପର ଦେହରେ ବିଭିନ୍ନ ରଙ୍ଗର ଫଗୁ ଓ ରଙ୍ଗ ବୋଳାବୋଳି ହୋଇ ବଡ଼ ଉତ୍ସାହ ଏବଂ ଉଦ୍ଦୀପନା ସହକାରେ ହୋଲି ଉତ୍ସବ ପାଳନ କରନ୍ତି। ଗତ ୧୨୩ ବର୍ଷ ହେବ ଏ ବିଦ୍ୟାଳୟରେ ଦୃଷ୍ଟିବାଧିତ ବାଳିକାମାନଙ୍କୁ ବିନାମୂଲ୍ୟରେ ଶିକ୍ଷା ପ୍ରଦାନ କରାଯାଉଛି। ସମଗ୍ର ମହାରାଷ୍ଟ୍ର ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ଅଭାବୀ ତଥା ଦୃଷ୍ଟିବାଧିତ ବାଳିକାମାନେ ଏଠାରେ ପାଠପଢ଼ନ୍ତି। ବର୍ଣ୍ଣବିଭା ଦେଖିବାରୁ ବଞ୍ଚିତ ହୋଇଥିଲେ ବି ଏ ବାଳିକାମାନେ ମୁହଁରେ ମଖାଯାଉଥିବା ରଙ୍ଗର ସ୍ପର୍ଶସୁଖ ଅନୁଭବ କରିପାରନ୍ତି। ଥରେ ଏ ବିଦ୍ୟାଳୟର ଟ୍ରଷ୍ଟି କହିଥିଲେ- ଆମେ ଚାହୁନା ଯେ ‘ରଙ୍ଗ ଦେଖି ପାରୁନାହାନ୍ତି ବୋଲି ହୋଲି ଖେଳିପାରୁ ନାହାନ୍ତି’ ଧାରଣା ଏ ପିଲାଙ୍କ ମନକୁ ଆସୁ। ସାଧାରଣ ଲୋକେ ଯେତିକି ଉତ୍ସାହରେ ହୋଲି ଖେଳୁଛନ୍ତି ଏଠାକାର ଝିଅମାନେ ତା’ଠାରୁ କାହିଁରେ କେତେ ଉତ୍ସାହ ସହକାରେ ହୋଲି ପାଳନ କରନ୍ତି। ବାଦ୍ୟ ବାଜଣା ତାଳେ ତାଳେ ହୋଲି ଖେଳୁଥିବା ବେଳେ ଏହି ଝିଅମାନେ ଅନ୍ତରର ବେଦନା ଭୁଲି ଏ ଉତ୍ସବ ଅନୁଭୂତି ଅନୁଭବ କରନ୍ତି।

ଆମେ ବି କାହାଠୁ କମ୍‌ ନୋହୁଁ
ଦେଖି ପାରୁ ନ ଥିବାରୁ ରଙ୍ଗ ସେମାନଙ୍କ ପାଇଁ ତାତ୍ପର୍ଯ୍ୟହୀନ ହୋଇଥିଲେ ବି ଆସାମର ରାଜଧାନୀ ଗୌହାଟୀରେ ଦୃଷ୍ଟିବାଧିତ ପିଲାଏ ମଧ୍ୟ ପରସ୍ପରର ମୁହଁରେ ରଙ୍ଗ-ଅବିର ମାଖି ହୋଲି ଉତ୍ସବ ପାଳନ କରନ୍ତି। ଏ ଦୃଷ୍ଟିବାଧିତ ପିଲାଏ ନାଚି ଗାଇ ସାଙ୍ଗସାଥୀଙ୍କ ଦେହରେ ରଙ୍ଗ ମାରନ୍ତି। ସୁରେଶ ନାମରେ ଜଣେ ଦୃଷ୍ଟିବାଧିତ ବାଳକ କହେ, ‘‘ଠିକ୍‌ ଅନ୍ୟ ଲୋକେ ଖେଳିବା ପରି ଆମେ ବି ହୋଲି ଖେଳୁ। କେବଳ ହୋଲି ନୁହେଁ, ପୂର୍ଣ୍ଣ ଉଦ୍ଦୀପନା ସହକାରେ ଆମେ ସମସ୍ତ ଉତ୍ସବ ପାଳନ କରୁ।’’

ବିଦେଶୀ ଅତିଥିଙ୍କ ସହ ରଙ୍ଗ ଖେଳ
ହୋଲି ଉତ୍ସବ ପାଳନ ଅବସରରେ ହାଇଦ୍ରାବାଦର ବେଗମ୍‌ପୁଟ୍‌ରେ ଅବସ୍ଥିତ ଦେବନାର୍‌ ସ୍କୁଲ୍‌ ଫର୍‌ ବ୍ଲାଇଣ୍ଡ୍‌ସ୍‌’ ପରିସରରେ ବି ଶିକ୍ଷାର୍ଥୀମାନେ ପରସ୍ପର ମୁହଁରେ ରଙ୍ଗଅବିର ବୋଳନ୍ତି। ବର୍ଷେ ବର୍ଷେ ହୋଲି ଉତ୍ସବ ବେଳେ ଏଠାକୁ ଦେଶ ଓ ବିଦେଶରୁ କେତେକ ସ୍ବେଚ୍ଛାସେବୀ ମଧ୍ୟ ଆସନ୍ତି। ଶିକ୍ଷାର୍ଥୀମାନେ ଅତି ଶ୍ରଦ୍ଧା ସହକାରେ ସେମାନଙ୍କ ଦେହ-ମୁହଁରେ ଫଗୁ ମାଖନ୍ତି।

ପିଚକାରି ଓ ଅବିରରେ ତଲ୍ଲୀନ
ଚଣ୍ଡୀଗଡ଼ର ସେକ୍ଟର୍‌ ୨୬ରେ ଥିବା ବ୍ଲାଇଣ୍ଡ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଅଧ୍ୟୟନରତ ଦୃଷ୍ଟିବାଧିତ ଶିକ୍ଷାର୍ଥୀମାନେ ବି ସାଧାରଣ ଜନତାଙ୍କ ପରି ହୋଲି ଉତ୍ସବ ପାଳନ କରନ୍ତି। ଏ ସାମାଜିକ ଉତ୍ସବ ପାଳନ ଅବସରରେ ନଗରୀର କେତେକ ଜନହିତୈଷୀ ବ୍ୟକ୍ତି ସେମାନଙ୍କ ନିମନ୍ତେ ରଙ୍ଗ ଓ ବିଶେଷ ଧରଣର ଭୋଜନ ବ୍ୟବସ୍ଥା କରିଦିଅନ୍ତି। ସହପାଠୀଙ୍କ ମେଳରେ ହରିବଂଶ ରାୟବଚ୍ଚନଙ୍କ ଦ୍ବାରା ରଚିତ ପ୍ରଖ୍ୟାତ ଗୀତ ‘ରଙ୍ଗ୍‌ ବର୍‌ଷେ’ ଗାୟନକରି ହୋଲି ଖେଳୁଥିବା ନିଶା ନାମ୍ନୀ ଦୃଷ୍ଟିବାଧିତା ଛାତ୍ରୀ କହନ୍ତି, ‘‘ପାଣିରଙ୍ଗ ମତେ ଭଲ ଲାଗେନାହିଁ। ମୁଁ ଅବିର ଫିଙ୍ଗି ହୋଲି ଖେଳେ। ମୋ ମତରେ ହୋଲି ସେହ୍ନ-ଶ୍ରଦ୍ଧା ବିସ୍ତାର କରେ।’’ ତାଙ୍କ ସହପାଠୀ ଅପର୍ଣ୍ଣା କହନ୍ତି, ‘‘ମୁଁ ବର୍ଣ୍ଣଭେଦ ବାରିପାରେ ନାହିଁ, କିନ୍ତୁ କେହି ମୁହଁରେ ରଙ୍ଗ ମାଖିଦେଲେ ଅନାୟାସରେ ଜାଣିପାରେ। ସେ ରଙ୍ଗମଖା କାହା ଆଶିଷ ପରି ବୋଧହୁଏ।’’

ନେପାଳରେ ବି ଖେଳନ୍ତି ରଙ୍ଗ
ନେପାଳର ଧରାନ୍‌ ଅଞ୍ଚଳରେ ଅବସ୍ଥିତ ସମ୍ପୂର୍ଣ୍ଣ ତଥା ନ୍ୟୂନ ଦୃଷ୍ଟିବାଧିତଙ୍କ ଲାଗି ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ଶ୍ରୀ ପୂର୍ବାଞ୍ଚଳ ଜ୍ଞାନଚକ୍ଷୁ ବିଦ୍ୟାଳୟରେ ବି ହୋଲିଖେଳ ଆୟୋଜିତ ହୁଏ। ସେଠାରେ ଶିକ୍ଷାର୍ଥୀମାନେ ସେମାନଙ୍କ ବନ୍ଧୁ ଓ ଆଗତ ଆତ୍ମୀୟଙ୍କ ସହିତ ମିଶି ରଙ୍ଗ ଉତ୍ସବ ପାଳନପୂର୍ବକ ଜଣେ ଅନ୍ୟ ଜଣଙ୍କ ମୁହଁରେ ଅବିର ଲଗାନ୍ତି। ଏଥିପାଇଁ ପ୍ରଥମ ଚାରିବର୍ଷ ଖର୍ଚ୍ଚ ବହନ କରିଥିଲେ ସାମାଜିକକର୍ମୀ ମନୀଷ ଲୋହିଆ। ଏହାଛଡ଼ା, କେତେକ ସାମାଜିକ ଅନୁଷ୍ଠାନର ସଦସ୍ୟମାନେ ବି ଏହି ଉତ୍ସବରେ ଯୋଗ ଦିଅନ୍ତି। ବଡ଼ ହର୍ଷୋଲ୍ଲାସ ସହକାରେ ପିଲାଏ ଏ ଉତ୍ସବ ପାଳନ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe