ଗୁଜୁରାଟର ଧାର୍ମିକ ପର୍ଯ୍ୟଟନ ସ୍ଥଳୀ

Advertisment
ଗୁଜୁରାଟର ଧାର୍ମିକ ପର୍ଯ୍ୟଟନ ସ୍ଥଳୀ

ଗୁଜୁରାଟରେ ଅନେକ ଦର୍ଶନୀୟ ସ୍ଥାନ ରହିଛି,ତେବେ ସେଥି ମଧ୍ୟରୁ କେତୋଟି ଧାର୍ମିକ ସ୍ଥଳଭାବେ ବି ବେଶ୍‌ ଖ୍ୟାତ। ଏଠାକୁ ବର୍ଷସାରା ପର୍ଯ୍ୟଟକମାନେ ଆସିଥାନ୍ତି। ଗୁଜୁରାଟର ଏଭଳି କେତେକ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ସଂପର୍କରେ ଆସନ୍ତୁ ଜାଣିବା.....

‘ସୋମନାଥ’:- ସୋମନାଥ ହେଉଛି ଗୁଜୁରାଟର ଉଲ୍ଲେଖନୀୟ ତୀର୍ଥସ୍ଥଳ। ସୋମନାଥ ହେଉଛନ୍ତି ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ। ଏହା ସମୁଦ୍ର ତଟରେ ଅବସ୍ଥତି।ଏଠାକାର ସମୁଦ୍ର ତଟ ମଧ୍ୟ ଖୁବ୍‌ ଆକର୍ଷଣୀୟ। ଏଠାରେ ବାଲୁକା କଳାର ସୁନ୍ଦର ନିଦର୍ଶନ ଦେଖିବାକୁ ମିଳେ। ସୋମନାଥ ମନ୍ଦିର ଉପରେ ଇସ୍‌ଲାମୀୟ ଅନୁପ୍ରବେଶକାରୀମାନେ ଏକାଧିକବାର ଆକ୍ରମଣ କରିଥିଲେ ଏବଂ ମନ୍ଦିରକୁ ଧ୍ୱଂସ କରାଯାଇଥିଲା। ଏହାର ପୁନଃନିର୍ମାଣ ମଧ୍ୟ ଏକାଧିକବାର କରାଯାଇଛି। ଭାରତ ସ୍ୱାଧୀନ ହେବାପରେ ସୋମନାଥ ମନ୍ଦିର ଶେଷ ଥରପାଇଁ ପୁନଃ ନିର୍ମାଣ କରାଯାଇଥିଲା। ଏଠାରେ ମହାଶିବରାତ୍ରି ଖୁବ୍‌ ଧୂମ୍‌ଧାମ୍‌ରେ ପାଳିତ ହୁଏ।ଏଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏକ ବୃହତ୍‌ ମେଳାର ଆୟୋଜନ କରାଯାଏ।ଏଥିରେ ଛୋଟ ଛୋଟ ପିଲାମାନେ ଭଗବାନ ଶଙ୍କରଙ୍କ ବେଶରେ ଅଂଶଗ୍ରହଣ କରିଥା’ନ୍ତି। ଗୁଜୁରାଟର ଦକ୍ଷିଣ-ପଶ୍ଚିମ ଦିଗରେ ସୋମନାଥ ଅବସ୍ଥିତ। ଅହମ୍ମଦାବାଦ୍‌ଠାରୁ ପ୍ରାୟ ଚାରି ଶହ କିଲୋମିଟର ଏବଂ ବେରାବଲ୍‌ରୁ ଦଶ କିଲୋମିଟର ଦୂରରେ ସୋମନାଥ ଅବସ୍ଥିତ।‘ସୋମନାଥ’ର ଆଲୋକ ଓ ଶବ୍ଦର ଦୃଶ୍ୟାବଳୀର ମନୋରଂଜନକୁ ଆଦୌ ନ ଦେଖି କେହି ସେଠାରୁ ଫେରନ୍ତି ନାହିଁ।

ଦ୍ୱାରକା:-ପଶ୍ଚିମ ଗୁଜୁରାଟରେ ଅବସ୍ଥିତ ଦ୍ୱାରକା ହେଉଛି ହିନ୍ଦୁ ମାନଙ୍କର ଏକ ପବିତ୍ର ତୀର୍ଥସ୍ଥଳ। ଏହା ହେଉଛି ଚତୁର୍ଧାମ ମଧ୍ୟରୁ ଅନ୍ୟତମ। ଦ୍ୱାରକା ମଧ୍ୟ ପୁରାଣ ଅନୁଯାୟୀ ସପ୍ତପୁରୀ ମଧ୍ୟରୁ ଗୋଟିଏ। ଭଗବାନ ଶ୍ରୀକୃଷ୍ଣଙ୍କର ଏହା ଏକଦା ରାଜଧାନୀ ଥିଲା ବୋଲି ଉଲ୍ଲେଖ ରହିଛି ଏବଂ ଏହା ମଧ୍ୟ ଗୁଜୁରାଟ ରାଜ୍ୟର ପ୍ରଥମ ରାଜଧାନୀ ଥିଲା। ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ଗୁଜୁରାଟର ‘ଦ୍ୱାରକାଧୀଶ ମନ୍ଦିର’,ଯାହା ଖ୍ରୀଷ୍ଟ ପୂର୍ବ ୨୦୦ରେ ନିର୍ମିତ ହୋଇଥିଲା। ଏଠାରେ ଜନ୍ମାଷ୍ଟମୀ ଉତ୍ସବ ଖୁବ୍‌ ଆଡ଼ମ୍ବରରେ ସହକାରରେ ପାଳିତ ହୋଇଥାଏ। ଏଠାକାର ଜଗତ ମନ୍ଦିର ମଧ୍ୟ ଅବଶ୍ୟ ଦର୍ଶନୀୟ। ଏଠାରେ ଥିବା ଗୋମତୀ ଘାଟରେ ରଙ୍ଗ ବେରଙ୍ଗ ଓଟ,ଚାହା ଦୋକାନ ଓ ସାମୁଦ୍ରିକ ଶାମୁକାରେ ନିର୍ମିତ ଅଳଙ୍କାର ଦେଖିବାକୁ ମିଳେ।
ଗୋମତୀ ନଦୀ କୂଳରେ ଅବସ୍ଥିତ ଏହି ପ୍ରାଚୀନ ନଗରର ଅହମ୍ମଦାବାଦ୍‌ଠାରୁ ଦୂରତା ପ୍ରାୟ ତିନିଶହ କିଲୋମିଟର ହୋଇଥିବାବେଳେ ଜାମନଗରଠୁଁ ଏହା ମାତ୍ର ୧୩୦ କିଲୋମିଟର ଦୂରରେ ଅବସ୍ଥିତ।

‘ମୋଧେରା’:-ଏହା ସୂର୍ଯ୍ୟ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ। ଗୋଧେରା ଏକ ଶାନ୍ତ ଗ୍ରାମ।ଏଠାରେ ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ ମନ୍ଦିର ସୋଲାଙ୍କି ରାଜବଂଶଙ୍କ ଦ୍ୱାରା ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା।ଏହି ମନ୍ଦିରର ଆକୃତି ଏକଦମ୍‌ ସ୍ୱତନ୍ତ୍ର ଶୈଳୀର।ଏଥିରେ ଏକ ପୁଷ୍କରିଣୀ,ଏକ ସଭାକକ୍ଷ ଏବଂ ମୁଖ୍ୟ ମନ୍ଦିର ରହିଛି। ଏହାର ପଥରମାନଙ୍କରେ ନାନା ପ୍ରକାରର କାରୁକାର୍ଯ୍ୟ ଦେଖିବାକୁ ମିଳେ।ଏଥିରେ ଥିବା ସୂର୍ଯ୍ୟ ଦେବଙ୍କ ପ୍ରତିମା ଏଭଳି ସ୍ଥାନରେ ରହିଛନ୍ତି,ଯେପରି ସକାଳ ସୂର୍ଯ୍ୟର ପ୍ରଥମ କିରଣ ତାଙ୍କ ଉପରେ ପଡ଼ିଥାଏ।ମୋଧେରା ଉତ୍ତର ଗୁଜୁରାଟରେ ଅବସ୍ଥିତ । ଅହମ୍ମଦାବାଦଠାରୁ ଏହାର ଦୂରତ୍ୱ ୧୦୨ କିଲୋମିଟର ଏବଂ ମେହସାନାଠାରୁ ଏହା ୨୫ କିଲୋମିଟର ଦୂରରେ ଅବସ୍ଥିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe