ପେଟ୍ରୋଲ ପମ୍ପରେ କେମିତି ଲାଗିଲା ନିଆଁ?

Advertisment
ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ମାସେ : ଏବେ ବି ରହସ୍ୟରେ, ସରୁନି ତଦନ୍ତ

ଭୁବନେଶ୍ୱର : ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ଦୁଇଟି ଦିଗ ସାମ୍ନାକୁ ଆସିଛି। ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପରେ ଏଲପିଜି ଭର୍ତ୍ତି କରାଯିବା ପୂର୍ବରୁ ଗତ ଦୁଇ ଦିନ ଧରି ଯାଞ୍ଚ କରା ଯାଉଥିଲା। ଟେଷ୍ଟିଂ ସହ ମରାମତି ପ୍ରକ୍ରିୟା ଜାରି ରହିଥିଲା। ଏହି କାମରେ ନିୟୋଜିତ ଥିବା ଉତ୍ତରପ୍ରଦେଶ ଲକ୍ଷ୍ମୀପୁରର ହର୍ଷବର୍ଦ୍ଧନ ଶ୍ରୀବାସ୍ତବ ଗୁରୁତର ଆହତ ହୋଇଛନ୍ତି। ସେ କହିଛନ୍ତି ଯେ ଟ୍ୟାଙ୍କରର ଭାଲ୍‌ଭ କାମ ଚାଲୁଥିବା ବେଳେ ହଠାତ୍ ଅଗ୍ନି ସଂଯୋଗ ହୋଇ ଯାଇଥିଲା। ମାତ୍ର କିଛି ସମୟ ମଧ୍ୟରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ନିୟମ ଅନୁସାରେ ପ୍ରତି ୫ ବର୍ଷରେ ପେଟ୍ରୋଲ ପମ୍ପର ଭୂତଳ ଟ୍ୟାଙ୍କରକୁ ଯାଞ୍ଚ କରାଯାଏ। ଗତ ଦୁଇ ଦିନ ଧରି ଏହି କଣ୍ଟେନରକୁ ଟେଷ୍ଟିଂ କରା ଯାଉଥିଲା। ତାହା ଠିକ୍ ଅଛି କି ନାହିଁ ଜାଣିବା ପାଇଁ ନାଇଟ୍ରୋଜେନ୍ ଗ୍ୟାସ ଭର୍ତ୍ତି କରାଯାଏ। ହୁଏତ ସେହି ସମୟରେ ନାଇଟ୍ରୋଜେନ୍ ଗ୍ୟାସ୍ ଅମ୍ଳଜାନ ସଂସ୍ପର୍ଶରେ ଚାଲି ଆସିଥିବାରୁ ନିଆଁ ଲାଗି ଏପରି ବିସ୍ଫୋରଣ ହୋଇଥାଇ ପାରେ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ ରମେଶ ମାଝୀ।

ଦୁର୍ଘଟଣାକୁ ନେଇ ରାଜନୀତି କରନି
ବିସ୍ଫୋରଣ ଏକ ଦୁର୍ଘଟଣା ଏବଂ ଏହା ଏକ ଦୁଃଖଦାୟକ ଘଟଣା। ସରକାର ଘଟଣାକୁ ଗୁରୁତର ସହ ନେଇଛନ୍ତି। ଆହତଙ୍କୁ ସମସ୍ତ ଚିକିତ୍ସା ସେବା ମାଗଣାରେ ଯୋଗାଇ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇ ସାରିଛନ୍ତି। କମିସନରେଟ୍‌ ପୁଲିସ ନିଜ ଆଡ଼ୁ ମମାଲା କରି ତଦନ୍ତ ଆରମ୍ଭ କରିଛି। ଅଗ୍ନିଶମ ବିଭାଗ ମଧ୍ୟ ତଦନ୍ତ କରି ରିପୋର୍ଟ ଦେବାକୁ ଯାଉଛି। ଏଭଳି ଏକ ସ୍ଥିତିରେ ରାଜନୀତି ନୁହେଁ ବରଂ ସହଯୋଗ ଓ ସହାନୁଭୂତିର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ତାଙ୍କ ସହିତ ବିଧାୟକ ସୁଶାନ୍ତ ରାଉତ, ‘ମୋ ପରିବାର’ର ମୁଖ୍ୟ ତଥା ବିଜେଡି ନେତା ଅରୂପ ପଟ୍ଟନାୟକ ପ୍ରମୁଖ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପରଖିଥିଲେ। ସେହିଭଳି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ କ୍ୟାପିଟାଲ ହସ୍‌ପିଟାଲରେ ପହଞ୍ଚି ସ୍ଥିତି ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe