ଅନେକ ଲୋକ ଦୀର୍ଘ କ୍ଳାନ୍ତିକର ଦିନ ଶେଷରେ ପ୍ରିୟ ସୁଗନ୍ଧିତ ମହମବତି ଜଳାଇ ଏକ ଶାନ୍ତ ମନମୁଗ୍ଧକର ପରିବେଶର ମଜା ନିଅନ୍ତି। ମାତ୍ର ସେହି ମହମବତି ଧୂଆଁ ଇନ୍ଦ୍ରିୟକୁ ଶାନ୍ତ କରିବା ସଙ୍ଗେ ସଙ୍ଗେ ମସ୍ତିଷ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଥିବା କଥା ଆମକୁ ଅଜଣା। ‘ନେଚର କମ୍ୟୁନିକେସନ୍ସ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏ ନେଇ ଏକ ଚକିତ କଲା ଭଳି କଥା ଲୋକଲୋଚନକୁ ଆସିଛି। ବର୍ମିଂହାମ୍ ବିଶ୍ବବିଦ୍ୟାଳୟର ବାୟୁମଣ୍ଡଳୀୟ ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ତଥା ଗବେଷକ ଖ୍ରୀଷ୍ଟିଆନ୍ ପ୍ରାଙ୍ଗଙ୍କ କହିବା ଅନୁସାରେ, ସୁଗନ୍ଧିତ ମହମବତି ଏକ ଆରାମଦାୟକ ପରିବେଶ ସୃଷ୍ଟି କରୁଥିବା ବେଳେ ଏହା ଫର୍ମାଲ୍ଡିହାଇଡ୍ ପରି କ୍ଷତିକାରକ ବାଷ୍ପ ନିର୍ଗମନ କରି ଘର ଭିତରର ବାୟୁକୁ ପ୍ରଦୂଷିତ କରିଥାଏ। ସେହି ଧୂଆଁ ଶେଷରେ ମସ୍ତିଷ୍କରେ ପ୍ରଦାହ ସୃଷ୍ଟି କରି ମାନସିକ ଦକ୍ଷତାକୁ ପ୍ରଭାବିତ କରିଥାଏ। ଏଥି ସହିତ ତାହା ଚର୍ମକୁ ଉତ୍ତେଜିତ କରିବା ସହ ଗଳା, ଆଖି ଓ ଫୁସ୍ଫୁସ୍କୁ ପ୍ରଭାବିତ କରିଥାଏ।
ମହମବତିରେ ମିଶିଥିବା ରାସାୟନିକ ସୁଗନ୍ଧକ ଜଳିବା ଦ୍ବାରା ବେଞ୍ଜିନ୍ ଓ ପଲିସାଇକ୍ଳିକ୍ ଏରୋମାଟିକ୍ ହାଇଡ୍ରୋକାର୍ବନ ନିର୍ଗତ ହୋଇଥାଏ। ଉଭୟ ଯୌଗିକର କର୍କଟ ସୃଷ୍ଟିକାରୀ ଗୁଣ ରହିଛି। ଏହି ଅଧ୍ୟୟନରେ ୨୬ ଜଣ ବୟସ୍କ ବ୍ୟକ୍ତି ସାମିଲ ହୋଇଥିଲେ ଯେଉଁମାନେ ଘଣ୍ଟାକ ପାଇଁ ମହମବତି ଦହନ ଜନିତ ପ୍ରଦୂଷିତ ବାୟୁ କିମ୍ବା ସଫା ବାୟୁ ସଂସ୍ପର୍ଶରେ ଆସିଥିଲେ। ପରେ ସେମାନଙ୍କ ମାନସିକ ଦକ୍ଷତାର ପରୀକ୍ଷା କରାଯାଇଥିଲା। ମହମବତି ବାୟୁ ଭିତରେ ଥିବା ବ୍ୟକ୍ତିମାନଙ୍କର କାର୍ଯ୍ୟରେ ଧ୍ୟାନ ଦେବା ଏବଂ ଭାବନାକୁ ସଠିକ୍ ଭାବରେ ଚିହ୍ନିବାର କ୍ଷମତାରେ ଉଲ୍ଲେଖନୀୟ ହ୍ରାସ ଦେଖାଯାଇଥିଲା। ଅତଏବ ମହମବତି ଧୂଆଁ ପରି ପ୍ରଦୂଷକ ସହିତ ଦୀର୍ଘ ସମୟ ସଂସ୍ପର୍ଶରେ ଆସିଲେ ଦୀର୍ଘକାଳୀନ ଜ୍ଞାନାତ୍ମକ ସମସ୍ୟା ସୃଷ୍ଟି ହୋଇପାରେ। ସୁତରାଂ ଘର ଭିତରେ ସୁଗନ୍ଧିତ ମହମବତି ଜଳାଇବା ବେଳେ ଉପଯୁକ୍ତ ବାୟୁ ଚଳାଚଳ ସୁନିଶ୍ଚିତ କରିବା ଉପରେ ଗବେଷକମାନେ ଗୁରୁତ୍ବାରୋପ କରିଛନ୍ତି। ଏଥି ସହିତ ଖୁବ୍ କମ୍ ମହମବତି ଜାଳିବାକୁ ସେମାନେ ପରାମର୍ଶ ଦେଇଛନ୍ତି।
Follow Us