ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକେ ଏକୁଟିଆ ରହୁଛନ୍ତି ଶୁଣିଲେ ଆପଣ ଆଶ୍ଚର୍ଯ୍ଯ ହେଉଥିବେ ନିଶ୍ଚିତ । କିନ୍ତୁ ହଁ ଆଜ୍ଞା !ଏକଥାଟା ସତ । ଜୀବନ ଏବେ ଭାରି ବ୍ୟସ୍ତ ସିନା କିନ୍ତୁ ଏ ବ୍ୟସ୍ତବହୁଳ ଜୀବନରେ ବି ଏକଲାପଣ ଅନେକଙ୍କୁ ମାଡ଼ିବସୁଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ବାରା ପ୍ରକାଶ ପାଇଥିବା ରିପୋର୍ଟରେ ଏକଲାପଣକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ। ପୃଥିବୀର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଲାଣି ସତ ତଥାପି ଆପଣ ବିଶ୍ୱାସ କରୁଛନ୍ତି କି, ପ୍ରତି ୬ ଜଣରେ ଜଣେ ଏକୁଟିଆପଣ ପାଇଁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ବୋଲି । କିନ୍ତୁ ଆପଣଙ୍କୁ ବିଶ୍ବାସ କରିବାକୁ ପଡିବ ଯେ ପ୍ରତି ୬ ଜଣରେ ଜଣେ ଭୋଗୁଛନ୍ତି ଏହି ଏକଲାପଣର ସମସ୍ୟା ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି ଚିନ୍ତାଜନକ ତଥ୍ୟ ଦେଇଥିବା ବେଳେ ବିଶ୍ବର ଏତେ ଜନସଂଖ୍ୟାରେ ବି କିଛି ମଣିଷ ଆଜି ଏକୁଟିଆ ରହୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଛି । ରିପୋର୍ଟ ଅନୁଯାୟୀ ପ୍ରତି ଏକ ଘଣ୍ଟାରେ ୧୦୦ ଜଣଙ୍କ ଜୀବନ ନେଉଛି ଏହି ଲୋନ୍ଲିନେସ୍ ବା ଏକୁଟିଆପଣ । ଏହି ସମସ୍ୟା ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ । ବିଶେଷ କରି ଯୁବବର୍ଗ ଏବଂ ନିମ୍ନ ମଧ୍ୟମ ଆୟ ଦେଶରେ ଏଭଳି ସମସ୍ୟା ଅଧିକ ଦେଖିବାକୁ ମିଳେ । ୩ ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କୁ ଏବଂ ୪ ଜଣ କିଶୋରଙ୍କ ମଧ୍ୟରୁ ଜଣଙ୍କୁ ପ୍ରଭାବିତ କରୁଛି ଏକୁଟିଆପଣ । ୧୩ରୁ ୨୯ ବର୍ଷ ବୟସର ପ୍ରାୟ ୧୭ ପ୍ରତିଶତରୁ ୨୧ ପ୍ରତିଶତ ଲୋକ ଏକୁଟିଆ ଅନୁଭବ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି । କିଶୋରଙ୍କ ମଧ୍ୟରେ ଏହି ହାର ସର୍ବାଧିକ ରହିଛି। କମ୍ ଆୟ କରୁଥିବା ଦେଶରେ ପ୍ରାୟ ୨୪ ପ୍ରତିଶତ ଲୋକ ଏକୁଟିଆ ଅନୁଭବ କରୁଛନ୍ତି ।
ତେବେ ଏହି ଏକଲାପଣରୁ କେମିତି ପାଇବେ ମୁକ୍ତି ? ଜାଣନ୍ତୁ କିଛି ଉପାୟ...
-ଏକାଠି ରହିବାକୁ ଚେଷ୍ଟା କରନ୍ତୁ
-ସାଙ୍ଗ ହୋଇ ସିନେମା ଦେଖନ୍ତୁ, ଭୋଜନ କରନ୍ତୁ, ବହି ପଢି ବହି ଉପରେ ଆଲୋଚନା କରନ୍ତୁ
-ପୋଷା ପ୍ରାଣୀଙ୍କ ଯତ୍ନ ନିଅନ୍ତୁ କିମ୍ବା ଗଛର ଯତ୍ନ ନେବା ପରି କିଛି କାମ କରନ୍ତୁ, ଯାହା ଏକାକୀପଣରୁ ମୁକ୍ତି ଦେବ
-କୌଣସି କାମରେ ନିଜକୁ ସବୁବେଳେ ନିୟୋଜିତ କରି ରଖନ୍ତୁ
-ଫୋନ କଲ୍, ମେସେଜ୍ କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ନିୟମିତ ଭାବରେ ବନ୍ଧୁ ଏବଂ ପରିବାର ସହିତ ଯୋଗାଯୋଗରେ ରହିବାକୁ ଚେଷ୍ଟା କରନ୍ତୁ
-ଖଟିରେ ବେଶି ସମୟ ବିତାନ୍ତୁ
-ନିଜ ସ୍ବଭାବର ଲୋକଙ୍କ ସହ କଥାବାର୍ତ୍ତା ହୁଅନ୍ତୁ, ସମାନ ଆଗ୍ରହ ଥିବା ଲୋକଙ୍କୁ ଭେଟନ୍ତୁ
-କ୍ଲବ୍ ଯାଆନ୍ତୁ,ଯଦି ସଙ୍ଗୀତ କିମ୍ବା ଅନ୍ୟ ବାଦ୍ୟଯନ୍ତ୍ରରେ ଆଗ୍ରହ ତେବେ ଶିଖିବାକୁ ଯାଆନ୍ତୁ
-ନିଜକୁ ସୁସ୍ଥ ରଖିବାକୁ ଫିଟନେସ୍ କେନ୍ଦ୍ର ବା ଜିମ୍ ଯାଆନ୍ତୁ
-ସ୍ଵେଚ୍ଛାକୃତ ଭାବେ କୌଣସି ସେବା କାମରେ ଯଦି ଆଗ୍ରହ ଥାଏ, ସେହି ସଙ୍ଗଠନ ସହ ସମୟ ବିତାନ୍ତୁ, ଅଧିକ ଜଡିତ ରୁହନ୍ତୁ
-ଅପରିଚିତ ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ, ଭାବର ଆଦାନପ୍ରଦାନ ମଧ୍ୟ ସାମାଜିକ ସମ୍ପର୍କକୁ ସୁଦୃଢ କରେ ଏବଂ ନିଜ ଭିତରର ଏକାକୀପଣକୁ ଦୂର କରେ
-ଆପଣଙ୍କୁ ଯାହା କରିବାକୁ ଇଚ୍ଛା ହେଉଛି ସେୟା କରନ୍ତୁ, ଯେମିତି କି ଆପଣ ଯଦି ରୋଷେଇ ପ୍ରିୟ ତେବେ ରୋଷେଇ କରନ୍ତୁ
-ନିଜ ରୁଚିକୁ ଅଗ୍ରାଧିକାର ଦିଅନ୍ତୁ,ପଢିବା କିମ୍ବା ସୃଜନଶୀଳ କାର୍ଯ୍ୟରେ ଜଡିତ ରୁହନ୍ତୁ
-ନିୟମିତ ବ୍ୟାୟାମ ଆପଣଙ୍କ ମନୋଭାବକୁ ଉନ୍ନତ କରିପାରିବ ଏବଂ ଏକାକୀପଣର ଭାବନାକୁ ହ୍ରାସ କରିପାରିବ
-ନିଜ ପ୍ରତି ଦୟାଳୁ ମନୋଭାବ ଏବଂ ନିଜ ସହ ବୁଝାମଣା କରନ୍ତୁ, ଯାହା ଏକଲାପଣ ଦୂର କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ
-ଆପଣଙ୍କ ବିଶ୍ୱାସଯୋଗ୍ୟ ବ୍ୟକ୍ତିଙ୍କ ସହ କଥା ହୁଅନ୍ତୁ
-ପରିବାର ସହ ସମୟ ବିତାନ୍ତୁ
-ପର୍ବପର୍ବାଣୀରେ ଘରେ ସମୟ ବିତାନ୍ତୁ, ଭୋଜି କରନ୍ତୁ, ସାଙ୍ଗରେ ସମସ୍ତେ ଖାଆନ୍ତୁ
-ଜଣେ ବିଶ୍ୱସ୍ତ ବନ୍ଧୁ, ପରିବାର ସଦସ୍ୟ କିମ୍ବା ଜଣେ ଚିକିତ୍ସକଙ୍କ ସହିତ ଆପଣଙ୍କର ଭାବନା ବାଣ୍ଟନ୍ତୁ
-ସବୁ ପରେ ନିଜେ କେମିତି ଖୁସି ରହିବେ ସେଥିପାଇଁ ନିଜେ ସଚେତନ ରୁହନ୍ତୁ
ଉପରୋକ୍ତ ତଥ୍ୟ- ଜାତୀୟ ଗଣମାଧ୍ଯମରେ ପ୍ରକାଶିତ
ଅଧିକ ପଢନ୍ତୁ-
ଏକଲାପଣ ସାଜୁଛି କି ଆତ୍ମହତ୍ୟାର ପ୍ରମୁଖ କାରଣ ? ଏକୁଟିଆପଣ ପାଇଁ ପ୍ରତି ଘଣ୍ଟାରେ ଯାଉଛି ୧୦୦ ଜଣଙ୍କ ଜୀବନ…