ପାଲଟିଲେ ଉଦାହରଣ: ଫସି ରହିଥିବା ବ୍ୟକ୍ତିଙ୍କ ଜରୁରୀକାଳିନ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାର ବିଲ ଭରିଲେ ଏହି ପୁଲିସ ଅଧିକାରୀ

ପାଲଟିଲେ ଉଦାହରଣ: ଫସି ରହିଥିବା ବ୍ୟକ୍ତିଙ୍କ ଜରୁରୀକାଳିନ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାର ବିଲ ଭରିଲେ ଏହି ପୁଲିସ ଅଧିକାରୀ

timesnownews

ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ପୁଲିସ ଅଧିକାରୀ କରିଥିବା କାମକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି | କୋଭିଡ-୧୯ ଭଳି ମହାମାରୀ ସମୟରେ ଫ୍ରଣ୍ଟଲାଇନ ୱାରକର ଭାବେ କାମ କରି ଲୋକଙ୍କୁ ଘରେ ରହିବାକୁ ତାଗିଦ କରିବା ସହ ଜଣେ ପୁଲିସ ଅଧିକାରୀ ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ଯେଉଁଭଳି ଭାବରେ ସାହାଯ୍ୟ କରିଛନ୍ତି, ତାହା ପୁଲିସମାନଙ୍କ ପ୍ରତି ଥିବା ଲୋକଙ୍କ ଦୃଷ୍ଟିକୋଣକୁ ବଦଳାଇଛି | ଲକଡାଉନ୍ ହେତୁ ହାଇଦ୍ରାବାଦରେ ଅଟକି ରହିଥିବା ବ୍ୟକ୍ତିଙ୍କୁ ଜରୁରୀକାଳୀନ ଅସ୍ତ୍ରୋପଚାର ଆବଶ୍ୟକ ଥିଲା। ପାଖରେ ଟଙ୍କା ନଥିବା ଜାଣି ପୁଲିସ ଅଧିକାରୀଜଣଙ୍କ ତାଙ୍କୁ ୨୦,୦୦୦ଟଙ୍କା ଦେଇ ସାହାଯ୍ୟ କରିଥିବା ଖବର ଏବେ ସାମ୍ନାକୁ ଆସିଛି | ପୁଲିସ ଅଧିକାରୀଙ୍କ ଏଭଳି କାମ ପାଇଁ ତାଙ୍କୁ ସମସ୍ତଙ୍କ ପ୍ରଶଂସାର ପାତ୍ର ବନାଇଛି।

ସାଇବରବାଦ ପୁଲିସ କମିଶନରଙ୍କ ଅଧୀନରେ ଥିବା କୁକାଟପାଲି ପୁଲିସ ଷ୍ଟେସନର ଇନ୍ସପେକ୍ଟର ତଥା ଷ୍ଟେସନ୍ ହାଉସ୍ ଅଧିକାରୀ ବି.ଏଲ୍ ଲକ୍ଷ୍ମୀନାରାୟଣ ରେଡ୍ଡୀ ଫସି ରହିଥିବା ଲଲିତ କୁମାରଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରିବାରେ ସାହାଯ୍ୟ କରିଥିଲେ ଏବଂ ପରେ ତାଙ୍କ ଡାକ୍ତରଖାନା ବିଲ୍ ମଧ୍ୟ ପ୍ରଦାନ କରିଥିଲେ।

ସୂଚନା ମୁତାବକ, ଲଲିତ କୁମାର ହିମାଚଳ ପ୍ରଦେଶର ହମିରପୁର ଜିଲ୍ଲାର ବାସିନ୍ଦା। କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକଡାଉନ କରାଯିବାରୁ ସେ କୁକାଟପାଲିରେ ଅଟକି ରହିଥିଲେ ଏବଂ ତାଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହେବାରୁ କୁମାର ସାହାଯ୍ୟ ପାଇଁ ପୁଲିସ ନିକଟରେ ପହଞ୍ଚିଥିଲେ | କୁମାରଙ୍କ ସମସ୍ୟା ବିଷୟରେ ଜାଣି ରେଡ୍ଡୀ ତାଙ୍କୁ ଓମନି ହସ୍ପିଟାଲରେ ଚିକିତ୍ସା ପାଇଁ ନେଇ ପହଞ୍ଚିଥିଲେ | କୁମାରଙ୍କ ଚିକିତ୍ସା ପରେ ପାଖରେ ଟଙ୍କା ନଥିବାରୁ ଲକ୍ଷ୍ମୀନାରାୟଣ ରେଡ୍ଡୀ ନିଜ ହାତରୁ ୨୦,୦୦୦ ଟଙ୍କା ଦେଇ ଡାକ୍ତରଖାନା ବିଲ ଭରିଥିଲେ ବୋଲି ଜଣା ପଡିଛି |

ଲକ୍ଷ୍ମୀନାରାୟଣ ରେଡ୍ଡୀଙ୍କ ଏଭଳି କାମ ପରେ ହିମାଚଳ ପ୍ରଦେଶର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଏବଂ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପୁଲିସ ଅଧିକାରୀଙ୍କ ଉଦାର ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି। ହିମାଚଳ ପ୍ରଦେଶର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ରେଡ୍ଡୀଙ୍କ ସହିତ ବ୍ୟକ୍ତିଗତ ଭାବେ ଫୋନ୍ ଯୋଗେ କଥା ହୋଇଥିଲେ ଏବଂ ଦୁଃଖରେ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ | ସେ କହିଛନ୍ତି ଯେ, ରେଡ୍ଡୀଙ୍କ କାର୍ଯ୍ୟ ସମସ୍ତଙ୍କ ପାଇଁ ପ୍ରେରଣା। ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କୁ ଏକ ଚିଠି ପଠାଇ କହିଛନ୍ତି, "ଏହି କାର୍ଯ୍ୟ ଆପଣଙ୍କ ତରଫରୁ ଏକ ବଡ଼ ଅଙ୍ଗଭଙ୍ଗୀ ଏବଂ ମୁଁ ଆପଣଙ୍କର ଆଦର୍ଶ ଉଦ୍ୟମକୁ ପ୍ରଶଂସା କରୁଛି। କୋଭିଡ-୧୯ ବିରୋଧୀ ଲଢେଇରେ ଜଡିତ ସମସ୍ତ ବ୍ୟକ୍ତିଙ୍କ ପାଇଁ ଆପଣଙ୍କର କାର୍ଯ୍ୟ ଏକ ପ୍ରେରଣା ଅଟେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe