ମୁଁ ‘ନୀଡ଼ମ୍‌’ରେ ଅଛି

ମୁଁ ‘ନୀଡ଼ମ୍‌’ରେ ଅଛି

ଏପ୍ରିଲ୍ ମାସ ସତ୍ୟସାଈବାବାଙ୍କ ମହାପ୍ରୟାଣର ମାସ। ୨୪ ଏପ୍ରିଲ୍ ୨୦୧୧ରେ ପୁଟ୍ଟପୂର୍ତ୍ତିଠାରେ ତାଙ୍କର ମହାପ୍ରୟାଣ ଘଟିଥିଲା। ତାଙ୍କର ଓଡ଼ିଆ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ ବ୍ରହ୍ମାନନ୍ଦ ପଣ୍ଡା। ସତ୍ୟସାଈବାବାଙ୍କ ସହିତ ନିଜର ସଂପର୍କ ଓ ଅନୁଭୂତିକୁ ନେଇ ‘ରସୋ ବୈ ସଃ’ ନାମରେ ସେ ଖଣ୍ଡିଏ ବହି ଲେଖିଛନ୍ତି। ସେଥିରେ ଅଛି ବାବାଙ୍କର ଏକ ମହତ୍ତ୍ୱପୂର୍ଣ୍ଣ ଉକ୍ତି।

ବ୍ରହ୍ମାନନ୍ଦଙ୍କର ଅଭିଳାଷ ଥିଲା- ସତ୍ୟସାଈବାବା ଥରେ ଓଡ଼ିଶା ଆସନ୍ତୁ। ସେଥିପାଇଁ ତାଙ୍କୁ ଭେଟିବା ବେଳେ, ବାବା କହିଥିଲେ, ‘ତୋର ଠିକଣା ମତେ ଦେଇଥା; ମୁଁ ତତେ ପରେ ଜଣାଇବି’। ଶ୍ରୀ ପଣ୍ଡା ତାଙ୍କ ଛାପା ଚିଠିଲେଖା କାଗଜର ଗୋଟିଏ ଫର୍ଦ୍ଦ ତାଙ୍କୁ ବଢ଼ାଇ ଦେଇଥିଲେ। ତାଙ୍କ ଘରର ନାଆଁ ଥିଲା ‘ନୀଡ଼ମ୍‌’। ତାହା ପଢ଼ି ବାବା କହିଲେ- ତେଲୁଗୁ ଅର୍ଥ ତ ‘ଛାୟା’, ‘ନୀଡ଼ମ୍‌’ର ଆଉ କି ଅର୍ଥ ଅଛି କହ। ବ୍ରହ୍ମାନନ୍ଦ କହିଲେ- ‘ନୀଡ଼ମ୍‌’ କହିଲେ ଚଢ଼େଇବସା। ପକ୍ଷୀ ଆସିବେ, ପୁଣି ଉଡ଼ିଯିବେ। ବଡ଼ କ୍ଷଣସ୍ଥାୟୀ। ସଂସାରରେ ମଣିଷର ଜୀବନ ଯେପରି।

ତାହା ଶୁଣି ବାବା ପଚାରିଲେ- ଆଉ କି ଅର୍ଥ ଅଛି କହ। ଶ୍ରୀ ପଣ୍ଡା କହିଲେ, “ଉପନିଷଦରେ ଅଛି, ‘ୟତ୍ର ବିଶ୍ୱମ୍ ଭବତ୍ୟେକ ନୀଡ଼ମ୍‌’। ସମଗ୍ର ବିଶ୍ୱ ଗୋଟିଏ ପକ୍ଷୀ ବସା।

ତାହାର ଉତ୍ତରରେ ବାବା କହିଲେ- ‘ଓଃ, ଏମିତି! ଖୁବ୍ ସନ୍ତୋଷ ଲାଗିଲା, ଖୁବ୍ ସନ୍ତୋଷ ଲାଗିଲା’। ତା’ପରେ ବ୍ରହ୍ମାନନ୍ଦଙ୍କୁ ଭିତରକୁ ଡାକିନେଇ କହିଲେ, “ମୁଁ ‘ନୀଡ଼ମ୍‌’ରେ ଅଛି ଏହା କିଏ ଅସ୍ୱୀକାର କରିପାରିବ? ସର୍ବତ୍ର ଈଶଙ୍କ ଆବାସ।”

ଏହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। କାରଣ ଆମେ ‘ଆମ ଘର’ ‘ଆମ ଘର’ ହେଉଥିବାବେଳେ, ଏ ସାରା ବିଶ୍ୱ ଯେ ଏକ ନୀଡ଼ ଏବଂ ସର୍ବତ୍ର ଈଶ୍ୱରଙ୍କ ଆବାସ, ଏହା ଭୁଲିଯାଉ। ଏହା ମନେ ରଖିଲେ ଏ ବିଶ୍ୱ ଆମ ପାଇଁ ଏକ ‘ବିଶ୍ୱନୀଡ଼’ରେ ପରିଣତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe