ସେବା କରିବା ସମୟରେ ଶରୀରରେ ନିଜକୁ ଅନୁଭବ କରେନି: ପଦ୍ମନାଭ ମୁଦିରସ୍ତ (ମୁଦିରସ୍ତ ସେବା)

ସେବା କରିବା ସମୟରେ ଶରୀରରେ ନିଜକୁ ଅନୁଭବ କରେନି: ପଦ୍ମନାଭ ମୁଦିରସ୍ତ (ମୁଦିରସ୍ତ ସେବା)

ମୁଦିରସ୍ତ ସେବା ପ୍ରକୃତରେ ଗଜପତି ମହାରାଜା ସେବା। ଗଜପତିଙ୍କ ଅନୁପସ୍ଥିତିରେ ଶ୍ରୀମନ୍ଦିରରେ ତାଙ୍କର ସମସ୍ତ ସେବା ମୁଦିରସ୍ତ କରିଥାନ୍ତି। ଗୋଟିଏ ସମୟରେ ପୁରୀର ଗଜପତି ରାଜନୀତି ଓ ସୂର୍ଯ୍ୟପୂଜାର ଅଧିକାର ହରାଇ ବସିଥିଲେ। ତେଣୁ ଗଜପତିଙ୍କ ସେନାପତିତ୍ବ କରୁଥିବା ସେବକଙ୍କୁ ମହାଲକ୍ଷ୍ମୀ ଠାକୁରାଣୀ ମୁଦିରସ୍ତ ସେବା ଦେଇଥିଲେ। ମୁଦିରସ୍ତ ଏହି ସେବା କରିବା ସହ ପ୍ରସାଦ ଲାଗି, ବନ୍ଦାପନା ଆଦି କରିଥାନ୍ତି।

ପ୍ରତ୍ୟେକ ମାସରେ ମୁଦିରସ୍ତଙ୍କର ତିନୋଟି ନକ୍ଷତ୍ର ଓ ଦୁଇଟା ଏକାଦଶୀ ଏହିଭଳି ଭାବେ ୫ଟି ସେବା ରହିଥାଏ। ମୁଦିରସ୍ତ ସେବକ ପୌଷ ପୂର୍ଣ୍ଣମୀ ଦିନ ମହାପ୍ରଭୁଙ୍କୁ ଲାଗି ହୋଇଥିବା ତଡ଼ୀ ଓ ଉତ୍ତରୀ ଧାରଣ କରନ୍ତି। ତା’ ପୂର୍ବରୁ ଶ୍ରୀନଅରଠାରେ ଗଜପତି ମହାରାଜାଙ୍କ ଉପସ୍ଥିତିରେ ରାଜଗୁରୁ ମୁଦିରସ୍ତଙ୍କୁ ଶାଢ଼ି ବାନ୍ଧି ଥାଆନ୍ତି। ରୋହିଣୀ ବୃଷ, ଶ୍ରବଣା, ଜ୍ୟେଷ୍ଠା ବିଛା ଏବଂ ମାସରେ ଦୁଇଟି ଏକାଦଶୀ ବ୍ୟତିତ ସମସ୍ତ ପର୍ବପର୍ବାଣିରେ ମୁଦିରସ୍ତଙ୍କ ସେବା ରହିଥାଏ।

ଜନ୍ମନୀତି ଓ ପର୍ବପର୍ବାଣିରେ ମୁଦିରସ୍ତ ବନ୍ଦାପନା ଓ ସର୍ବାଙ୍ଗ ଆଦି କରନ୍ତି। ରାଜନୀତି ଦଣ୍ଡଛତ୍ର ଆଦି ମଧ୍ୟ ମୁଦିରସ୍ତ କରନ୍ତି। ଋକ୍ମିଣୀ ବିବାହ ସମୟରେ ଦୀର୍ଘ ସମୟ ଧରି କର୍ତ୍ତା ଭାବେ କାର୍ଯ୍ୟ ନିଷ୍ଠାର ସହିତ ତୁଲାଉଥିବା ସମୟରେ ଆମେ ନିଜକୁ ଭୁଲିଯାଇଥାଉ। ସେ ସମୟରେ ମୁଦିରସ୍ତ ଗୁଆ ଟେକିବା ସହ କଉଡ଼ି ଖେଳ କରନ୍ତି। ଗୁରୁବାର ଦିନ ଏକାଦଶୀ ପଡ଼ିଲେ ମହାପ୍ରଭୁଙ୍କ ନିକଟରେ ଦଣ୍ଡଛତ୍ର ଅନୁଷ୍ଠିତ ହୋଇ ରାଜନୀତି ପରେ ଛତ୍ରୀ ଲାଗି ଭୋଗ ମୁଦିରସ୍ତ କରନ୍ତି।

ଚନ୍ଦନଯାତ୍ରା ସମୟରେ ବନ୍ଦାପନା କରିବା ସହ ରାଜନୀତି ମଧ୍ୟ ମୁଦିରସ୍ତ କରିଥାନ୍ତି। ମୁଦିରସ୍ତଙ୍କ ସେବା ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇ ଦେବସ୍ନାନ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିଥାଏ। ପୂର୍ବରୁ ଆଧ୍ୟାତ୍ମିକ ଚେତନା ଥିବା କାରଣରୁ ମୁଦିରସ୍ତ ସେବା ପାଇଁ ବୟସର କଟକଣା ୭ ବର୍ଷରୁ ୧୨ ବର୍ଷ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ଏବେ ୧୪ ବା ୨୨ ବର୍ଷ ବୟସ ପର୍ଯ୍ୟନ୍ତ ଏହି ସେବା କରିବାର ଅଧିକାର ରହୁଛି। ମୁଦିରସ୍ତ ସେବା କରୁଥିବା ସେବକଙ୍କ ଘରେ ମୃତିକିଆ କିମ୍ବା ଛୁତିକିଆ ହେଲେ ସେ ମୁଖାଗ୍ନି ଦିଅନ୍ତି ନାହିଁ। ସେହିପରି ମୁଦିରସ୍ତ ସେବକ ତୁରନ୍ତ ପୈତୃକ ଘର ଛାଡ଼ି ଅନ୍ୟତ୍ର ବାସ କରିବା ସହିତ ଭୋଜନାଦି କାର୍ଯ୍ୟ ଅନ୍ୟ ସ୍ଥାନରେ କରନ୍ତି। ମୁଦିରସ୍ତ ସେବକ ସିଂହାରୀ ନିଯୋଗର ଅନ୍ତର୍ଭୁକ୍ତ ରହିଥିବା ହେତୁ ମୁଦିରସ୍ତ ସେବା ପରେ ସମ୍ପୃକ୍ତ ସେବକ ସିଂହାରୀ ସେବା କରିବାର ଅଧିକାରୀ ହୋଇଥାନ୍ତି। ଏପରିକି ସେମାନେ ମହାଜନ ସେବା ମଧ୍ୟ କରିଥାନ୍ତି।

ମୁଦିରସ୍ତ ସେବା ସମ୍ପର୍କରେ ନାରାୟଣ ମୁଦିରସ୍ତ କୁହନ୍ତି ଯେ ଯେଉଁ ସମୟରେ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ମିଳିଥାଏ, ସେ ସମୟରେ ଆମ ଶରୀରରେ ଆମେ ନିଜକୁ ଅନୁଭବ କରିହୁଏନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe