ତାଙ୍କ ପ୍ରତି କରାଯାଇଥିବା ରାଜନୈତିକ ଅବିଚାର ବିରୋଧରେ ସ୍ବର ଉତ୍ତୋଳନକରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ପୂର୍ବତନ ଅଧ୍ୟକ୍ଷା ତଥା ବିଜୁ ଜନତା ଦଳର ଜଣାଶୁଣା ନେତ୍ରୀ ଶ୍ରୀମୟୀ ମିଶ୍ର। ବିଜେଡିରେ ୨୦ ବର୍ଷର ରାଜନୈତିକ ଯାତ୍ରାରେ ଏକଦା ଅତ୍ୟନ୍ତ ପ୍ରଭାବଶାଳୀ ପରିଗଣିତ ହେଉଥିବା ଶ୍ରୀମୟୀ ନିକଟରେ ଦଳର ଅଧ୍ୟକ୍ଷ ଓ ଅଘୋଷିତ ସର୍ବେସର୍ବା କୁହାଯାଉଥିବା ଭି. କେ. ପାଣ୍ଡିଆନ୍ଙ୍କୁ ଯଥାକ୍ରମେ ‘ଧୃତରାଷ୍ଟ୍ର’ ଓ ‘ଭଣ୍ଡ ସନ୍ନ୍ୟାସୀ’ ଆଖ୍ୟା ଦେବାପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ସଂପ୍ରତି ଶ୍ରୀମୟୀ ତାଙ୍କ ପ୍ରତି ବିଭିନ୍ନ ସମୟରେ କରାଯାଇଥିବା ପ୍ରତାରଣାକୁ ଖୋଲାଖୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏହା ରାଜ୍ୟ ରାଜନୀତିର ବାତାବରଣକୁ ଉଷ୍ମ କରିଛି। ବିଜେଡି ରାଜନୀତିର ଅନାଲୋଚିତ ଦିଗ ଏବଂ ନବୀନଙ୍କ ଛତ୍ରଛାୟାରେ ଦଳକୁ ପରିଚାଳିତ କରିଥିବା ପ୍ରଭାବଶାଳୀ ଗୋଷ୍ଠୀର କାର୍ଯ୍ୟକଳାପ ପ୍ରସଙ୍ଗରେ ‘ରବିବାର ସମ୍ବାଦ’ ସହ ଆଲୋଚନା କରିଛନ୍ତି ଶ୍ରୀମୟୀ ମିଶ୍ର।
ବିଜୁ ଜନତା ଦଳ ସହ ଆପଣ ଯୋଡ଼ିହେଲେ କେମିତି? କିଭଳି ଘଟିଥିଲା ପ୍ରତ୍ୟକ୍ଷ ରାଜନୀତିକୁ ଆପଣଙ୍କ ପ୍ରବେଶ?
ମୁଁ ଛାତ୍ର ଜୀବନରୁ ରାଜନୀତି ସହ ସଂପୃକ୍ତ ଥିଲି। ୨୦୦୬ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲି। ତା’ପରେ ଦଳର ଛାତ୍ରଶାଖା ଓ ମହିଳା ଶାଖାରେ ବିଭିନ୍ନ ପଦପଦବିରେ ରହିଥିଲି। ୨୦୧୪ରେ ନବୀନବାବୁ ମୋତେ ଡକାଇଲେ ଏବଂ ଚାନ୍ଦବାଲି ଓ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଦାୟିତ୍ବ ଦେଇଥିଲେ। ମୁଁ ନିଷ୍ଠାରସହ ସେ କାର୍ଯ୍ୟ ତୁଲାଇଥିଲି। ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏହାପରେ ମୋତେ ନବୀନ ନିବାସକୁ ଡାକି ସେ କହିଥିଲେ- ତୁମେ ବହୁତ ଭଲ କାମ କରିଛ। ତୁମକୁ ପୁରସ୍କାର ଦିଆଯିବ। ଏହାପରେ ମୋତେ ରାଜ୍ୟ ମହିଳା ବିକାଶ ସମବାୟ ନିଗମର ଅଧ୍ୟକ୍ଷ ଦାୟିତ୍ବ ମିଳିଥିଲା। ମୁଁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେହି ଦାୟିତ୍ବରେ ରହିଥିଲି।
ବିଜେଡି ସରକାରଙ୍କର ମହିଳା ସଶକ୍ତୀକରଣ କାର୍ଯ୍ୟକ୍ରମ ସହ ଆପଣ ଜଡ଼ିତଥିଲେ। ତେବେ ମିସନ୍ ଶକ୍ତିରେ ହୋଇଥିବା ଦୁର୍ନୀତି ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କ’ଣ?
୨୦୨୧-୨୨ରେ ମିସନ୍ ଶକ୍ତି ଏକ ସ୍ବତନ୍ତ୍ର ବିଭାଗ ହୋଇଥିଲା। ତେଣୁ ସେ ପ୍ରସଙ୍ଗରେ ମୁଁ କିଛି କହିପାରିବି ନାହିଁ। ହଁ, ଏହା ସତ୍ୟ ଯେ ମିସନ୍ ଶକ୍ତିର ସଫଳତାକୁ ନେଇ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଥିବା ନେଇ ସୁଜାତା କାର୍ତ୍ତିକେୟନ୍ ଯେଉଁ ଦାବି କରୁଛନ୍ତି, ତାହା ମିଛ। ଏହା କେବଳ ରାଜନୈତିକ ଭେଳିକି। ଏହି ପ୍ରଚାର ସୁଜାତାଙ୍କ ଭାବମୂର୍ତ୍ତି ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ଥିଲା। ମିସନ୍ ଶକ୍ତିର ସଫଳତା ରାତାରାତି ହୋଇନାହିଁ। ଯଦି ମିସନ୍ ଶକ୍ତିର ସଫଳତାର ସମସ୍ତ ଶ୍ରେୟ କେବଳ ତାଙ୍କର ତେବେ ଅନ୍ୟ ଦଳର ନେତା, ବିଧାୟକ, ମନ୍ତ୍ରୀ ଓ ଖୋଦ୍ ନବୀନ ପଟ୍ଟନାୟକ କ’ଣ ଏଥିପାଇଁ କିଛି କରିନାହାନ୍ତି?
ଆପଣ ଆଜି ଭି. କେ.ପାଣ୍ଡିଆନ୍ଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି ଏବଂ ବିଜେଡିର ବିପର୍ଯ୍ୟୟ ପାଇଁ ତାଙ୍କୁ ଦାୟୀ କରୁଛନ୍ତି। କିନ୍ତୁ ଦିନ ଥିଲା ଆପଣ ତାଙ୍କ ପ୍ରଶଂସାରେ ଶତମୁଖ ଥିଲେ..
ଦେଖନ୍ତୁ, ମୁଁ ସେତେବେଳେ ବିଜେଡିର ଓ ରାଜ୍ୟ ସରକାରଙ୍କର ଉପସ୍ଥାପକ ଭାବେ କାର୍ଯ୍ୟ କରୁଥିଲି। ତେଣୁ ଲେଖାଯାଇଥିବା ଭାଷଣକୁ କେବଳ ମଞ୍ଚରେ ପଢୁଥିଲି। କେବଳ ମୁଁ ନୁହେଁ, ଆକାଶ ଦାସ ନାୟକ ଓ କୁନା ତ୍ରିପାଠୀ ମଧ୍ୟ ସେହି ସମାନ କାର୍ଯ୍ୟ କରୁଥିଲେ। ଆମେ ତିନିଜଣ ବିଭିନ୍ନ ସମୟରେ ଏହାକୁ ନେଇ ଆପତ୍ତି ଉଠାଇଥିଲୁ। ଆମେ ପଦପଦବିରେ ରହି ଉପସ୍ଥାପକ ଭାବେ ପ୍ରଚାରପୂର୍ଣ୍ଣ ଭାଷଣ ପଢ଼ିବା ଠିକ୍ ହେଉନାହିଁ ବୋଲି କହିଥିଲୁ। କିନ୍ତୁ ଆମକୁ ଦଳ ପକ୍ଷରୁ କୁହାଯାଉଥିଲା ଯେ ଏହା ଦଳୀୟ କାର୍ଯ୍ୟକ୍ରମ ଏବଂ ଦଳର ନେତା ହିସାବରେ ଏହା କରିବାକୁ ପଡ଼ିବ। ତେଣୁ ପ୍ରଶଂସା କରିବା ମୋର ନିଜସ୍ବ ନିଷ୍ପତ୍ତି ନ ଥିଲା। ବିଭିନ୍ନ ପ୍ରସଙ୍ଗରେ ୨୦ ବର୍ଷରେ ମୁଁ ଦଳର ପରିଚାଳନା ନେଇ ଅନେକ ଥର ପ୍ରଶ୍ନ ଉଠାଇଛି ଓ ଆପତ୍ତି ମଧ୍ୟ କରିଛି।
ଆପଣଙ୍କ ନିନ୍ଦୁକମାନେ କହୁଛନ୍ତି କି ଦଳକୁ ଆପଣ ଧୋକା ଦେଇଛନ୍ତି। ତେଣେ ଆପଣ ଦାବି କରୁଛନ୍ତି କି ବିଜେଡି ଆପଣଙ୍କୁ ଧୋକା ଦେଇଛି? ସତ କ’ଣ?
ଥରେ କି ଦି’ଥର ନୁହେଁ ଅନେକଥର ମୁଁ ବିଶ୍ବାସ କରି ଠକି ଯାଇଛି। ଏହା ହିଁ ସତ୍ୟ। କେତେକ ଘଟଣା କହୁଛି, ସେଥିରୁ ଆପଣ ବୁଝିପାରିବେ ଯେ କିଭଳି ମୋତେ ବ୍ୟବହାର କରି ଫିଙ୍ଗି ଦିଆଯାଇଛି। ପ୍ରଥମେ ମୋତେ କୁହାଗଲା ବଲାଙ୍ଗୀରରେ ସଂଗଠନ କର। ମୁଁ କହିଲି, ସେଠାରେ ଅନଙ୍ଗ ଉଦୟ ସିଂଦେଓଙ୍କ ଭଳି ବରିଷ୍ଠ ନେତା ଅଛନ୍ତି। ମୁଁ କାହିଁକି ସେଠାରେ ସଂଗଠନ କରିବି? ନବୀନବାବୁଙ୍କ ଉପସ୍ଥିତିରେ ପାଣ୍ଡିଆନ୍ ମୋତେ କହିଲେ, ନା, ନା ସେପରି କିଛି ନାହିଁ ତୁମେ ସଂଗଠନ କର। ମୁଁ କିଛିଦିନ ବଲାଙ୍ଗୀରରେ ସାଂଗଠନିକ କାର୍ଯ୍ୟ କରିବା ପରେ ମୋତେ ନବୀନ ନିବାସ ଡକାଗଲା ଏବଂ କୁହାଗଲା- ତୁମେ ସେଠାରୁ ଚାଲିଯାଇ ପାଟଣାଗଡ଼ରେ ସଂଗଠନ ଦାୟିତ୍ବ ସମ୍ଭାଳ। ମୁଁ ପାଟଣାଗଡ଼ରେ କାମକଲି। କିନ୍ତୁ ଏହା ପରେ କ’ଣ ହେଲା ମୁଁ ଜାଣିନି। ୨୦୧୮ରେ ମୋତେ ସେଠାରୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଗଲା। ମୁଁ ଦୁଇମାସ ଧରି ନବୀନବାବୁଙ୍କୁ ଭେଟିବାକୁ ଚେଷ୍ଟାକଲି ଓ ଏହାର କାରଣ ଜାଣିବାକୁ ଚାହିଲି। କିନ୍ତୁ, ମୋତେ ଭେଟିବାର ସୁଯୋଗ ଦିଆଯାଇ ନ ଥିଲା। ୨୦୧୯ ନିର୍ବାଚନ କିଛିଦିନ ଥାଏ, ମୋତେ ପୁଣି ନବୀନ ନିବାସରୁ ଡାକରା ଆସିଲା। ମୁଁ ନବୀନବାବୁଙ୍କୁ ଭେଟିଲି। ଯେତେବେଳେ ତାଙ୍କୁ ବିଭିନ୍ନ ପ୍ରଶ୍ନ କଲି ସେ କହିଲେ- ବ୍ୟସ୍ତ ବିବ୍ରତ ହୁଅନାହିଁ, ତୁମେ ରାଜ୍ୟସଭା ଯିବ। ଏହା ଭିତରେ ଦୁଇ ତିନିଥର ରାଜ୍ୟସଭା ନିର୍ବାଚନ ସରିଗଲାଣି। ତେବେ ଏହାକୁ ନେଇ ନବୀନବାବୁଙ୍କୁ ମୁଁ ପ୍ରଶ୍ନ କରିନାହିଁ।
ଭୁବନେଶ୍ବର ମହାନଗର ନିଗମ ମେୟର୍ ନିର୍ବାଚନେର ଆପଣ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହୋଇଥିଲା। ଆପଣ ପ୍ରାର୍ଥୀ ଦୌଡ଼ରେ ଥିଲେ? ଏଠି ବି ଧୋକା ଖାଇଲେ?
ହଁ। ହଠାତ୍ ସୁଜାତା କାର୍ତ୍ତିକେୟନ୍ ବର୍ତ୍ତମାନ କ୍ଷମତାରେ ଥିବା ଅନ୍ୟଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କ ଜରିଆରେ ଖବର ଦେଲେ କି ମୋର ଭୋଟର୍ ପରିଚୟପତ୍ର ବଲାଙ୍ଗୀରରେ ରହିଛି, ତେଣୁ ମୁଁ ଏଠାରେ ମେୟର୍ ନିର୍ବାଚନ ଲଢ଼ିପାରିବି ନାହିଁ। ମୁଁ କିଛି ପ୍ରତିକ୍ରିୟା ଦେଇ ନ ଥିଲି। ଯେତେବେଳେ ଭୁବନେଶ୍ବର ମେୟର୍ ନିର୍ବାଚନରେ ମୁଁ ଭୋଟ୍ ଦେଇଥିଲି ସେତେବେଳେ ଗଣମାଧ୍ୟମରେ ଏହା ଚର୍ଚ୍ଚିତ ହୋଇଥିଲା।
ମମିତା ମେହେର ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆପଣଙ୍କୁ ସାମ୍ବାଦିକ ସମ୍ମିଳନୀ କରିବାକୁ କୁହାଯାଇଥିଲା ଓ ଆପଣ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ କାହିଁକି?
ମମିତା ମେହେରଙ୍କ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ସମୟରେ ମୋତେ ତୃତୀୟ ମହଲାରେ କାର୍ଯ୍ୟରତ ଆଇପିଏସ୍ ଅଧିକାରୀ ଡି.ଏସ୍. କୁଟେ ଡକାଇଲେ ଏବଂ କହିଲେ, ମମିତା ମେହେର ମୃତ୍ୟୁ ଘଟଣାରେ ଏକ ସାମ୍ବାଦିକ ସମ୍ମିଳନୀ କର। ବିଜେଡି ନେତା ଏଥିରେ ସଂପୃକ୍ତ ନୁହନ୍ତି ବୋଲି ଗଣମାଧ୍ୟମକୁ ଜଣାଅ। ମାମଲା କୋର୍ଟରେ ଥିବାରୁ ମୁଁ ଏପରି କରିବାକୁ ରୋକ୍ଠୋକ୍ ମନା କରିଦେଲି। ଏହାପରେ ମୋତେ ସେଦିନ ଧମକ ଦେବା ଭଳି ଢଙ୍ଗରେ ସେ କହିଥିଲେ, ତୁମକୁ ଓଟିଡିସି ପଦବିରୁ ଅବ୍ୟାହତି ଦିଆଯିବ। ମୁଁ କହିଲି, କରିଦିଅନ୍ତୁ।
ଆପଣଙ୍କୁ ଭୁବନେଶ୍ବର ସାଂସଦ ଟିକେଟ୍ ଦେବାକୁ ପ୍ରତିଶ୍ରୁତି କିଏ ଦେଇଥିଲେ ଏବଂ ଟିକେଟ୍ କାଟିଲେ କିଏ?
ମୋତେ ପ୍ରଥମେ ନବୀନବାବୁ ଭୁବନେଶ୍ବରର ବିଜେଡି ନେତା ଓ କର୍ମୀମାନଙ୍କ ଉପସ୍ଥିତିରେ ଭୁବନେଶ୍ବରର ସାଂସଦ ପ୍ରାର୍ଥୀ ହେବା ପାଇଁ କହିଥିଲେ ଏବଂ ଏଥିପାଇଁ ଜନସଂପର୍କ ଓ ସାଂଗଠନିକ କାର୍ଯ୍ୟରେ ଲାଗିପଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପାଣ୍ଡିଆନ୍ ମଧ୍ୟ ବିଜେଡି ବିଧାୟକ ଓ ନେତାମାନଙ୍କ ଉପସ୍ଥିତିରେ ଶ୍ରୀମୟୀ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଓ ସମସ୍ତେ ତାଙ୍କ ପାଇଁ ଲାଗିପଡ଼ ବୋଲି କହିଥିଲେ। ଏପରିକି ଯିଏ ଅବହେଳା କରିବ ତା’ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ କରିଥିଲେ। ଥରେ ପାଣ୍ଡିଆନ୍ ଓ ବବି ଦାସ ଦିନେ ଦିଲ୍ଲୀରୁ ଫେରି ମୋତେ ନବୀନ ନିବାସକୁ ଡାକିଲେ। ମୁଁ ପହଞ୍ଚିବା ପରେ ମୋତେ ଉଭୟ କହିଲେ, ଗୋଟେ ସର୍ଭେ ରିପୋର୍ଟ ଆସିଛି ଏବଂ ଏହି ରିପୋର୍ଟରେ ଜନମତ ତୁମ ସପକ୍ଷରେ ନାହିଁ। ମୁଁ କହିଲି ଏହି ରିପୋର୍ଟ ଜାଲ୍ ଏବଂ ଆପଣ ଦିଲ୍ଲୀରେ କିଛି ସେଟିଂ କରିଛନ୍ତି। ଉଭୟ ମୌନ ରହିଥିଲେ। ମୁଁ ଫେରିଆସିଥିଲି। ଏହାପରେ ମୁଁ ନବୀନବାବୁଙ୍କୁ ଭେଟିବାକୁ ଗଲି। ଦେଖିଲି, ପାଣ୍ଡିଆନ୍ ବସିଛନ୍ତି। ସେ ମୋତେ ନବୀନବାବୁ ବ୍ୟସ୍ତ ଅଛନ୍ତି କହି ଭେଟିବାର ସୁଯୋଗ ଦେଇ ନଥିଲେ। ପରେ ତାଙ୍କ ଟେବୁଲ ଉପରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋ ଛୁଇଁ ଶପଥକରି ସେ କହିଲେ ଯେ ନିର୍ବାଚନ ପରେ ଆପଣଙ୍କୁ ଥଇଥାନ କରାଯିବ। ତେଣୁ ଆପଣ ନିର୍ବାଚନ କାର୍ଯ୍ୟରେ ଲାଗନ୍ତୁ ବୋଲି ସାର୍ (ନବୀନବାବୁ) କହିଛନ୍ତି। ସେଦିନ ମୁଁ ବୁଝି ଯାଇଥିଲି ଯେ ଭାବ ଓ ଭକ୍ତି ପାଇଁ ପାଣ୍ଡିଆନ୍ ମହାପ୍ରଭୁଙ୍କୁ ପାଖରେ ରଖିନାହାନ୍ତି ବରଂ ଶ୍ରୀଜଗନ୍ନାଥଙ୍କ ନାମରେ ଶପଥ କରି ଓଡ଼ିଆଙ୍କୁ ଭଣ୍ଡାଇବା ପାଇଁ ସେ ନିଜ ଟେବୁଲ୍ ଉପରେ ଶ୍ରୀଜଗନ୍ନାଥଙ୍କୁ ରଖିଛନ୍ତି।
Follow Us