ନୂଆଦିଲ୍ଲୀ: ଆଇଏଏସ୍ ସଂଜୀବ ଖିରୱାରଙ୍କ କଥା ତ ଆପଣ ଜାଣିଥିବେ ନିଶ୍ଚୟ। ଦିଲ୍ଲୀର ଏକ ଷ୍ଟାଡିୟମ୍ରୁ ଖେଳାଳିଙ୍କୁ ତଡ଼ି ନିଜେ ତାଙ୍କ କୁକୁରକୁ ଧରି ସେଠାରେ ୱାକ୍ କରିବା ଖବର ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଖାଲି ସେତିକି ନୁହେଁ, ତାଙ୍କର ଏପରି କାର୍ଯ୍ୟ ପାଇଁ ତାଙ୍କୁ ଲଦାଖକୁ ବଦଳି ମଧ୍ୟ କରି ଦିଆଯାଇଛି। ଏହାରି ମଧ୍ୟରେ ଆଉ ଜଣେ ମହିଳା ଆଇଏଏସ୍ ଅଧିକାରୀଙ୍କ ଫଟୋ ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ମହିଳା ଅଧିକାରୀ ଜଣକ ହେଉଛନ୍ତି କିର୍ତ୍ତି ଜଲ୍ଲି। ଏହି ମହିଳା ଅଧିକାରୀ ଜଣକ କାଦୁଆରେ ପଶି ପଶି ଚାଲି କରି ଯାଉଥିବାର ଏକ ଫଟୋ ଭାଇରାଲ୍ ହୋଇଛି।
ଘଟଣାଟି ହେଉଛି, ଆଇଏଫ୍ଏସ୍ ଅନୁପମ୍ ଶର୍ମା ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଏକ ପୋଷ୍ଟ୍ କରି ଲେଖିଛନ୍ତି, ‘ଫଟୋରେ ଦୃଶ୍ୟମାନ ହେଉଥିବା ୨ ଜଣ ଯାକ ଅଧିକାରୀ ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାର୍ତ୍ତାଟି ହେଉଛି ଖୁବ୍ ସାଧାରଣ, କୌଣସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଗୁରୁତ୍ବପୂର୍ଣ୍ଣ ନୁହେଁ। ଗୁରୁତ୍ବପୂର୍ଣ୍ଣ ହେଉଛି ଉତ୍ତୀର୍ଣ୍ଣ ହେବା ପରେ ଆପଣ ତାହାକୁ କିପରି ବ୍ୟବହାର କରୁଛନ୍ତି। ବାସ୍ତବିକ ସ୍ବାଭିମାନ ମଣିଷଣିଆରୁ ହିଁ ସୃଷ୍ଟି ହୋଇଥାଏ।
ଜାଣିବାକୁ ମିଳିଛି ଯେ ମହିଳା ଆଇଏଏସ୍ ଅଧିକାରୀ କିର୍ତ୍ତି ପାଦରେ ଚାଲି ଚାଲି ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ସ୍ଥିତି ସମୀକ୍ଷା କରୁଥିଲେ। ସେ ହେଉଛନ୍ତି କଚର୍ର ଡେପୁଟି କମିସନର୍। ନିଜ ଅଞ୍ଚଳ ପାଇଁ ସେ ଏହିପରି ଅନେକ ଉଦାହରଣ ଯୋଗ୍ୟ କାର୍ଯ୍ୟ କରି ବହୁବାର ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛନ୍ତି।
Follow Us