ଭୁବନେଶ୍ବର: ପାର୍ବଣ ବେଳେ ରାସ୍ତା ଭିଡ଼ ହେବା ନୂଆ କଥା ନୁହେଁ କି ଏଥିରେ ଆଶ୍ଚର୍ଯ୍ଯ କିମ୍ବା ଆଚମ୍ବିତ ହେବା କଥା ନୁହେଁ । କାରଣ ପାର୍ବଣ ଋତୁରେ ସମସ୍ତେ ପୂଜା ବୁଲିବାକୁ ଘରୁ ବାହାରି ଆସନ୍ତି । ତେଣୁ ରାସ୍ତା ଜାମ୍ ହୁଏ ଆଉ ଏହି ଜାମ୍ ଭିତରେ ଆମ୍ବୁଲାନ୍ସ ଫସିବା କଥା ବି ଆମ ଦେହ ସୁହା ହୋଇଗଲାଣି । ପ୍ରତି ବର୍ଷ ଖାଲି ପୂଜା ବେଳେ ନୁହେଁ ବରଂ ନେତା ମନ୍ତ୍ରୀ ବି ଆସିଲେ କି ଅନ୍ୟ କୌଣସି କାରଣରୁ ଟ୍ରାଫିକ ଭିଡ଼ ହେଲେ ସେଥିରେ ଅନେକ ବାର ଆମ୍ବୁଲାନ୍ସ ଫସିଯିବା ଆମେ ଦେଖୁ- ଘଣ୍ଟା ଘଣ୍ଟା ଧରି ଭିଡ ଭିତରେ ଆମ୍ବୁଲାନ୍ସ ଅଟକି ରହିଥିବା ଆମେ ଗଣମାଧ୍ଯମରେ ବି ଦେଖାଉ…
ହେଲେ ଥରେ ଭାବିଛନ୍ତି- ରାସ୍ତାରେ ଆମ୍ବୁଲାନ୍ସ କେବଳ ଜଣେ ଗୁରୁତର ରୋଗୀକୁ ନେଇ ମେଡିକାଲ ଧାଉଁନଥାଏ ବରଂ ଗୋଟେ ଜୀବନକୁ ନେଇ ଡାକ୍ତରଖାନା ଦୌଡୁଥାଏ । ରାସ୍ତାର ସବୁ ବାଧା ବିଘ୍ନ କାଟି ତାକୁ ଜରୁରୀକାଳୀନ ସ୍ଥିତିରେ ଅଳ୍ପ ସମୟ ମଧ୍ଯରେ ମେଡିକାଲରେ ପହଞ୍ଚିବାକୁ ପଡିବ । କାରଣ ପ୍ରତିଟି ଜୀବନ ମୂଲ୍ୟବାନ । ସେଇଥିପାଇଁ ତ ଆମ୍ବୁଲାନ୍ସ ଏକ ଜୀବନ ବୁହା ଗାଡ଼ି ଭାବେ ଗଣାଯାଏ, ଯାହା କାନ୍ଧରେ ମୃତ୍ୟୁ ମୁଖରୁ ଜୀବନକୁ ଛଡାଇ ଆଣିବାକୁ ପ୍ରାରମ୍ଭିକ ପରିଶ୍ରମର ଭାର ଥାଏ । ବୋଧେ ସେଇଥିପାଇଁ ଆହତ ହେଉ କି ଗୁରୁତର ଅବା ହେଉ ଗର୍ଭବତୀ କିମ୍ବା ଅନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ନେଇ ନିଜ ପ୍ରାଣପଣେ ମେଡିକାଲରେ ପହଞ୍ଚିବାକୁ ଶତ ଚେଷ୍ଟା କରନ୍ତି ଆମ୍ବୁଲାନ୍ସ, ଡ୍ରାଇଭର । ବାସ୍ ଗୋଟିଏ ହିଁ ଲକ୍ଷ୍ଯ ଥାଏ- ଜୀବନ ବଞ୍ଚିଯାଉ, ରୋଗୀଟି ସୁସ୍ଥ ରହୁ…
କିନ୍ତୁ ଆମ ମଉଜ ମଜଲିସ ପାଇଁ ଆମ୍ବୁଲାନ୍ସ ରାସ୍ତାରେ ଫସେ, ବାଟରେ ଅଟକେ । ଆମେ ପୂଜା ବୁଲି ଯିବା, ଆମେ ମେଢ ଦେଖିବା, ମୀନାବଜାର ବୁଲିବା, ଦୋଳି ଖେଳିବା, ରାଜଧାନୀର ଏତୋଟି ମଣ୍ଡପ ଛୁଇଁଛୁଇଁ ଯିବା, କଟକର ସବୁ ମେଢ ଦେଖିବା… ଏସବୁ ଇଚ୍ଛା, ଅଭିଳାଶା, ଆଉ ଜିଦରେ ଘରୁ ବାହାରି ରାସ୍ତାକୁ ଆସୁ ଆଉ ଗନ୍ତବ୍ୟସ୍ଥଳକୁ ଯାଉ । ପୂର୍ବରୁ ରାସ୍ତାରେ ଜମିଥିବା ଭିଡରେ ବି ଆମେ ସାମିଲ ହେଉ । ଭିଡ ଧିରେଧିରେ ବଢେ । କେବେ ଆମ କାନରେ ଆମ୍ବୁଲାନ୍ସର ସାଇରନ ପଡେ ତ କେବେ ଆମ୍ବୁଲାନ୍ସ ଭିଡ ପାରେଇ ଯାଉଥିବାର ଦେଖୁ । ଅନ୍ୟ ଦିନମାନଙ୍କରେ ଯଦିଓ ରାସ୍ତା ସେତେଟା ଭିଡ ନଥାଏ ତେଣୁ ଆମ୍ବୁଲାନ୍ସ ଯିବାରେ ସମସ୍ୟା ହୁଏନି । ମାତ୍ର ପୂଜା ବେଳେ ପ୍ରବଳ ଭିଡ ପାଇଁ ଆମ୍ବୁଲାନ୍ସ ଯିବାରେ ବାଧା ସୃଷ୍ଟି ହୁଏ, ଆମ୍ବୁଲାନ୍ସ ଯାଇପାରେନି । ପ୍ରବଳ ଟ୍ରାଫିକ୍ ଜାମ ପାଇଁ ବି ଅନେକ ସମୟରେ ଘଣ୍ଟା ଘଣ୍ଟା ଆମ୍ବୁଲାନ୍ସ ଅଟକି ରୁହେ ।
ଯଦି ସଦ୍ୟତମ ଉଦାହରଣ ଦେଖିବା ତେବେ ଗତକାଲି ରସୁଲଗଡ଼ ଛକରେ ଏତେ ଭିଡ ହେଲା, ଯେଉଁଠି ଭିଡରେ ଫସିଥିବା ଆମ୍ବୁଲାନ୍ସକୁ ଆଗକୁ ଯିବାକୁ ସମସ୍ୟା ହେଉଥିଲା । ଆମ୍ବୁଲାନ୍ସ ଅନବରତ ସାଇରନ ମାରି ଚାଲିଥିଲେ ବି ନା କେହି ବାଟ ଛାଡୁଥିଲେ ନା ତାକୁ ବାଟ ଦେବାକୁ ଅନ୍ୟ ଗାଡି ଚାଳକଙ୍କୁ ରାସ୍ତା ମିଳୁଥିଲା । ତେଣୁ ନାଚାର ଡ୍ରାଇଭର ସାଇରନ ଶବ୍ଦ ଶୁଣି ସେମିତି ଧିରେଧିରେ ଗାଡ଼ି ଗଡାଉଥିଲେ । ଆଉ କେହି କେହି ଆମ୍ବୁଲାନ୍ସକୁ ବାଟ ଦେଇ ପାରୁନାହାନ୍ତି ବୋଲି ସେମାନେ ନିଜକୁ ଦୋଷୀ ଭାବି ଖାଲି ଭଗବାନଙ୍କୁ ମୁଣ୍ଡିଆ ମାରୁଥିଲେ । ଆମ୍ବୁଲାନ୍ସ ଆଗରେ ଥିବା ବାଇକ ଖାଲି ପଛକୁ ଚାହୁଁଥିଲେ ବି କିଛି କରି ପାରୁ ନଥିଲେ । ଆଉ କେହି କେହି ଆମ୍ବୁଲାନ୍ସର ସାଇରନ ଶୁଣି ବି ବେଖାତିର କରୁଥିଲେ ।
ଟ୍ରାଫିକରେ ଆମ୍ବୁଲାନ୍ସ କାହିଁକି ଫସିଲା ? ଦୋଷ କାହାର ? ଏ ପ୍ରଶ୍ନ ଉଠିଲା ମାତ୍ରେ ସାଙ୍ଗେସାଙ୍ଗେ ଟ୍ରାଫିକ ବ୍ୟବସ୍ଥା ଏବଂ ଟ୍ରାଫିକ ପୋଲିସ ଉପରକୁ ଆଙ୍ଗୁଠି ଉଠି ଯାଉଥିବା ବେଳେ କିନ୍ତୁ ଏହି ଘଟଣାରେ ଟ୍ରାଫିକ ପୋଲିସ ଜଣଙ୍କ ଅନେକ ଚେଷ୍ଟା, ଅନେକ ଧାଁଦୌଡ଼ କରି ଆମ୍ବୁଲାନ୍ସକୁ ଭିଡରୁ ବାହାର କରିବାକୁ ଚେଷ୍ଟା କରିଥିଲେ । କାରଣ ପରିସ୍ଥିତି ସେମିତି ଥିଲା, ଆମ୍ବୁଲାନ୍ସ ଆଗରେ, ପଛରେ ଏତେ ଜାମ ଥିଲା ଯେ କିଛି କରିବା ଭଳି ନଥିଲା । ତଥାପି ଟ୍ରାଫିକ ପୋଲିସର ପରିଶ୍ରମକୁ ସତ ସଲାମ୍ ।
ହେଲେ ଆମ୍ବୁଲାନ୍ସର ସାଇରନ ଶୁଣି ଯେଉଁମାନେ ଚୁପଚାପ ରାସ୍ତାରେ ଗାଡ଼ି ଧରି ଛିଡା ହୋଇଥିଲେ ସେମାନଙ୍କୁ ଗୋଟେ ପ୍ରଶ୍ନ- ଯଦି ସେ ଆମ୍ବୁଲାନ୍ସ ଭିତରେ ଆପଣଙ୍କର କେହି ସମ୍ପର୍କୀୟ କିମ୍ବା ନିଜର ଲୋକ ଥାଆନ୍ତେ ତେବେ ଆପଣ କଣ ଏମିତି କାଠ ପରି ରାସ୍ତାରେ ଅଚଳ ଭଳି ଛିଡା ହୋଇଥାନ୍ତେ କି ? ଆମ୍ବୁଲାନ୍ସର ସାଇରନ ଶୁଣି କିଛି ପ୍ରତିକ୍ରିୟା ନକରୁଥିବା ଗାଡ଼ି ଚାଳକ ଜାଣିବା ଦରକାର… ଆପଣ ସିନା ପୂଜା ବୁଲିବାକୁ, ମଜା ମସ୍ତି କରିବାକୁ ପରିବାର ସହ କାରରେ, ବାଇକରେ ବୁଲି ଆସିଛନ୍ତି । ହେଲେ ଆମ୍ବୁଲାନ୍ସ ଭିତରେ ଆଉ କାହାର ପରିବାର ଲୋକଟେ ମୃତ୍ୟୁ ସହ ସଂଘର୍ଷ କରୁଛି । ଆମ୍ବୁଲାନ୍ସରେ ଥିବା ସେହି ରୋଗୀ ଜୀବନ-ମୃତ୍ୟୁ ଉପରେ ଗୋଟେ ପରିବାର ଉଜୁଡିବ ନା ରହିବ ନିର୍ଭର କରୁଛି… କାରଣ ଆମ୍ବୁଲାନ୍ସ ଠିକ୍ ସମୟରେ ମେଡିକାଲରେ ପହଞ୍ଚିଲେ ହୁଏତ ସେ ରୋଗୀଟି ବଞ୍ଚିଯିବ… ତେଣୁ ଆପଣ ଭାବନ୍ତୁ… ପୂଜା ବୁଲା ବେଳେ କୃତ୍ରିମ ଭିଡ ବଡ ନା ରୋଗୀର ଜୀବନ… ଆପଣଙ୍କ ଖୁସି ପାଇଁ ଆପଣ କାହା ମୃତ୍ୟୁର କାରଣ ନସାଜନ୍ତୁ… ପୂଜା ବୁଲନ୍ତୁ, ଆମ୍ବୁଲାନ୍ସକୁ ବି ବାଟ ଛାଡନ୍ତୁ…
ପୂର୍ବରୁ ପୁରୀ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଭିଡରେ ବି ଆମ୍ବୁଲାନ୍ସକୁ ବାଟ ଛଡାଯିବାର ଦୃଶ୍ୟ ଦେଖିଛି ଏ ଓଡିଶା । ତେଣୁ ସେଠି ଯଦି ଏତେ ଭିଡ ଭିତରେ ରୋଗୀଙ୍କ ପାଇଁ, ଶ୍ରଦ୍ଧାଳୁଙ୍କ ପାଇଁ ଆମ୍ବୁଲାନ୍ସକୁ ଗ୍ରୀନ କରିଡରରେ ନିଆଯାଉଛି ତେବେ ଦଶହରା ଭିଡରେ କଣ ପାଇଁ ଆମ୍ବୁଲାନ୍ସକୁ ବାଟ ଆମେ ଛାଡିପାରିବାନି । ଖାଲି କଣ ପାଇଁ ଟ୍ରାଫିକ ପୋଲିସ ଏ ଦିଗରେ ଧ୍ୟାନ ଦେବେ ? ଆମ୍ବୁଲାନ୍ସକୁ ବାଟ ଛାଡିବା ଆମ ସମସ୍ତଙ୍କ କର୍ତ୍ତବ୍ୟ,ସେ ଭିଡ ହେଉ କି ବିନା ଭିଡରେ । ତେଣୁ ଅନ୍ତତ ଏ ଖବର ପଢିଲା ପରେ ଆପଣ ଦୟାକରି ଆମ୍ବୁଲାନ୍ସକୁ ଜାଣିଶୁଣି ଅଟକାଇବା ବିରତ ରୁହନ୍ତୁ, ଅଯଥାରେ ଭିଡ଼ କରି କାହା ଜୀବନ ସହ ନଖେଳନ୍ତୁ…
ଟ୍ରାଫିକ ଭିଡ: ଚଳିତ ବର୍ଷତ ଚର୍ଚ୍ଚିତ ଘଟଣା
-ଗତକାଲି ଭୁବନେଶ୍ବରରେ ଟ୍ରାଫିକ ଭିଡ ପାଇଁ ଫସିଥିଲା ଆମ୍ବୁଲାନ୍ସ । ପୂର୍ବରୁ ଅନେକ ଥର ଏ ଖବର ସାମ୍ନାକୁ ଆସିଛି ।
- ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜାରେ ଅସମ୍ଭାଳ ଭିଡ ପାଇଁ ଗତ ୨୨ ତାରିଖରେ ଆମ୍ବୁଲାନ୍ସ ଫସିଥିଲା । ଦୁର୍ଘଟଣା ପରେ ଜଣେ ୨୧ ବର୍ଷର ଯୁବକଙ୍କୁ ଆମ୍ବୁଲାନ୍ସ କଟକ ନେଇ ଯିବା ବେଳେ ଭିଡରେ ୨ ଘଣ୍ଚାରୁ ଅଧିକ ଫସିବାରୁ ଯୁବକ ଜଣକ ମେଡିକାଲ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଇଥିଲେ । ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।
-ସେହିପରି ଜୁନ ୨୦ରେ ଭଦ୍ରକରେ ଟ୍ରାଫିକ୍ ଜାମରେ ୧୫ ମିନିଟ ଧରି ଫସି ରହିଥିଲା ଆମ୍ବୁଲାନ୍ସ, । ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଭଦ୍ରକ ଚାନ୍ଦବାଲି ମତୋ ବଜାରର ଅଞ୍ଚଳରେ ଭିଡ଼ ମଧ୍ୟରେ ଫସି ରହିଥିଲେ ।
ଖାଲି ଏ ୩ଟି ଘଟଣା ନୁହେଁ ଅତୀତରେ ଅନେକ ଘଟଣା ଆମେ ଦେଖିଛେ । ତେଣୁ ଏ ଦିଗ ପ୍ରତି ସଚେତନ ହୁଅନ୍ତୁ, ଅନ୍ତତ ପକ୍ଷେ ଅଯଥା ଭିଡ କରି କାହା ଜୀବନହାନିର କାରଣ ନସାଜନ୍ତୁ । କିମ୍ବା ସରକାର ଏ ଭିଡ ବେଳେ ଆମ୍ବୁଲାନ୍ସ ପାଇଁ ସ୍ବତନ୍ତ୍ର ରାସ୍ତାର ବ୍ୟବସ୍ଥା କରନ୍ତୁ ବୋଲି ମତ ପ୍ରକାଶ ପାଇଛି ।
ଅଧିକ ପଢନ୍ତୁ-
ରାଜଧାନୀ ରାସ୍ତାରେ ଗାଡ଼ିର ଧାଡ଼ି: ପୂଜା ବେଳେ ପ୍ରବଳ ଜାମ୍, ଭୁବନେଶ୍ବରରେ ଭିଡ଼ ଆଜି ନୁହେଁ… ବର୍ଷବର୍ଷର ସମସ୍ୟା